ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ୧୫ ଦିନରେ ୩୩,୨୮୧ ଆବେଦନ: ଭୁବନେଶ୍ୱରରେ ଖୋଲିଲା ୩ ଅସ୍ଥାୟୀ କ୍ୟାମ୍ପ

ଭୁବନେଶ୍ୱର ୧୯/୯: ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ଛାନିଆ ହୋଇ ପଡ଼ିଛନ୍ତି ଗାଡ଼ି ଚାଳକ । ବିନା ଲାଇସେନ୍ସରେ ବେଧଡ଼କ ଘୁରି ବୁଲୁଥିବା ଗାଡ଼ି ଚାଳକ ଏବେ ଡ୍ରାଇଭିଂ ଲାଇସେନ୍ସ ପାଇଁ ଚକ୍କର କାଟୁଛନ୍ତି । ପରିବହନ ବିଭାଗର ହିସାବ କହୁଛି, ନୂଆ ନିୟମ ଆସିବା ପରେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରାୟ ଦୁଇ ଗୁଣ ବଢ଼ିଯାଇଛି।

ପରିବହନ ସଚିବ ଜି.ଶ୍ରୀନିବାସଙ୍କ ତଥ୍ୟ ଅନୁଯାୟୀ ଗତ ଅଗଷ୍ଟ ମାସର ପ୍ରଥମ ୧୫ ଦିନରେ ରାଜ୍ୟରେ ମୋଟ ୧୭ ହଜାର ୩୭ଜଣ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ କରିଥିଲେ । ମାତ୍ର ନୂଆ ନିୟମ ଲାଗୁ ହେବା ପରଠୁ ଏହି ସଂଖ୍ୟାରେ ଅହେତୁକ ବୃଦ୍ଧି ଘଟିଛି । ସେପ୍ଟେମ୍ବର ୧ରୁ ୧୫ ତାରିଖ ସୁଦ୍ଧା ରାଜ୍ୟରେ ମୋଟ ୩୩ ହଜାର ୨୮୧ଜଣ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ କରିଛନ୍ତି ।

ଏଥିରୁ ଅନୁମାନ କରାଯାଇପାରେ ମୋଟା ଅଙ୍କର ଜରିମାନା ଭୟରେ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ସଂଖ୍ୟା କେଉଁ ମାତ୍ରାରେ ବଢ଼ିଯାଇଛି । ସବୁଠୁ ଆଚମ୍ବିତ କଲା ଭଳି ତଥ୍ୟ ଆସିଛି ମାଲାକାନଗିରିରୁ । ଅଗଷ୍ଟ ୧ରୁ ୧୫ ତାରିଖ ଭିତରେ ମାଲକାନଗିରି ଆର୍‌ଟିଓ କେନ୍ଦ୍ରରେ ଲର୍ଣ୍ଣିଂ ଡ୍ରାଇଭିଂ ଲାଇସେନ୍ସ ଆବେଦନ ସଂଖ୍ୟା ଥିଲା ମାତ୍ର ୭ଟି । ମାତ୍ର ନୂଆ ନିୟମ ପରେ ସେପ୍ଟେମ୍ବର ୧ରୁ ୧୫ ତାରିଖ ସୁଦ୍ଧା ଏହି ସଂଖ୍ୟା ୧୧୦୦ରେ ପହଞ୍ଚିଛି । ଅର୍ଥାତ୍‌ ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ୧୫୬୧୪.୩ ପ୍ରତିଶତ ବଢ଼ିଛି ।

ରାଉରକେଲା ଆରଟିଓରେ ଏହି ସଂଖ୍ୟା ୧୩୩ରୁ ବଢ଼ି ୧୦୧୭ରେ ପହଞ୍ଚିଛି । ଯାହାକି ବଢ଼ିଛି ୬୬୪.୭% । ଭୁବନେଶ୍ୱରର ଆର୍‌ଟିଓ-୧ରେ ଗତ ମାସର ପ୍ରଥମ ୧୫ ଦିନରେ ୧୧୫୭ଟି ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ଆସିଥିଲା । ଚଳିତ ମାସରେ ୧୫ ତାରିଖ ସୁଦ୍ଧା ୨୮୨୭ଟି ଆବେଦନ ହେଲାଣି । ଭୁବନେଶ୍ୱରର ଆରଟିଓ-୨ରେ ଗତ ଅଗଷ୍ଟ ୧-୧୫ ସୁଦ୍ଧା ୧୦୨୨ଟି ଲର୍ଣ୍ଣିଂ ଲାଇସେନ୍ସ ଆବେଦନ ଆସିଥିଲା । ଏଥର ସେପ୍ଟେମ୍ବର ପହିଲାରୁ ୧୫ ତାରିଖ ସୁଦ୍ଧା ପହଞ୍ଚିଛି ୩୭୩୩ଟି ଆବେଦନ । ଅର୍ଥାତ୍‌ ଆବେଦନ ହାର ୬୬୪.୭% ବଢ଼ିଯାଇଛି । ଏଭଳି ଭାବେ ପ୍ରାୟ ସବୁ ଆର୍‌ଟିଓ କେନ୍ଦ୍ରରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ ଆବେଦନ ଓ ଭିଡ଼ ବଢ଼ିଛି ।

