ପିଛା ଛାଡ଼ୁନି କରୋନା: ୧୯ ହାଇସ୍କୁଲ ଛାତ୍ରଛାତ୍ରୀ କରୋନା ପଜିଟିଭ୍

ଝାରସୁଗୁଡା ୧୪/୦୧: କରୋନା ସଂକ୍ରମଣ ପିଛା ଛାଡ଼ୁ ନାହିଁ । ଦୁଇ ଦିନ ତଳେ ଜିଲ୍ଲାକୁ କରୋନା ସଂକ୍ରମଣ ଲେଉଟିବା ସହ ଝାରସୁଗୁଡ଼ା ସହରର ବୃନ୍ଦାବନ କଲୋନୀ ଇଲାକାରେ ଏକ ଆପାର୍ଟମେଣ୍ଟ ରହୁଥିବା ଏକ ବୈଷୟିକ ଶିକ୍ଷାନୁଷ୍ଠାନର ୧୧ ଜଣଛାତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ହେଲେ ଗତକାଲିଠାରୁ ଆଜି ମଧ୍ୟରେ ହାଇସ୍କୁଲ ପିଲାଙ୍କ ଭିତରେ ଦେଖାଦେଇଛି କରୋନା ସଂକ୍ରମଣ । କରୋନା କଟକଣା ମଧ୍ୟରେ ସ୍କୁଲ ଚାଲିଥିବା ସତ୍ତେ୍ୱ ଲଇକେରା ବ୍ଲକର ତିନିଟି ହାଇସ୍କୁଲର ୧୯ ଜଣ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରକାରଙ୍କ ସ୍କୁଲ ଖୋଲିବା ନିଷ୍ପତ୍ତିର ଯଥାର୍ଥତାକୁ ନେଇ ଉଠିଛି ପ୍ରଶ୍ନ ।

ଜିଲ୍ଲା ଶିକ୍ଷା ଅଧିକାରୀ କଳ୍ପନାପଣ୍ଡାଙ୍କ ଅନୁଯାୟୀ ଲଇକେରାବ୍ଲକର ପାକେଲଖୋଲ ସ୍ଥିତ ହେମସାଗର ହାଇସ୍କୁଲରେ ୮ ଜଣ ଏବଂ ସାହାସପୁର ଠାରେ ଥିବା ଜବ୍ ‌ଓରିଏଣ୍ଟେଡ୍‌ ହାଇସ୍କୁଲର ୯ ଜଣ ଛାତ୍ରଙ୍କ ବୁଧବାର ଟେଷ୍ଟ ପରେ କୋଭିଡ୍‌ ପଜିଟିଭ ଚିହ୍ନଟ ହୋଇଛନ୍ତି । ସଂକ୍ରମିତ ଦଶମ ଶ୍ରେଣୀର ଛାତ୍ର ମାନଙ୍କୁ ହୋମ ଆଇସୋଲେସନରେ ରହିବାକୁ ପରାମର୍ଶ ଦିଆଯାଇଛି । ଆଜି ଉଭୟ ସ୍କୁଲକୁ ସାନିଟାଇଜ୍‌ କରାଯିବା ପରେ ପୁଣି ଅନ୍ୟ ସୁସ୍ଥ ପିଲାମାନଙ୍କୁ ପାଠ ପଢିବା ସୁଯୋଗ ଦିଆଯିବ । ଛାତ୍ରଛାତ୍ରୀଙ୍କ ଥର୍ମାଲ ସ୍କ୍ରିନିଂ ଏବଂ କୋଭିଡ୍‌ ପରୀକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ବୋଲି ଜିଲ୍ଲା ଶିକ୍ଷାଅଧିକାରୀ ସୂଚନା ଦେଇଛନ୍ତି ।

ଏହା ପୂର୍ବରୁ ସାଲେଟିକ୍ରା ହାଇସ୍କୁଲର ୨ ଜଣ ଛାତ୍ରଛାତ୍ରୀ ମଧ୍ୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ ବୋଲି ଜଣାପଡ଼ଛି ।କରୋନା ସଂକ୍ରମଣ କାରଣରୁ ଦୀର୍ଘ୯ ମାସ ସ୍କୁଲ ବନ୍ଦ ରହିବା ପରେ ଗତ ୮ ତାରିଖ ସ୍କୁଲ ଖୋଲିଛି । ଆଉ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ସ୍କୁଲକୁ ଯିବାକୁ ଅନୁମତି ମିଳିଛି । ଏବେ ସ୍କୁଲ ପିଲାଙ୍କ ଭିତରେ କରୋନା ସଂକ୍ରମଣ ଦେଖା ଦେବା ପରେ ଆଗକୁ ପରିସ୍ଥିତି କିଭଳି ହେବ ସନେଇ ନାନାଦି କଳ୍ପନାଜଳ୍ପନା ପ୍ରକାଶ ପାଇବାରେ ଲାଗିଛି । କରୋନାର ଦ୍ରୁତ ସଂକ୍ରମଣ ଯେଭଳିନ ହୁଏ ଏବଂ ଅନ୍ୟ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଯେଭଳି ସଂକ୍ରମିତନ ହୁଅନ୍ତି ସେଥିପ୍ରତି ବିଶେଷ ଧ୍ୟାନ ରଖାଯାଇଛି ବୋଲି ଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି । ପିଲାମାନେ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ମାସ୍କ ପିନ୍ଧିବା,ସାମାଜିକ ଦୂରତା ରକ୍ଷା କରିବା,ସାନିଟାଇଜର ବ୍ୟବହାର କରିବାଭଳି ସତର୍କତା ମୂଳକ ବ୍ୟବସ୍ଥା ଗ୍ରହଣସତ୍ତେ୍ୱ ଯେଭଳି କରୋନା ସଂକ୍ରମଣ ଦେଖା ଦେବାରେ ଲାଗିଛି ଅଭିଭାବକ ମହଲକୁ ଚିନ୍ତାରେ ପକାଇଛି ।