ନୟାଗଡ ଓ ଭଦ୍ରକରେ ୨ ନାବାଳିକାଙ୍କୁ ଲୋମହର୍ଷଣକାରୀ ଦୁଷ୍କର୍ମ, ୨ ଗିରଫ

ନୟାଗଡ/ଭଦ୍ରକ ୧୮/୪: ରାଜ୍ଯରେ ଦୁଷ୍କର୍ମ ମାମଲା ବଢିବାରେ ଲାଗିଛି । ଗୁରୁବାର ପୁଣି ୨ ନାବାଳିକା ଦୁଷ୍କର୍ମର ଶିକାର ହୋଇଛନ୍ତି । ଭଦ୍ରକରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ସେହିଭଳି ନୟାଗଡରେ ମଧ୍ଯ ଜଣେ ନାବାଳିକାଙ୍କୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ କରାଯାଇଛି ।

ଭଦ୍ରକରେ ଜଣେ ୧୨ ବର୍ଷର ନାବାଳିକାକୁ ଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଛି । ଏଭଳି ନିନ୍ଦନୀୟ ଘଟଣା ଘଟିଛି ବାଣିତିଆ ଗାଁରେ । ନାବାଳିକାଜଣକ ବୁଧବାର ସନ୍ଧ୍ୟାରେ ପାଖ ଗାଁକୁ ଯାତ୍ରା ଦେଖିବାକୁ ଯାଇଥିଲା । ଫେରିବା ସମୟରେ ତାକୁ ଦୁଷ୍କର୍ମ କରି ତା ମୁହଁ ଆଉ ବେକକୁ ଛେଚି ଦେଇଥିଲା ଅଭିଯୁକ୍ତ । ଏହାପରେ ସେ ମରିଯାଇଥିବା ଭାବି ପଳାଇଥିଲା ସେହି ନର ରୂପୀ ରାକ୍ଷସ ।

ତେବେ ଆଜି ସକାଳେ ନାବାଳିକାକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ ଗାଁ ଲୋକେ । ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏକ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ମଧ୍ଯ ପହଞ୍ଚି ପରୀକ୍ଷା କରୁଛି । ତେବେ ଝିଅଟିର ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ଏସସିବି ମେଡିକାଲ ସ୍ଥାନାନ୍ତର କରାଯାଇଛି । ଘଟଣାରେ ଜଣେ ୬୫ ବର୍ଷର ବୃଦ୍ଧକୁ ଥାନାରେ ଅଟକ ରଖି ପଚରାଉଚରା କରୁଛି ପୋଲିସ ।

ସେହିଭଳି ନୟାଗଡ ଜିଲ୍ଲାର ଫତେଗଡ ଥାନା ମଙ୍ଗଳପୁର ଗାଁରେ ଜଣେ ନାବାଳିକାକୁ ଲିଫ୍ଟ ଦେବା ବାହାନାରେ ଦୁଷ୍କର୍ମ ହୋଇଛି । ଅଭିଯୁକ୍ତକୁ ଗ୍ରାମବାସୀମାନେ ନିସ୍ତୁକ ମାଡ ମାରିଛନ୍ତି । ମଙ୍ଗଳପୁର ଗାଁର ଜଣେ ନାବାଳିକାକୁ ବାହାଡା ଛକରେ ଛାଡିଦେବାକୁ କହି ସେହି ଗାଁର ଜିତୁ ମହାରଣା ନାମକ ଜଣେ ଯୁବକ ବାଇକରେ ବସାଇ ଆଣିଥିଲା । ସେହି ସମୟରେ ସ୍କୁଲରୁ ଫେରୁଥିଲା ନାବାଳିକା । ତେବେ ଘରକୁ ନେବା ବାଟରେ ଖଣ୍ଡପଡା ସାନଶଙ୍ଖ ନିକଟରେ ଥିବା ଏକ ପାଣିଟାଙ୍କି ନିକଟକୁ ନେଇ ଦୁଷ୍କର୍ମ କରିଥିଲା । ନାବାଳିକା ଜଣକ ଘରକୁ ଆସି ସମସ୍ତ କଥା କହିଥିଲେ । ଏହା ପରେ ପରିବାର ଲୋକେ ଏବଂ ଗ୍ରାମବାସୀମାନେ ଜିତୁକୁ ବାଇଗୁଣିଆ ଗାଁରୁ ଧରି ଆଣି ନିସ୍ତୁକ ପିଟିଥିଲେ ।

ଗ୍ରାମବାସୀଙ୍କ ମାଡରେ ଅଚେତ ହୋଇପଡିଥିଲା ଜିତୁ । ପୋଲିସ ଜିତୁକୁ ନେବାକୁ ଆସିବା ସମୟରେ ଗ୍ରାମବାସୀମାନେ ପୋଲିସକୁ ମଧ୍ଯ ଆକ୍ରମଣ କରିଥିଲେ । ବହୁ ବୁଝାସୁଝା ପରେ ପୋଲିସ ଜିତୁକୁ ଉଦ୍ଧାର କରି ଥାନାକୁ ନେଇଛି । ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳରେ ଉତ୍ତେଜନା ଲାଗି ରହିଛି ।