ଶିକ୍ଷା ବିଭାଗ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଯୁକ୍ତ ୩ରୁ ଅଲଗା ହେବ ଯୁକ୍ତ ୨

ଭୁବନେଶ୍ୱର,୨୨ା୮(ବ୍ୟୁରୋ): ଯୁକ୍ତ ୩ରୁ ସମ୍ପୂର୍ଣ୍ଣ ଅଲଗା ହେବ ଯୁକ୍ତ ୨ । ଏଥିପାଇଁ ଅଣ୍ଟା ଭିଡ଼ିଛନ୍ତି ସରକାର । ରାଜ୍ୟରେ ପିଲାମାନଙ୍କୁ ଗୁଣାତ୍ମକ ଶିକ୍ଷା ଦେବାକୁ ଏ ନିଷ୍ପତ୍ତିକୁ ଆଗକୁ ନେବାକୁ ଉଚ୍ଚଶିକ୍ଷା ଓ ଗଣଶିକ୍ଷା ବିଭାଗର ଆଜି ମିଳିତ ବୈଠକ ବସିଥିଲା । ଦୁଇ ବିଭାଗର ମନ୍ତ୍ରୀ ଓ ସଚିବ ବସି କିଭଳି ସୂଚାରୁ ରୂପେ ପୃଥକୀକରଣ କରାଯିବ ସେ ନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ।

ଗୋଟିଏ କ୍ୟାମ୍ପସରେ ଥିବା ଯୁକ୍ତ ୩ ଓ ଯୁକ୍ତ ୨ ଏଣିକି ଅଲଗା ହେବ । ଯୁକ୍ତ ୩ ସମ୍ପୂର୍ଣ୍ଣ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିବ ଏବଂ ଯୁକ୍ତ ୨ ଯିବ ଗଣଶିକ୍ଷା ଅଧୀନକୁ । ସରକାରଙ୍କର ଏ ନିଷ୍ପତ୍ତି ଛାତ୍ରଛାତ୍ରୀଙ୍କ ସ୍ୱାର୍ଥ ପାଇଁ ଉଦ୍ଦିଷ୍ଟ ଥଲା ବେଳେ ଦୀର୍ଘମିଆଦି ଭିତ୍ତିରେ ଏହାକୁ କିଭଳି କାର୍ଯ୍ୟକାରୀ କରାଯିବ ସେ ନେଇ ଆଜି ଦୁଇ ବିଭାଗର ମନ୍ତ୍ରୀ ଓ ସଚିବ ଏକାଠି ହୋଇଥିଲେ । ଏ ସଂପର୍କରେ ବିଶଦ ଆଲୋଚନା ପରେ ନିଷ୍ପତ୍ତି ହୋଇଛି ଯେ, ଯେଉଁଠି କମ୍ପୋଜିଟ୍‌ ମହାବିଦ୍ୟାଳୟଗୁଡ଼ିକରେ ଉଭୟ ଯୁକ୍ତ ଦୁଇ ଓ ତିନି ଅଛି ସେଠାରେ ପର୍ଯ୍ୟାକ୍ରମେ ଯୁକ୍ତ ଦୁଇକୁ ପୃଥକ କରାଯିବ । ପାଠପଢ଼ା ସୁବିଧା ପାଇଁ ଯୁକ୍ତ ଦୁଇ ଏବଂ ଯୁକ୍ତ ତିନି ଶ୍ରେଣୀଗୃହକୁ ପୃଥକ କରାଯିବ । ପର୍ଯ୍ୟାକ୍ରମେ ଭିତ୍ତିଭୂମିକୁ ଅଲଗା କରାଯିବ । ଯୁକ୍ତ ଦୁଇରେ ନୂଆ ନିଯୁକ୍ତି ପର୍ଯ୍ୟନ୍ତ ଶିକ୍ଷକ ଆବଶ୍ୟକତାକୁ ଦୃଷ୍ଟି ଦିଆଯାଇ ଯୁକ୍ତ ୩ ମହାବିଦ୍ୟାଳୟର ଅଧ୍ୟକ୍ଷ ଅଧ୍ୟାପକଙ୍କୁ ନିୟୋଜିତ କରିବା ଉପରେ ବୈଠକରେ ଆଲୋଚନା ହୋଇଥିଲା । ଏଥିସହ ବୈଠକରେ ମହାବିଦ୍ୟାଳୟର ଜମି ସମସ୍ୟା, ଭିତ୍ତିଭୂମିର ଠିକ୍‌ ପରିଚାଳନା, କର୍ମଚାରୀ ବଣ୍ଟନ ଆଦି ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା । ଆସନ୍ତା ୪ ବର୍ଷ ମଧ୍ୟରେ ଯୁକ୍ତ ୨ ପାଇଁ ଶିକ୍ଷକ ଓ ଅଣଶିକ୍ଷକ କର୍ମଚାରୀ ଚୟନ କାର୍ଯ୍ୟ ସାରିବା ଉପରେ ଜୋର ଦିଆଯାଇଛି । ପୃଥକୀକରଣ ପାଇଁ ଆବଶ୍ୟକ ପାଣ୍ଠି ନେଇ ମଧ୍ୟ ବୈଠକରେ ଚର୍ଚ୍ଚା ହୋଇଛି ।

