୧୫ ଛାତ୍ରୀଙ୍କୁ ଅସଦାଚରଣ ପରେ ରାଣ ଦେଲେ ମଦ୍ୟପ ପ୍ରଧାନ ଶିକ୍ଷକ: ମା’ ରାଣ ଖାଇ କୁହ କାହାକୁ କହିବନି

କେନ୍ଦୁଝର ୧୭/୧୧: ଜଣେ ବନ୍ଧୁଙ୍କ ସହ ହଷ୍ଟେଲ ପରିସରରେ ମଦ ପିଇବା ପରେ ନିଶାରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ହଷ୍ଟେଲ ଛାତ୍ରୀଙ୍କ ଉପରେ ଆରମ୍ଭ କରିଥିଲେ ଅସଦାଚରଣ । ଦେଖିବାକୁ କେହି ନଥିଲେ କି ଛାତ୍ରୀଙ୍କ ଡାକ ଶୁଣିବାକୁ କେହି ନଥିଲେ । ଭୟରେ ଆତୁର ହୋଇଯାଇଥିଲେ ହଷ୍ଟେଲରେ ରହୁଥିବା ୩୮ ଜଣ କୁନି କୁନି ଆଦିବାସୀ ଛାତ୍ରୀ । ଗତ ରବିବାର ଘଟଣାଟି ଘଟିଥିଲା କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ ଯୋଡ଼ା ବ୍ଲକ୍‌ ପଳଶା ଗ୍ରାମ ପଞ୍ଚାୟତରେ ଥିବା ବେଲଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଆଦିବାସୀ ହଷ୍ଟେଲରେ । ଘଟଣା ଘଟାଇଥିଲେ ହଷ୍ଟେଲ ଦାୟିତ୍ୱରେ ଥିବା ସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ର ।

ବୁଧବାର ଛାତ୍ରୀମାନେ ଏ ବିଷୟରେ ଆଲୋଚନା କରୁଥିଲେ । କାଳେ ଏ ସମ୍ବନ୍ଧରେ ଛାତ୍ରୀମାନେ କାହାରିକୁ ସୂଚନା ଦେଇଦେବେ ସେଥିପାଇଁ ଭୟଭୀତ ହୋଇ ଛାତ୍ରୀଙ୍କ ନିକଟରେ ଗୁହାରି କରିବା ଆରମ୍ଭ କରିଥିଲେ ପ୍ରଧାନ ଶିକ୍ଷକ ବାଣେଶ୍ୱର । ତୁମ ମା’ ରାଣ ଖାଇ କୁହ ରବିବାର ଦିନର ଘଟଣା କହାରିକୁ କହିବ ନାହିଁ । ଯିଏ କହିବ ତାର ଭଲ ଦଶା ହେବ ନାହିଁ ବୋଲି କହିବା ସହିତ ମୁଁ ରାତି ୧୨ଟାରେ ହଷ୍ଟେଲକୁ ଆସି କିଏ କେଉଁଠି ଶୋଉଛ ଚେକ୍‌ କରିବି ବୋଲି କହିଥିଲେ । ଫଳରେ ହଷ୍ଟେଲ ଛାତ୍ରୀଙ୍କ ମନରେ ଭୟ ପଶିଯାଇଥିଲା । ଶୁକ୍ରବାର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସ୍କୁଲରେ ଅନୁପସ୍ଥିତ ଥିବାବେଳେ ଏ ସମ୍ବନ୍ଧରେ ଗ୍ରାମବାସୀଙ୍କୁ ଜଣାଇ ଦେବା ପାଇଁ ସନ୍ଧ୍ୟାରେ ହଷ୍ଟେଲ ଛାଡ଼ି ବେଲଦା ଗାଁକୁ ଯାଇଥିଲେ ୧୫ ଜଣ ଛାତ୍ରୀ । ଅନ୍ଧାର ରାତିରେ ହଷ୍ଟେଲ ଛାଡ଼ି ଛାତ୍ରୀମାନେ ଗାଁ ଭିତରକୁ ଚାଲିଆସିଥିବାରୁ ଗ୍ରାମବାସୀ ଆଚମ୍ବିତ ହୋଇଯାଇଥିଲେ । ସେମାନଙ୍କୁ ବାରଣ୍ଡାରେ ବସାଇ ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ ।

