କୋଟାରୁ ୪ଟି ବସ୍‌ରେ ରାଉରକେଲା ଫେରୁଛନ୍ତି ୧୧୬ ଛାତ୍ରଛାତ୍ରୀ

ରାଉରକେଲା ୦୧/୫: ରାଜସ୍ଥାନର କୋଟାରେ ପାଠ ପଢ଼ିବାକୁ ଯାଇଥିବା ରାଉରକେଲାର ଛାତ୍ରଛାତ୍ରୀ ଲକ୍‌ଡାଉନ୍‌ ଯୋଗୁ ସେଠାରେ ରହିଯାଇଥିଲେ । ତେବେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ୪ଟି ବସ୍‌ରେ ୧୧୬ ଜଣ ଛାତ୍ରଛାତ୍ରୀ ଗୁରୁବାର ସେଠାରୁ ରାଉରକେଲା ଅଭିମୁଖେ ବାହାରିଛନ୍ତି । ୩୦ ଘଣ୍ଟା ପରେ ଅର୍ଥାତ୍‌ ଆସନ୍ତାକାଲି ସଂଧ୍ୟାରେ ଏହି ୪ଟି ବସ୍‌ ରାଉରକେଲାରେ ପହଞ୍ଚିବ ବୋଲି ଜଣାପଡ଼ିଛି । ଫଳରେ ଅଭିଭାବକଙ୍କ ମୁହଁରେ ହସ ଫୁଟିଛି ।

ରାଉରକେଲାର ଛାତ୍ରଛାତ୍ରୀମାନେ ରାଜସ୍ଥାନର କୋଟାରେ ପାଠ ପଢ଼ୁଥିଲେ । ତେବେ କରୋନା ଯୋଗୁଁ ମାର୍ଚ୍ଚ ମାସ ୨୨ ତାରିଖରୁ ରାଜ୍ୟ ସରକାର ଲକ୍‌ଡାଉନ୍‌ ଘୋଷଣା କରିଥିବା ବେଳେ ୨୫ ତାରିଖରୁ କେନ୍ଦ୍ର ସରକାର ଅପ୍ରେଲ ୧୪ ତାରିଖ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଥିଲେ । ପରେ ଦେଶର ସ୍ଥିତିକୁ ଅନୁଧ୍ୟାନ କରି କେନ୍ଦ୍ର ସରକାର ଲକ୍‌ଡାଉନ୍‌ ଅବଧିକୁମେ ମାସ ୩ ତାରିଖ ପର୍ଯ୍ୟନ୍ତ ଘୋଷଣା କରିଛନ୍ତି । ଫଳରେ କୋଟାରେ ପାଠ ପଢ଼ୁଥିବା ରାଉରକେଲାର ଛାତ୍ରଛାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ସେଠାରୁ ନିଜ ନିଜ ପିଲାମାନଙ୍କୁ ଏଠାକୁ ଆଣିବା ଲାଗି ଅନେକ ଅଭିଭାବକ ଜିଲ୍ଲା ପ୍ରଶାସନିକ ଅଧିକାରୀଙ୍କ ଠାରୁ ଆରମ୍ଭ କରି ଲୋକ ପ୍ରତିନିଧିଙ୍କ ଦ୍ୱାରସ୍ଥ ହୋଇଥିଲେ । ଶେଷରେ ରାଜ୍ୟ ସରକାର କୋଟାରେ ଫସି ରହିଥିବା ଛାତ୍ରଛାତ୍ରୀଙ୍କୁ ଆଣିବା ଲାଗି ରାଜସ୍ଥାନ ସରକାରଙ୍କ ସହ ଯୋଗାଯୋଗ କରିଥିଲେ । ସେଠାକାର ସରକାର ବସ୍‌ ଯୋଗାଇ ଦେବେ ବୋଲି ରାଜ୍ୟ ସରକାରଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଛାତ୍ରଛାତ୍ରୀମାନଙ୍କ ଅଭିଭାବକମାନେ ନିଜ ଖର୍ଚ୍ଚରେ ସେଠାରୁ ପିଲାମାନଙ୍କୁ ଆଣିବା ଲାଗି ରାଜି ହୋଇଥିଲେ । ଫଳରେ ଆଜି କୋଟାର ଲ୍ୟାଣ୍ଡ ମାର୍କ ସିଟିରୁ ଚାରୋଟି ବସ୍‌ରେ ୧୧୬ ଜଣ ଛାତ୍ରଛାତ୍ରୀ ଓ ସେମାନଙ୍କ ସହିତ କିଛି ଅଭିଭାବକ ଏଠାକୁ ଆସୁଛନ୍ତି ।

