କରୋନା ମୁକାବିଲା ପାଇଁ ଆସିବ ୨.୩ ଲକ୍ଷ କୋଟିର ପ୍ୟାକେଜ୍‌: ୧୦ କୋଟି ଗରିବଙ୍କ ଆକାଉଣ୍ଟକୁ ପଠା ଯିବ ଟଙ୍କା!

ନୂଆଦିଲ୍ଲୀ ୨୬/୩: କରୋନା ଭୂତାଣୁ ଯୋଗୁ ସମଗ୍ର ଦେଶ ଠପ୍‌ ହୋଇଯାଇଛି । ସବୁ ଅର୍ଥନୈତିକ କାର୍ଯ୍ୟକଳାପ ସ୍ଥାଣୁ ପାଲଟିଛି । ଏହାଦ୍ୱାରା ଘରୋଇ ଅର୍ଥ ବ୍ୟବସ୍ଥାକୁ ଏକ ବଡ଼ ଝଟ୍‌କା ଲାଗିବାଟା ନିଶ୍ଚିତ । ଏଭଳି ସ୍ଥିତିରେ କେନ୍ଦ୍ର ସରକାର ୨.୩ ଲକ୍ଷ କୋଟି ଟଙ୍କାର ପ୍ରୋତ୍ସାହନ ପ୍ୟାକେଜ୍‌ ଆଣିବେ ବୋଲି ସୂଚନା ମିଳିଛି ।

ପ୍ୟାକେଜ୍‌ର ଆକାର କେତେ ହେବ, ସେ ବାବଦରେ କିଛି ଚୂଡ଼ାନ୍ତ ନିଷ୍ପତ୍ତି ନିଆଯାଇ ନାହିଁ । ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କାର୍ଯ୍ୟାଳୟ, ଅର୍ଥ ମନ୍ତ୍ରାଳୟ ଏବଂ ଭାରତୀୟ ରିଜର୍ଭ ବ୍ୟାଙ୍କ ମଧ୍ୟରେ ଏ ନେଇ ଆଲୋଚନା ଜାରି ରହିଛି । ଠିକଣା ସମୟରେ ଆର୍ଥିକ ପ୍ରୋତ୍ସାହନ ପ୍ୟାକେଜ୍‌ ଘୋଷଣା କରାଯିବ । ଜଣେ ବରିଷ୍ଠ ଅଧିକାରୀଙ୍କ ସୂଚନା ଅନୁସାରେ ୨,୦୦୦ କୋଟି ଡଲାର ବା ପାଖାପାଖି ୧.୫ ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ୍‌ ବାବଦରେ ଆଲୋଚନା କରାଯାଉଛି । କିନ୍ତୁ ଏହା ୨.୩ ଲକ୍ଷ କୋଟି ଟଙ୍କାକୁ ବଢ଼ିବା ସମ୍ଭାବନା ରହିଛି । ବ୍ୟାପକ ଆଲୋଚନା ପରେ ଚୂଡ଼ାନ୍ତ ନିଷ୍ପତ୍ତି ନିଆଯିବ ।

ସୂତ୍ର ମୁତାବକ ଚଳିତ ସପ୍ତାହ ଶେଷଭାଗରେ ଏ ନେଇ କେନ୍ଦ୍ର ସରକାର ଘୋଷଣା କରିପାରନ୍ତି । ୧୦ କୋଟିରୁ ଅଧିକ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଏହି ଟଙ୍କା ସିଧାସଳଖ ପ୍ରଦାନ କରାଯିବ । ଏହାଛଡ଼ା ଲକ୍‌ଡାଉନ୍‌ ଯୋଗୁ ଯେଉଁମାନଙ୍କ ବ୍ୟବସାୟ ପ୍ରଭାବିତ ହୋଇଛି, ସେମାନେ ମଧ୍ୟ ଏହି ପ୍ୟାକେଜ୍‌ ଦ୍ୱାରା ଉପକୃତ ହେବେ ।

