ହତ୍ୟା କରି ଫେରାର ହୋଇଥିବା ଶେଷଦେବ ଗିରଫ

ବାଣପୁର : ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଲାଇଡିହ ଛକରେ ଶନିବାର ରାତିରେ ଦୁଇ ଜଣଙ୍କ ମଧ୍ୟରେ ମାରପିଟ ହେବାରୁ ଜଣଙ୍କର ମୃତ୍ୟୁ ହୋଇଯାଇଥିଲା । ବାଣପୁର ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଶେଷଦେବ ଜେନାଙ୍କୁ ମଙ୍ଗଳବାରେ ଗିରଫ କରି କୋର୍ଟ ଚାଲାଣ କରିଛି । ଘଟଣାରୁ ପ୍ରକାଶ ଯେ, ଅଲାଇଡିହ ଗ୍ରାମର ଅଶୋକ କୁମାର ପାଢୀ ଏବଂ ଶେଷଦେବ ଜେନାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ଗ୍ରାମଛକରେ ମାରପିଟ ହୋଇଥିଲା ।

ଉଭୟଙ୍କ ମଧ୍ୟରେ ଲାଗିଥିବା ମାରପିଟ ଉଗ୍ରରୂପ ଧାରଣ କରିବାରୁ ଅଶୋକ ଗୁରୁତର ଅବସ୍ଥାରେ ଚେତାଶୂନ୍ୟ ହୋଇ ରାସ୍ତାରେ ପଡିଯାଇଥିଲେ । ଅଶୋକଙ୍କ ପରିବାର ଲୋକେ ତାଙ୍କୁ ଚିକିତ୍ସା ପାଇଁ ବାଣପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ମାତ୍ର ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଭୁବନେଶ୍ୱର ଏବଂ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ମାତ୍ର ଚିକିତ୍ସାଧିନ ଅବସ୍ଥାରେ ରବିବାର ତାଙ୍କର ମୃତ୍ୟୁ ହୋଇଯାଇଥିଲା । ଏନେଇ ଅଶୋକଙ୍କ ପରିବାର ପକ୍ଷରୁ ବାଣପୁର ଥାନାରେ ଅଭିଯୋଗ ହେବାରୁ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିଲା । ମାତ୍ର ଶେଷଦେବ ଫେରାର ହୋଇଯାଇଥିଲେ । ତଦନ୍ତ ସମୟରେ ଶେଷଦେବ ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ସିଙ୍ଗିପୁର ଗ୍ରାମରେ ନିଜର ଜଣେ ସମ୍ପର୍କୀୟଙ୍କ ଘରେ ଲୁଚିଥିବା ପୁଲିସ ଜାଣିବାକୁ ପାଇଥିଲା । ସୋମବାର ରାତିରେ ବାଣପୁର ପୁଲିସର ଏକ ଟିମ୍‌ ସିଙ୍ଗିପୁର ଯାଇ ସେଠାରୁ ଶେଷଦେବଙ୍କୁ ଗିରଫ କରିଥିଲା ।