ନାବାଳିକା ଝିଅକୁ ବାହା କରି ବାପ ହଟହଟା: ଯାଞ୍ଚ ବେଳେ କାଢ଼ିଦେଲା ଶଙ୍ଖା-ସିନ୍ଦୂର, ତା’ ପରେ ପୁଣି ସଧବା ବେଶ

ପୁରୀ,୨୨/୦୮: ସବୁଥିଲା ଠିକ୍‌ ଠାକ୍‌ । ହଠାତ୍‌ ଆସିଲା ଏକ ଫୋନ୍‌ କଲ୍‌ । କଲ୍‌ ରିସିଭ୍‌ କରିବା ପରେ ବଦଳିଗଲା ସବୁଚିତ୍ର । ମୁଣ୍ଡରେ ଓଢ଼ଣି ଦେଇ ବସିଥିବା କନ୍ୟାଟି ହାତରୁ ବାଡ଼େଇ ଭାଙ୍ଗିଲା ଶଙ୍ଖା । ମଥାରୁ ପୋଛିଦେଲା ସିନ୍ଦୂର। ଶାଢ଼ି ଖୋଲି ପିନ୍ଧିଦେଲା ଜିନ୍‌ସ ପ୍ୟାଣ୍ଟ ଓ ଟି ସାର୍ଟ । ଆଉ ଘର କାମରେ ରହିଲା ବ୍ୟସ୍ତ । ବାସ୍‌ ଏହାପରେ ପହଞ୍ଚିଗଲା ଜିଲ୍ଲା ପ୍ରଶାସନର ଏକ ତଦନ୍ତକାରୀ ଟିମ୍‌ । ଦୀର୍ଘ ଏକ ଘଣ୍ଟା କାଳ ହେଲା ଜେରା । ଟିମ୍‌ର ଜେରାକୁ କନ୍ୟା ଜଣକ ସମ୍ମୁଖୀନ ହେଲେ । ପରେ ଟିମ୍‌ ଫେରିଗଲା । ଟିମ୍‌ ଫେରିବା ପରେ ପୁଣି ବଦଳିଲା ଚିତ୍ର । ପୂର୍ବ ଅବସ୍ଥାକୁ ଫେରି ଆସିଲେ ଜିନ୍‌‌ସ ପିନ୍ଧା କନ୍ୟା । ପୁଣି ସାଜିଲେ ସଧବା । ଏଭଳି ଏକ ଘଟଣା ସଦର ଥାନା ଅଧୀନ ଆମ୍ବପଡ଼ା ଅଞ୍ଚଳରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

ଖବର ନେବାରେ ଜଣାପଡିଛି ଯେ, କନ୍ୟା ଜଣକ ନାବାଳିକା । ନାବାଳିକା ଜଣକ ଦୀର୍ଘ ଦିନ ତଳୁ ଜଣେ ଯୁବକଙ୍କୁ ଭଲ ପାଉଥିଲେ । ଯୁବକ ମଧ୍ୟ ନାବାଳିକାଙ୍କୁ ପ୍ରେମ କରୁଥିଲେ । ଉଭୟଙ୍କ ପ୍ରେମ ନେଇ କଥା ପଦାକୁ ଆସିଥିଲା। ଜାଣିପାରିଥିଲେ ନାବାଳିକାଙ୍କ ବାପା । ପରେ ନାବାଳିକାଙ୍କୁ ବିବାହ କରାଇଦେବାକୁ ଯୋଜନା କରିଥିଲେ ତାଙ୍କ ପରିବାର। ଖୋଜା ପଡ଼ିଥିଲା ବରପାତ୍ର । ଏହି ସମୟରେ କପିଳେଶ୍ୱରପୁର ଅଞ୍ଚଳର ଜଣେ ଯୁବକଙ୍କୁ ନାବାଳିକାଙ୍କ ବାପା ପସନ୍ଦ କଲେ। ଦୁଇ ପରିବାର ବସି ବିବାହ ତାରିଖ ସ୍ଥିର କଲେ । ଠିକ୍‌ ସେତିକିବେଳେ ଅଧୈର୍ଯ୍ୟ ହେଲା ପ୍ରେମିକ। ବିବାହ ରୋକିବାକୁ ସିଧା ଛୁଟିଲା ପୁଲିସ ଷ୍ଟେସନ୍‌ । ଘଟଣା ନେଇ ପୁଲିସକୁ ସବୁ କହିଥିଲା ପ୍ରେମିକ ।

