ବିବାହ ବେଦୀରୁ ଶିଶୁପାଳ ହୋଇ ଫେରିଲେ ମଦ୍ୟପ ବର, ମଦ୍ୟପର ହାତ ଧରିବାକୁ ମନାକଲେ କନ୍ୟା

କଳାହାଣ୍ଡି ୨୪/୨: ମଦ୍ୟପ ବରର ହାତ ଧରିବାକୁ ମନାକଲା କନ୍ୟା । ବିବାହ ପାଇଁ କନ୍ୟା ମନା କରିବାରୁ ଶିଶୁପାଳ ହୋଇ ଫେରିଛି ମଦ୍ୟପ ବର । ଜୁନାଗଡ ବ୍ଲକ୍ ଦୁନ୍ଦେଲମାଲ ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଘଟଣା ।

ଧର୍ମଗଡ ସହରର ତ୍ରୀନାଥ ନାଏକଙ୍କ ପୁଅ ଅମିତ ନାଏକଙ୍କ ସହିତ ଦୁନ୍ଦେଲମାଲ ଗ୍ରାମର ସଧର୍ମ ନାଏକଙ୍କ ଝିଅ ଦିପୀଞ୍ଜଳି ନାଏକଙ୍କ ବିବାହ ସ୍ଥିର ହୋଇଥିଲା । ଗତ ୨୨ ତାରିଖ ଶୁକ୍ରବାର ରାତିରେ ଧର୍ମଗଡ ସହରରୁ ଅମିତଙ୍କ ବରଯାତ୍ରୀ ଦୁନ୍ଦେଲମାଲରେ ରାତି ସାଢେ ଆଠଟାରେ ପହଞ୍ଚିଥିଲା । ପରେ ବରଯାତ୍ରୀ ଦଳ ବରକୁ ବାଜା ବଜେଇ ବାଣ ଫୁଟାଇ ଶୋଭାଯାତ୍ରାରେ ନେଇ କନିଆଁ ଘରେ ପହଞ୍ଚିଥିଲେ । ଆଗରୁ ବର ମାତାଲ ଅବସ୍ଥାରେ ଥିବାବେଳେ ବିବାହ ବେଦିରେ ପହଞ୍ଚିବା ମାତ୍ରେ ମଦ ନିଶା ଯୋଗୁଁ ଚେତାଶୁନ୍ୟ ହୋଇପଡିଥିଲେ । ବରଙ୍କ ଏଭଳି କାରନାମା ଦେଖି ବିବାହ ବେଦିରେ ହାତଗଣ୍ଠି ପଡିବା ପୁର୍ବରୁ କନିଆଁ ମାତାଲ ବରକୁ ବିବାହ କରିବାକୁ ରୋକଠୋକ୍ ମନା କରି ଦେଇଥିଲା ।

ବର ପକ୍ଷ ଲୋକ ଅନେକ ବୁଝାସୁଝା କରିବା ପରେ ମଧ୍ୟ ଝିଅ ବିବାହ କରିବା ପାଇଁ ମନା କରିଦେଇଥିଲା । ବାଧ୍ୟ ହୋଇ ବର ଶିଶୁପାଳ ହୋଇ ଘରକୁ ଫେରିଯାଇଥିଲା । ପୁଣିଥରେ ବର ପକ୍ଷରୁ ଝିଅ ଘରେ ଯାଇ ଆପୋଷ ବୁଝାମଣା ପାଇଁ ଏକ ସାମାଜିକ ସଭା କରାଯାଇଥିଲା । ଶେଷରେ ସଭାରେ ମଧ୍ଯ ବିବାହ ମନା କରିଦେଇଥିଲେ ଦୀପାଞ୍ଜଳୀ ।