୧୦ କେଜିରୁ ଊର୍ଦ୍ଧ୍ବ ହରିଣ ମାଂସ ଜବତ: ବ୍ୟବସାୟୀ ଗିରଫ

ଖଣ୍ଡପଡ଼ା ୨୦/୨: ଖଣ୍ଡପଡ଼ା ବ୍ଲକ୍‌ ଅର୍ନ୍ତଗତ ଗୁଣ୍ଠୁଣୀ ପଞ୍ଚାୟତ ଅଧୀନ ଅଁଳାମଡ଼ା ଗ୍ରାମ ନିକଟରୁ ବୁଧବାର ବନବିଭାଗ ଦ୍ୱାରା ୧୦ କେଜିରୁ ଊଦ୍ଧ୍ୱର୍ ହରିଣ ମାଂସ ସହ ଏକ ବାଇକ୍‌ ଜବତ୍‌ ହୋଇଥିବାବେଳେ ମାଂସ ବ୍ୟବସାୟୀ ଗିରଫ ହୋଇଥିବା ଜଣାଯାଇଛି । ଖଣ୍ଡପଡ଼ା ବନାଞ୍ଚଳ ଅଧିକାରୀ ଶ୍ରୀଧର ପଣ୍ଡା ସଦଳବଳେ ଅଁଳାମଡ଼ା ଗ୍ରାମ ନିକଟରେ ବ୍ୟବସାୟ କରୁଥିବା ମାଂସ ବେପାରୀ ଗୁଣ୍ଠୁଣୀ ଗ୍ରାମର ସୂର୍ଯ୍ୟମଣୀ ଦାସ (୪୭)ଙ୍କ ମାଂସ ସହ ଗାଡ଼ି ଓଆର୍‌୦୨ଏୱାଇ-୧୬୫୪କୁ ଜବତ୍‌ କରି ବନବିଭାଗ କାର୍ଯ୍ୟାଳୟକୁ ଆଣିଥିଲେ । ଶରଣକୂଳ ନିକଟସ୍ଥ ସାକେରୀ ସଂରକ୍ଷିତ ଜଙ୍ଗଲରୁ ହରିଣଟିକୁ ମରାଯାଇଥିବା ସ୍ୱିକାର କରିଥିଲେ ।

ନୟାଗଡ଼ ଏସ୍‌ସିଏଫ୍‌ ଅରବିନ୍ଦ ମହାନ୍ତି ଉକ୍ତ ମାମଲାର ତଦନ୍ତ କରିବା ଦାୟିତ୍ୱ ନ୍ୟସ୍ତ କରାଯାଇଥିବାବେଳେ ଖଣ୍ଡପଡ଼ା ବନବିଭାଗ କାର୍ଯ୍ୟାଳୟ କେସ୍‌ ନଂ ଓଆର୍‌ ୭୬/୧୯-୨୦ ରେ ମାମଲା ରୁଜୁ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି । ଜବତ୍‌ ମାଂସ ନମୁନାକୁ ଭୁବନେଶ୍ୱରସ୍ଥିତ ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟକୁ ପରୀକ୍ଷା ନିମନ୍ତେ ପଠାଯାଇଥିବା ବନାଞ୍ଚଳ ଅଧିକାରୀ ପଣ୍ଡା କହିଛନ୍ତି । ଏହି ଚଢାଉରେ ବନପାଳ ଶ୍ରୀନିବାସ ଦାଶ, ଶ୍ରୀନିବାସ ମହାପାତ୍ର, ବନରକ୍ଷୀ ସନାତନ ସ୍ୱାଇଁ ଓ ସସ୍ମିତା ସେଠୀ ଭାଗ ନେଇଥିବା ଜଣାଯାଇଛି ।