ପରିବହନ ସଚିବ ଜି.ଶ୍ରୀନିବାସ କହିଛନ୍ତି, ନିର୍ଦ୍ଧାରିତ ସମୟ ଭିତରେ ଆବେଦନକାରୀଙ୍କୁ ଲାଇସେନ୍ସ ଯୋଗାଇବା ପାଇଁ କୁହାଯାଇଛି । ଯେଉଁ ସବୁ ଜିଲ୍ଲାରେ ଆବେଦନ କମ୍‌ ରହିଛି, ସେଠାରେ ଜିଲ୍ଲାପାଳମାନଙ୍କୁ ସଚେତନତା ବ୍ୟାପକ କରିବା ପାଇଁ ପରାମର୍ଶ ଦିଆଯାଇଛି ।

ନୂଆ ମୋଟର ଯାନ ଆଇନ୍‌ ଲାଗୁ ହେବା ପରେ ନିୟମ ଭଙ୍ଗ କରି ଗାଡ଼ି ଚାଳନା ପାଇଁ ଧରପଗଡ଼ ବଢ଼ିଛି । ତେବେ ନିୟମ ଭାଙ୍ଗୁଥିବା ଗାଡ଼ି ଚାଳକଙ୍କୁ ଜରିମାନା କାଟିବା ପାଇଁ ଆରଟିଓ ଇ-ଚାଲାଣ ବ୍ୟବସ୍ଥା ଲାଗୁ କରିଛି । ମାତ୍ର ପୁଲିସ କ୍ଷେତ୍ରରେ ସବୁଠି ଇ-ଚାଲାଣ ବ୍ୟବସ୍ଥା ନାହିଁ । ଏନେଇ ଆଜି ଲୋକସେବା ଭବନରେ ଏକ ବୈଠକ ବସିଥିଲା । ବୈଠକ ପରେ ପରିବହନ ସଚିବ ଶ୍ରୀନିବାସ କହିଛନ୍ତି, ଆସନ୍ତା ୧୦ ଦିନ ଭିତରେ ରାଜ୍ୟର ସମସ୍ତ ଥାନାକୁ ଇ-ଚାଲାଣ ମେସିନ୍‌ ଯୋଗାଇ ଦିଆଯିବ ।

ପ୍ରଥମ ଦିନରେ ୧୩୮ ଜଣ କଲେ ଲର୍ଣ୍ଣିଂ ଆବେଦନ
ଭୁବନେଶ୍ୱର ଆଞ୍ଚଳିକ ପରିବହନ ଅଧିକାରୀ ଆର୍‌ଟିଓ-୧ ଓ ଆର୍‌ଟିଓ-୨ ପକ୍ଷରୁ ଆଜିଠୁ ୩ ଅସ୍ଥାୟୀ କ୍ୟାମ୍ପ ଖୋଲାଯାଇଛି । ପ୍ରଥମ ଦିନରେ ୧୩୮ଜଣ ଲର୍ଣ୍ଣିଂ ଲାଇସେନ୍ସ (ଏଲ୍‌ଏଲ୍‌) ପାଇଁ ଆବେଦନ କରିଛନ୍ତି । ଆର୍‌ଟିଓ-୧ର କଳ୍ପନା ସ୍ଥିତ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ଅଫିସ୍‌ରେ ୭୫ ଜଣ ଓ ସହିଦନଗରସ୍ଥିତ ବିଏମ୍‌ସିର ୱାର୍ଡ ଅଫିସରେ ୨୫ଜଣ ଏଲ୍‌ଏଲ୍‌ ପାଇଁ ଆବେଦନ କରିଛନ୍ତି । ସେହିପରି ନାଲ୍‌କୋ ଛକ ସ୍ଥିତ ବିଏମ୍‌ସି ନର୍ଥ ଜୋନ୍‌ ଅଫିସରେ ୩୮ ଜଣ ଆବେଦନ କରିଥିବା ଆର୍‌ଟିଓ-୨ ପକ୍ଷରୁ ସୂଚନା ମିଳିଛି । ଆସନ୍ତାକାଲି ଠାରୁ ଏଜି ଛକସ୍ଥିତ ଓଏସ୍‌ଆରଟିସିରେ ଅନ୍ୟ ଏକ ଅସ୍ଥାୟୀ କ୍ୟାମ୍ପ ଖୋଲାଯିବ ବୋଲି ଆର୍‌ଟିଓ-୧ ସୂଚନା ଦେଇଛି ।

ସେପଟେ ଏହି କ୍ୟାମ୍ପ ଅଫିସରେ ଲର୍ଣ୍ଣିଂ ଲାଇସେନ୍ସ ପାଇଁ କୌଣସି ସ୍ଲଟ ବୁକିଂ କରାଯିବନି । ଫାଷ୍ଟ କମ୍‌ ଫାଷ୍ଟ ସର୍ଭ ଅନୁସାରେ କାମ ହେବ । କ୍ୟାମ୍ପ ଅଫିସକୁ ଯିବା ପୂର୍ବରୁ ଅନ୍‌ଲାଇନ୍‌ରେ ଆପ୍ଲିକେସନ ଫର୍ମ ପୂରଣ କରିବାକୁ ସୂଚନା ଦିଆଯାଇଛି । କ୍ୟାମ୍ପ ଅଫିସରେ ଆଧାର କାର୍ଡ, ଶିକ୍ଷାଗତ ଯୋଗ୍ୟତା ଓ ବ୍ଲଡ ଗ୍ରୁପ୍‌ ସାର୍ଟିଫିକେଟ ସହ କ୍ୟାମ୍ପ ଅଫିସରେ ଦେୟ ପୈଠ କରିବାକୁ କୁହାଯାଇଛି ।

   ସମ୍ବନ୍ଧିତ ଖବର


ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