ଏବେ ଆଜମ ଖାନଙ୍କ ପୁଅ ଅବଦୁଲା ଜୟପ୍ରଦାଙ୍କୁ କହିଲେ ‘ଅନାରକଲି’, ଜୟପ୍ରଦା କହିଲେ…

ଲକ୍ଷ୍ନୌ,୨୨।୪: ସମାଜବାଦୀ ପାର୍ଟି ନେତା ଓ ରାମପୁର ଲୋକସଭା ଆସନରୁ ପ୍ରାର୍ଥୀ ଥିବା ଆଜମ ଖାନଙ୍କ ପୁଅ ଅବଦୁଲା ଆଜମ ଖାନ୍ ବିଜେପି ପ୍ରାର୍ଥୀ ଜୟାପ୍ରଦାଙ୍କ ବିରୋଧରେ ଦେଇଛନ୍ତି ବିବାଦୀୟ ମନ୍ତବ୍ୟ। ଅବଦୁଲା କହିଛନ୍ତି ,‘ଅଲ୍ଲୀ ଆମର, ବଜରଙ୍ଗୀବଲି ମଧ୍ୟ ଦରକାର କିନ୍ତୁ ଅନାରକଲି ଦରକାର ନାହିଁ।’ରାମପୁରରେ ଗତ ରବିବାର ଅବଦୁଲା ତାଙ୍କ ବାପା ଆଜମ ଖାନଙ୍କ ସମର୍ଥନରେ ଏକ ରାଲିରେ ଭାଷଣ ଦେଇ କହିଛନ୍ତି, ’ ଆମ ମଥାରେ ଯେଉଁ ଗୋଲାମୀର କଳଙ୍କ ତିଲା, ତାହା ଏବେ ପୁଣିଥରେ ଲାଗିଯିବ। ନିର୍ବାଚନ ବିକାଶ ନାମରେ ହେଉଚି କିନ୍ତୁ ବିକାଶ ୨୦୧୪ କିମ୍ବା ୨୦୧୭ରେ ମଧ୍ୟହୋଇନି। ଏଠାରେ ଜିଲ୍ଲାର ଦୂରର କଥା ମଶାଣିର ପାଚେରି ମଧ୍ୟ ତିଆରି କରାଯାଇନାହିଁ। ଅଲ୍ଲୀ ବି ଆମର, ବଜରଙ୍ଗବଲୀ ମଧ୍ୟ ଦରକାର କିନ୍ତୁ ଅନାରକଲୀ ଦରକାର ନାହିଁ।
ଅବଦୁଲାଙ୍କ ଏହି ମନ୍ତବ୍ୟ ଶୁଣିବା ପରେ ଜୟପ୍ରଦା ନିଜର ପ୍ରତିକ୍ରିୟା ଦେଇ କହିଛନ୍ତି, ବାପ ଯେପରି ପୁଅ ମଧ୍ୟ ସେପରି। ଏହି ମନ୍ତବ୍ୟକୁ ଜଣାପଡୁଛି ସେମାନେ ସମାଜରେ ମହିଳାଙ୍କୁ କିଭଳି ନଜରରେ ଦେଖନ୍ତି। ତାଙ୍କର ଏହି ବୟାନ ନେଇ ହସିବି କିମ୍ବା କାନ୍ଦିବି ତାହା ଜାଣିପାରୁନି। ପୁଅ ପୁରାପୁରି ବାପା ଭଳିଆ। ମୁଁ ଆଶା କରୁନଥିଲି ଏଭଳି କଥା ଅବଦୁଲାଙ୍କ ନିକଟରୁ, କାରଣ ସେ ଜଣେ ଶିକ୍ଷିତ ବ୍ୟକ୍ତି। ତୁମର ବାପା କହୁଛନ୍ତି ମୁଁ ଆମ୍ରପଲୀ ଓ ତୁମେ କହୁଛ ମୁଁ ଅନାରକଲୀ। କ’ଣ ଏଭଳି ଦୃଷ୍ଟିକୋଣରେ ତୁମେମାନେ ମହିଳାଙ୍କୁ ଦେଖୁଛ ବୋଲି ପ୍ରଶ୍ନ କରିଛନ୍ତି ଜୟପ୍ରଦା।