ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲା: ୧୪କୁ ଘୁଞ୍ଚିଲା ଶୁଣାଣି, ପାକିସ୍ତାନ କହିଲା ପ୍ରମାଣ ଅଛି

ଚଣ୍ଡୀଗଡ,୧୧।୩: ୨୦୦୭ରେ ସମଝୌତା ଏକ୍ସପ୍ରେସ ବିସ୍ଫୋରଣ ମାମଲାରେ ପଞ୍ଚକୁଲାର ସ୍ବତନ୍ତ୍ର ଏନଆଇଏ(ଜାତୀୟ ତଦନ୍ତକାରୀ ଏଜେନ୍ସି) କୋର୍ଟରେ ଆଜି ଶୁଣାଣି ହୋଇଥିଲା। ତେବେ କୋର୍ଟ ଏହି ମାମଲାର ଆସନ୍ତା ଶୁଣାଣିକୁ ୧୪ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଏବେ ଏହି ମାମଲାରେ ଆଉ ଏକ ଟ୍ବିଷ୍ଟ ଆସିଛି, ତାହା ହେଲା ପାକିସ୍ତାନ ପକ୍ଷରୁ କୁହାଯାଇଛି ବିସ୍ଫୋରଣ ସମ୍ପର୍କିତ ପ୍ରମାଣ ତା ପାଖରେ ରହିଛି।
ଉଲ୍ଳେଖନୀୟ ଯେ ଆଜି ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସ୍ବାମୀ ଅସୀମାନନ୍ଦଙ୍କୁ କୋର୍ଟରେ ହାଜର କରାଯାଇଥିଲା। ତେବେ କୋର୍ଟ ଏହି ମାମଲାର ଶୁଣାଣିକୁ ଘୁଞ୍ଚାଇ ଦେଇଛନ୍ତି। ପାକିସ୍ତାନର ଜଣେ ନାଗରିକଙ୍କ ପାଖରେ ଏହାର ପ୍ରମାଣ ରହିଛି ବୋଲି କୁହାଯିବା ପରେ କୋର୍ଟ ଶୁଣାଣି ତାରିଖକୁ ଘୁଞ୍ଚାଇଛନ୍ତି। ଉଲ୍ଳେଖନୀୟ ଯେ ୧୨ ବର୍ଷ ପୂର୍ବେ ଏହି ଟ୍ରେନ ବିସ୍ଫୋରଣରେ ୬୮ ଜଣଙ୍କର ମୃତ୍ୟୁ ହୋଇଥିଲା। ମୃତକଙ୍କ ମଧ୍ୟରେ ଅଧିକାଂଶ ପାକିସ୍ତାନର ଥିଲେ। ଏହି ମାମଲାର ୮ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କର ହତ୍ୟା ହୋଇଥିବା ବେଳେ ୩ ଜଣ ଫେରାର ଅଛନ୍ତି।