ନୂଆଖାଇ ସଂସ୍କୃତି ଏବଂ ସମର୍ପଣର ପର୍ବ

‘ନୂଆଖାଇ’ ଏକ କୃଷିଭିତ୍ତିକ ଗଣପର୍ବ । ଓଡ଼ିଶାର ପଶ୍ଚିମ ଭାଗରେ ଏହାକୁ ବ୍ୟାପକ ଭାବରେ ପାଳନ କରାଯାଇଥାଏ । ବର୍ଷର ପ୍ରଥମ ଅମଳ ଧାନ କୌଣସି ପଶୁ, ପକ୍ଷୀ ଅବା ଅନ୍ୟ ପ୍ରାଣୀଙ୍କ ଉଦରକୁ ଯିବା ପୂର୍ବରୁ ତାହାକୁ ସର୍ବନିୟନ୍ତାଙ୍କଠାରେ ଅର୍ପଣ କରାଯାଇଥାଏ । ଧାନ ଖେଡ଼ଧରି ପୂର୍ଣ୍ଣଗର୍ଭା ହୋଇଥିବା ଅଥଚ ପାକଳ ହୋଇନଥିବ, ସେଭଳି ସମୟରେ ତାହାକୁ ବିଲରୁ ଆଣି ନିଜନିଜ ଇଷ୍ଟ ଦେବାଦେବୀଙ୍କଠାରେ ଭୋଗ ଲାଗି ହୋଇଥାଏ । ପରେ ସପରିବାର ଏକ ସଙ୍ଗରେ ନୂଆଁ ଚାଉଳର ପ୍ରସାଦ ଗ୍ରହଣ କରିଥାଆନ୍ତି । କୁଳ, ଗୌତ୍ର, ବଂଶର ପରମ୍ପରା ଅନୁସାରେ କେହିକେହି ନୂଆ ଚାଉଳର କ୍ଷୀରି ପ୍ରସ୍ତୁତକରି ଈଶ୍ୱରଙ୍କଠାରେ ଅର୍ପଣ କରିଥାଆନ୍ତି, ଆଉ କେହିକେହି କୁଣ୍ଡାଖୁଦ ଅର୍ପଣକରି ତାହାକୁ ଗ୍ରହଣକରିଥାଆନ୍ତି ।

ଏଥିନିମନ୍ତେ ନୂଆଖାଇ ପ୍ରତ୍ୟୁଷରୁ ଘରର ମୁରବୀ ଶ୍ରେଣୀୟ ବ୍ୟକ୍ତି ବିଲକୁ ଯାଇ ମାଟିମାତା(ବସୁଧା)ଙ୍କୁ ଆବାହନ କରନ୍ତି । ପରେ ବିଲର ହିଡ଼ରେ ମାଟିମାତା, ଅନ୍ନଦାତ୍ରୀ ଦେବୀ ଲକ୍ଷ୍ମୀ ଓ ନାରାୟଣଙ୍କ ନାମରେ ତିନିପୁଞ୍ଜା ଚାଉଳ ଦେଇ ତହିଁରେ କ୍ଷୀର ଢ଼ାଳି ପୂଜା କରାଯାଏ । ବର୍ଷର ପ୍ରଥମ ଧାନ ତୋଳିବାର ଅନୁମତି ଆଣି ସେହି ନୂଆ ଚାଉଳରୁ ନୂଆ ଅନ୍ନ ପ୍ରସ୍ତୁତ ହୋଇଥାଏ । ଚାଷୀ ପରିବାରରେ ଏଭଳି ବିଧି ପାଳନ କରାଯାଉଥିବାବେଳେ ସହରାଞ୍ଚଳରେ ରହୁଥିବା ତଥା ଅଣଚାଷୀ ପରିବାରର ଲୋକେ ପୂର୍ବରୁ ନୂଆ ଧାନ କିଣିନେଇ ତହିଁରେ ନୂଆ ଅନ୍ନ ଭୋଗ ପ୍ରସ୍ତୁତ କରନ୍ତି । ଶୁଭ ଲଗ୍ନରେ ନୂଆଁଖାଇ ହେଲେ ସୁଖ ସମୃଦ୍ଧି ହୋଇଥାଏ ବୋଲି ବିଶ୍ୱାସ ରହିଛି । ତେଣୁ ପ୍ରତ୍ୟେକ ଅଞ୍ଚଳରେ ନିଜନିଜ ଇଷ୍ଟ ଦେବାଦେବୀଙ୍କ ନାମାନୁସାରେ ତଥା ସେମାନଙ୍କ ରାଶି ଲଗ୍ନ ଅନୁସାରେ ପୂର୍ବରୁ ପଣ୍ଡିତମାନଙ୍କ ଦ୍ୱାରା ନୂଆଁଖାଇ ଲଗ୍ନ ନିର୍ଦ୍ଧାରଣ ହୋଇଥାଏ। । ନିର୍ଦ୍ଧାରିତ ଲଗ୍ନରେ ନୂଆ ଚାଉଳର ଅନ୍ନ ଓ ଭଳିକିଭଳି ବ୍ୟଞ୍ଜନ ପ୍ରସ୍ତୁତ ହୋଇ ତାହା ଇଷ୍ଟ ଦେବାଦେବୀ ତଥା ସକଳ ଦେବୀଦେବତାଙ୍କୁ ଅର୍ପଣ କରାଯାଇଥାଏ । ପରେ ପରିବାରର ସଭିଏଁ ଏକତ୍ରିତ ହୋଇ ସଙ୍ଗଭୋଜନ କରନ୍ତି । ନୂଆଖାଇର ବିଶେଷତ୍ୱଟି ହେଲା, ଏହା ତିନିଟି ପର୍ଯ୍ୟାୟରେ ପାଳନ କରାଯାଏ ।

