PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ: ବ୍ରଜରାଜନଗର ଉପନିର୍ବାଚନ ପରେ ଓଡ଼ିଶା ପିସିସି ସଭାପତି ଘୋଷଣା: ଏ. ଚେଲ୍ଲାକୁମାର
  • ||
  • ଭୁବନେଶ୍ୱର: ଆଜି ଇଣ୍ଡିଆନ ଗ୍ରାଁପ୍ରି-୩: ଅମିୟ ଓ ଶ୍ରାବଣୀ ଦୌଡ଼ିବେ, ପ୍ରତିଯୋଗିତାରେ ସାମିଲ ହେବେନି ଦୂତି
  • ||
  • କଟକ : ଆଜିଠୁ ମାଟ୍ରିକ ଖାତା ଦେଖା, ରାଜ୍ୟର ୫୮ଟି କେନ୍ଦ୍ରରେ ହେବ ମୂଲ୍ୟାୟନ
  • ||

ନେତାଜୀ ଓ ସୁରେନ୍ଦ୍ର ସାଏ ଜୟନ୍ତୀ ପାଳନକୁ ନେଇ ଉତ୍ତେଜନା,କେନ୍ଦ୍ରାପଡ଼ା ସହରରେ ୧୪୪

କେନ୍ଦ୍ରାପଡ଼ା,୨୩ା୧(ଆପ୍ର): ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଓ ବୀର ସୁରେନ୍ଦ୍ର ସାଏଙ୍କ ଜୟନ୍ତୀ ପାଳନକୁ ନେଇ କେନ୍ଦ୍ରାପଡ଼ା ସହରରେ ଦୁଇ ପକ୍ଷ ମୁହାଁମୁହିଁ ହେବା ପରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ସ୍ଥିତି ସମ୍ଭାଳିବାକୁ ପ୍ରଶାସନ ସହରରେ ୧୪୪ ଧାରା ଜାରି କରିଛି । ଏହି ଘଟଣାକୁ କେନ୍ଦ୍ର କରି ଆସନ୍ତାକାଲି (ଗୁରୁବାର) ଏକ ସଂଗଠନ ପକ୍ଷରୁ ବାରଘଣ୍ଟିଆ କେନ୍ଦ୍ରାପଡ଼ା ବନ୍ଦ ଡାକରା ବି ଦିଆଯାଇଛି ।
ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ ପକ୍ଷରୁ କେନ୍ଦ୍ରାପଡ଼ା ସହରରେ ୧୪୪ ଧାରା ଜାରି କରାଯିବା ସହ ସହର ଏବଂ ଉପକଣ୍ଠ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ସହରରେ ପ୍ରାୟ ୮ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ୧୪୪ ଧାରା ଜାରି ହୋଇଥିବାରୁ ଏକକାଳୀନ ୪ରୁ ୫ ଜଣ ଲୋକ ଏକତ୍ରିତ ହୋଇପାରିବେନି କି କୌଣସି ସ୍ଥାନରେ ସଭା ସମିତି ଅନୁଷ୍ଠିତ ହୋଇପାରିବ ନାହିଁ । ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କାରେ କେନ୍ଦ୍ରାପଡ଼ା ପ୍ରଶାସନ କେନ୍ଦ୍ରାପଡ଼ା ସହର ସମେତ ଏହାର ଆଖପାଖ ଅଞ୍ଚଳର ସ୍କୁଲ୍‌ ଓ କଲେଜଗୁଡ଼ିକୁ ଆସନ୍ତାକାଲି ଛୁଟି ଘୋଷଣା କରିଛି । ଏଥିସହ ବିଏସ୍‌ଏନ୍‌ଏଲ୍‌ ବ୍ରଡ୍‌ବ୍ୟାଣ୍ଡ୍‌ ସେବାକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ବନ୍ଦ କରାଯାଇଥିବା କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲାପାଳ (ଏଡିଏମ୍‌) ବସନ୍ତ କୁମାର ରାଉତ ସୂଚନା ଦେଇଛନ୍ତି । ତମାମ୍‌ ସହରରେ ଆଜିଠାରୁ ଦୋକାନ ବଜାର ବନ୍ଦ ହୋଇଯାଇଥିବାରୁ କେନ୍ଦ୍ରାପଡ଼ା ବଜାର ଏବେ ପୂରା ଶୂନ୍‌ଶାନ୍‌ ହୋଇଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ, ଆଜି ସୁଭାଷ ଚନ୍ଦ୍ର ବୋଷ ଓ ସଂଗ୍ରାମୀ ବୀର ସୁରେନ୍ଦ୍ର ସାଏଙ୍କ ପବିତ୍ର ଜନ୍ମତିଥି ଥିବାରୁ ଏକ ସାଧାରଣ ସଭା କରିବାକୁ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘ ନିଷ୍ପତ୍ତି ନେଇଥିଲା । ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମ ଅନୁସାରେ ଆଜି ସାଢ଼େ ୨ଟାରୁ ପଦଯାତ୍ରା କେନ୍ଦ୍ରାପଡ଼ା ସହର ମୁଖ୍ୟମାର୍ଗ ଦେଇ କେନ୍ଦ୍ରାପଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ(ଟାଉନ୍‌ ହାଇସ୍କୁଲ)ରେ ପହଞ୍ଚିଥିଲା । ଟାଉନ୍‌ ହାଇସ୍କୁଲ୍‌ ପଡ଼ିଆ ବିଭିନ୍ନ ସମୟରେ ପରିତ୍ୟକ୍ତ ହୋଇ ରହୁଥିବାରୁ ପୂର୍ବତନ ଜିଲ୍ଲାପାଳ ରେଘୁ ଜୀ ଏଠାରେ ଖେଳ ବ୍ୟତୀତ ଅନ୍ୟାନ୍ୟ କାର୍ଯ୍ୟକ୍ରମ, ଧର୍ମସଭା ଆଦି ଆୟୋଜନ ଉପରେ କଡ଼ା କଟକଣା ଜାରି କରିଥିଲେ । ସେହି ସମୟରେ ସଂଖ୍ୟାଲଘୁ ସମ୍ପ୍ରଦାୟର ଏକ ଧର୍ମସଭା ହେବାର ଥିଲେ ମଧ୍ୟ ସେଥିଲାଗି ଅନୁମତି ଦେଇନଥିଲା ପ୍ରଶାସନ । ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‍ଏସ୍‍) କହିବା କଥା ସେମାନେ ଏଥିଲାଗି ଟାଉନ୍‌ ହାଇସ୍କୁଲ୍‌ କର୍ତ୍ତୃପକ୍ଷଙ୍କଠାରୁ ଆବଶ୍ୟକ ଅନୁମତି ଆଣିଥିଲେ । ଏ ଅନୁମତି ଲିଖିତ କିମ୍ୱା ମୌଖିକ ଥିଲା ତାହା କିନ୍ତୁ ସ୍ପଷ୍ଟ କରିପାରିନି ଆର୍‌ଏସ୍‍ଏସ୍‍ । ସଂଖ୍ୟାଲଘୁ ସମ୍ପ୍ରଦାୟର ସଦସ୍ୟଙ୍କ କହିବା କଥା, ପଡ଼ିଆରେ ସଭା ଆୟୋଜନ ଲାଗି ହାଇସ୍କୁଲ୍‌ କର୍ତ୍ତୃପକ୍ଷ ଅନୁମତି ଦେଇନାହାନ୍ତି । ଏତଦ୍‍ ଭିନ୍ନ ସେମାନଙ୍କର ଧର୍ମସଭା ଆୟୋଜନ ଆବେଦନକୁ ପ୍ରଶାସନ ଅଗ୍ରାହ୍ୟ କରିଦେଇ ଥିବାବେଳେ ଆର୍‌ଏସ୍‍ଏସ୍‍ ଏଠାରେ କେମିତି ସଭା କରିପାରିବ? ଅନ୍ୟପକ୍ଷେ ଆର୍‌ଏସ୍‍ଏସ୍‍ କର୍ମକର୍ତ୍ତାଙ୍କ କହିବା କଥା, ଏହା କୌଣସି ଧର୍ମସଭା ନଥିଲା, ବରଂ ଦୁଇ ବରପୁତ୍ର, ସ୍ୱାଧୀନତା ସଂଗ୍ରାମୀଙ୍କ ଜନ୍ମଦିବସ ପାଳନ ସଭା ଥିଲା । ଏଥିରେ ବିରୋଧ ଅବା ଅନୁମତିର କୌଣସି ପ୍ରଶ୍ନ ହିଁ ଉଠୁନି । ଦୁଇ ମହାନାୟକଙ୍କ ଜନ୍ମତିଥି ପାଳନକୁ ଏପରି ବିରୋଧ ଘଟଣାକୁ ସାଧାରଣରେ ନାପସନ୍ଦ କରାଯାଇଛି ।
ଏସ୍‌ପି ନୀତି ଶେଖର, ଉପଜିଲ୍ଲାପାଳ ସଞ୍ଜୟ କୁମାର ମିଶ୍ର, ଏଏସ୍‌ପି ଅରୁଣ କୁମାର ଜେନା, କେନ୍ଦ୍ରାପଡ଼ା ଏସ୍‌ଡିପିଓ ରାଜୀବ ଲୋଚନ ପଣ୍ଡା, ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ରଞ୍ଜନ ଦେ’, ଟାଉନ୍‍ ଆଇଆଇସି ତପନ କୁମାର ନାୟକ ଓ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହି ସ୍ଥିତି ଉପରେ ନଜର ରଖିଛନ୍ତି । ସେହିପରି ଏକ ସାମ୍ବାଦିକ ସମ୍ମିଳନୀ ଡାକି ପୁଲିସ, ପ୍ରଶାସନ ଓ କାର୍ଯ୍ୟକ୍ରମର ବିରୋଧୀଙ୍କୁ ସମାଲୋଚନା କରିଛି ରାଷ୍ଟ୍ରୀୟ ସୁରକ୍ଷା ସମିତି । ସମିତିର କେନ୍ଦ୍ରାପଡ଼ା ସହ-ପ୍ରମୁଖ ସଞ୍ଜୟ କୁମାର ପତ୍ରୀ କହିଛନ୍ତି, ଦୁଇ ବରପୁତ୍ରଙ୍କ ଜୟନ୍ତୀ ଅବସରରେ ନିର୍ଦ୍ଦିଷ୍ଟ କିଛି ଯୁବକ ଠେଙ୍ଗାବାଡ଼ି ଧରି ବିରୋଧ କରିବା, ପୁଲିସ ଫୋର୍ସ ସହ ଖୋଦ୍‍ ଏସ୍‌ପି ଶୋଭାଯାତ୍ରାରେ ଥାଇ ବି ସୁରକ୍ଷା ନଦେବା ନିନ୍ଦନୀୟ ଘଟଣା । ଏ ଘଟଣା ପାଇଁ ସେ ପୁଲିସର ଅପାରଗତାକୁ ଦାୟୀ କରିବା ସହ ଏହା ଦୁଇ ସଂଗ୍ରାମୀଙ୍କୁ ଅପମାନ ବୋଲି କହିଛନ୍ତି ।