ପ୍ରଥମ ଦିନରେ ସମ୍ରେ ୧୦୦% ଟିକାକରଣ: କରୋନା ଯୋଦ୍ଧାଙ୍କୁ ଦିଆଯାଇଥିଲା ଟିକା

ଭୁବନେଶ୍ୱର,୧୭/୦୧: ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ୍ରେ ଶନିବାର ମେଗା ଟିକାକରଣ କାର୍ଯ୍ୟକ୍ରମ ହୋଇଥିଲା। ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟ (ସୋଆ) କୁଳପତି ତଥା ଦେଶର ଜଣାଶୁଣା ସ୍ନାୟୁଶଲ୍ୟ ବିଶେଷଜ୍ଞ ପ୍ରଫେସର ଡା. ଅଶୋକ ମହାପାତ୍ର ପ୍ରଥମେ ଟିକା ନେଇ ଏହି ଅଭିଯାନର ଶୁଭାରମ୍ଭ କରିବା ସହ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି ।
ଶନିବାର ସକାଳ ୧୧ଟା ୧୮ରେ ଡା. ମହାପାତ୍ର ଟିକା ନେବା ସହ ଅଭିଯାନ ଆରମ୍ଭ ହୋଇଥିଲା । ଟିକା ନେବା ପରେ ଅଧ ଘଣ୍ଟାଏ ଯାଏ ସେ ବିଶ୍ରାମ ନେଇଥିଲେ । ନିଜ ପ୍ରତିକ୍ରିୟାରେ ସେ ବେଶ ଖୁସି ଅନୁଭବ କରୁଥିବା କହିଥିଲେ। ଭାରତରେ ତିଆରି ହୋଇଥିବା ଏହି ଟିକାର ବିଶେଷ ପାଶ୍ୱର୍ ପ୍ରତିକ୍ରିୟା ନାହିଁ। ପୂର୍ବରୁ ସମ୍ ହସ୍ପିଟାଲ୍ରେ କୋଭାକ୍ସିନ୍ ଟିକାର ପରୀକ୍ଷଣ କରାଯାଇଛି । ପ୍ରତି ୧୦ ହଜାର ଲୋକଙ୍କ ମଧ୍ୟରେ ଜଣଙ୍କ ପାଖରେ ଏହାର ପାଶ୍ୱର୍ ପ୍ରତିକ୍ରିୟା ଦେଖା ଦେଇପାରେ ବୋଲି ସେ ଦୃଢୋକ୍ତି ବାଢ଼ିଛନ୍ତି । ଏହି ଟିକା ମୃତ ଭାଇରସ୍କୁ ନେଇ ତିଆରି ହୋଇଛି । ସେଥିପାଇଁ କୌଣସି ଭୟ ନ କରି ସମସ୍ତେ ବିନା କୌଣସି ସଙ୍କୋଚରେ ଟିକା ଗ୍ରହଣ କରନ୍ତୁ ବୋଲି ସେ ପରାମର୍ଶ ଦେଇଛନ୍ତି । ୨୮ ଦିନ ପରେ ଡା. ମହାପାତ୍ର ଏହି ଟିକାର ଦ୍ୱିତୀୟ ଡୋଜ୍ ନେବେ ବୋଲି କହିଛନ୍ତି ।
ପୂର୍ବ ତାଲିକା ଅନୁସାରେ ସମ୍ରେ ୧୦୦ ଜଣ ଡାକ୍ତର, ନର୍ସ, ପାରାମେଡିକାଲ ଷ୍ଟାଫ୍ ଓ ସଫେଇ କର୍ମଚାରୀଙ୍କ ଭଳି ଆଗଧାଡ଼ିର ଯୋଦ୍ଧାଙ୍କୁ ଟିକା ଦିଆଯାଇଛି । ରାଜ୍ୟରେ ଦୁଇଟି ଟିକା କୋଭାକ୍ସିନ୍ ଓ କୋଭିସିଲ୍ଡ ଦିଆଯାଉଥିବାବେଳେ ସମ୍ରେ କୋଭାକ୍ସିନ୍ ଦିଆଯାଇଛି ।