ପୁଲିସ ପହଞ୍ଚି ଏହି ବିବାହ ନକରିବାକୁ ତାଗିଦ୍‌ କରି ଫେରିଥିଲା । କିଏ ପୁଲିସକୁ ଏ ଖବର ଦେଲା ବୋଲି ତଥ୍ୟ ପାଇଗଲେ ନାବାଳିକାଙ୍କ ପରିବାର । ଫଳରେ ବିଚରା ପ୍ରେମିକ ଜଣକ ନାବାଳିକାଙ୍କ ପରିବାର ଲୋକଙ୍କ ଆକ୍ରୋଶର ଶିକାର ହେବାକୁ ପଡ଼ିଥିଲା । ହେଲେ ପୁଲିସ କଥାକୁ ଖାତିର୍‌ କରିନଥିଲେ ଦୁଇ ପରିବାର । କିଛି ଦିନ ତଳେ ନରସିଂହପାଟଣାସ୍ଥିତ ଏକ ଶିବ ମନ୍ଦିରରେ ବରକନ୍ୟାଙ୍କୁ ଧରି ପହଞ୍ଚିଥିଲେ ସେମାନେ । ମନ୍ଦିରରେ ହେଲା ବିବାହ । ମାଳ ବଦଳ କରି ଦୁହେଁ ଦୁହିଁଙ୍କୁ ନିଜର କରିବା ପରେ ସେହିଠାରୁ ନାବାଳିକା ଚାଲିଗଲେ ଶାଶୂଘର । ବାସ୍‌ ଏହାପରେ ଆରମ୍ଭ ହୋଇଗଲା ବିବାଦ । କାରଣ ନାବାଳିକା ଜଣକ ୧୩ ବର୍ଷ ହୋଇଥିବାବେଳେ ଯୁବକଙ୍କ ବୟସ ୩୨ ବର୍ଷ । ବାଲ୍ୟ ବିବାହ ପ୍ରଥା ଉପରେ ଅଙ୍କୁଶ ଲାଗିଥିଲେ ମଧ୍ୟ ଏଠାରେ ସବୁ ନିୟମକୁ ଜଳାଞ୍ଜଳି ଦେଇ ଆଇନ୍‌କୁ ହାତକୁ ନେଇଥିଲେ ଦୁଇ ପରିବାର । ତେଣୁ ଜିଲ୍ଲା ପ୍ରଶାସନ କାନକୁ ଗଲା କଥା । ଆରମ୍ଭ ହେଲା ଛାନ୍‌ଭିନ୍‌ । ଏକାଧିକ ଥର ପୁଲିସ ଓ ପ୍ରାଶାସନିକ ଅଧିକାରୀମାନେ ଯାଞ୍ଚ କରିବାକୁ ଯାଇ ଫେଲ୍‌ ମାରୁଥିଲେ ।