ମିଳିଥିବା ସୂଚନାନୁସାରେ, ସେଠାରୁ ବସ୍‌ଗୁଡ଼ିକ ଛାଡ଼ିବା ପୂର୍ବରୁ ସେଗୁଡ଼ିକ ବିଶୋଧନ କରାଯାଇଥିବା ବେଳେ ଛାତ୍ରଛାତ୍ରୀମାନଙ୍କ ସ୍କ୍ରିନିଂ କରାଯାଇଥିଲା । ଏହି ବସ୍‌ଗୁଡ଼ିକ ସେଠାରୁ ବାହାରି ମଧ୍ୟ ପ୍ରଦେଶ, ଛତିଶଗଡ଼, ସମ୍ବଲପୁର, ଝାରସୁଗୁଡ଼ା ହୋଇ ୩୦ ଘଣ୍ଟା ପରେ ରାଉରକେଲାରେ ପହଞ୍ଚିବ । ରାଉରକେଲାରେ ଛାତ୍ରଛାତ୍ରୀମାନେ ପହଞ୍ଚିବା ପରେ ସେମାନଙ୍କ ସ୍କ୍ରିନିଂ କରାଯାଇ ହୋମ କ୍ୱାରେଣ୍ଟାଇନ୍‌ରେ ରଖାଯିବ । ହୋମ କ୍ୱାରେଣ୍ଟାଇନ୍‌ରେ ରହିବା ସମୟରେ ସେମାନଙ୍କ ଉପରେ ନଜର ରଖାଯିବ ଓ ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣ କହିଛନ୍ତି । କୋଟାରେ ଫସି ରହିଥିବା ଅନ୍ୟ ଛାତ୍ରଛାତ୍ରୀମାନଙ୍କୁ ପର୍ଯ୍ୟାୟ କ୍ରମେ ଏଠାକୁ ଅଣାଯିବା ଲାଗି ବ୍ୟବସ୍ଥା କରାଯିବ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଘରକୁ ଫେରୁଥିବାରୁ ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନେ ଖୁସି ଅଛନ୍ତି । ଓଡ଼ିଶା ସରକାର, ରାଜସ୍ଥାନ ସରକାର, ଜିଲ୍ଲା ପ୍ରଶାସନକୁ ଅଭିଭାବକମାନେ ଧନ୍ୟବାଦ ଜଣାଇଛନ୍ତି ।

   ସମ୍ବନ୍ଧିତ ଖବର


ଡାଇବେଟିସ୍ ଓ ହାଇପର ଟେନସନ ରୋଗୀଙ୍କ ପାଇଁ କରୋନା ପ୍ରାଣଘାତୀ, ପ୍ରତି ୫ ଜଣଙ୍କ ଭିତରୁ ନେଉଛି ଜଣଙ୍କର ଜୀବନ

ନଭେମ୍ବରରୁ ଆରମ୍ଭ ହେବ ‘ପଠାନ୍‌’ର ସୁଟିଂ

ମନର ମଣିଷ ଖୋଜୁଛନ୍ତି କିଆରା, ଏମିତି ହୋଇଥିବା ଦରକାର ଜୀବନସାଥୀ…

ଅସ୍ତ୍ରଶସ୍ତ୍ର ଧରି ଦୁଇଟି ଜେଲ ଉପରେ ଉତ୍ୟକ୍ତ ଲୋକଙ୍କ ଆକ୍ରମଣ,୨୦୦୦ କଏଦୀ ଫେରାର

ଖଣ୍ଡଗିରିରୁ ଯୁବକଙ୍କୁ ଉଠାଇନେଲା NIA, ଅଜ୍ଞାତ ସ୍ଥାନରେ କରୁଛି ପଚରାଉଚରା

ମାତ୍ର ୩ ଟଙ୍କାରେ ମିଳିବ ମାସ୍କ,ଏହି ରାଜ୍ୟରେ ଆଜିଠାରୁ ଧାର୍ଯ୍ୟ କରାଗଲା ମୂଲ୍ୟ