୧୧ ଦିନ ପରେ ଖୋଲିଲା ଗୁମର: ସାନପୁଅକୁ ମାରି ଘରେ ପୋତିଦେଇ ଥିଲେ ମାଆ- ବଡ଼ପୁଅ

ସୋର ୨୩/୦୨: ମା’ ପୁଣି ରାକ୍ଷସୀ ପାଲଟି ପାରେ³ ଏହା ଅବିଶ୍ୱସନୀୟ । ତଥାପି ସତ । ୨୨ ବର୍ଷର ସାନପୁଅକୁ ୧୧ ଦିନ ପୂର୍ବେ ମାରି ଘରେ ପୋତି ଦେଇଥିଲେ ମା’ ଓ ବଡ଼ ପୁଅ । ଏ ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ ଜାତୀୟ ରାଜପଥସ୍ଥ ଇଚ୍ଛାପୁର ପୋଖରୀ ନିକଟରେ ।
ଘଟଣାରୁ ପ୍ରକାଶ³ ଚଳିତ ମାସ ୧୨ ତାରିଖ ରାତି ୧୧ଟାରେ ମଦ ପିଇ ସାନପୁଅ ଘରକୁ ଫେରିଥିଲେ । କୌଣସି କଥାକୁ ନେଇ ଉଭୟ ମାଆ, ପୁଅଙ୍କ ମଧ୍ୟରେ ବଚସା ହୋଇଥିଲା । ପରେ ଏହା ଉଗ୍ରରୂପ ଧାରଣ କରିଥିଲା । ସାନ ପୁଅ ବଳରାମଙ୍କୁ ଶାବଳରେ ଆକ୍ରମଣ କରିଥିଲେ ମାଆ ଶୁକୁରୀ ଓ ବଡ଼ ପୁଅ ଜଗବନ୍ଧୁ । ଶାବଳ ମାଡ଼ରେ ବଳରାମଙ୍କ ମୃତ୍ୟୁ ହୋଇଥିଲା । ମୃତଦେହକୁ ଶୋଇବା ଘର ଭିତରେ ଗାତ ଖୋଳି ଲୁଣ ଦେଇ ପୋତି ଦେଇଥିଲେ ମାଆ ଓ ବଡ଼ ପୁଅ । ଏହି ଘଟଣାର ଗୁମର ଖୋଲି ନଥିଲା । ହେଲେ ୧୧ ଦିନ ପରେ ଭାଇର ପିଣ୍ଡ ଶ୍ରାଦ୍ଧ (ଗଙ୍ଗାସ୍ଥି) କରି ଫେରିଥିଲା ବଡ଼ଭାଇ । ଏ କଥା ଅଞ୍ଚଳରେ ପ୍ରଘଟ ହୋଇଯାଇଥିଲା । ସୋମବାର ଏ ଘଟଣା ଜଣାପଡ଼ିବା ପରେ ସୋର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା । ଅଭିଯୁକ୍ତ ମାଆ, ବଡ଼ ପୁଅକୁ ପୁଲିସ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି । ବଡ଼ଭାଇ ପୁଲିସ ପାଖରେ ସାନଭାଇକୁ ମାରିଥିବା ସ୍ୱୀକାର କରିଛି । ତେବେ ରାତି ହୋଇଯାଇଥିବାରୁ ଘର ଭିତର ଖୋଳାଯାଇ ମୃତଦେହ ବାହାର କରାଯାଇନାହିଁ । ସେଠାରେ ପୁଲିସ ମୁତୟନ କରାଯାଇଛି ବୋଲି ସୋର ଥାନାଧିକାରୀ ମଧୁମିତା ମହାନ୍ତି କହିଛନ୍ତି ।