ସାଇକେଲକୁ ଧକ୍କା ଦେଇ ପାନମସଲା ବ୍ୟବସାୟୀଙ୍କଠୁ ଲୁଟ୍: ଲକ୍ଷାଧିକ ଟଙ୍କା ଧରି ଚମ୍ପଟ୍ ମାରିଲେ ଦୁର୍ବୃତ୍ତ

ଭୁବନେଶ୍ୱର ୧୮/୨: କିଛି ଦିନର ବ୍ୟବଧାନ ପରେ ଖାରବେଳନଗରରେ ପୁଣି ଲୁଟେରା ଆତଙ୍କ ଖେଳାଇଛନ୍ତି । ସୋମବାର ଅପରାହ୍ଣରେ ୟୁନିଟ୍‌-୪ ମସ୍‌ଜିଦ୍‌ ନିକଟରୁ ଜଣେ ବ୍ୟବସାୟୀଙ୍କଠୁ ୧ ଲକ୍ଷ ଟଙ୍କା ଝାମ୍ପି ୨ ଲୁଟେରା ଚମ୍ପଟ ମାରିଛନ୍ତି । ଲୁଟ୍‌ର ଶିକାର ହୋଇଛନ୍ତି ପାନମସଲା ବ୍ୟବସାୟୀ କାର୍ତ୍ତିକ ଜେନା । ଖାରବେଳ ନଗର ଥାନାରେ କାର୍ତ୍ତିକ ଅଭିଯୋଗ କରିଛନ୍ତି । ପୁଲିସ୍‌ ମାମଲା ରୁଜୁ କରି ଲୁଟେରାଙ୍କୁ ଖୋଜିବା ଆରମ୍ଭ କରିଛି । ହେଲେ ଲୁଟେରାଙ୍କ ବିଷୟରେ କିଛି ଟେର୍‌ ପାଇନି ।

ମିଳିଥିବା ସୂଚନା ମୁତାବକ, ଶାସ୍ତ୍ରୀନଗରରେ କାର୍ତ୍ତିକ ରହୁଛନ୍ତି । ସେଠାରେ ତାଙ୍କ ଘର କାମ ଚାଲିଛି । ଏବାବଦକୁ ସେ ଟଙ୍କା ଉଠାଇବାକୁ ଶ୍ରୀୟା ସିନେମା ହଲ୍‌ ନିକଟ ବରୋଦା ବ୍ୟାଙ୍କକୁ ଯାଇଥିଲେ । ସାଇକେଲ୍‌ ଯୋଗେ ଅପରାହ୍ଣ ପ୍ରାୟ ୩ଟାରେ ବ୍ୟାଙ୍କରେ ପହଞ୍ଚିଥିଲେ । ୧ ଲକ୍ଷ ଟଙ୍କା ଉଠାଇ ତାକୁ ସାର୍ଟ ପକେଟରେ ରଖିଥିଲେ । ବ୍ୟାଙ୍କ୍‌ ବାହାରେ ଥିବା ଚା’ ଦୋକାନରେ କିଛି ସମୟ ବିତାଇଥିଲେ । ତା’ପରେ ସାଇକେଲ୍‌ ଧରି ଘରକୁ ଫେରିଲେ । ଏହି ସମୟରେ ୨ ଜଣ ଲୁଟେରା ବାଇକ୍‌ରେ ଆସି ସେଠାରେ ପହଞ୍ଚିଲେ । ୟୁନିଟ୍‌-୪ ପଛ ମସ୍‌ଜିଦ ନିକଟରେ କାର୍ତ୍ତିକଙ୍କ ସାଇକେଲ୍‌କୁ ଜାଣିଶୁଣି ଧକ୍କା ଦେଇଥିଲେ । କାର୍ତ୍ତିକ ତଳେ ପଡ଼ିବା ମାତ୍ରେ ବାଇକ୍‌ ପଛରୁ ଲୁଟେରା ଜଣକ ଓହ୍ଲାଇ ପକେଟରୁ ଟଙ୍କା ଛଡ଼ାଇ ନେବାକୁ ଚେଷ୍ଟା କରିଥିଲା । କାର୍ତ୍ତିକ ତାଙ୍କ ହାତକୁ ଜାବୁଡି ଧରିବାରୁ ଲୁଟେରା ମାଡ଼ ମାରି ଟଙ୍କା ଛଡ଼ାଇ ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ ।
  

