ସ୍ମୃତି ଓ ସମ୍ମାନରେ ଦୁଇବର୍ଷିଆ ମେଗା କାର୍ଯ୍ୟକ୍ରମ: ୬୨ ଲକ୍ଷ ପିଲା ପଢ଼ିବେ ଅହିଂସା ପାଠ

ଭୁବନେଶ୍ୱର,୧୩।୯: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ନୂଆ ପିଢ଼ି ଭଲ ଭାବରେ ଜାଣିବେ । ତାଙ୍କ ସତ୍ୟ ଓ ଅହିଂସା ନୀତି ବିଷୟରେ ଅବଗତ ହେବେ । ସାରା ରାଜ୍ୟ ବାପୁଜୀଙ୍କ ୧୫୦ତମ ଜନ୍ମ ଜୟନ୍ତୀକୁ ଧୂମଧାମ୍‌ରେ ପାଳିବ । ତାଙ୍କ ସ୍ମୃତି ପ୍ରତି ଜଣାଇବ ସମ୍ମାନ ଓ ଶ୍ରଦ୍ଧାଞ୍ଜଳି । ଏଥିପାଇଁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଦୁଇବର୍ଷିଆ ମେଗା କ୍ୟାଲେଣ୍ଡର । ଏଯାଏ ସମସ୍ତ କାର୍ଯ୍ୟକ୍ରମ ଚୂଡ଼ାନ୍ତ ହୋଇନଥିଲେ ମଧ୍ୟ ଦୁଇ ବର୍ଷ ଧରି ରାଜ୍ୟରେ ଗାନ୍ଧିଜୀଙ୍କ ସ୍ମୃତିରେ ବହୁ କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ସ୍ଥିର ହୋଇଛି ।

ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ନିଜସ୍ୱ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ହାତକୁ ନେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଛନ୍ତି । ମିଳିଥିବା ସୂଚନା ଅନୁସାରେ, ଆସନ୍ତା ଗାନ୍ଧୀ ଜୟନ୍ତୀରୁ ୧୫୦ତମ ପୂର୍ତ୍ତି ଉତ୍ସବ ବିଧିବଦ୍ଧ ଆରମ୍ଭ ହେବ । ଏଥିପାଇଁ ରାଜ୍ୟ ସରକାର ଏକ ବିଶାଳ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଚାର କରୁଛନ୍ତି । ସେହିଦିନ ଠାରୁ ରାଜ୍ୟରେ ଆରମ୍ଭ ହେବ ‘ମୋ ସରକାର’ କାର୍ଯ୍ୟକ୍ରମ । ଏ କାର୍ଯ୍ୟକ୍ରମରେ ସରକାର ଲୋକଙ୍କ ପାଖକୁ ଯିବେ । ‘୫ ଟି’ ମନ୍ତ୍ରକୁ ଭିତ୍ତିକରି ପ୍ରଥମ ପର୍ଯ୍ୟାୟରେ ସବୁ ଥାନା ଓ ଜିଲ୍ଲା ମୁଖ୍ୟ ହସ୍ପିଟାଲ୍‌ରେ ‘ମୋ ସରକାର’ କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ । ପର୍ଯ୍ୟାୟକ୍ରମେ ୨୦୨୦ ମାର୍ଚ୍ଚ ୫ ସୁଦ୍ଧା ସବୁ ବିଭାଗରେ ଏହା କାର୍ଯ୍ୟକାରୀ ହେବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି ।

ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମନ୍ତ୍ରୀମାନେ ଜନସାଧାରଣଙ୍କୁ ନିଜେ ଫୋନ୍‌ କର ସରକାରୀ ସେବା କେମିତି ମିଳୁଛି ତାର ଅନୁଧ୍ୟାନ କରିବେ । ଏହାଛଡ଼ା ପଞ୍ଚାୟତିରାଜ ବିଭାଗ ପ୍ରସ୍ତୁତ କରିଥିବା ଚାର୍ଟ ଅନୁସାରେ ଆସନ୍ତା ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରେ ରାଜ୍ୟରେ ନିର୍ମାଣ ସରିଥିବା ପ୍ରାୟ ୨ ଲକ୍ଷ ଘରେ ‘ଗୃହ ପ୍ରବେଶ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏହାକୁ ଆଖିରେ ରଖି ସମ୍ପୂର୍ଣ୍ଣ ହେବାକୁ ଥିବା ଘରର ନିର୍ମାଣ କାମ ଶେଷ କରିବାକୁ ଜିଲ୍ଲାପାଳ ଓ ବ୍ଲକ ପ୍ରଶାସନକୁ ବିଭାଗ ନିର୍ଦ୍ଦେଶ ଦେଇଛି । ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ବିଭାଗ ଏହି ଗୃହ ପ୍ରବେଶ କାର୍ଯ୍ୟକ୍ରମ ଜରିଆରେ ବାପୁଙ୍କ ଶ୍ରଦ୍ଧାଞ୍ଜଳି ଜଣାଇବ । ମହାତ୍ମାଙ୍କ ସ୍ମୃତିରେ ରାଜ୍ୟର ସ୍କୁଲ ଓ କଲେରେ ପଢ଼ୁଥିବା ପ୍ରାୟ ୬୨ ଲକ୍ଷ ପିଲାଙ୍କୁ ଗଣଶିକ୍ଷା ବିଭାଗ ‘ଅହିଂସା’ ପାଠ ପଢ଼ାଇବାକୁ ନିଷ୍ପତ୍ତି ନେଇଛି । ଗାନ୍ଧିଜୀଙ୍କ ଜୀବନ ଦର୍ଶନ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସ୍ୱତନ୍ତ୍ର ଭାବେ ଅବଗତ କରାଯିବ । ଏହାଛଡ଼ା ବିଦ୍ୟାଳୟ ଓ ୍ମ୨ ପିଲାଙ୍କ ମଧ୍ୟରେ ପ୍ରବନ୍ଧ, ବିତର୍କ, ଚିତ୍ରାଙ୍କନ ଆଦି ପ୍ରତିଯୋଗିତା ଅନୁଷ୍ଠିତ ହେବ । ୧୬ରୁ ୧୮ ମଧ୍ୟରେ ଏ ପ୍ରତିଯୋଗିତା ସ୍କୁଲସ୍ତରରେ ଅନୁଷ୍ଠିତ ହେବ । ସ୍କୁଲରେ କୃତିତ୍ୱ ଅର୍ଜନ କରିଥିବା ପିଲାମାନେ ଜିଲ୍ଲାସ୍ତରୀୟ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବେ । ଜିଲ୍ଲାସ୍ତରୀୟ ପ୍ରତିଯୋଗିତା ୨୩ରୁ ୨୪ ଏବଂ ୨୭-୨୮ ମଧ୍ୟରେ ଶେଷ ହେବ । କୃତୀ ପିଲାଙ୍କୁ ଆସନ୍ତା ଗାନ୍ଧୀ ଜୟନ୍ତୀ ଅବସରରେ ପୁରସ୍କୃତ କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ସୂଚନା ଦେଇଛନ୍ତି ।

ସେହିଭଳି ରାଜଧାନୀ ଭୁବନେଶ୍ୱରରେ ଗାନ୍ଧୀଙ୍କର ଏକ ବିଶାଳ ପ୍ରତିମୂର୍ତ୍ତି ପ୍ରତିଷ୍ଠା କରିବାକୁ ମଧ୍ୟ ସରକାରୀସ୍ତରରେ ନିଷ୍ପତ୍ତି ହୋଇଛନ୍ତି । ଏଥିପାଇଁ ସହରର ପ୍ରମୁଖ ଅଞ୍ଚଳରେ ସ୍ଥାନ ଚିହ୍ନଟ କରିବାକୁ ପରାମର୍ଶ ଦିଆଯାଇଛି । ଏହାଛଡ଼ା ପ୍ରତି ଜିଲ୍ଲାର ସଦରମହକୁମାରେ ବାପୁଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ଏକ ରାସ୍ତାକୁ ତାଙ୍କ ନାମରେ ନାମିତ କରାଯିବ । ଏପରିକି ସଂସ୍କୃତି ବିଭାଗ ଗାନ୍ଧୀ ଜୟନ୍ତୀରୁ ଲୋକକଳା ଗ୍ରାମର ଶୁଭାରମ୍ଭ କରିବ । ଗାନ୍ଧୀବାଦ ସଂପର୍କରେ ଅଧିକ ଚର୍ଚ୍ଚା କରିବାକୁ ରାଜ୍ୟ ବିଧାନସଭାର ଏକ ସ୍ୱତନ୍ତ୍ର ଅଧିବେଶନ ବସିବାକୁ ବିଚାର କରାଯାଉଛି ।

