ଜାଲିଆନ୍ଓ୍ବାଲ ବାଗ୍ ଗଣହତ୍ୟାକୁ ପୂରିଲା ୧୦୦ ବର୍ଷ: ଦୁଃଖ ପ୍ରକାଶ କଲେ ବ୍ରିଟେନ ରାଷ୍ଟ୍ରଦୂତ, ମୃତକଙ୍କୁ ଶ୍ରଦ୍ଧାଞ୍ଜଳି

ଅମୃତସରର ଐତିହାସିକ ଜାଲିଆନୱାଲା ବାଗ୍ ଗଣହତ୍ୟା ଘଟଣାକୁ ଆଜି ପୂର୍ଣ୍ଣ ହୋଇଛି ୧୦୦ ବର୍ଷ । ଏହି ଅବସରରେ ଭାରତରେ ଅବସ୍ଥାପିତ ବ୍ରିଟେନ ରାଷ୍ଟ୍ରଦୂତ ଡୋମିନିକ ଆସକୁଇଥ ଜାଲିଆନୱାଲା ବାଗରେ ପହଞ୍ଚି ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। କେବଳ ସେତିକି ନୁହେଁ ରାଷ୍ଟ୍ରଦୂତ ଆସ୍କୁଇଥ ସେଠାରେ ଭିଜିଟର୍ସ ବୁକ୍ରେ ଉଲ୍ଲେଖ କରିଛନ୍ତି ଯେ, ଶହେ ବର୍ଷ ତଳେ ଘଟିଥିବା ଜାଲିଆନୱାଲା ବାଗ୍ ଗଣହତ୍ୟା ଆଜି ବ୍ରିଟିଶ-ଭାରତୀୟ ଇତିହାସରେ ଏକ ଲଜ୍ଜାଜନକ କାର୍ଯ୍ୟ। ଏଥିପାଇଁ ଆମେ ଗଭୀର ଦୁଃଖ ପ୍ରକାଶ କରୁଛୁ। ମୁଁ ଆଜି ଖୁସି ଯେ ବ୍ରିଟେନ ଏବଂ ଭାରତୀୟ ପରିବାର ଏକବିଂଶ ଶତାବ୍ଦୀର ଭାଗିଦାରିତାକୁ ଆହୁରି ଆଗକୁ ବଢ଼ାଇବାକୁ ପ୍ରତିବଦ୍ଧ ହୋଇ କାର୍ଯ୍ୟ କରୁଛନ୍ତି। ଏହି ଅବସରରେ ଆୟୋଜିକ କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପଞ୍ଜାବର ରାଜ୍ୟପାଳ ଓ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଥିଲେ।

କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଶନିବାର ଜାଲିଆନୱାଲା ବାଗ୍ରେ ପହଞ୍ଚି ଗଣହତ୍ୟାର ଶିକାର ମୃତକଙ୍କ ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ। ଏହି ଅବସରରେ ରାହୁଲ ସେଠାରେ ଭିଜିଟର୍ସ ବୁକ୍ରେ ଉଲ୍ଲେଖ କରିଥିଲେ ଯେ, ‘ସ୍ବାଧୀନତାର ମୂଲ୍ୟକୁ କେବେ ଭୂଲି ହେବନାହିଁ। ଭାରତୀୟଙ୍କୁ ସାଲ୍ୟୁଟ୍ କରୁଛୁ ଯେଉଁମାନେ ସ୍ବାଧୀନତା ପାଇଁ ନିଜର ସବୁକିଛି ତ୍ୟାଗ କରିଦେଇଥିଲେ। ଜୟ ହିନ୍ଦ।’ ରାହୁଲଙ୍କ ସହିତ ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ନଭଜୋତ ସିଂ ସିଦ୍ଧୁ, ପଞ୍ଜାବର କଂଗ୍ରେସ ପ୍ରଭାରୀ ଆଶା କୁମାରୀ ଏବଂ ପଞ୍ଜାବ କଂଗ୍ରେସ ସଭାପତି ସୁନୀଲ ଝାକର ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

୧୯୧୯ ଏପ୍ରିଲ ୧୩ ତାରିଖରେ ୧୩ ଅପ୍ରେଲ ୧୯୧୯ରେ ବ୍ରିଟିଶ ସରକାର ଜାଲିଆନୱାଲା ବାଗରେ ଶାନ୍ତିପୂର୍ଣ୍ଣ ଭାବେ ସଭା କରୁଥିବା ୨୦ ହଜାର ଭାରତୀୟଙ୍କ ଉପରକୁ ଗୁଳିମାଡ଼ କରିଥିଲେ, ଯେଉଁଥିରେ ଶତାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା। ପୂର୍ବରୁ ବ୍ରିଟେନ ପ୍ରଧାନମନ୍ତ୍ରୀ ଥେରେସା ମେ ବି ଏହି ଘଟଣାକୁ ନେଇ ଦୁଃଖ ପ୍ରକାଶ କରିସାରିଛନ୍ତି। କିନ୍ତୁ ଏହି ଘଟଣା ପାଇଁ ବ୍ରିଟେନ ସରକାର କ୍ଷମା ପ୍ରାର୍ଥନା କରିବାକୁ ବିଭିନ୍ନ ମହଲରେ ଦାବି ହୋଇଥିଲା। ହେଲେ ପ୍ରଧାନମନ୍ତ୍ରୀ ଥେରେସା ମେ କ୍ଷମା ପ୍ରାର୍ଥନା କରିବାକୁ ମନା କରିଦେଇଥିଲେ।