“ଫିକି’ ଶିକ୍ଷା ମହାକୁମ୍ଭକୁ ଉଦ୍‌ଘାଟନ କଲେ ରାଷ୍ଟ୍ରପତି: ପ୍ରଦର୍ଶନୀର “ସୋଆ’ ଷ୍ଟଲରେ ବିଦେଶୀ ଶିକ୍ଷା କନ୍‌ସଲଟାଣ୍ଟଙ୍କ ଭିଡ଼

ନୂଆଦିଲ୍ଲୀ ୨୮/୧୧: ଫେଡେରେସନ୍‌ ଅଫ୍‌ ଇଣ୍ଡିଆନ୍‌ ଚାମ୍ବର୍ସ ଅଫ୍‌ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି (ଫିକି)ର ୧୫ତମ ଆନ୍ତର୍ଜାତିକ ଶିକ୍ଷା ମହାକୁମ୍ଭକୁ ଭାରତର ମହାମହିମ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବୁଧବାର ଉଦ୍‌ଘାଟନ କରିଛନ୍ତି । ସ୍ଥାନୀୟ ବିଜ୍ଞାନ ଭବନଠାରେ ଆରମ୍ଭ ହୋଇଥିବା ତିନିଦିନିଆ ମହାକୁମ୍ଭରେ ଦେଶବିଦେଶର ୭୬ଟି ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟ ଭାଗ ନେଉଛନ୍ତି। ଭାରତ ସରକାରଙ୍କ ମାନବ ସମ୍ବଳ ମନ୍ତ୍ରଣାଳୟ ତଥା ବାଣିଜ୍ୟ ଏବଂ ଉଦ୍ୟୋଗ ମନ୍ତ୍ରଣାଳୟ ଏଥିରେ ସହଯୋଗ କରିଛନ୍ତି ।

ରାଷ୍ଟ୍ରପତି ତାଙ୍କ ଉଦ୍‌ଘାଟନୀ ଭାଷଣରେ ରିସର୍ଚ୍ଚ ଏବଂ ଡିଜିଟାଲ ଶିକ୍ଷାକୁ ବିଶେଷ ଗୁରୁତ୍ୱ ଦେଇଥିଲେ । ଟେକ୍‌ନୋଲୋଜି ମାଧ୍ୟମରେ କିଭଳି ଲୋକଙ୍କ ଦୈନଦିନ ଜୀବନ ସୁବିଧାଜନକ ହୋଇପାରିବ ତାହା ନେଇ ସେ ଉଲ୍ଲେଖ କରିଥିଲେ । ବକ୍ତବ୍ୟରେ ରାଷ୍ଟ୍ରପତି ଛାତ୍ର-ଶିକ୍ଷକଙ୍କ ମଧ୍ୟରେ ଯୋଗାଯୋଗ ବୃଦ୍ଧି ପାଇଁ ଆହ୍ୱାନ ଦେଇଥିଲେ । ଦେଶର ବିକାଶ ନେଇ ସରକାରୀ କ୍ଷେତ୍ର ଛଡ଼ା ପ୍ରାଇଭେଟ୍‌ ସଂସ୍ଥାମାନଙ୍କ ବିଶେଷ ଭୂମିକା ରହିଛି ବୋଲି ସେ ଉଲ୍ଲେଖ କରିଥିଲେ । ବିଜ୍ଞାନ ଭବନ ପଛପଟ ପ୍ରାଙ୍ଗଣରେ ଦେଶ ବିଦେଶର ଅନେକ ପ୍ରଖ୍ୟାତ ସରକାରୀ ଓ ଘରୋଇ ବିଶ୍ୱବିଦ୍ୟାଳୟମାନେ ସେମାନଙ୍କ ଷ୍ଟଲ ଉପସ୍ଥାପନ କରିଛନ୍ତି । ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଡିମ୍‌ଡ ବିଶ୍ୱବିଦ୍ୟାଳୟ ଏଥିରେ ଭାଗ ନେଇଛି । ସୋଆ ତାହାର ଷ୍ଟଲ୍‌ରେ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ପ୍ରସଙ୍ଗରେ ସୂଚନା ପ୍ରଦାନ କରୁଛି । ପ୍ରଦର୍ଶନୀର ପ୍ରଥମ ଦିନରେ ବିଦେଶରୁ ବହୁ ଶିକ୍ଷା କନ୍‌ସଲଟାଣ୍ଟ ଆସି ସୋଆର ବିଭିନ୍ନ ପାଠ୍ୟକ୍ରମ ସମ୍ବନ୍ଧରେ ଉତ୍ସାହ ପ୍ରକାଶ କରିଥିଲେ । ବିଶେଷ ଭାବେ ଆଫ୍ରିକୀୟ ଦେଶମାନେ ଅଧିକ ରୁଚି ଦେଖାଇବା ପରିଲକ୍ଷିତ ହୋଇଥିଲା ।

ପ୍ରଦର୍ଶନୀ ହଲ୍‌ର ପ୍ରବେଶ ଦ୍ୱାର ନିକଟସ୍ଥ ଏକ ପ୍ରମୁଖ ସ୍ଥାନରେ ‘ସୋଆ’କୁ ତାହାର ଷ୍ଟଲ ସ୍ଥାପନ କରିବା ପାଇଁ ଏଥର ସୁଯୋଗ ଦିଆଯାଇଛି । ‘ସୋଆ’ର କୁଳପତି ଅମିତ୍‌ ବାନାର୍ଜୀ ଉପସ୍ଥିତ ରହି ବିଦେଶର ଶିକ୍ଷା କନ୍‌ସଲଟାଣ୍ଟମାନଙ୍କ ସହ ସୂଚନା ପ୍ରଦାନ କରୁଥିବା ଦେଖିବାକୁ ମିଳିଛି । ଅନ୍ୟମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ଆଡ୍‌ମିସନ୍‌ସର ନିର୍ଦ୍ଦେଶକ ନଚିକେତା ଶର୍ମା, ଡିନ୍‌ (ରିସର୍ଚ୍ଚ) ପ୍ରଫେସର ପ୍ରଦୀପ୍ତ ନନ୍ଦ, ଆଇଡିଏସ୍‌ର ପ୍ରଫେସର ଅନୁରାଗ ଶତପଥୀ, ମୁଖ୍ୟ ସଂଯୋଜକ ଦେବପ୍ରସାଦ ଦାସ ଏବଂ ଉପନିର୍ଦ୍ଦେଶକ (କର୍ପୋରେଟ୍‌ ରିଲେସନ୍‌ସ) ପ୍ରିତମ ନାୟକ ଉପସ୍ଥିତ ରହି ଦେଶ ବିଦେଶର ଶିକ୍ଷା କନ୍‌ସଲଟାଣ୍ଟମାନଙ୍କ ସହ ବିଚାର ବିମର୍ଷ କରିଥିଲେ । ନେପାଳ ସ୍ଥିତ ତ୍ରିଭୂବନ ବିଶ୍ୱବିଦ୍ୟାଳୟର ଶିକ୍ଷା କନ୍‌ସଲଟାଣ୍ଟ ଅଜୟ ମହାତ ସୋଆ ବିଶ୍ୱବିଦ୍ୟାଳୟର ବିଭିନ୍ନ ପାଠ୍ୟକ୍ରମ ସମ୍ବନ୍ଧରେ ବିଶେଷ ରୁଚି ପ୍ରକାଶ କରିଥିଲେ । ସେ ପ୍ରମେୟକୁ କହିଥିଲେ, ଆସନ୍ତା ବର୍ଷରୁ ନେପାଳରୁ ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ସୋଆକୁ ପଠାଇବା ପାଇଁ ସେ ଉଦ୍ୟମ କରିବେ । ସାଉଥ୍‌ ଆଫ୍ରିକାର କିଙ୍ଗଡମ୍‌ ଅଫ୍‌ ଲେସୋଥୋର ମୁଖ୍ୟ ଶିକ୍ଷା ଅଧିକାରୀ ମାସେଲୋଆନି ସେହାଲବି ସୋଆ କୁଳପତିଙ୍କୁ କହିଥିଲେ ଯେ ସେ ସୋଆର ବିଭିନ୍ନ ପାଠ୍ୟକ୍ରମକୁ ନେଇ ବେଶ୍‌ ଉତ୍ସାହିତ । ଆଗାମୀ ଶିକ୍ଷା ବର୍ଷରୁ ସାଉଥ୍‌ ଆଫ୍ରିକାର ଅନେକ ଛାତ୍ରଛାତ୍ରୀ ସୋଆରେ ନାମ ଲେଖାଇବା ପାଇଁ ସେ ଉଦ୍ୟମ କରିବେ ବୋଲି ଆଶା ବ୍ୟକ୍ତ କରିଥିଲେ ।

