ରାଜ୍ୟରେ ନିଲାମ ହେବ ସବୁ ଠିପି ବନ୍ଦ ବିଦେଶୀ ଓ ଦେଶୀ ମଦ ଦୋକାନ: ଜାଣନ୍ତୁ କେମିତି କରିବେ ଆବେଦନ

ଭୁବନେଶ୍ୱର,୨୮/୦୨: ରାଜସ୍ୱ ବଢ଼ାଇବା ପାଇଁ ରାଜ୍ୟରେ ମଦ ବ୍ୟବସାୟ ନୂଆ ରୂପ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି । ରାଜ୍ୟର ଥିବା ସବୁ ଠିପି ବନ୍ଦ ବିଦେଶୀ ଓ ଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ଲଟେରି ଜରିଆରେ ନବୀକରଣ କରିବାକୁ ସରକାର ଯୋଜନା କରିଛନ୍ତି । ଏହି ବ୍ୟବସ୍ଥାରୁ ଠିପି ଖୋଲା ଦୋକାନକୁ ବାଦ୍ ଦିଆଯାଇଛି । ଏନେଇ ଅବକାରୀ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲାପାଳଙ୍କ ଜରିଆରେ ହେବାକୁ ଥିବା ଏହି ଲଟେରି ବ୍ୟବସ୍ଥାରେ ଯେ କୌଣସି ଇଚ୍ଛୁକ ବ୍ୟକ୍ତି ଆବେଦନ କରିପାରିବେ ।
କେମିତି କରିବେ ଆବେଦନ
୧୫ ବର୍ଷ ଧରି ମଦ ଦୋକାନଗୁଡ଼ିକର ଲାଇସେନ୍ସକୁ ୧୦% ଚଢ଼ା ଦରରେ ନବୀକରଣ କରାଯାଉଛି । ତେବେ ସରକାର ଚଳିତ ବର୍ଷ ନୂଆ ବ୍ୟବସାୟୀଙ୍କୁ ସୁଯୋଗ ଦେବାକୁ ଏମିତି ନିଷ୍ପତ୍ତି ନେଇଛନ୍ତି। ଇଚ୍ଛୁକ ବ୍ୟକ୍ତିମାନେ ଇ-ଅବକାରୀ ୱେବ୍ସାଇଟ୍କୁ ଯାଇ ନିଲମରେ ଭାଗ ନେଇ ପାରିବେ । ଉକ୍ତ ୱେବ୍ସାଇଟ୍କୁ ଯାଇ ଅନ୍ଲାଇନ୍ରେ ଜରିଆରେ ଫର୍ମ ପୂରଣ କରିବାକୁ ପଡ଼ିବ । ତା’ପରେ ସେଠାରେ ଆଧାର କାର୍ଡ, ପାନ୍ କାର୍ଡ, ଆୟକର ପ୍ରମାଣପତ୍ର, ଯଦି ପୁରୁଣା ମଦ ବ୍ୟବସାୟୀ ତା’ହେଲେ ଏନ୍ଓସି ସାର୍ଟିଫିକେଟ୍ ସହ ୧ ଲକ୍ଷ ଟଙ୍କା ଦାଖଲ କରିବାକୁ ହେବ । ଦୋକାନ ପିଛା ୧ ଲକ୍ଷ ଟଙ୍କା ଦେବାକୁ ପଡିବ । ନିଲାମ ଉଠାଣରେ ଯଦି ଆପଣଙ୍କ ନାଁ ଆସିଲା ତେବେ ୩ ଦିନ ମଧ୍ୟରେ ଦୋକାନ ପିଛା ୬ ଲକ୍ଷ ଟଙ୍କା ବ୍ୟାଙ୍କ୍ ଗ୍ୟାରେଣ୍ଟି ଜିଲ୍ଳାପାଳଙ୍କ ନିକଟରେ ଦାଖଲ କରିବେ । ନିଲାମ ମିଳିଲେ ବ୍ୟବସାୟୀମାନେ ୫ ବର୍ଷ ପର୍ଯ୍ୟନ୍ତ ମଦ ବିକ୍ରି ଲାଇସେନ୍ସ ପାଇବେ । ଲଟେରି ବ୍ୟବସ୍ଥାରେ ପୁରୁଣା ବ୍ୟବସାୟୀମାନେ ମଧ୍ୟ ଭାଗ ନେଇ ପାରିବେ ।
ବଡ଼ କଥା ହେଲା ଲଟେରି ପାଇଁ ଇଚ୍ଛୁକ ବ୍ୟକ୍ତି ଦେଇଥିବା ୧ ଲକ୍ଷ ଫେରସ୍ତ ମିଳିବ ନାହିଁ । ଆସନ୍ତା ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ଜିଲ୍ଲାପାଳମାନେ ଲଟେରି କରି ନୂଆ ବ୍ୟବସାୟୀ ଚିହ୍ନଟ କରିବେ ବୋଲି କୁହାଯାଇଛି । “୫-ଟି’ର ସ୍ୱଚ୍ଛତା ଜରିଆରେ ନିଲାମ କରିବାକୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହିତ ଚଳିତ ବର୍ଷ ସମସ୍ତ ଠିପି ବନ୍ଦ ବିଦେଶୀ ମଦ ଦୋକାନଗୁଡ଼ିକର ଲାଇସେନ୍ସ ଫି ୨୦% ଓ ୫% ସର୍ବନିମ୍ନ ଗ୍ୟାରେଣ୍ଟି କୋଟା (ଏମ୍ଜିକ୍ୟୁ) ବୃଦ୍ଧି କରିବା ପାଇଁ ରାଜ୍ୟ ସରକାର ସ୍ଥିର କରିଛନ୍ତି । ତେବେ ଏହି ବର୍ଦ୍ଧିତ ଦରରୁ ଦେଶୀ ମଦ ଦୋକାନଗୁଡ଼ିକୁ ବାଦ ଦିଆଯାଇଛି ।
ପ୍ରତି ଆର୍ଥିକ ବର୍ଷ ଆରମ୍ଭ ପୂର୍ବରୁ ମଦ ଦୋକାନଗୁଡ଼ିକର ଲାଇସେନ୍ସ ନବୀକରଣ ପାଇଁ ସରକାର ୧୦% ଫି’ ବଢ଼ାଇଥାନ୍ତି । ତଥାପି ଦୋକାନୀମାନେ ଅଧିକ ଲାଭ କରନ୍ତି । ୨୦୦୫ ମସିହା ପରଠାରୁ ନୂଆ ଲୋକ ଏହି ବ୍ୟବସାୟରେ ପଶି ପାରୁ ନଥିଲେ । କେତେକ ନିର୍ଦ୍ଦିଷ୍ଟ ବ୍ୟବସାୟୀ ନେତା ଓ ଅଫିସରଙ୍କୁ ଧରି ନିଜ ନାମରେ ଏକାଧିକ ଲାଇସେନ୍ସ ନେଇ ମନଇଚ୍ଛା ବେପାର କରୁଥିଲେ । ଚଢ଼ା ଦରରେ ମଦ ବିକ୍ରି କରି କୋଟି କୋଟି ରୋଜଗାର କରୁଥିଲେ । ଏହି ବ୍ୟବସ୍ଥା ହେଲା ପରେ ସବୁ ବାଟକୁ ଆସିବ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି ।