ଦୁଇ ସ୍କୁଲ୍‌ ଛାତ୍ରୀଙ୍କୁ ଅପହରଣ କରିନେଇ ଦୁଷ୍କର୍ମ: ଅଭିଯୁକ୍ତ ଗିରଫ

ପଟ୍ଟାମୁଣ୍ଡାଇ ୧୬/୧୦: ପାଠ ପଢ଼ିବାକୁ ସ୍କୁଲ୍‌କୁ ଯାଉଥିବା ଦୁଇ କୋମଳମତି ଛାତ୍ରୀଙ୍କୁ ଜଣେ ଯୁବକ ଟଙ୍କା ଓ ଚକୋଲେଟ୍‌ର ପ୍ରଲୋଭନ ଦେଖାଇ ଅପହରଣ କରିନେଇ ଦୁଷ୍କର୍ମ କରିଛି । ଏପରିକି ଅଭିଯୁକ୍ତ ଜଣକ ଛାତ୍ରୀ ଦ୍ୱୟଙ୍କୁ ମୁଣ୍ଡ ଜାମିନ୍‌ ରଖି ଟଙ୍କା ଦାବି କରୁଥିବା ମଧ୍ୟ ଅଭିଯୋଗ ହୋଇଛି । ତେବେ ଦୁଇ ଛାତ୍ରୀଙ୍କୁ ଯୁବକ ଜଣକ ଅପହରଣ କରି ନେବା ବେଳେ ଜଣେ ଛାତ୍ରୀଙ୍କ ମା’ ଦେଖିନେଇଥିଲେ ଓ ସ୍ୱାମୀଙ୍କୁ କହିଥିଲେ । ଫଳରେ ସଂପୃକ୍ତ ଛାତ୍ରୀଙ୍କ ବାପା ତତ୍କାଳ ଯୁବକକୁ ପିଛା କରି ଚଉଦକୁଲାଟ-ଇନ୍ଦୁପୁର ରାସ୍ତାର କ୍ଷେତ୍ରପାଳ ପାଖରୁ ତାକୁ ଠାବ କରିବା ସହ ଛାତ୍ରୀ ଦ୍ୱୟଙ୍କୁ ଉଦ୍ଧାର କରିଥିଲେ ।

ପରେ ସ୍ଥାନୀୟ ଗ୍ରାମବାସୀଙ୍କ ସହାୟତାରେ ଅଭିଯୁକ୍ତ ଯୁବକକୁ ଧରିଥିଲେ । ଉତ୍ତ୍ୟକ୍ତ ଗ୍ରାମବାସୀମାନେ ଏ ଖବର ଜାଣିବା ପରେ ଅଭିଯୁକ୍ତ ଯୁବକକୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ନିସ୍ତୁକ ପିଟିଥିଲେ ଓ ପରେ ପୁଲିସ ଜିମା ଦେଇଥିଲେ । ଅଭିଯୁକ୍ତ ହେଉଛି ପଟ୍ଟାମୁଣ୍ଡାଇ ଥାନା ପଳସିଂହା ଗ୍ରାମର ରଶ୍ମିରଞ୍ଜନ କର (୨୨) । ପୁଲିସ ତାକୁ ନିଜ ହେପାଜତକୁ ନେଇ ପଚରାଉଚରା କରିବା ପରେ କୋର୍ଟଚାଲାଣ କରିଛି । ତାର ଜାମିନ ନାମଞ୍ଜୁର ହୋଇଯିବାରୁ ତାକୁ ବାରିମୂଳ ସବ୍‌ଜେଲ୍‌କୁ ପଠାଇ ଦିଆଯାଇଛି ।

ପୁଲିସ ଦେଇଥିବା ସୂଚନା ଅନୁସାରେ, ପଟ୍ଟାମୁଣ୍ଡାଇ ଥାନା ବେଲତଳ-ବଙ୍ଗାଳିପଡ଼ା ଅଞ୍ଚଳରେ ରହିଆସୁଛନ୍ତି ଉକ୍ତ ଦୁଇ ନାବାଳିକା ସ୍କୁଲ ଛାତ୍ରୀ । ଦୁଇ ଜଣଙ୍କ ମଧ୍ୟରୁ ଜଣେ ସ୍ଥାନୀୟ ଏକ ବିଦ୍ୟାଳୟରେ ଚତୁର୍ଥ ଏବଂ ଅନ୍ୟ ଜଣେ ପଞ୍ଚମ ଶ୍ରେଣୀରେ ପାଠ ପଢ଼ୁଛନ୍ତି । ବିଦ୍ୟାଳୟଟି ଘରଠାରୁ କିଛିବାଟ ଦୂରରେ ଥିବାରୁ ସେମାନେ ଦୁହେଁ ଚାଲିଚାଲି ପ୍ରତ୍ୟହ ବିଦ୍ୟାଳୟକୁ ଯାଆନ୍ତି । ଆଜି ବି ଦୁହେଁ ଚାଲିଚାଲି ବିଦ୍ୟାଳୟକୁ ଯାଉଥିଲେ । ବିଦ୍ୟାଳୟ ଅଳ୍ପ ଦୂର ଥିବାବେଳେ ରଶ୍ମିରଞ୍ଜନ ଏକ ହିରୋ ମାଷ୍ଟ୍ରୋ (ଓଡି-୦୨ ୱାଇ ୩୯୩୧) ସ୍କୁଟର ଯୋଗେ ଉକ୍ତ ରାସ୍ତା ଦେଇ କୌଣସି କାମରେ ଯାଉଥିଲା । ଛାତ୍ରୀ ୨ ଜଣ ଚାଲି କରି ଯାଉଥିବା ଦେଖି ଚାଲିକରି କାହିଁକି ଯିବ, ଆସ ତୁମକୁ ସ୍କୁଟରରେ ଛାଡ଼ିଦେବି ବୋଲି କହିଥିଲା । ମାତ୍ର ଏଥିରେ ଛାତ୍ରୀ ଦ୍ୱୟ ରାଜି ହୋଇ ନଥିଲେ ।

