ବିଧାନସଭା ମହାସମର, ୧୪୭ ପାଇଁ ୧୧୩୭ ଯୋଦ୍ଧା

ଭୁବନେଶ୍ୱର,୧୩ା୪(ବ୍ୟୁରୋ): ସାଧାରଣ ନର୍ବିାଚନ ସହ ସମାନ୍ତରାଳ ଭାବେ ଓଡ଼ିଶାରେ ଚାଲିଛି ବିଧାନସଭା ମହାସମର । ୧୪୭ଟି ଆସନ ହାତେଇବା ପାଇଁ ଯୁଦ୍ଧକ୍ଷେତ୍ରକୁ ଓହ୍ଲାଇଛନ୍ତି ୧,୧୩୭ ଯୋଦ୍ଧା । କିନ୍ତୁ ଗଣତନ୍ତ୍ରର ଏ ମହାଯୁଦ୍ଧରେ ପ୍ରାର୍ଥୀମାନଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଓଡ଼ିଶାର ୩ କୋଟି ୨୪ ଲକ୍ଷରୁ ଅଧିକ ଭୋଟର । ଯଦିଓ ୨୦୧୪ ନିର୍ବାଚନ ତୁଳନାରେ ଓଡ଼ିଶାରେ ଭୋଟର ସଂଖ୍ୟା ୩୨ ଲକ୍ଷ ୭୨ ହଜାର ୫୮୮ ବଢ଼ିଛି, ପ୍ରାର୍ଥୀ ସଂଖ୍ୟା କିନ୍ତୁ କମିଛି ।

୨୦୧୪ ନିର୍ବାଚନ ବେଳେ ଓଡ଼ିଶାରେ ୨ କୋଟି ୯୧ ଲକ୍ଷ ୯୬ ହଜାର ୪୭ ଜଣ ଭୋଟର ଥିଲେ । ଚଳିତ ନିର୍ବାଚନରେ ଏହି ସଂଖ୍ୟା ବଢ଼ି ୩ କୋଟି ୨୪ ଲକ୍ଷ ୬୮ ହଜାର ୬୩୫ରେ ପହଞ୍ଚିଛି । ଅପରପକ୍ଷେ ଗତ ବିଧାନସଭା ନିର୍ବାଚନରେ ରାଜ୍ୟରେ ୧,୪୨୦ ଜଣ ପ୍ରାର୍ଥୀ ନିର୍ବାଚନ ଲଢ଼ିଥିଲେ । ଏଥର କିନ୍ତୁ ସେମାନଙ୍କ ସଂଖ୍ୟା ୨୦% କମି ୧,୧୩୭ରେ ପହଞ୍ଚିଛି ।

ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ଙ୍କ ନିକଟରୁ ହସ୍ତଗତ ତଥ୍ୟ ମୁତାବକ, ୪ଟି ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ଲଢ଼ୁଥିବା ୧,୧୩୭ ଜଣ ପ୍ରାର୍ଥୀଙ୍କ ମଧ୍ୟରେ ପୁରୁଷଙ୍କ ଅନୁପାତ ୯୧% ରହିଛି । ମହିଳାଙ୍କ ଅନୁପାତ ୧୦%ରୁ କମ୍‌ (୯.୮୫%) ରହିଛି । ପ୍ରାର୍ଥୀଙ୍କ ମଧ୍ୟରେ ୧,୦୨୩ ଜଣ ପୁରୁଷ, ୧୧୨ ଜଣ ମହିଳା ଓ ୨ ଜଣ ତୃତୀୟ ଲିଙ୍ଗୀ ଅଛନ୍ତି । କିନ୍ତୁ ୨୦୧୪ ନିର୍ବାଚନ ବେଳେ ବିଧାନସଭା ପ୍ରାର୍ଥୀଙ୍କ ମଧ୍ୟରେ ୧,୩୦୩ ଜଣ ପୁରୁଷ ଓ ୧୧୭ ଜଣ ମହିଳା ରହିଥିଲେ । ଏଥରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ବିଜେଡି ମୁଖିଆ ନବୀନ ପଟ୍ଟନାୟକ ସଂସଦରେ ମହିଳାଙ୍କ ପାଇଁ ୩୩% ସଂରକ୍ଷଣ ଦାବି କରି ଲୋକସଭା ଆସନ ପାଇଁ ୩୩% ମହିଳାଙ୍କୁ ପ୍ରାର୍ଥୀ କରିଛନ୍ତି । ଏହାସତ୍ତେ୍ୱ ବିଧାନସଭାରେ ମହିଳା ପ୍ରାର୍ଥୀଙ୍କ ସଂଖ୍ୟା ଢେର୍‌ କମ୍‌ ରହିଛି ।

