ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…

ଭୁବନେଶ୍ୱର,୦୧/୧୦ : ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଆସନ୍ତା ଅକ୍ଟୋବର ୪ ତାରିଖରୁ ସର୍ବସାଧାରଣଙ୍କ ପାଇଁ ଖୋଲିବ । କରୋନା ବ୍ୟାଧି ସଂକ୍ରମଣ ପ୍ରତିଷେଧକ ସ୍ୱରୂପ ରାଜ୍ୟ ବନ୍ୟପ୍ରାଣୀ କର୍ତ୍ତୃପକ୍ଷ ଏଥି ପାଇଁ ଜାରି କରିଛନ୍ତି ସ୍ୱତନ୍ତ୍ର ଗାଇଡ୍‌ଲାଇନ୍‌ । ମୁଖ୍ୟତଃ ପରିଦର୍ଶନ ପାଇଁ ପର୍ଯ୍ୟଟକଙ୍କ ସଂଖ୍ୟାକୁ ସଙ୍କୁଚିତ କରି ଦିଆଯାଇଛି । ଦୈନିକ ସର୍ବାଧିକ ୨୫୫୦ ପର୍ଯ୍ୟଟକଙ୍କୁ ଟିକଟ ବିକ୍ରି କରାଯିବ । ମୁଖ୍ୟ ଚିଡ଼ିଆଖାନାକୁ ଦୈନିକ ୧୫୦୦ ଲୋକଙ୍କୁ ଛଡ଼ାଯିବ । ବାକି କ୍ଷୁଦ୍ର ଚିଡ଼ିଆଖାନାକୁ ୭୫୦ ଓ ହରିଣ ପାର୍କକୁ ଦୈନିକ ୩୦୦ ଲୋକ ପରିଦର୍ଶନ କରିପାରିବେ ।


 ସୂଚୀତ ଗାଇଡ୍‌ଲାଇନ୍‌କୁ କଡ଼ାକଡ଼ି ପାଳନ ନିମନ୍ତେ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ପର୍ଯ୍ୟଟକ, କର୍ମଚାରୀ ଓ ଜୀବଜନ୍ତୁଙ୍କ ସୁରକ୍ଷା ନିମନ୍ତେ ସବୁ ରକମର ପ୍ରତିଷେଧକ ବ୍ୟବସ୍ଥା ଗ୍ରହଣ କରିବାକୁ କୁହାଯାଇଛି । ପ୍ରାଣୀ ଉଦ୍ୟାନ ପରିଦର୍ଶନ ଦିଗରେ ଇଚ୍ଛୁକ ପର୍ଯ୍ୟଟକମାନେ ଅନ୍‌ଲାଇନ୍‌ରେ ଟିକେଟ୍‌ ବୁକିଂ କରିବାକୁ ପ୍ରାଥମିକତା ଦିଆଯାଇଛି । ବାକି ଟିକେଟ୍‌ ଘର ନିକଟରେ ମାସ୍କ ପିନ୍ଧି ସାମାଜିକ ଦୂରତା ରକ୍ଷା କରିବା ବାଧ୍ୟତାମୂଳକ କରାଯାଇଛି । ଚିଡ଼ିଆଖାନାର ସ୍ଥାନେ ସ୍ଥାନେ କ’ଣ କରିବ ଓ ନକରିବ ତାହାର ଫଳକ ଲଗାଯିବ । ଟିକେଟ ଘର, ପ୍ରବେଶ ପଥ, ଶୌଚାଳୟ ଓ ବାରଣ୍ଡା ଆଦି ସ୍ଥାନରେ ସାମାଜିକ ଦୂରତା ରକ୍ଷା କରିବା ଲାଗି ଚିହ୍ନ ଦିଆଯିବ । ପ୍ରାଣୀ ଉଦ୍ୟାନକୁ ପ୍ରବେଶ କରୁଥିବା ଠିକାଦାର, କର୍ମଚାରୀ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ ମାନି କାର୍ଯ୍ୟପନ୍ଥା ଗ୍ରହଣ କରିବେ । ରେଲିଂ, ବାଡ଼ ଓ ଅନ୍ୟାନ୍ୟ ସର୍ବସାଧାରଣ ବ୍ୟବହାରଯୋଗ୍ୟ ସ୍ଥାନ ଗୁଡ଼ିକ ନିୟମିତ ବ୍ୟବଧାନରେ ସାନିଟାଇଜ୍‌ କରାଯିବ । ପର୍ଯ୍ୟଟକଙ୍କ ଉପଯୋଗ ପାଇଁ ମଧ୍ୟ ବିଭିନ୍ନ ସ୍ଥାନରେ ସାନିଟାଇଜର ରଖାଯିବ ।