ଏଣୁ ସ୍କୁଟରରେ ବସାଇ ନେବାକୁ ସେ ଦୁଇ ଛାତ୍ରୀଙ୍କୁ କିଛି ପଇସା ଓ ଚକୋଲେଟ ଦେଇ ପ୍ରଲୋଭିତ କରିଥିଲା । ଛାତ୍ରୀ ଦ୍ୱୟ ସ୍କୁଟରରେ ବସିବା ପରେ ସେମାନଙ୍କୁ ବିଦ୍ୟାଳୟକୁ ନେବା ବଦଳରେ କ୍ଷୀପ୍ର ବେଗରେ ଅନ୍ୟଆଡେ ନେଇ ଯାଇଥିଲା। କିଛି ଦୂରରେ କାମ କରୁଥିବା ଜଣେ ଛାତ୍ରୀଙ୍କ ମା’ ଏହା ଦେଖି ସ୍ୱାମୀଙ୍କୁ କହିବାରୁ ସେ ସଂପୃକ୍ତ ଯୁବକର ପିଛା କରିଥିଲେ । ଏଣେ ରଶ୍ମି ଗୋଗୁଆ-ଆମ୍ୱପଡ଼ା ରାସ୍ତାର ଏକ ନିଛାଟିଆ ରାସ୍ତାରେ ଗାଡ଼ି ଅଟକାଇ ଦୁଇ ଜଣଙ୍କୁ ଡରାଇ ଧମକାଇ ବଳାତ୍କାର କରିଥିଲା । ଏପରିକି ଜଣେ ଛାତ୍ରୀକୁ ବଳାତ୍କାର କରିବା ସମୟରେ ଫଟୋ ଓ ଭିଡିଓ ଉତ୍ତୋଳନ କରିବାକୁ ଅନ୍ୟ ଜଣେ ଛାତ୍ରୀକୁ ବାଧ୍ୟ କରିଥିଲା । ଅନ୍ୟଜଣେ ଛାତ୍ରୀ ମଧ୍ୟ ଭୟରେ ଭିଡିଓ ଉତ୍ତୋଳନ କରିଥିବା ଅଭିଯୋଗ ହୋଇଛି ।

ଏଣେ ଯୁବକକୁ ପିଛା କରୁଥିବା ଛାତ୍ରୀଙ୍କ ବାପା ରଶ୍ମିକୁ ଚଉଦକୁଲାଟ-ଇନ୍ଦୁପୁର ରାସ୍ତାର କ୍ଷେତ୍ରପାଳ ପାଖରେ ସ୍ଥାନୀୟ ଲୋକଙ୍କ ସହଯୋଗରେ କାବୁ କରିନେଇଥିଲେ । ଗାଁ ଲୋକେ ସବୁ କଥା ଜାଣି ଅଭିଯୁକ୍ତ ବଳାତ୍କାରୀକୁ ଏକ ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ଦେଇ ନିସ୍ତୁକ ପିଟିଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅଭିଯୁକ୍ତକୁ ଗିରଫ କରିଥିଲା । ପୀଡ଼ିତାଙ୍କ ମା’ ଘଟଣା ସଂକ୍ରାନ୍ତରେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଉକ୍ତ ଯୁବକ ଜଣକ ଯୌନ ବିକାରଗ୍ରସ୍ତ ଏବଂ ତାର ଏପରି ଆଚରଣ ଯୋଗୁଁ ସେ ବିଭିନ୍ନ ସମୟରେ ବିବାଦରେ ରହିଆସିଥିବା ଅଞ୍ଚଳରେ ଚର୍ଚ୍ଚା ହେଉଛି । ତାର ହୋଟେଲ୍‍ ବ୍ୟବସାୟ ରହିଥିବା ଜଣାପଡ଼ିଛି । ଏତଲା ଆଧାରରେ ଥାନାରେ ଏକ ମାମଲା ରୁଜୁ ହେବା ସହ ଅଭିଯୁକ୍ତ ଯୁବକକୁ କୋର୍ଟଚାଲାଣ କରାଯାଇଥିବା ପଟ୍ଟାମୁଣ୍ଡାଇ ଆଇଆଇସି ରାକେଶ ତ୍ରିପାଠୀ କହିଛନ୍ତି ।

   ସମ୍ବନ୍ଧିତ ଖବର


ଦୁଇ ଇନ୍ସପେକ୍ଟରଙ୍କ ନାମରେ ଲୁକ୍‌ଆଉଟ୍‌ ସର୍କୁଲାର

ନକଲି ସାମ୍ବାଦିକଙ୍କ ଅଶ୍ଲୀଳ କାରନାମା: ବନ୍ଦ ଘରେ ମାଆ, ଝିଅଙ୍କୁ ନିର୍ଯାତନା,ଫଟୋ ଉଠାଇ କରୁଥିଲେ ବ୍ଲାକ୍‌ମେଲ୍‌

ନାବାଳିକା ଦୁଷ୍କର୍ମ ପରେ ଭିଡିଓ ଭାଇରାଲ୍‌: ଦୁଇ ନାବାଳକ ସମେତ ୩ ଗିରଫ

ବାଇକ୍ ଉପରେ ମାଡ଼ିଗଲା ଟ୍ରକ୍ : ବାଇକ୍ ଆରୋହୀ ମୄତ, ଟ୍ରକ୍ ଚାଳକ ଫେରାର୍