ଏପରିକି ଏହା ୨୦୧୪ରେ ଥିବା ମହିଳା ପ୍ରାର୍ଥୀଙ୍କ ତୁଳନାରେ ଏହା କମ୍‌ ରହିଛି । ସବୁଠୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି, ଓଡ଼ିଶାରେ ପ୍ରଥମ ଥର ପାଇଁ ୨ ଜଣ ତୃତୀୟ ଲିଙ୍ଗୀ (କିନ୍ନର) ଦଳୀୟ ଟିକେଟ୍‌ରେ ନିର୍ବାଚନକୁ ଓହ୍ଲାଇଛନ୍ତି । ବହୁଜନ ସମାଜବାଦୀ ପାର୍ଟି (ବିଏସ୍‌ପି) ଟିକେଟ୍‌ରେ କାଜଲ କିନ୍ନର କୋରେଇ ବିଧାନସଭାରୁ ନିର୍ବାଚନ ଲଢ଼ୁଥିବା ବେଳେ ଅଖିଳ ଭାରତ ହିନ୍ଦୁ ମହାସଭା ଟିକେଟ୍‌ରେ ଶୀତଲ କିନ୍ନର କଟକ-ବାରବାଟୀ ବିଧାନସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି ।

ସିଇଓଙ୍କ କାର୍ଯ୍ୟଳୟରୁ ମିଳିଥିବା ତଥ୍ୟ ଅନୁସାରେ, ଚଳିତ ନିର୍ବାଚନରେ ୩ କୋଟି ୨୪ ଲକ୍ଷ ୬୮ ହଜାର ୬୩୫ ଜଣ ଭୋଟର ନିଜର ମତାଧିକାର ସାବ୍ୟସ୍ତ କରିବେ । ସେମାନଙ୍କ ମଧ୍ୟରେ ୧ କୋଟି ୬୬ ଲକ୍ଷ ୨୫ ହଜାର ୫୫୫ ଜଣ ପୁରୁଷ ଭୋଟର ଅଛନ୍ତି । ୧ କୋଟି ୫୮ ଲକ୍ଷ ୪୦ ହଜାର ୧୩୮ ଜଣ ମହିଳା ଓ ୨,୯୪୩ ଜଣ ତୃତୀୟ ଲିଙ୍ଗୀ ଭୋଟର ରହିଛନ୍ତି । ଭୋଟରଙ୍କ ସଂଖ୍ୟା ବଢ଼ିଥିବାରୁ ନିର୍ବାଚନ ଆୟୋଗ ଏଥର ପୋଲିଂ ବୁଥ୍‌ ସଂଖ୍ୟା ମଧ୍ୟ ବଢ଼ାଇଛନ୍ତି । ୨୦୧୪ ନିର୍ବାଚନ ବେଳେ ରାଜ୍ୟରେ ୩୫,୯୫୯ଟି ବୁଥ୍‌ ଥିଲା । ଚଳିତ ଥର ନିର୍ବାଚନରେ ବୁଥ୍‌ ସଂଖ୍ୟା ୧,୬୪୭ ବଢ଼ି ୩୭,୬୦୬ରେ ପହଞ୍ଚିଛି ।

   ସମ୍ବନ୍ଧିତ ଖବର


ପଞ୍ଚୁକ ପ୍ରଥମ ଦିନରେ ଘଟିଲା ବିଭ୍ରାଟ: ଶ୍ରୀଅଙ୍ଗ ଛୁଇଁବାରୁ ମହାପ୍ରଭୁଙ୍କ ହେଲା ମହାସ୍ନାନ

ଆଜି ମହାପ୍ରଭୁଙ୍କ ବାମନ ବେଶ

ଭିଜିଲାନ୍ସ ଜାଲରେ କୁବେର ଆଇଏଫ୍‌ଏସ୍: ୧୨ଟି ସ୍ଥାନରେ ଚଢଉ, ୩ଟି ରାଜ୍ୟରେ ରହିଛି ଘର, ଜମି ଓ ଫ୍ଲାଟ୍

ଲୁଣ ବୋଝେଇ ଟ୍ରକ୍‌ରୁ ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୨ ଗିରଫ

ଆଜି ୮ ଜିଲ୍ଲାରେ ବର୍ଷା ସମ୍ଭାବନା: ଓଡ଼ିଶାକୁ ଥରାଇଲା କୋହଲା ପାଗ

ଆଜି ଭାରତ ବନ୍ଦ, କେନ୍ଦ୍ରୀୟ ଶ୍ରମିକ ସଂଗଠନର ଦେଶବ୍ୟାପୀ ବନ୍ଦ ଡାକରାକୁ ସମର୍ଥନ ଜଣାଇଲା କଂଗ୍ରେସ