ସମ୍ରେ ହୋଇଥିବା ଟିକାକରଣ କାର୍ଯ୍ୟକ୍ରମରେ ପ୍ରଫେସର ମହାପାତ୍ରଙ୍କ ସମେତ ସମ୍ ହସ୍ପିଟାଲ୍ ଓ ସମ୍ ଅଲ୍ଟିମେଟ ମେଡିକେୟାରର ଅନେକ ଡାକ୍ତର ସାମିଲ ହୋଇଥିଲେ । ସମ୍ ଅଲ୍ଟିମେଟ୍ ମେଡିକେୟାରର କ୍ରିଟିକାଲ୍ କେୟାର ମେଡିସିନ୍ ବିଭାଗର ମୁଖ୍ୟ ଡା. ବାନାମ୍ବର ରାୟ, ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ଡିନ୍ ପ୍ରଫେସର ଗଙ୍ଗାଧର ସାହୁ, ହସ୍ପିଟାଲ ଅଧ୍ୟୀକ୍ଷକ ପ୍ରଫେସର ପୁଷ୍ପରାଜ ସାମନ୍ତସିଂହାର, ଅତିରିକ୍ତ ଡିନ୍ ପ୍ରଫେସର ଅଜୟ କୁମାର ଜେନା, ଅତିରିକ୍ତ ମେଡିକାଲ୍ ସୁପରିଣ୍ଟେଣ୍ଡେଣ୍ଟ ଡା. ରାଜେଶ ଲେଙ୍କା, କମ୍ୟୁନିଟି ମେଡିସିନ୍ ବିଭାଗ ମୁଖ୍ୟ ପ୍ରଫେସର ତ୍ରିଲୋଚନ ସାହୁ, ସମ୍ ହସ୍ପିଟାଲ କୋଭାକ୍ସିନ୍ ପରୀକ୍ଷଣର ପ୍ରମୁଖ ପରୀକ୍ଷକ ପ୍ରଫେସର ଇ. ଭେଙ୍କଟ ରାଓ ଏବଂ ଇମ୍ୟୁନୋଲୋଜି ଆଣ୍ଡ ର୍ୟୁମାଟୋଲୋଜି ବିଭାଗ ପ୍ରଫେସର ଡା. ପ୍ରଦୀପ୍ତ ଶେଖର ପାତ୍ର ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।ଟିକାକରଣ ପାଇଁ ସମ୍ ହସ୍ପିଟାଲରେ ୬ଟି ଅସ୍ଥାୟୀ ହଲ୍ ପ୍ରସ୍ତୁତ କରାଯାଇଛି । ପଞ୍ଜୀକରଣ ପାଇଁ ୨ଟି ହଲ୍, ଟିକାକରଣ ପାଇଁ ଦୁଇଟି, ଟିକାକରଣ ପରେ ବିଶ୍ରାମ ଓ ନୀରିକ୍ଷଣ ପାଇଁ ଦୁଇଟି ହଲ୍ ପ୍ରସ୍ତୁତ କରି ରଖାଯାଇଛି ।
ସୂଚନା ଯେ, କରୋନା ଯୁଦ୍ଧରେ ସରକାରଙ୍କ ସହଭାଗିତାରେ ସମ୍ରେ ୨୨ ଶହରୁ ଅଧିକ ଶଯ୍ୟା ବିଶିଷ୍ଟ ୪ଟି କୋଭିଡ୍ ହସ୍ପିଟାଲ ଏବଂ ଦୁଇଟି କୋଭିଡ୍ କେୟାର ସେଣ୍ଟର ହୋଇଥିଲା । କରୋନା ସଂକ୍ରମିତ ଉତ୍ତମ ଚିକିତ୍ସା ପ୍ରଦାନରେ ଏହା ମଡେଲ ହସ୍ପିଟାଲ ପାଲଟିଥିଲା । ଭୁବନେଶ୍ୱରକୁ ଛାଡ଼ି କେନ୍ଦ୍ରାପଡ଼ା, ତାଳଚେର ଓ ଚାନ୍ଦିପୁରରେ ୪ଟି କୋଭିଡ୍ ହସ୍ପିଟାଲ ଓ ଜଟଣୀ ଓ ଜାମୁଝୁରିରେ ୨ଟି କୋଭିଡ୍ କେୟାର ସେଣ୍ଟର ଖୋଲି ଚିକିତ୍ସା ଚାଲିଥିଲା ।