ରେଭେନ୍ସା ଛାତ୍ରୀ ମୃତ୍ୟୁ ଘଟଣାରେ ପୁଲିସ କାର୍ଯ୍ୟାନୁଷ୍ଠାନ: ଦୁଇ ଟ୍ରାଫିକ୍‌ କର୍ମଚାରୀଙ୍କୁ ନିଲମ୍ବନ

କଟକ ୭/୯ : ରାସ୍ତାରେ ଟ୍ରାଫିକ୍‌ ବ୍ୟବସ୍ଥା ବିପର୍ଯ୍ୟସ୍ତ ଥିଲା । ମାଳମାଳ ଟ୍ରାଫିକ୍‌ କର୍ମଚାରୀଙ୍କ ସତ୍ତେ୍ୱ ରାସ୍ତା ଉପରେ ଗାଡ଼ି ଗଦା ହୋଇ ରହିଲା । କଟକଣା ପରେ ଦିନ ଦିପ୍ରହରେ ଭାରୀଯାନ ସହର ଭିତରେ ଦୌଡ଼ିଲା । ଫଳସ୍ୱରୂପ ଜଣେ ଛାତ୍ରୀଙ୍କ ଜୀବନ ଅକାଳରେ ଚାଲିଗଲା । ଏଭଳି ଘଟଣାକୁ ନେଇ ସାରା ସହରରେ ତୀବ୍ର ପ୍ରତିକ୍ରିୟା । ଏଭଳି ସ୍ଥିତିରେ ଲୋକଙ୍କ ରୋଶରୁ ବର୍ତ୍ତିବା ପାଇଁ ଲୋକଦେଖାଣିଆ ଭାବେ ଦୁଇ ଜଣ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରି ଦେଇ ପୁଲିସ ହାତ ଝାଡ଼ିଦେଇଛି ।

ତେବେ ପୁଲିସର ଏଭଳି କାର୍ଯ୍ୟାନୁଷ୍ଠାନ ନେଇ ଲୋକେ ଅସନ୍ତୁଷ୍ଟ । କେବଳ ଦୁଇ ଜଣ କର୍ମଚାରୀଙ୍କୁ ଦଣ୍ଡ ଦେଇ ବଡ଼ବଡ଼ିଆମାନେ ଖସିଯାଉଛନ୍ତି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି । ରେଭେନ୍ସା ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ତୃତୀୟ ବର୍ଷର ଛାତ୍ରୀ ଜଗତପୁର ଅଞ୍ଚଳର ଅନ୍ନପୂର୍ଣ୍ଣା ଚୌଧୁରୀ ଗତକାଲି ଏକ ସ୍କୁଟି ନେଇ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ପ୍ରବେଶ କରିବା ପୂର୍ବରୁ ଦୁର୍ଘଟଣାର ଶିକାର ହେଲେ । କଲେଜ ଛକରେ ଦ୍ରୁତଗତିରେ ଆସୁଥିବା ଏକ ମାଲବାହୀ ଟ୍ରକ୍‌ ଅନ୍ନପୂର୍ଣ୍ଣାଙ୍କୁ ଧକ୍କା ଦେଇଥିଲା ।

ଅନ୍ନପୂର୍ଣ୍ଣାଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଗଲା । ଏହି ଦୁର୍ଘଟଣା ପାଇଁ ଟ୍ରାଫିକ୍‌ ପୁଲିସ ହିଁ ଦାୟୀ ବୋଲି ସ୍ପଷ୍ଟ ହୋଇଥିଲା । ଗୋଟିଏ ପଟେ ସେଠାରେ ରାସ୍ତା ଉପରୁ ଗାଡ଼ି ଗୁଡ଼ିକ ଉଠାଯାଇ ନଥିଲା ବୋଲି ସାଂଘାତିକ ଜାମ୍‌ ପରିସ୍ଥିତି ସୃଷ୍ଟି ହୋଇଥିଲା । ଅନ୍ୟପଟେ ଦିନ ସମୟରେ ସହରରେ ଭାରୀଯାନ ପ୍ରବେଶ ଉପରେ କଟକଣା ଥିବା ବେଳେ ସେହି ରାସ୍ତାରେ ଏକ ଟ୍ରକ୍‌ ଦ୍ରୁତ ଗତିରେ ଗଲା । ଦୋଷ ଝାଡ଼ିବା ପାଇଁ କାର୍ଯ୍ୟାନୁଷ୍ଠାନ ନାଁରେ ହାବିଲଦାର ସୂର୍ଯ୍ୟନାରାୟଣ ସାହୁ ଏବଂ ଓଏପିଏଫ୍‌ କନ୍‌ଷ୍ଟେବଳ ଜଗବନ୍ଧୁ ୱାଡ୍‌କାଙ୍କୁ ନିଲମ୍ବିତ କରାଯାଇଛି ।

