ପରିବା ବଜାରରୁ ୨ ମୋବାଇଲ୍ ଲୁଟେରା କାବୁ, ୩ଟି ମୋବାଇଲ୍ ଏବଂ ଗୋଟିଏ ମୋଟରସାଇକେଲ୍ ଜବତ

ଭୁବନ, ୨୪/୦୧ : ପରିବା ବଜାରରୁ ୨ ମୋବାଇଲ୍ ଲୁଟେରାଙ୍କୁ କାବୁ କଲେ ସ୍ଥାନୀୟ ଲୋକେ। ଢେଙ୍କାନାଳ ଜିଲ୍ଲା ଭୁବନ ଥାନା ଅନ୍ତର୍ଗତ ଭୁବନ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଥିବା ପରିବା ବଜାରରେ ଆଜି ଏଭଳି ଘଟଣା ଘଟିଛି। ୨ ମୋବାଇଲ୍ ଲୁଟେରାଙ୍କ ଠାରୁ ୩ଟି ମୋବାଇଲ୍ ଫୋନ୍ ଓ ଗୋଟିଏ ମୋଟର ସାଇକେଲ୍ ଜବତ କଲେ ସ୍ଥାନୀୟ ଲୋକେ।
ସୂଚନାନୁଯାୟୀ, ଆଜି ସକାଳୁ ଭୁବନ ପରିବା ବଜାରରେ ଲୋକମାନେ ପରିବା କିଣୁଥିବା ସମୟରେ ପ୍ରଥମେ ଜଣେ ଶିକ୍ଷକ ମନୋଜ ସାହୁଙ୍କ ଓପୋ ଏଫ୍୯ ପ୍ରୋ ମୋବାଇଲ ଚୋରି ହୋଇଥିଲା । କିଛି ସମୟ ପରେ ବ୍ରହ୍ମାନନ୍ଦ ସାହୁଙ୍କ ମୋଟରୋଲା ମୋବାଇଲଟି ଚୋରି ହୋଇଥିଲା । ମୋବାଇଲ ଚୋରି ଘଟଣା ପରିବା ବଜାରରେ ପ୍ରଘଟ ହେବାରୁ ବଜାର କମିଟର ସମସ୍ତ ସଦସ୍ୟ ପରିବା ବଜାରର ସମସ୍ତ ବାଟ ଛେକି ଦେଇଥିଲେ । ଫଳରେ ଦୁଇ ଜଣ ଅଚିହ୍ନା ଯୁବକ ଲୋକମାନଙ୍କ ଦୃଷ୍ଟିକୁ ଆସିଥିଲେ । ସେମାନଙ୍କୁ ବଜାର କମିଟ ସଦସ୍ୟ ଅଟକ ରଖି ତଲାସି କରିଥିଲେ । ଏହାପରେ ଦୁଇ ଜଣଙ୍କ ନିକଟରୁ ୩ଟି ଦାମୀ ମୋବାଇଲ ମିଳିବା ସହିତ ଗୋଟିଏ ମୋଟର ସାଇକେଲ ଜବତ କରାଯାଇଥିଲା ।
ଖବର ପାଇ ଘଟଣାସ୍ଥଳରେ ଭୁବନ ପୋଲିସ ପହଞ୍ଚି ଦୁଇ ଚୋରଙ୍କୁ ଧରିବା ସହିତ ତିନୋଟି ମୋବାଇଲ ଓ ଗୋଟିଏ ମୋଟରସାଇକେଲ ଜବତ କରି ତଦନ୍ତ ଚଳାଇଛି । ଦୁଇ ମୋବାଇଲ ଚୋର ବିହାରରୁ ହୋଇଥିବା ଜଣାପଡିବା ସହିତ ଜଣଙ୍କର ନାମ ମାଇକେଲ ସନ୍ତୋଷ ଓ ଅନ୍ୟ ଜଣଙ୍କ ନାମ ଅକ୍ଷୟ ବୋଲି ଜଣା ପଡିଛି । ଏହି ଦୁଇ ମୋବାଇଲ ଚୋର ଯାଜପୁର ଜିଲ୍ଲା କଳିଙ୍ଗନଗରରେ ରହି ଅନେକ ଦିନ ହେଲା ବିଭିନ୍ନ ସ୍ଥାନରୁ ଚୋରି କରୁଥିବା ଜଣାପଡିଛି।