ଉଲ୍ଳେଖଯୋଗ୍ୟ, ଗାନ୍ଧୀଙ୍କ ‘ଅହିଂସା’କୁ ସମ୍ବିଧାନରେ ସ୍ଥାନିତ କରିବାକୁ ମୁଖ୍ୟମନ୍ତ୍ରୀ କେନ୍ଦ୍ରକୁ ବହୁ ପୂର୍ବରୁ ପ୍ରସ୍ତାବ ଦେଇଛନ୍ତି । ରାଷ୍ଟ୍ରପତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ମହାତ୍ମା ଗାନ୍ଧୀଙ୍କ ‘ଅହିଂସା’ ନୀତି ଉପରେ ଗୁରୁତ୍ୱାରୋପ କରିବା ସହ ‘ଅହିଂସା’ ଶବ୍ଦକୁ ଭାରତ ସମ୍ବିଧାନର ମୁଖବନ୍ଧରେ ସ୍ଥାନିତ କରିବା ପାଇଁ ପ୍ରସ୍ତାବ ରଖିଥିଲେ । ଶାନ୍ତି ବିନା ପ୍ରଗତି ସମ୍ଭବ ନୁହେଁ, ‘ଅହିଂସା’ ବିନା ଦାରିଦ୍ର‌୍ୟ ଦୂରୀକରଣ ଅସମ୍ଭବ । ଏସବୁକୁ ଦୃଷ୍ଟିରେ ରଖି ସମ୍ବିଧାନର ମୁଖବନ୍ଧରେ ‘ଅହିଂସା’ ନୀତିକୁ ସ୍ଥାନିତ କଲେ ତାହା ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ଅବସରରେ ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ନବୀନ ପ୍ରସ୍ତାବ ଦେଇଛନ୍ତି । ଏ ନେଇ ବିଧାନସଭାରେ ଏକ ସଂକଳ୍ପ ମଧ୍ୟ ପାରିତ ହୋଇଯାଇଛି । ଲୋକସେବା ଭବନର ପ୍ରବେଶ ଦ୍ୱାରରେ ଗାନ୍ଧୀଙ୍କ ପରଶମଣି ସ୍ମାରକୀ ମଧ୍ୟ ଗତ ସ୍ୱାଧୀନତା ଦିବସ ଅବସରରେ ପ୍ରତିଷ୍ଠା କରାଯାଇଛି । ୧୫୦ତମ ପୂର୍ତ୍ତି ଅବସରରେ ସ୍ୱତନ୍ତ୍ର ପୁସ୍ତକ ପ୍ରକାଶନ, ରାମଧୂନ, ସର୍ବଧର୍ମ ସମ୍ମିଳନୀ ଭଳି କାର୍ଯ୍ୟକ୍ରମ ମଧ୍ୟ ହାତକୁ ନେବାକୁ ସରକାର ସ୍ଥିର କରିଛନ୍ତି । ବିଭିନ୍ନ ବିଭାଗ ମଧ୍ୟ ନୂଆ ନୂଆ କାର୍ଯ୍ୟକ୍ରମ ଆୟୋଜନ କରିବାକୁ ବିଚାର ବିମର୍ଶ ଚଳାଇଛନ୍ତି ।

   ସମ୍ବନ୍ଧିତ ଖବର


ମର୍ମନ୍ତୁଦ ସଡକ ଦୁର୍ଘଟଣା: ଜଣେ ମୃତ, ୪ ଗୁରୁତର

ଓଡ଼ିଶାରେ ରି-ଇନ୍‌ଫେକ୍ସନ୍‌ ହେଉଛି କରୋନା : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

ଆଜି ଧରାପୃଷ୍ଠରେ ଅବତରଣ କରିବେ ମା’ ଗଜଲକ୍ଷ୍ମୀ: ସବୁଠି କୋଭିଡ୍‌ ନିୟମ ଅନୁସାରେ ହେବ ପୂଜା, ଦର୍ଶନ କରିବେନି ଭକ୍ତ

ଆଦିତ୍ୟ ଦାଶ ମୃତ୍ୟୁ ମାମଲା : ତଦନ୍ତ ପ୍ରକ୍ରିୟାକୁ ନେଇ ଅସନ୍ତୋଷ, ଆଜି କ୍ରାଇମବ୍ରାଞ୍ଚ କର୍ତ୍ତୃପକ୍ଷଙ୍କୁ ଭେଟିବେ ଆଦିତ୍ୟଙ୍କ ମା’

ପୁଣି କରୋନାରେ ଆଖିବୁଜିଲେ ୧୧ ଜଣ ଆକ୍ରାନ୍ତ: ମୃତ୍ୟୁସଂଖ୍ୟା ୧୩ଶହ ପାର୍

ପାର୍ବଣ ପରେ ବଢ଼ିଲା କରୋନା: ପୁଣି ଚିହ୍ନଟ ହେଲେ ୧୫୪୭ ଜଣ ଆକ୍ରାନ୍ତ, ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୮ ହଜାର ଟପିଲା