ସେହିପରି ହୋମ୍‌ଗାର୍ଡ ପ୍ରଫୁଲ୍ଲ ରାଉତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍‌ ଜାରି କରାଯାଇଛି । ଏହା କେବଳ ଆଇନଙ୍କୁ ଆଖିଠାର ବୋଲି ମନେ ହେଉଛି । ସଂପୂର୍ଣ୍ଣ ଟ୍ରାଫିକ୍‌ ବ୍ୟବସ୍ଥା ଏଥିପାଇଁ ଦାୟୀ । ଟ୍ରାଫିକ୍‌ ପୁଲିସ ପ୍ରତିଦିନ ଫାଇନ୍‌ କାଟିାବାରେ ବ୍ୟସ୍ତ ରହୁଛି, ଜବରଦଖଲ ଉଚ୍ଛେଦ କରିବାରେ ମାତିଛି ହେଲେ ଟ୍ରାଫିକ୍‌ ସୁଧାରିବା ଦିଗରେ କାମ କରୁନି ।

ତେଣୁ ଟ୍ରାଫିକ୍‌ ବିଭାଗର ବରିଷ୍ଠ ପୁଲିସ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବାକୁ ସାଧାରଣରେ ଦାବି ହୋଇଛି । ଏହା ସହିତ ଦୋଷୀ ଟ୍ରାଫିକ୍‌ ପୁଲିସ କର୍ମଚାରୀଙ୍କ ନାଁରେ ଫୌଜଦାରୀ ମାମଲା ରୁଜୁ ହେବା ଦରକାର ବୋଲି ମଧ୍ୟ ଦାବି କରାଯାଇଛି ।

   ସମ୍ବନ୍ଧିତ ଖବର


ଅନ୍ଧବିଶ୍ୱାସର କରୁଣ ଦୃଶ୍ୟ … ନିଜ ୨୪ ବର୍ଷିୟ ପୁଅକୁ ବଳି ଦେଇଦେଲେ ମହିଳା !

୫ ଟଙ୍କାକୁ ନେଇ ବିବାଦ, ସେଲ୍ସମ୍ୟାନଙ୍କୁ ଗୁଳି

ଇଜ୍ଜତ ନେବି ବଦନାମ୍ କରିବି ‘ଶହେ କିଲୋମିଟର ଦୂରରୁ ଏମିତି ଧମକ ଦେଉଛି ଦୁର୍ବୃତ୍ତ’ ଅଥଚ- ଆତଙ୍କିତ ବିଧବା ମହିଳାଙ୍କୁ ମିଳୁନି ପୋଲିସ୍ ସୁରକ୍ଷା

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଏସଏମ୍‌ସି ସଭାପତି ନାଁ ଥାନାରେ ଏତଲା

ମଜାର ଭିତରେ ଚାଲିଥିଲା ସେକ୍ସ ରାକେଟ୍, ସ୍ଥାନୀୟ ଲୋକ ଚଢାଉ କରି ଧରିଲେ କାଲେ ବାବାକୁ

ସୁନା କି ଚାନ୍ଦି ନୁହେଁ, ଏଥର ସିଲଭର୍‌ ସିଟିରେ ଝଲସିବ ଜରି ମେଢ଼: ଅଳଙ୍କାର ଓ ଜରି ମେଢ଼ କାରିଗରଙ୍କର ବଢିଛି ଚାହିଦା