କାର୍ତ୍ତିକଙ୍କ ଏତଲାକ୍ରମେ ପୁଲିସ୍‌ ଏକ ମାମଲା ରୁଜୁ କରି ଘଟଣାସ୍ଥଳରେ ଯାଞ୍ଚ କରି ଫେରିଛି । ସ୍ଥାନୀୟ ଅଞ୍ଚଳରେ ଲାଗିଥିବା ସିସି କ୍ୟାମେରା ଯାଞ୍ଚ କରୁଛି । ମସ୍‌ଜିଦ୍‌ ନିକଟରେ ଥିବା ଏକ ପଇଡ଼ ଦୋକାନୀଙ୍କୁ ପଚରାଉଚରା କରିଛି । ବାଇକ୍‌ ଚଳାଉଥିବା ଲୁଟେରା ଡେଙ୍ଗା ହୋଇଥିବା ବେଳେ ପଛରେ ବସିଥିବା ଲୁଟେରା ପତଳା ଓ ଗେଡ଼ା ବୋଲି ଜଣାପଡି଼ଛି ।

ଲୁଟେରାଙ୍କ ପସନ୍ଦ ଖାରବେଳନଗର

ଲୁଟେରାଙ୍କ ସେଫ୍‌ ଜୋନ୍‌ ପାଲଟିଛି ଖାରବେଳନଗର ଥାନା । କେତେବେଳେ ଜନଗହଳିପୂର୍ଣ୍ଣ ଜନପଥରୁ ତ କେବେ ବ୍ୟାଙ୍କ ସାମ୍ନାରୁ ଲୁଟ୍‌ପାଟ୍‌ କରୁଛନ୍ତି । ଏଠି ବିଭିନ୍ନ ରାଷ୍ଟ୍ରାୟତ୍ତ ବ୍ୟାଙ୍କ ରହୁଛି । ଏହାର ସାମ୍ନାରେ ଲୁଟେରାମାନେ ଟହଲ ମାରୁଛନ୍ତି । ଗ୍ରାହକ ବ୍ୟାଙ୍କରୁ ବାହାରିବା କ୍ଷଣି ତାଙ୍କ ପିଛା କରୁଛନ୍ତି । ସୁଯୋଗ ମିଳିବା ମାତ୍ରେ ଲୁଟ୍‌ପାଟ୍‌ କରୁଛନ୍ତି । ସୂଚନା ମୁତାବକ, ୨-୩ଟି ଲୁଟେରା ଗ୍ୟାଙ୍ଗ ଉକ୍ତ ଅଞ୍ଚଳରେ ଉତ୍ପାତ ଖେଳାଇଛନ୍ତି । ଯଦି ବି ଉକ୍ତ ଗ୍ୟାଙ୍ଗର କେହି ଧରାପଡୁଛନ୍ତି, ଜେଲ୍‌ରୁ ଫେରିବା ପରେ ପୁଣି ଲୁଟ୍‌ପାଟ୍‌ରେ ମାତୁଛନ୍ତି । ଏନେଇ ନଜର ରଖିବାକୁ ସ୍ପେଶାଲ୍‌ ସ୍କ୍ୱାଡ୍‌ ଡିସିପି ଅନୁପ ସାହୁ ନିର୍ଦ୍ଦେଶ ଦେଇଛନ୍ତି ।

   ସମ୍ବନ୍ଧିତ ଖବର


ନିର୍ଦ୍ଦୟ ପ୍ରେମିକ ! ପ୍ରେମିକାକୁ ଗର୍ଭବତୀ କରିବା ପରେ ମଧ୍ୟ ବିବାହ ପ୍ରତିଶ୍ରୁତି ଦେଇ ବାରମ୍ବାର କରୁଥିଲା ଯୌନଶୋଷଣ …

ସମ୍ପତ୍ତି ପାଇଁ ପୁଅ ସାଜିଲା ରାକ୍ଷାସ, ସ୍ତ୍ରୀ ସହ ମିଶି ବାପାକୁ ଗଛରେ ବାନ୍ଧିବା ପରେ ଗଳାକାଟି ହତ୍ୟା କଲା

ରାଜ୍ୟରେ କରୋନା ନେଲା ଆଉ ୧୨ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୩୦କୁ ବୃଦ୍ଧି

୨୪ଘଣ୍ଟା ଆଉ ୫୫୦ ନୂଆ କରୋନା ପଜିଟିଭ ଚିହ୍ନଟ୍, ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୧୭ହଜାର ୭୮୯କୁ ବୃଦ୍ଧି

ଅବକାରୀ ଗୁଇନ୍ଦା ପଞ୍ଝାରେ ନିଶା ବେପାରୀ, ୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗର୍‌ ଜବତ

ଡିସେମ୍ବର ପହିଲାରୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