ଉଲ୍ଲେଖଯୋଗ୍ୟ, କରୋନା ଭୂତାଣୁ ବ୍ୟାପୁଥିବାରୁ ପ୍ରତିକାର ପଦକ୍ଷେପ ସ୍ୱରୂପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ପୂରା ଦେଶକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ୨୧ ଦିନ ଯାଏଁ ଏହି ଲକ୍‌ଡାଉନ୍‌ ଜାରି ରହିବ । ମୋଦିଙ୍କ ଏହି ଘୋଷଣା ପରେ ୧୩୦ କୋଟି ଜନତା ନିଜକୁ ଘରେ ବନ୍ଦ କରିଦେଇଛନ୍ତି । ଏଥିଯୋଗୁ କୋଟି କୋଟି ଲୋକଙ୍କ ଜୀବନଜୀବିକା ପ୍ରଭାବିତ ହୋଇଛି । କିନ୍ତୁ କରୋନା ଭୂତାଣୁଠାରୁ ସୁରକ୍ଷିତ ରହିବାକୁ ହେଲେ ଏହା ହିଁ ଏକମାତ୍ର ବିକଳ୍ପ ପାଲଟିଛି ।

କେନ୍ଦ୍ର ସରକାର କରୋନା ଭୂତାଣୁର ମୁକାବିଲା ପାଇଁ ବିଭିନ୍ନ ବିକଳ୍ପ ଉପରେ ବିଚାର କରୁଛନ୍ତି । ମଙ୍ଗଳବାର ସରକାର ସ୍ୱାସ୍ଥ୍ୟ ଭିତ୍ତିଭୂମି ପାଇଁ ୧୫,୦୦୦ କୋଟି ଟଙ୍କାର ସ୍ୱତନ୍ତ୍ର ପାଣ୍ଠି ବ୍ୟବସ୍ଥା କରିଥିଲେ । କରୋନା ଭୂତାଣୁ ବିରୋଧରେ ଲଢ଼ିବା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରାଯିବ ବୋଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ।

ଅର୍ଥ ବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ କେନ୍ଦ୍ର ସରକାର ଆଉ କିଛି ବିକଳ୍ପ ଉପରେ ବି ଚିନ୍ତା କରିଛନ୍ତି । ୨୦୨୦-୨୧ ଆର୍ଥିକବର୍ଷରେ ସରକାର ଋଣ ପରିମାଣ ବଢ଼ାଇବେ ବୋଲି ଯୋଜନା କରିଛନ୍ତି । ଆଲୋଚ୍ୟ ଆର୍ଥିକବର୍ଷରେ ୭.୮ ଲକ୍ଷ କୋଟି ଟଙ୍କାର ଋଣ ପାଇଁ ଯୋଜନା ରହିଥିଲା । ଅନ୍ୟପକ୍ଷରେ ବିଶେଷଜ୍ଞମାନେ ଦର୍ଶାଇଛନ୍ତି ଯେ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ଭାରତ ଉପରେ ୧୨,୦୦୦ କୋଟି ଡଲାର (ପାଖାପାଖି ୯ ଲକ୍ଷ କୋଟି ଟଙ୍କା)ର ପ୍ରଭାବ ପଡ଼ିବ । ମୋଟ ଘରୋଇ ଉତ୍ପାଦ (ଜିଡିପି)ର ଏହା ୪% ହେବ । ତେଣୁ ସରକାର ଖୁବଶୀଘ୍ର ରିଲିଫ ପ୍ୟାକେଜ୍‌ ବ୍ୟବସ୍ଥା କରିବା ଆବଶ୍ୟକ ବୋଲି ସେମାନେ ଦର୍ଶାଇଛନ୍ତି । ଅନ୍ୟପକ୍ଷରେ ଏପ୍ରିଲ ୩ରେ ହେବାକୁ ଥିବା ଭାରତୀୟ ରିଜର୍ଭ ବ୍ୟାଙ୍କର ମୁଦ୍ରାନୀତି ବୈଠକରେ ରେପୋ ହାର ହ୍ରାସ ପାଇବ ବୋଲି ସେମାନେ ଆଶାବ୍ୟକ୍ତ କରିଛନ୍ତି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