ବିଦେଶର ଅନେକ ଶିକ୍ଷା କନ୍‌ସଲଟାଣ୍ଟ ସୋଆର ମେଡିକାଲ କଲେଜରେ ନାମ ଲେଖାଇବା ପାଇଁ ସୁଯୋଗ ଦେବାକୁ ଆଗ୍ରହ ପ୍ରକାଶ କରିଥିଲେ । ସେମାନଙ୍କୁ କୁହାଯାଇଥିଲା ଯେ ମେଡିକାଲ ଆଡ୍‌ମିସନ୍‌ କେବଳ ସର୍ବଭାରତୀୟ ସ୍ତରରେ ଅନୁଷ୍ଠିତ ନିଟ୍‌ ପ୍ରବେଶିକା ପରୀକ୍ଷା ଦ୍ୱାରା ଚୟନ କରାଯାଏ । ଏଥିରେ ସୋଆ ବିଶ୍ୱବିଦ୍ୟାଳୟର କର୍ତ୍ତୃପକ୍ଷ ବିଶେଷ କିଛି କରିପାରିବେ ନାହିଁ । ଶିକ୍ଷା କନ୍‌ସଲଟାଣ୍ଟମାନଙ୍କୁ ସୋଆ ପକ୍ଷରୁ ପେନ୍‌ଡ୍ରାଇଭ୍‌ ଏବଂ ସିଭି ଦ୍ୱାରା ବିଭିନ୍ନ ସୂଚନା ଉପଲବ୍ଧ କରାଯାଇଥିଲା ।

   ସମ୍ବନ୍ଧିତ ଖବର


ବିନ୍ଦୁସାଗରରେ ଡଙ୍ଗା ଭସା ମନା, କଟକଣା ଜାରି କଲା ବିଏମ୍‌ସି

ଅନ୍ତର୍ଜାତୀୟ ଉଡ଼ାଣ ଉପରେ କଟକଣା, ଡିସେମ୍ବର ୩୧ ଯାଏ ବିମାନ ସେବା ବନ୍ଦ

ଆଜି ମହାପ୍ରଭୁଙ୍କ ଦୁର୍ଲଭ ନାଗାର୍ଜୁନ ବେଶ, ସୁରକ୍ଷା ବଳୟରେ ଶ୍ରୀମନ୍ଦିର

ଭାରତୀ ସିଂହଙ୍କୁ ଡ୍ରଗ୍ସ ଦେଉଥିବା ବ୍ୟକ୍ତି ଧରାପଡ଼ିଲା ! ଡେଲିଭରୀ ବୟ ସାଜି କରୁଥିବା ସପ୍ଲାଇ

ଲାଲୁ ଯାଦବଙ୍କ ସେବାଦାର ଇରଫାନ୍‌ ଅନସାରୀ ନିଖୋଜ ! ଅଡ଼ିଓ ଭାଇରାଲ ହେବା ପରଠୁ ଗାଏବ୍‌

ସେକ୍ସ ରାକେଟ୍‌ର ପର୍ଦ୍ଦାଫାସ୍ -ବାଂଲାଦେଶ ଓ ରୁଷ୍‌ରୁ ଆଣୁଥିଲା ଯୁବତୀଙ୍କୁ