ସବୁଥର ଭଳି ଗତ ସୋମବାର ଯାଞ୍ଚ କରିବାକୁ ନାବାଳିକାଙ୍କ ଗାଁକୁ ଯାଇଥିଲା ଟିମ୍‌ । କାରଣ ସମସ୍ୟା ବଢିବାରୁ ନାବାଳିକାଙ୍କୁ ଶାଶୂଘରୁ ଆଣି ପାଖରେ ରଖିଛନ୍ତି ତାଙ୍କ ବାପା । ଟିମ୍‌ ବାପଘରେ ପହଞ୍ଚିବା ପୂର୍ବରୁ ଆସିଥିଲା ଏକ ଫୋନ୍‌ କଲ୍‌। ଆଗୁଆ ଖବର ପାଇବା ପରେ ନାବାଳିକା ତାଙ୍କ ହାତରୁ ଶଙ୍ଖା ଭାଙ୍ଗିଦେଇ ମଥାରୁ ସିନ୍ଦୂର ଲିଭାଇ ଦେଇଥିଲେ। ଶାଢୀ ଖୋଲି ପ୍ୟାଣ୍ଟ ଓ ସାର୍ଟ ପିନ୍ଧି ପୁଣି ଅବିବାହିତ ବେଶ ହୋଇଯାଇଥିଲେ। ଟିମ୍‌ ପହଞ୍ଚିବା ବେଳକୁ ବାପଘରେ ନାବାଳିକା ଥିବା ଅଧିକାରୀମାନେ ଦେଖଥିଲେ। ଏପରିକି ସେ ବିବାହ କରିନାହାନ୍ତି ବୋଲି ନାବାଳିକା ଦାବି କରିଥିଲେ।
ପୂର୍ବରୁ ଯେତେଥର ଟିମ୍‌ ଯାଇଛି ସେତେବେଳେ ନାବାଳିକା ଆଗୁଆ ଖବର ପାଇ ସତର୍କ ରହିଥିବା ଅଭିଯୋଗ ହୋଇଛି। ଶାଶୂଘରୁ ଚାଲି ଆସି ବାପଘରେ ରହି ବିବାହ ଘଟଣାକୁ ମିଛ ବୋଲି ପ୍ରମାଣିତ କରୁଥିବା ସ୍ଥାନୀୟ ଲୋକେ କହିଛନ୍ତି। ବିଚରା ବାହା କରି ବାପା ହଟହଟା ହେଉଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ଏନେଇ ସଦର ଏସ୍‌ଡିପିଓ କିଶୋର ଚନ୍ଦ୍ର ମୁଣ୍ଡ୍‌ କହିଛନ୍ତି ଜିଲ୍ଲା ପ୍ରଶାସନ ତଦନ୍ତ କରୁଛି, ଆମେ ତାଙ୍କୁ ସହଯୋଗ କରୁଛୁ ।

   ସମ୍ବନ୍ଧିତ ଖବର


ଅପମିଶ୍ରିତ ନକଲି ଘିଅ କାରଖାନା ଉପରେ ପୁଲିସର ଚଢ଼ାଉ, ମାଲିକ ଛୁ

ନାଗାର୍ଜୁନ ବେଶ- ନିଷ୍ଠା ବଳରେ ମହାପ୍ରଭୁଙ୍କ ଏକ ଲକ୍ଷ ଅକ୍ଷତ ଅରୁଆ ଚାଉଳ ବଛା ଏବଂ କ୍ଷୀରି ପ୍ରସ୍ତୁତି

ଗୁରୁତ୍ୱପୂର୍ଣ୍ଣ ଫାଇଲ ଚରିଯାଇଛନ୍ତି ଊଈ- ଶିକ୍ଷାଧିକାରୀ କାର୍ଯ୍ୟାଳୟର କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ

୧୯୬୦ରେ କରିଥିଲେ ମାଟ୍ରିକ ପାସ୍‌- ସରକାରୀ ଚାକିରି ନକରି ପିଲାଙ୍କୁ ଦେଉଥିଲେ ଶିକ୍ଷାଦାନ, ଏବେ …

ଶୋଇଥିବା ନିରୀହ ପୁଅର ତଣ୍ଟି ଚିପି ଦେଲା ନିଷ୍ଠୁର ପିତା –ପତ୍ନୀଙ୍କୁ କହିଲା ,ଏବେ ସେ ସବୁଦିନ ପାଇଁ ନିରାପଦ !

ଏଇ ଓଡିଶାରେ ଯୁବକ ଦେଉଛନ୍ତି ୨୫ ଟଙ୍କାରେ ପେଟପୁରା ସ୍ୱାଦିଷ୍ଟ ଖାଦ୍ୟ- ୧୦ ଟଙ୍କାରେ ସୁପ୍‌