ଏ ଦିଗରେ ତୁରନ୍ତ କାମ ଆରମ୍ଭ କରିବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଏବଂ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ ବିଭାଗୀୟ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ପ୍ରଦୀପ୍ତ କୁମାର ମହାପାତ୍ର, ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ୱତ ମିଶ୍ର, ନିର୍ଦ୍ଦେଶକ ଅଶ୍ୱିନୀ ମିଶ୍ର, ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ, ବିଶ୍ୱବ୍ୟାଙ୍କ ପ୍ରକଳ୍ପ, ଓଡ଼ିଶା ହାୟର ଏଜୁକେସନ୍‌ ପ୍ରୋଗ୍ରାମ ଫର୍‌ ଏକ୍ସିଲେନ୍ସ ଆଣ୍ଡ ଇକ୍ୟୁଇପଡ୍‌ ପରମେଶ୍ୱରନ୍‌ ବି.ଙ୍କ ସମେତ ବିଭାଗୀୟ ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ ।

   ସମ୍ବନ୍ଧିତ ଖବର


​ଅଡ଼ୁଆରେ ସରକାରୀ ଅଫିସ୍‌ କର୍ମଚାରୀ – କାଲି ରାଜ୍ୟ ସରକାର କହିଲେ ଏମିତି, ଆଜି ଉଚ୍ଚ ଶିକ୍ଷା ବିଭାଗ କହୁଛନ୍ତି ଏମିତି–କାହାକୁ ମାନିବେ ?

ପାରିତ ହେଲା ସଂକ୍ରାମକ ରୋଗ ବିଲ୍‌, କରୋନା ନିୟମ ଉଲ୍ଲଂଘନ କଲେ ଲକ୍ଷେ ଜରିମାନା, ଦୁଇ ବର୍ଷ ଜେଲ୍‌

ମାସ୍କ ବ୍ୟବହାର କଲେ ସଂକ୍ରମଣ ସମ୍ଭାବନା କମ୍‌: ଡା. ମନୋଜ ସାହୁ

ବାଉଁଶ ଚାଷର ବିକାଶ ପାଇଁ କେନ୍ଦ୍ରୀୟ ସହାୟତାରେ ତିନି ବର୍ଷରେ ଓଡ଼ିଶାକୁ ମିଳିଛି ୬.୭୭ କୋଟି: ଧର୍ମେନ୍ଦ୍ର

ସରିଲା ଯୁକ୍ତ ଦୁଇ ପ୍ରଥମ ପର୍ଯ୍ୟାୟ ନାମଲେଖା, ଖାଲି ପଡ଼ିବ ୪୦ ହଜାରରୁ ଅଧିକ ସିଟ୍‌…

ନନ୍ଦନକାନନରେ ଦିନକୁ ୨,୫୫୦ ପର୍ଯ୍ୟଟକଙ୍କୁ ଟିକେଟ୍‌, ବୟସ୍କ ଓ ଶିଶୁ ନଯିବାକୁ ପରାମର୍ଶ…