ରାଜ୍ୟରେ କରୋନା ନେଲା ଆଉ ୧୪ ମୁଣ୍ଡ: ମୃତକଙ୍କ ସଂଖ୍ୟା ୧୭୧୮କୁ ବୃଦ୍ଧି

ଭୁବନେଶ୍ବର ୨୭/୧୧: କରୋନା ସଂକ୍ରମଣ କମିଛି ସତ କିନ୍ତୁ ମୃତ୍ୟୁରେ ବ୍ରେକ୍‌ ଲାଗୁନି । ରାଜ୍ୟରେ ବେକାବୁ ହେଉଛି କୋଭିଡ୍‌ ମୃତ୍ୟୁ । ୨୪ ଘଣ୍ଟା ମଧ୍ୟରେ ୫୯୪ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୧୪ ଜଣଙ୍କର ମୃତ୍ୟୁ ହୋଇଛି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୭୧୮କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ରାଜ୍ୟରେ କରୋନା ଗ୍ରାଫ୍‌ ତଳକୁ ତଳକୁ ଖସି ଚାଲିଛି। କିନ୍ତୁ କୋଭିଡ୍ ମୃତ୍ୟୁ କମ୍ ହେବାରେ ଲାଗୁନି। ଆଜି ୧୪ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରୁ ଅନୁଗୁଳ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪ ଜଣ ଲେଖାଏଁ, ଖୋର୍ଦ୍ଧା ଓ ବାଲେଶ୍ବର ଜିଲ୍ଲାରୁ ୨ ଜଣ ଲେଖାଏଁ, ନୟାଗଡ଼ ଓ ପୁରୀ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।

ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୩ ଲକ୍ଷ ୧୭ ହଜାର ୨୩୯ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୬ ହଜାର ୬୨୯ଟି ଆକ୍ଟିଭ୍‌ କେସ୍‌ ରହିଥିବା ବେଳେ ୩ ଲକ୍ଷ ୦୮ ହଜାର ୮୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ୧୭୧୮ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫୩ ଜଣଙ୍କ ମୃତ୍ୟୁ ଅନ୍ୟ ରୋଗ ଯୋଗୁଁ ହୋଇଛି। ଏବେ ସୁଦ୍ଧା ରାଜ୍ୟରେ ୫୭ ଲକ୍ଷ ୭୭ ହଜାର ୫୭୦ ସାମ୍ପୁଲ ଟେଷ୍ଟ୍ ହୋଇଛି।