୧୧ କୋଟି ଟଙ୍କା ଜବତ ଘଟଣା: ଫିଲ୍ମ ଷ୍ଟାଇଲ୍ରେ ହୋଇଥିଲା ଡିଲ୍

ନୂଆପଡ଼ା,୨୧ା୨(ଆପ୍ର): ନୂଆପଡ଼ା-ଛତିଶଗଡ଼ ସୀମାନ୍ତବର୍ତ୍ତୀ ଅଞ୍ଚଳରୁ ୧୧ କୋଟି ଟଙ୍କା ଜବତ ଘଟଣାରେ ତଦନ୍ତ ପ୍ରକ୍ରିୟା ଆଗେଇବା ସହ ଧୀରେ ଧୀରେ ସାମ୍ନାକୁ ଆସୁଛି ଅନେକ ରୋଚକ ତଥ୍ୟ । ଏବେ ଏହାର ଡିଲ୍କୁ ନେଇ ଚିତ୍ର ସ୍ପଷ୍ଟ ହେବାରେ ଲାଗିଛି । ଗତ ୧୯ ତାରିଖରେ ନୂଆପଡ଼ା ସୀମାନ୍ତ ଛତିଶଗଡ଼ର ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନା ପୁଲିସ ଏକ ଗାଡ଼ିରୁ ୧୦ କୋଟି ୯୦ ଲକ୍ଷ ୫୦୦ ଟଙ୍କା ଜବତ କରିଥିଲା । ଆଗ୍ରାରୁ ଜଣେ ମହିଳା ସମେତ ୪ ଜଣ ବ୍ୟକ୍ତି କଟକକୁ ଯାଇ ୧୧ କୋଟି ଟଙ୍କା ନେବାକୁ ଆସିଥିଲେ । ହେଲେ ତାଙ୍କ ପାଖରେ କେଉଁଠୁ, କାହାଠାରୁ ଓ କାହିଁକି ଏତେ ମୋଟା ରକମର ଅର୍ଥ ନେଉଛନ୍ତି ତାଙ୍କ ପାଖରେ କୌଣସି ସୂଚନା ନଥିଲା । ଯୋଜନା ମୁତାବକ ଫିଲ୍ମ ଷ୍ଟାଇଲରେ ଏହାର ଡିଲ ହୋଇଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଖଲ୍ଲାରୀ ପୁଲିସ ସୂଚନା ଦେଇଛି ।
ଗତ ୧୭ ତାରିଖ ସକାଳେ ଆଗ୍ରାର ଗହଣା ବ୍ୟବସାୟୀ ଅବଧେଶ ଅଗ୍ରୱାଲ ଉକ୍ତ ୪ ଜଣଙ୍କୁ ଏକ ଗାଡ଼ିଦେଇ କଟକ ଆସିବାକୁ କହିଥିଲେ । ଏଥିପାଇଁ ୪ ଜଣଙ୍କୁ ମୋଟା ପାରିଶ୍ରମିକ ଦେବାକୁ ଅବଧେଶ କହିଥିଲେ । ତାଙ୍କ ନିର୍ଦ୍ଦେଶରେ ୪ ଅଭିଯୁକ୍ତ ଆଗ୍ରାରୁ ବାହାରି-ଝାନ୍ସୀ-ସାଗର ଦେଇ ରାୟପୁର ପହଞ୍ଚିଥିଲେ । ସେଠାରୁ ଖରିଆରରୋଡ଼ ଦେଇ ଓଡ଼ିଶାରେ ପ୍ରବେଶ କରିବା ସହ ଭାୟା ବରଗଡ଼-ସମ୍ବଲପୁର କଟକ ଯାଇଥିଲେ । ସେଠାରେ ହ୍ୱାଟ୍ସଆପରେ ଲାଇଭ ଲୋକେସନ ସହ ଫୋନ୍ରେ କଥାବାର୍ତ୍ତା କରିଥିଲେ । ଅବଧେଶ ସେମାନଙ୍କୁ ଫୋନ୍ରେ ଅପ୍ରେଟ କରୁଥିଲେ । ୧୮ ସନ୍ଧ୍ୟାରେ କଟକ ଓ ଭୁବନେଶ୍ୱର ମଝିରେ ଏକ ସ୍କୁଟିରେ ଜଣେ ବ୍ୟକ୍ତି ଆସି ଏମାନଙ୍କୁ ଭେଟିଥିଲା । ସ୍କୁଟିରେ ଆସିଥିବା ବ୍ୟକ୍ତିଜଣକ ସେମାନଙ୍କୁ ଚିହ୍ନି ନଥିଲେ କି ସେମାନେ ବି ଉକ୍ତ ବ୍ୟକ୍ତିକୁ ଚିହ୍ନି ନଥିଲେ । ସେଠାରୁ ସମସ୍ତଙ୍କୁ ସେ ଏକ ଫାର୍ମ ହାଉସ୍କୁ ନେଇ ଯାଇଥିଲେ । ରାତିରେ ଗାଡ଼ିର ପଛ ସିଟରେ ଥିବା ଲକରରେ ଟଙ୍କା ଭରି ଉକ୍ତ ଫାର୍ମ ହାଉସରେ ଜଣେ ବ୍ୟକ୍ତି ଅବଧେଶଙ୍କ ସହ ଫୋନ୍ରେ ସେମାନଙ୍କୁ କଥା କରାଇଥିଲେ । ପରେ ରାତିରେ ଟଙ୍କା ବୋଝେଇ ଗାଡ଼ି କଟକରୁ ଭାୟା ଅନୁଗୁଳ-ସମ୍ବଲପୁର-ବରଗଡ଼-ସୋହେଲା-ନୂଆପଡ଼ା-ଖରିଆରରୋଡ ଦେଇ ଛତିଶଗଡ଼ରେ ପ୍ରବେଶ କରିଥିଲେ । ୧୯ ତାରିଖ ସକାଳୁ ମହାସମୁନ୍ଦ ଜିଲ୍ଲା ଖଲ୍ଲାରୀ ଥାନା ଅଞ୍ଚଳରେ ପୁଲିସ ଯାଞ୍ଚବେଳେ ସେମାନେ ଧରାପଡ଼ିଥିଲେ । ସମ୍ପୂର୍ଣ୍ଣ ତଥ୍ୟ ସେମାନେ ଜେରାବେଳେ ସ୍ପଷ୍ଟ କରିଥିବା ଖଲ୍ଲାରୀ ଥାନାଧିକାରୀ ସ୍ୱରାଜ ତ୍ରିପାଠୀ କହିଛନ୍ତି ।
ସେମାନେ କେଉଁ ସ୍ଥାନକୁ ଯାଇଥିଲେ? କିଏ ଓ କାହିଁକି ତାଙ୍କୁ ଏତେ ମୋଟା ରକମର ଟଙ୍କା ଦେଲା ସେ ବିଷୟରେ ଏମାନଙ୍କ ପାଖରେ କୌଣସି ସୂଚନା ନଥିଲା । କେବଳ ମାଲିକର କହିବା ଅନୁସାରେ ଫିଲ୍ମ ଷ୍ଟାଇଲରେ ଡିଲ୍ କରି କାମ କରିଥିଲେ । ଏ ସମ୍ପର୍କରେ ମହାସମୁନ୍ଦ ଏସ୍ପି ଦେବବ୍ରତ ସିରୋମୋର କହିଛନ୍ତି, ଡିଲ ହୋଇଥିବା ସ୍ଥାନ ପ୍ରଥମେ କଟକ ବୋଲି ସେମାନେ କହୁଥିଲେ । ଏବେ ଭୁବନେଶ୍ୱର ବୋଲି କହୁଛନ୍ତି । ଓଡ଼ିଶା ପୁଲିସ ଏହାର ତଦନ୍ତ କରୁଛି । ଅବଧେଶଙ୍କୁ ଡକାଯାଇଛି, ହେଲେ ସେ ଆସିନାହିଁ । ଫେରାର ଥିବା ସନ୍ଦେହ କରାଯାଉଛି । ଘଟଣାର ତଦନ୍ତ ଚାଲିଛି । ଖୁବ୍ଶୀଘ୍ର ସତ୍ୟସତ୍ୟ ସାମ୍ନାକୁ ଆସିବ ଏବଂ ଚିତ୍ର ସ୍ପଷ୍ଟ ହୋଇଯିବ ବୋଲି ଏସ୍ପି ସିରୋମୋର କହିଛନ୍ତି ।