 ମାସ୍କ ନ ପିନ୍ଧିଥିବା ପର୍ଯ୍ୟଟକଙ୍କୁ ଭିତରକୁ ଛାଡ଼ିବା ବାରଣ କରାଯାଇଛି । ୭ ବର୍ଷ ଶିଶୁ ଠାରୁ ଆରମ୍ଭ କରି ସମସ୍ତେ ନାକ ଓ ପାଟି ମାସ୍କରେ ଘୋଡ଼ାଇ ଭିତରେ ପ୍ରବେଶ କରିବେ । ସେହିଭଳି ଥଣ୍ଡା, କାଶ ଓ ଜ୍ୱରରେ ପୀଡ଼ିତ ପର୍ଯ୍ୟଟକଙ୍କ ପ୍ରବେଶ ନିଷିଦ୍ଧ କରାଯାଇଛି । ପ୍ରବେଶ ପଥରେ ସ୍କ୍ରିନିଂ କରି ଲୋକଙ୍କୁ ଭିତରକୁ ଛାଡ଼ିବା ଉପରେ ଗୁରୁତ୍ୱ ଦିଆଯାଇଛି । ବରିଷ୍ଠ ନାଗରିକ ଓ ନବଜାତଙ୍କୁ ପରିଦର୍ଶନ ପାଇଁ ନ ଆଣିବାକୁ ପରାମର୍ଶ ଦିଆଯାଇଛି । ପ୍ରବେଶ ପଥ ନିକଟରେ ସ୍ୱତନ୍ତ୍ର ଭାବେ ନିର୍ମିତ ଔଷଧୀୟ ମ୍ୟାଟ ଉପରେ ଚାଲି ପର୍ଯ୍ୟଟକଗଣ ଭିତରକୁ ଯିବେ । ସେଠାରେ ସମ୍ପୂର୍ଣ୍ଣ ଶରୀର ସାନିଟାଇଜ କରିବା ବ୍ୟବସ୍ଥା କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଦ୍ୟାନ ଭିତରେ ଛେପ ପକାଇବା, ପାନ ଗୁଟୁଖା ଖାଇବା, ଧୂମପାନକୁ ବାରଣ କରାଯାଇଛି ।

ପର୍ଯ୍ୟଟକ ଓ ଚିଡ଼ିଆଖାନା କର୍ମଚାରୀଙ୍କ ମଧ୍ୟରେ ସାମାଜିକ ଦୂରତା ରହିବା ଆବଶ୍ୟକ । କର୍ମଚାରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ଚିଡ଼ିଆଖାନା ଭିତରେ ଥିବା ରେଷ୍ଟ୍ରୁରାଣ୍ଟରେ ସାମାଜିକ ଦୂରତା ରଖି ସହିତ ଖାଦ୍ୟଯୋଗାଣ ହେବ । ଖାଦ୍ୟଯୋଗାଣରେ କୌଣସି ବାସନକୁସନ ବ୍ୟବହାର ହେବନି । ବିଶ୍ରାମ ପାଇଁ ଉଦ୍ଦିଷ୍ଟ ବେଞ୍ଚର ମଝି ସିଟ୍‌ରେ ଛକି ଚିହ୍ନ ପଡ଼ିବ ଅର୍ଥାତ୍‌ ବେଞ୍ଚରେ ୨ଜଣରୁ ଅଧିକ ବସିବେ ନାହିଁ । ପରିଦର୍ଶକମାନେ ସାଙ୍ଗରେ ପିଇବା ପାଣି ଆଣିପାରିବେ । କିନ୍ତୁ କୌଣସି ଖାଦ୍ୟ ପଦାର୍ଥ ନଆଣିବାକୁ ପରାମର୍ଶ ଦିଆଯାଇଛି । କକ୍ଷ ଭିତରେ ଥିବା ପରିଦର୍ଶନ ସ୍ଥାନ ଭାବେ ଆକ୍ୱାରିୟମ, ଲାଇବ୍ରେରୀ, ଅନ୍ଧାରରେ ରହୁଥିବା ଜୀବଙ୍କ ଘର, ବାରଣ୍ଡା ଭିତରେ ଲୋକଙ୍କ ସଂଖ୍ୟା ନିୟନ୍ତ୍ରଣ କରାଯିବ । ସର୍ବୋପରି ପ୍ରାଣୀ ଉଦ୍ୟାନ ପରିସରରେ ବଣଭୋଜି ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ଗାଇଡ଼୍‌ଲାଇନ୍‌କୁ କଡ଼ାକଡ଼ି ଭାବେ ପାଳନ କରିବାକୁ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ଜଣାଇ ଦିଆଯାଇଛି । ଏହି ଗାଇଡ଼ଲାଇନ୍‌ ରାଜ୍ୟରେ ଥିବା ସମସ୍ତ ହରିଣ ପାର୍କରେ ମଧ୍ୟ ଲାଗୁ ହେବ ।

   ସମ୍ବନ୍ଧିତ ଖବର


କରୋନାରେ ମାସ୍କ ପିନ୍ଧୁନଥିବା ବ୍ୟକ୍ତି ଖୁବଶୀଘ୍ର ଦେଖନ୍ତୁ ଏହି ଭିଡିଓ, ଆପଣଙ୍କୁ ଶିଖିବାକୁ ଅଛି ବହୁତ୍ କିଛି …

ଚୀନରୁ ଆସୁଛି ହଳଦିଆ ଧୂଆଁ: ଭୟରେ ଉତ୍ତର କୋରିଆର ଲୋକ, ଝରକା ଖୋଲିବାକୁ ମନା

ବିଶ୍ୱ ସ୍ତରରେ ଗୌରବ ଆଣିଛନ୍ତି ଓଡ଼ିଆ ଝିଅ ରିଙ୍କୁ, ଯୋଗାସନରେ କଲେ ନୂଆ ରେକର୍ଡ

ଜୁଆ ଆଡ୍‌ଡା ଉପରେ ଚଢାଉ, ତିନି ଗିରଫ

ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପଥରରେ ପିଟି ହୋଇ ବାଇକ ଆରୋହୀ ମୃତ…

ହିରୋ ଲଞ୍ଚ କଲା ନୂଆ ଇଲେକ୍ଟ୍ରିକ ସ୍କୁଟର, ଫୁଲ୍ ଚାର୍ଜ କଲେ ଯିବ ୨୧୦ କିଲୋମିଟର