ପୁଣି ସାଲିଆସାହିରୁ ଧଳା ଜହର: ୨.୩ ଲକ୍ଷର ବ୍ରାଉନ୍ସୁଗର ଜବତ, ବେପାରୀ ଗିରଫ

ଭୁବନେଶ୍ୱର,୯ ।୩(ବ୍ୟୁରୋ): ସାଲିଆସାହିରୁ ପୁଣି ଜବତ ହୋଇଛି ବ୍ରାଉନ୍ସୁଗର । ଗତକାଲି ସାଲିଆସାହି ଲୋକେ ଦୁଇ ବ୍ରାଉନ୍ସୁଗର ବେପାରୀଙ୍କୁ ଧରି ନିସ୍ତୁକ ମାଡ଼ ମାରିଥିବା ବେଳେ ଆଜି ସେହିଠାରୁ ପୁଣି ବ୍ରାଉନ୍ସୁଗର ଜବତ ହୋଇଛି । କମିଶନରେଟ୍ ପୁଲିସର କୁଇକ୍ ଆକ୍ସନ୍ ଟିମ୍(କ୍ୟୁଏଟି) ଓ ନୂଆପଲ୍ଲୀ ଥାନା ପୁଲିସ ଏଠାରୁ ୨ ଲକ୍ଷ ୩୦ ହଜାର ଟଙ୍କାର ବ୍ରାଉନ୍ସୁଗର ଜବତ କରିବା ସହ ଜଣେ ବେପାରୀକୁ ଗିରଫ କରିଛନ୍ତି । ଗିରଫ ବେପାରୀଙ୍କ ନାମ ରିଙ୍କୁ ନାୟକ(୨୩) । ଘର ସାଲିଆସାହି । ବ୍ରାଉନ୍ସୁଗର ସହ ରିଙ୍କୁଙ୍କ ଠାରୁ ୧୪୬୦ ଟଙ୍କା, ମୋବାଇଲ୍ ଫୋନ୍ ଓ ଏକ ବାଇକ୍ ଜବତ ହୋଇଛି ।
ପୁଲିସ ସୂଚନା ଅନୁଯାୟୀ, ରିଙ୍କୁ ଦୀର୍ଘଦିନ ଧରି ସାଲିଆସାହିରେ ବ୍ରାଉନ୍ସୁଗର କାରବାର କରି ଆସୁଥିଲେ । ଆଜି ମଧ୍ୟାହ୍ନରେ ସେ ସାଲିଆସାହିସ୍ଥିତ ଇନ୍ଦିରା ଗାନ୍ଧି ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମାସ୍ୟୁଟିକାଲ କଲେଜ ନିକଟରେ ଗ୍ରାହକଙ୍କୁ ବିକିବାକୁ ଅପେକ୍ଷା କରିଥିଲେ । ବିଶ୍ୱସ୍ତ ସୂତ୍ରରୁ ଖବରପାଇ କ୍ୟୁଏଟି ଓ ନୂଆପଲ୍ଲୀ ଥାନା ପୁଲିସ ସେଠାରେ ଚଢ଼ଉ କରିଥିଲେ । ରିଙ୍କୁଙ୍କ ପକେଟ୍ ଯାଞ୍ଚ କରିବା ସମୟରେ ସେଥିରୁ ୨୩ ଗ୍ରାମ ବ୍ରାଉନ୍ସୁଗର ମିଳିଥିଲା । ଯାହାର ମୂଲ୍ୟ ୨ ଲକ୍ଷ ୩୦ ହଜାର ଟଙ୍କା ହେବ । ଏଥିସହ ତାଙ୍କ ଠାରୁ ୧୪୬୦ ଟଙ୍କା, ମୋବାଇଲ୍ ଫୋନ୍ ସହ ସେ ବ୍ୟବହାର କରୁଥିବା ବାଇକ୍କୁ ପୁଲିସ ଜବତ କରି ତାଙ୍କୁ ଥାନାକୁ ଆଣିଥିଲା ।
ରିଙ୍କୁଙ୍କୁ ଜେରା ବେଳେ ସେ ଖୋର୍ଦ୍ଧା ଓ ଜଳେଶ୍ୱରରୁ ବ୍ରାଉନ୍ସୁଗର ଆଣି ସାଲିଆସାହି ସମେତ ବିଭିନ୍ନ ବସ୍ତିରେ ବିକ୍ରି କରୁଥିବା ମାନିଥିଲେ । ସେ ବ୍ରାଉନ୍ସୁଗର ହୋମ୍ ଡେଲିଭରି ମଧ୍ୟ କରୁଥିବା ପୁଲିସକୁ ସୂଚନା ଦେଇଥିଲେ । ତେଣୁ ରିଙ୍କୁଙ୍କୁ ଗିରଫ କରା ଯାଇଛି । ଆସନ୍ତାକାଲି ତାଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ପୁଲିସ କହିଛି ।