ଜଳସ୍ତର ହ୍ରାସ ପାଉଥିବା ଜିଲ୍ଲାଗୁଡ଼ିକରେ ସ୍ଥିତି ଉଦ୍‌ବେଗଜନକ: ବିଗତ ୧୦ ବର୍ଷରେ ୧୫ ଜିଲ୍ଲାରେ କମୁଛି ଭୂତଳ ଜଳସ୍ତର

ଭୁବନେଶ୍ୱର,୧୪/୦୧: ବିଗତ ୧୦ ବର୍ଷରେ ରାଜ୍ୟର ୧୫ଟି ଜିଲ୍ଲାରେ ଭୂତଳ ଜଳସ୍ତର ହ୍ରାସ ପାଇବାରେ ଲାଗିଛି । ଏହି ଜିଲ୍ଲାଗୁଡ଼ିକ ମଧ୍ୟରେ ଅଧିକାଂଶ ହେଉଛି ଉପକୂଳବର୍ତ୍ତୀ ଜିଲ୍ଲା ।

ମିଳିଥିବା ସୂଚନା ଅନୁଯାୟୀ ବାଲେଶ୍ୱର, ଭଦ୍ରକ, କଟକ, ଜଗତସିଂହପୁର, ଦେବଗଡ଼, ଯାଜପୁର, କଳାହାଣ୍ଡି, କେନ୍ଦ୍ରାପଡ଼ା, କେନ୍ଦୁଝର, କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ, ନବରଙ୍ଗପୁର, ପୁରୀ ଓ ରାୟଗଡ଼ାରେ ଭୂତଳ ଜଳସ୍ତର କମିଥିବା ଦେଖିବାକୁ ମିଳିଛି । କେବଳ ବାଲେଶ୍ୱର ଜିଲ୍ଲାରେ ଏହି ସମୟରେ ଭୂମିଠାରୁ ତଳକୁ ଜଳସ୍ତରର ପରିମାଣ ୯.୪୩ ପ୍ରତିଶତରୁ ୮.୬୪ ପ୍ରତିଶତକୁ ହ୍ରାସ ପାଇଛି ।

ଭଦ୍ରକ ଜିଲ୍ଲାରେ ଭୂପୃଷ୍ଠଠାରୁ ୬.୨୨ ମିଟର ତଳେ ଜଳସ୍ତର ଥିବାବଳେ ଦଶ ବର୍ଷ ପରେ ଅର୍ଥାତ୍‌ ୨୦୧୯ରେ ଏହା ୭.୧୨ ମିଟର ତଳକୁ ଖସିଯାଇଛି । କଟକ ଜିଲ୍ଲାରେ ଏହା ୪.୮୯ ମିଟରରୁ ୫.୪୨ ମିଟରକୁ, ଜଗତସିଂହପୁର ଜିଲ୍ଲାରେ ୩.୦୭ ମିଟରରୁ ୩.୭୯ ମିଟରକୁ, ଯାଜପୁର ଜିଲ୍ଲାରେ ୫.୦୨ ମିଟରରୁ ୫.୧୫ ମିଟରକୁ, କେନ୍ଦ୍ରାପଡ଼ାରେ ୨.୮୩ରୁ ୩.୫୬ ମିଟରକୁ, ପୁରୀ ଜିଲ୍ଲାରେ ୩.୫୨ ମିଟରରୁ ୩.୭୪ ମିଟରକୁ, ରାୟଗଡ଼ା ଜିଲ୍ଲାରେ ୭.୬୬ ମିଟରରୁ ୮.୯୭ ମିଟରକୁ, କେନ୍ଦୁଝର ଜିଲ୍ଲାରେ ୭ ମିଟରରୁ ୭.୩୯ ମିଟରକୁ ଏବଂ କଳାହାଣ୍ଡି ଜିଲ୍ଲାରେ ଜଳସ୍ତର ୫.୮୬ ମିଟରରୁ ୬.୬୮ ମିଟରକୁ ଖସିଛି ।

ଅନ୍ୟପକ୍ଷରେ ଅନୁଗୁଳ, ବରଗଡ଼, ବଲାଙ୍ଗିର, ବୌଦ୍ଧ, ଢେଙ୍କାନାଳ, ଗଜପତି, ଗଞ୍ଜାମ, ଝାରସୁଗୁଡ଼ା, କନ୍ଧମାଳ, ଖୋର୍ଦ୍ଧା, ନୟାଗଡ଼, ନୂଆପଡ଼ା, ସମ୍ବଲପୁର, ସୁବର୍ଣ୍ଣପୁର ଓ ସୁନ୍ଦରଗଡ଼ର କିନ୍ତୁ ଭୂତଳ ଜଳସ୍ତରରେ ଉନ୍ନତି ପରିଲକ୍ଷିତ ହେଉଛି ।
ଜଳସ୍ତର ହ୍ରାସ ପାଉଥିବା ଜିଲ୍ଲାଗୁଡ଼ିକରେ ସ୍ଥିତି ଉଦ୍‌ବେଗଜନକ ନଥିଲେ ବି ବ୍ୟାପକ ଜଙ୍ଗଲକ୍ଷୟ ସାଙ୍ଗକୁ ବେଆଇନ୍‌ ଭାବେ ବସୁଥିବା ଗଭୀର ନଳକୂପକୁ ଜଳସ୍ତର କମିବା ପାଇଁ ଦାୟୀ କରାଯାଉଛି । ତୁରନ୍ତ ଏହାର ପ୍ରତିକାର ପାଇଁ ପଦକ୍ଷେପ ନିଆନଗଲେ ଆଗାମୀ ଦିନରେ ଉପକୂଳ ସମେତ ଆନ୍ୟାନ୍ୟ ଆଭ୍ୟନ୍ତରୀଣ ଜିଲ୍ଲାରେ ଭୂତଳ ଜଳସ୍ତର ତଳକୁ ତଳକୁ ଚାଲିଯିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି ।