ଭିସୁଟ୍‌ର ୧୧ତମ ସମାବର୍ତ୍ତନ ସମାରୋହ: ‘ସାମାଜିକ ସ୍ଥିତିରେ ଉତ୍‌ଥାନ ଶିକ୍ଷାର ଉଦ୍ଦେଶ୍ୟ’

ବୁର୍ଲା ୦୧/୧୨: ଛାତ୍ରଛାତ୍ରୀଙ୍କ ଚରିତ୍ର ଗଠନ ଓ ସମାଜରେ ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ଆଣିବା ପାଇଁ ଶିକ୍ଷା ହେଉଛି ଚାବିକାଠି । ଜାତୀୟ ଅଭିବୃଦ୍ଧିକୁ ଚରିତାର୍ଥ କରିବା ପାଇଁ ମାନବ ସମ୍ବଳର ସଶକ୍ତିକରଣ ସକାଶେ ଶିକ୍ଷାର ଭୂମିକା ମହତ୍ୱପୂର୍ଣ୍ଣ ବୋଲି ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ୱବିଦ୍ୟାଳୟ (ଭିସୁଟ୍‌)ର ଏକାଦଶ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ଇଣ୍ଡିଆନ୍‌ ଆସୋସିଏସନ୍‌ ଫର୍‌ ଦି କଲ୍ଟିଭେସନ ଅଫ୍‌ ସାଇନ୍ସ କୋଲକାତାର ନିର୍ଦ୍ଦେଶକ ପ୍ରଫେସର ଶାନ୍ତନୁ ଭଟ୍ଟାଚାର୍ଯ୍ୟ ନିଜ ମତ ଉପସ୍ଥାପନ କରିଛନ୍ତି ।

ଉତ୍ସବରେ ଶ୍ରୀ ଭଟ୍ଟାଚାର୍ଯ୍ୟ ନିଜ ବକ୍ତବ୍ୟରେ ଗ୍ରାମୀଣ ଯୁବପିଢ଼ିକୁ ଉଚ୍ଚଶିକ୍ଷା ପ୍ରଦାନ କରାଗଲେ ଅସ୍ୱଚ୍ଛଳ ପରିବାରର ସାମାଜିକ ଅର୍ଥନୈତିକ ସ୍ଥିତି ମଜବୁତ କରାଯାଇ ପାରିବ ବୋଲି କହିଥିଲେ । ସାମାଜିକ ଅର୍ଥନୈତିକ ପରିସ୍ଥିତିରେ ଦୃତ ପରିବର୍ତ୍ତନ ପରିଲକ୍ଷିତ ହେଉଛି । ଏହାର ପ୍ରଭାବ ନୂତନ ଜ୍ଞାନକୌଶଳ, କ୍ରମବର୍ଦ୍ଧିଷ୍ଣ ଅର୍ଥନୀତି ଏବଂ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପରେ ପ୍ରତିଫଳିତ ହେଉଛି । ତେଣୁ ଶିକ୍ଷା କ୍ଷେତ୍ରରେ ଗୁଣାତ୍ମକ ଗବେଷଣା ଆବଶ୍ୟକ । ମାନବ ସମ୍ବଳ ବିକାଶ ପାଇଁ ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରିବା ସକାଶେ ଜ୍ଞାନର ଗଭୀରତାକୁ ଯିବାକୁ ହେବ ବୋଲି ଡ. ଭଟ୍ଟାଚର୍ଯ୍ୟ କହିଥିଲେ ।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଉତ୍ସବରେ ଅଧ୍ୟକ୍ଷତା କରି ଈଶ୍ୱରଙ୍କ ସହ ପ୍ରେମ ହିଁ ପ୍ରକୃତ ଯୌବନ ବୋଲି କହିଥିଲେ । ମହାଜ୍ଞାନୀ ଓ ମହାଯୋଦ୍ଧା ହୋଇ ବି ଅର୍ଜୁନ ରଣଭୂମିରେ ଅସ୍ତ୍ରତ୍ୟାଗ କରିବସିଥିଲେ । କିନ୍ତୁ କୃଷ୍ଣଙ୍କ ବାଣୀ ଶୁଣିବା ପରେ ସେ ଅବସାଦ ବଳୟରୁ ବାହାରକୁ ଆସିଥିଲେ ଓ ନିଜ ଦାୟିତ୍ୱ, କର୍ତ୍ତବ୍ୟ ସମ୍ପର୍କରେ ସଚେତନ ହୋଇ ଧର୍ମର ଜୟ ପାଇଁ ଯୁଦ୍ଧ କରିଥିଲେ । ତେଣୁ କେବଳ ଶିକ୍ଷା ହାସଲ କରିବା ବଡ଼କଥା ନୁହେଁ, ତା’ର ସଦୁପଯୋଗ ପାଇଁ ଆମ ଭିତରେ ସେହି ଐଶ୍ୱରିକ ଚେତନା ଓ ଉସ୍ୱର୍ଗୀକୃତ ଭାବନା ରହିବା ଦରକାର ବୋଲି ରାଜ୍ୟପାଳ କହିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ଅଧ୍ୟକ୍ଷ ଡ. କେ. ଶିବନଙ୍କୁ ସମ୍ମାନସୂଚକ ଡିଏସ୍‌ସି ଡିଗ୍ରୀ ପ୍ରଦାନ କରାଯାଇଥିଲା ।

ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଅଟଳ ଚୌଧୁରୀ ବିଶ୍ୱବିଦ୍ୟାଳୟ ଅତିକ୍ରମ କରିଥିବା ମାଇଲଖୁଣ୍ଟଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିବା ସହ ଆଗାମୀ ଦିନ କାର୍ଯ୍ୟପନ୍ଥା ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଛାତ୍ରଛାତ୍ରୀ ଓ ଶିକ୍ଷକମାନେ ବିଗତ ଦିନରେ ଦେଶ ତଥା ଦେଶ ବାହାରେ ଅର୍ଜନ କରିଥିବା କୃତିତ୍ୱର ବିବରଣୀ ମଧ୍ୟ ପ୍ରଦାନ କରିଥିଲେ ।

ସମାବର୍ତ୍ତନ ଉତ୍ସବରେ ୨୬ ଜଣଙ୍କୁ ସ୍ୱର୍ଣ୍ଣ ପଦକ, ୮ ଜଣଙ୍କୁ ସ୍ମାରକୀ ସ୍ୱର୍ଣ୍ଣ ପଦକ, ୯୦୮ ଜଣଙ୍କୁ ବି.ଟେକ୍‌, ୩୮ ଜଣଙ୍କୁ ବି.ଆର୍କିଟେକ୍‌, ୨୧୩ ଜଣଙ୍କୁ ଏମ୍‌.ଟେକ୍‌, ୩୩ ଜଣଙ୍କୁ ଏମ୍‌ସିଏ, ୪୬ ଜଣଙ୍କୁ ଏମ୍‌ଏସି, ୧୬ ଜଣଙ୍କୁ ଇଣ୍ଟର ମିଡିଏଟ ଏମ୍‌ଏସ୍‌ସି, ୧୬ ଜଣଙ୍କୁ ଏମ୍‌ଫିଲ୍‌ ଓ ୨୬ ଜଣଙ୍କୁ ପଏଚ୍‌ଡି ଡିଗ୍ରୀ ପ୍ରଦାନ କରାଯାଇଛି । ଏହି ଅବସରରେ ବିଶ୍ୱବିଦ୍ୟାଳୟରେ ନବନିର୍ମିତ ଇନୋଭେସନ କମ୍‌ ଇକ୍ୟୁବେସନ ସେଣ୍ଟରକୁ ରାଜ୍ୟପାଳ ପ୍ରଫେସର ଗଣେଶୀଲାଲ ଓ ମୁଖ୍ୟ ଅତିଥି ପ୍ରଫେସର ଭଟ୍ଟାଚାର୍ଯ୍ୟ ଉଦ୍‌ଘାଟନ କରିଥିଲେ । କାର୍ଯ୍ୟକ୍ରମରେ ଭିସୁଟ୍‌ର ସମସ୍ତ ଅଧିକାରୀ, ଅଧ୍ୟାପକ/ଅଧ୍ୟାପିକା, ଛାତ୍ରଛାତ୍ରୀ ତଥା ଶିକ୍ଷାବିତ ଓ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ ।

   ସମ୍ବନ୍ଧିତ ଖବର


ବଦଳିଲା ସଚ୍ଚିବାଳୟ ମାର୍ଗର ନାମ

ରାଜନଗର ପେଣ୍ଠରୁ ୨ ମୃତ ଡଲଫିନ୍ ଉଦ୍ଧାର

ବିଏମସିର ନୂଆ ପଦକ୍ଷେପ, ଏଣିକି ଅଧ କେଜି ପ୍ଲାଷ୍ଟିକ ବଦଳରେ ମିଳିବ ଆହାର

ପଶ୍ଚିମବଙ୍ଗରେ ଆନ୍ଦୋଳନର ପ୍ରଭାବ, ଓଡିଶାରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