ପ୍ରଥମେ ଲିପାପୋଛା, ଦ୍ୱିତୀୟରେ ନୂଆଖାଇ ଏବଂ ଶେଷରେ ଜୁହାର ଭେଟ । ନୂଆଖାଇର ଅବ୍ୟବହିତ ପୂର୍ବରୁ ଲୋକେ ନିଜନିଜ ଘର ‘ଲିପାପୋଛା’ ଅର୍ଥାତ୍‌ ଘର ସେଫଇ କରନ୍ତି । ସମସ୍ତଙ୍କ ପାଇଁ ନୂଆ ଲୁଗା, କପଡା ଇତ୍ୟାଦି କିଣାଯାଏ । ଏହି ସମୟରେ ଘର ଛାଡ଼ି ବାହାରେ ରହୁଥିବା(ଦୂରଦୂରାନ୍ତରେ ଚାକିରି କରୁଥିବା, ପେଟପାଟଣା ପାଇଁ ବାହାରକୁ କାମ ଅନ୍ୱେଷଣରେ ଯାଇଥିବା) ଲୋକେ ମଧ୍ୟ ନିଜନିଜ ଗାଁକୁ ଫେରିଥାଆନ୍ତି । କୌଣସି ପରିବାରରେ ଗଣ୍ଡଗୋଳ ଥିଲେ ତାହା ମଧ୍ୟ ନୂଆଖାଇ ସମୟରେ ଦୂର ହୋଇ ସଭିଏଁ ଏକାଠି ହୁଅନ୍ତି । ପରିବାରର ବୟୋଜ୍ୟେଷ୍ଠ ବ୍ୟକ୍ତି ସମସ୍ତଙ୍କୁ ନୂଆ ଚାଉଳ ଦେଇଥାଆନ୍ତି । ପ୍ରଥମେ ତାହା ଖାଇସାରିବା ପରେ ସଭିଏଁ ନୂଆ ଚାଉଳ ମିଶା ଅନ୍ନ ବ୍ୟଞ୍ଜନ ଗ୍ରହଣ କରନ୍ତି । ନୂଆଖିଆ ସରିବା ପରେ ଛୋଟ ମାନେ ବଡ଼ମାନଙ୍କୁ ମୁଣ୍ଡିଆମାରି ଆର୍ଶୀବାଦ କାମନା କରିଥାଆନ୍ତି । ତେବେ ନୂଆଖାଇରେ ଜୁହାରଭେଟ ଏକ ବିରାଟ ପରମ୍ପରା । ଏହା କେବଳ ପରିବାର ଭିତରେ ସୀମିତ ରହେନାହିଁ । ପରିବାରରୁ ଆରମ୍ଭକରି ଜ୍ଞାତି, କୁଟୁମ୍ବ, ଗାଁଠୁ ସହର ସବୁଠି ଜୁହାର ଭେଟ ହୁଏ । ନୂଆଖାଇ ପରେ ଯେବେ ପ୍ରଥମେ ଭେଟ ହୁଏ ତେବେ ନୂଆଖାଇ ଜୁହାର କରିବାର ପରମ୍ପରା ପଶ୍ଚିମାଞ୍ଚଳର ଭ୍ରାତୃଭାବ ଓ ସଂସ୍କୃତିକୁ ଅଧିକ ଋଦ୍ଧିମନ୍ତ କରେ ।

   ସମ୍ବନ୍ଧିତ ଖବର


କରୋନା ବଦଳାଇ ଦେଲା ଜୀବନ ଜୀବିକା; ଦିନେ ଏରୋପ୍ଲେନ ଚଲାଉଥିଲେ, ଆଜି ଦୁଆର ଦୁଆର ବୁଲି କରୁଛନ୍ତି ଫୁଡ ଡେଲିଭରୀ…

ସମୁଦ୍ର କୂଳରେ ମୃତଦେହ ଦେଖି ଡରିଗଲେ ମହିଳା, ପାଖରୁ ଦେଖିବା ପରେ ହୋଇଗଲେ ଆଶ୍ଚର୍ଯ୍ୟ…

ବିଶ୍ବାସ ନା ଅନ୍ଧବିଶ୍ବାସ ! ଭାରତର ଏହି ମନ୍ଦିରରେ କରାଯାଉଛି କଳା କୁକୁରକୁ ପୂଜା, କାରଣ ଜାଣିଲେ ଆପଣ ବି ହୋଇଯିବେ ଆଶ୍ଚର୍ଯ୍ୟ…

ମରୁଭୂମିରେ ରହସ୍ୟମୟ ବସ୍ତୁର ସନ୍ଧାନ, ହେଲିକପ୍ଟର ଉଡାଣ ଆରମ୍ଭ କରିବା ବେଳେ ଦେଖିଲେ ପାଇଲଟ୍

ରେଲଓ୍ବେ କର୍ମଚାରୀଙ୍କୁ ଲାଗିପାରେ ବଡ଼ ଝଟକା! ଟ୍ରାଭେଲ ଏବଂ ଓଭର ଟାଇମ୍ ଆଲାଉନ୍ସ କାଟ୍ ପାଇଁ ପ୍ରସ୍ତୁତି

ମାଛ ଚାଷରେ ମହିଳା ଏସ୍‌ଏଚ୍‌ଜିଙ୍କ ସଫଳତା: ଲକ୍‌ଡାଉନ୍‌ରେ ୨୧ ହଜାର କ୍ବିଣ୍ଟାଲ ଉତ୍ପାଦନ