ମଇଦାନରେ ୧୬% ଦାଗୀ ନେତା; ୧୧% ସଙ୍ଗିନ ମାମଲାରେ ଜଡ଼ିତ, ୪୨୩ ଜଣ କୋଟିପତି

ନୂଆଦିଲ୍ଲୀ,୧୪ା୪(ଏଜେନ୍ସି): ଗଣତନ୍ତ୍ରର ପର୍ବ ବୋଲାଉଥିବା ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଆସନ୍ତା ଏପ୍ରିଲ ୧୮ରେ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ସ୍ଥିତିରେ ସାମ୍ନାକୁ ଆସିଛି ମଇଦାନରେ ଓହ୍ଲାଇଥିବା ନେତାମାନଙ୍କ ସମ୍ବନ୍ଧରେ କିଛି ରୋଚକ ତଥ୍ୟ । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲଢ଼ିବାକୁ ଯାଉଥିବା ନେତାମାନଙ୍କ ମଧ୍ୟରୁ ୧୬% ନେତା ଅପରାଧିକ ମାମଲାରେ ଜଡ଼ିତ ଥିବା ବେଳେ ଏକ-ତୃତୀୟାଂଶରୁ ଅଧିକ ନେତା କୋଟିପତି ବୋଲି ଜଣାପଡ଼ିଛି । ଆସୋସିଏସନ୍ ଫର୍ ଡେମୋକ୍ରାଟିକ୍ ରିଫର୍ମସ୍(ଏଡିଆର)ର ରିପୋର୍ଟରେ ଏହି ତଥ୍ୟ ଦର୍ଶାଯାଇଛି । ନାମାଙ୍କନ ପତ୍ର ଦାଖଲ ବେଳେ ନେତାମାନେ ଦେଇଥିବା ସତ୍ୟପାଠକୁ ଆଧାର କରି ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଛି ।
ଦ୍ୱିତୀୟ ପର୍ଯ୍ୟାୟରେ ୧୬୪୪ ଜଣ ନେତାଙ୍କ ଭାଗ୍ୟ ପରୀକ୍ଷା ହେବାକୁ ଯାଉଛି । ଏମାନଙ୍କ ମଧ୍ୟରୁ ୨୫୧ ଜଣ ନେତାଙ୍କ ନାମରେ ଅପରାଧିକ ମାମଲା ରହିଛି, ଯାହାଙ୍କ ମଧ୍ୟରୁ ୧୬୭ ଜଣ (୧୧%)ଙ୍କ ନାମରେ ସଙ୍ଗିନ ଅପରାଧିକ ମାମଲା ଅଛି । ହତ୍ୟା, ଲୁଟ୍, ହତ୍ୟା ପାଇଁ ପ୍ରୟାସ, ଅପହରଣ, ଚୋରି ଏବଂ ନାରୀ ନିର୍ଯାତନା ଭଳି ବିଭିନ୍ନ ମାମଲା ଏହି ନେତାମାନଙ୍କ ନାମରେ ରହିଛି । ବିଜେପିର ୫୧ଜଣ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିବା ବେଳେ କଂଗ୍ରେସର ୫୨ ପ୍ରାର୍ଥୀଙ୍କ ମଧ୍ୟରୁ ୨୩ ଜଣ, ବସପାର ୮୦ ପ୍ରାର୍ଥୀଙ୍କ ମଧ୍ୟରୁ ୧୬ ଜଣ, ଡିଏମ୍କେର ୨୪ ପ୍ରାର୍ଥୀଙ୍କ ମଧ୍ୟରୁ ୧୧ ଜଣ ଏବଂ ଶିବସେନାର ୧୧ ପ୍ରାର୍ଥୀଙ୍କ ମଧ୍ୟରୁ ୪ ଜଣଙ୍କ ନାମରେ ଅପରାଧିକ ମାମଲା ରହିଥିବା ଜଣାପଡ଼ିଛି ।
ଅନ୍ୟପକ୍ଷରେ ବିଜେପିର ୧୦, କଂଗ୍ରେସର ୧୭, ବସପାର ୧୦ ଜଣ ନେତାଙ୍କ ନାମରେ ସଙ୍ଗିନ ଅପରାଧିକ ମାମଲା ରହିଛି । ୧୬୪୪ ପ୍ରାର୍ଥୀଙ୍କ ମଧ୍ୟରୁ ୪୨୩ ଜଣ ପ୍ରାର୍ଥୀଙ୍କ ସମ୍ପତ୍ତିର ମୂଲ୍ୟ ୧ କୋଟି ଟଙ୍କାରୁ ଅଧିକ ଥିବା ଜଣା ପଡ଼ିଛି । କୋଟିପତି ପ୍ରାର୍ଥୀ ତାଲିକାରେ କଂଗ୍ରେସ ପ୍ରାର୍ଥୀଙ୍କ ସଂଖ୍ୟା ସବୁଠାରୁ ଅଧିକ ରହିଛି । କଂଗ୍ରେସର ୪୬ ଜଣ ପ୍ରାର୍ଥୀ କୋଟିପତି ହୋଇଥିବା ବେଳେ ବିଜେପିର ୪୫ ଜଣ ପ୍ରାର୍ଥୀ କୋଟିପତି ବୋଲି ଜଣା ପଡ଼ିଛି ।