ଏହାପରେ ବାମେବାରୀ ଥାନାକୁ ଖବର ଦେବାରେ ବାମେବାରୀ ପୁଲିସ ବେଲଦା ଗ୍ରାମରେ ପହଞ୍ଚି ଛାତ୍ରୀଙ୍କୁ ଉଦ୍ଧାର କରି ଘଟଣା ସମ୍ପର୍କରେ ପଚାରିଥିଲେ । ତମାମ ଘଟଣା ବର୍ଣ୍ଣନା କରିବା ସହ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଏବଂ ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ତାଙ୍କର ଜଣେ ସମର୍ଥକଙ୍କ ବିରୋଧରେ ଲିଖିତ ଏତଲା ଦେଇଥିଲେ ଛାତ୍ରୀମାନେ । ଛାତ୍ରୀ ମାନଙ୍କ ନିକଟରୁ ଏତାଦୃଶ ଅଭିଯୋଗ ପାଇବା ପରେ ବାମେବାରୀ ପୁଲିସ ଯୋଡା ବିଇଓ ଦାୟିତ୍ୱରେ ଥିବା ଚମ୍ପୁଆ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଘଟଣା ସମ୍ପର୍କରେ ଅବଗତ କରିଥିଲେ । ବିଇଓ ଫୋନ ଯୋଗେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମହାନ୍ତଙ୍କୁ ରାତିରେ ହଷ୍ଟେଲ ସମ୍ଭାଳିବା ପାଇଁ ଦାୟିତ୍ୱ ଦେଇଥିବାବେଳେ ମଦ୍ୟପ ପ୍ରଧାନ ଶିକ୍ଷକଙ୍କୁ ନିଲମ୍ବିତ କରିଥିଲେ । ଅନ୍ୟପକ୍ଷରେ ତଦନ୍ତ ପରେ ବାମେବାରୀ ଥାନାରେ ଦଫା ୩୬୪(ଏ), ୫୦୬ ଏବଂ ୧୦-୧୨ ପୋକ୍ସୋ ଆକ୍ଟ ବଳରେ ପ୍ରଧାନ ଶିକ୍ଷକ ବାଣେଶ୍ୱର ପାତ୍ରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡ଼ିଛି ।

   ସମ୍ବନ୍ଧିତ ଖବର


ହାଇଦ୍ରାବାଦ ଦୁଷ୍କର୍ମ ଓ ହତ୍ୟା ମାମଲା ପରେ ୧.୩ ଲକ୍ଷ ଲୋକ ଡାଉନ୍ ଲୋଡ୍ କରିଛନ୍ତି ଏହି ଆପ୍, ମାତ୍ର ୭ ସେକେଣ୍ଡରେ ପୋଲିସ ପାଇପାରିବ ସୂଚନା

ଭଙ୍ଗାହେଲା ଏମଏଲଏ କ୍ୱାର୍ଟର୍ସ, ନିର୍ମାଣ ହେବ ଅତ୍ୟାଧୂନିକ ସୁବିଧା ସୁଯୋଗ ଥିବା ବହୁତଳ କୋଠା

ଗର୍ଭବତୀ ଦୁଷ୍କର୍ମ ପୀଡିତାଙ୍କୁ ଜୀଅନ୍ତା ଜଳାଇଲା ଅଭିଯୁକ୍ତ, ହସ୍ପିଟାଲ ଯିବା ବେଳେ ଅଧା ବାଟରେ ଆଖିବୁଜିଲେ ପୀଡିତା

ଉନ୍ନାଓ ଗଣଦୁଷ୍କର୍ମ ଓ ହତ୍ୟାମାମଲା: ମୁଖ୍ୟ ଅଭିଯୁକ୍ତ ଶୁଭମ୍ ନିଜକୁ ନିର୍ଦୋଷ ପ୍ରମାଣିତ କରିବାକୁ କୋର୍ଟରେ ଦେଖାଇଲା ଡାକ୍ତରୀ ସାର୍ଟିଫିକେଟ୍, ହସ୍ପିଟାଲ ପକ୍ଷରୁ କୁହାଗଲା…