ରାଜଧାନୀରେ ଲୁଟେରାଙ୍କ ଅମାନବୀୟ କାଣ୍ଡ: ଶବଠୁ ବି ଲୁଟିଲେ ୩ ମୋବାଇଲ ଓ ମନିପର୍ସ

ଭୁବନେଶ୍ୱର ୧୫/୧୦: ରାଜଧାନୀରେ ଲୁଟେରା ଆତଙ୍କ ଚଳାଇଛନ୍ତି । ଶାଗୁଣା ଭଳି ଶବକୁ ବି ଛାଡ଼ିନାହାନ୍ତି । ଟ୍ରେନ୍‌ ଆଗକୁ ଡ଼େଇଁ ଆତ୍ମହତ୍ୟା କରିଥିବା ଜଣେ ଯୁବକଙ୍କ ଶବରୁ ଲୁଟ୍‌ପାଟ କରିଛନ୍ତି । ମୃତ ଯୁବକଙ୍କ ପକେଟରୁ ୩ ମୋବାଇଲ ଫୋନ୍‌ ଓ ମନିପର୍ସ ନେଇ ପଳାଇଛନ୍ତି । ଏଭଳି ଅଭାବନୀୟ ଘଟଣା ରାଜଧାନୀରେ ମୁଖ୍ୟ ଚର୍ଚ୍ଚାର ବିଷୟ ପାଲଟିଛି ।

ପୂର୍ବାହ୍ନ ୧୧ଟା ବେଳେ ଜଣେ ଯୁବକ ପୋଖରୀପୁଟ ଡିଏଭି ସ୍କୁଲ ପଛପଟ ରେଳଧାରଣା କଡ଼ରେ ବସି ମୋବାଇଲରେ କଥା ହେଉଥିଲେ । ପ୍ରାୟ ଅଧଘଣ୍ଟା ଧରି ମୋବାଇଲରେ କଥା ହେବାପରେ ପକେଟରୁ ବ୍ଲେଡ୍‌ କାଢ଼ି ନିଜ ବାମ ହାତକୁ କାଟି ଦେଇଥିଲେ । ପରେ ସେ ଟ୍ରେନ୍‌ ଆଗକୁ ଡ଼େଇଁ ପଡ଼ିଥିଲେ । ଟ୍ରେନ୍‌ରେ କଟି ତାଙ୍କର ମୃତ୍ୟୁ ହୋଇଥିଲା । ଏହାକୁ ଦୂରରୁ ଲକ୍ଷ୍ୟ କରୁଥିଲେ ଦୁଇଜଣ ଲୁଟେରା । ଯୁବକଙ୍କ ଉପରେ ଟ୍ରେନ୍‌ ଚଢ଼ିଯିବା ମାତ୍ରେ ସେଠାରେ ପହଞ୍ଚିଥିଲେ । ସେମାନେ ଯୁବକଙ୍କ ପକେଟରୁ ୩ଟି ମୋବାଇଲ ଫୋନ୍‌ ଓ ମନିପର୍ସ କାଢ଼ି ନେଇଥିଲେ । ସ୍ଥାନୀୟ ଲୋକେ ଦେଖି ଗୋଡ଼ାଇବାରୁ ସେମାନେ ଦୌଡ଼ି ପଳାଇଥିଲେ । ଖବରପାଇ ଭୁବନେଶ୍ୱର ରେଳବାଇ ଥାନା ପୁଲିସ ସେଠାରେ ପହଞ୍ଚିଥିଲା । ଯୁବକଙ୍କ ପରିଚୟ ମିଳିନାହିଁ । ତାଙ୍କ ବୟସ ଆନୁମାନିକ ୨୦ ବର୍ଷ ହେବ । ଏନେଇ ରେଳବାଇ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ମୃତଦେହକୁ କ୍ୟାପିଟାଲ ହସ୍ପିଟାଲ ଶବାଗାରରେ ରଖି ପୁଲିସ ତଦନ୍ତ ଚଳାଇଛି । ସେପଟେ ଶବଠୁ ଲୁଟ୍‌ପାଟ କରିଥିବା ଲୁଟେରାଙ୍କୁ ଗିରଫ କରିବା ପାଇଁ ପୁଲିସ ତନାଘନା ଚଳାଇଛି ।

   ସମ୍ବନ୍ଧିତ ଖବର


ଅଗ୍ନିଶମ ବିଭାଗରେ ଅଦଳ ବଦଳ

ଶୂନ୍ୟକାଳରେ ଟୋକନ୍ ତାତି : ଦିନ ୩ଟା ପର୍ଯ୍ୟନ୍ତ ଗୃହ ମୁଲତବି

ଭୁବନେଶ୍ୱରର ସବୁ ଆହାର କେନ୍ଦ୍ରକୁ ଆଇଏସ୍‌ଓ ମାନ୍ୟତା

ଆଜିଠୁ ସୋଆରେ ‘ଗ୍ଲୋବାଲ୍‌ ମଦର୍ସ’ ଅନ୍ତର୍ଜାତୀୟ ସମ୍ମିଳନୀ