କରୋନା ଯୋଦ୍ଧା ପୁଲିସକୁ ସଂଘବଦ୍ଧ ଆକ୍ରମଣ: ୨ ମହିଳା କନ୍‌ଷ୍ଟେବଲ ଓ ୨ ହୋମଗାର୍ଡ ଗୁରୁତର,୨ ଆକ୍ରମଣକାରୀ ଅଟକ

ବାରିପଦା/ରରୁଆଁ, ୧୭/୪: ସାରା ଦେଶରେ କରୋନା ମହାମାରୀରୁ ଲୋକଙ୍କୁ ସୁରକ୍ଷା ଯୋଗାଇ ଦେବାକୁ ଯାଇ ପୁଲିସ ଧୁ ଧୁ ଖରାରେ ବାହାରେ ରହି କର୍ତ୍ତବ୍ୟ କରୁଛି । ଲକ୍‌ଡାଉନ୍‌ ନିୟମକୁ ପାଳନ ପାଇଁ ପୁଲିସ ଜନସାଧାରଣଙ୍କୁ ସଚେତନ କରୁଥିବା ସତ୍ତେ୍ୱ କେତେକ ସ୍ଥାନରେ ପୁଲିସ ଉପରକୁ କେତେକ ଅମାନିଆ ତଥା ଦୁର୍ବୃତ୍ତ ଅତର୍କିତ ଆକ୍ରମଣ କରୁଥିବା ଦେଖାଯାଇଛି । ଗୁରୁବାର ଝାଡ଼ଖଣ୍ଡର କୁଳିପୋଷି ଗ୍ରାମରୁ ହଠାତ୍‌ ୨୦ରୁ ଊଦ୍ଧ୍ୱର୍ ସଂଖ୍ୟାଲଘୁ ସଂପ୍ରଦାୟର ଯୁବକ ମୟୂରଭଞ୍ଜ ଜିଲ୍ଲା ସୀମାନ୍ତ ରରୁଆଁ ଥାନା ଅନ୍ତର୍ଗତ ଭଞ୍ଜବେଡାସ୍ଥିତ ବେଣୀସାଗର ଛକଠାରେ ପହଞ୍ଚି ପୁଲିସ ପକ୍ଷରୁ କରାଯାଇଥିବା ବ୍ୟାରିକେଡ ଭଙ୍ଗାରୁଜା କରିବା ସହ ସେଠାରେ ଉପସ୍ଥିତ ୨ ମହିଳା କନ୍‌ଷ୍ଟେବଳ ଓ ୨ ଜଣ ପୁଲିସ ହୋମଗାର୍ଡଙ୍କୁ ନିର୍ଧୂମ୍‌ ଛେଚିଥିଲେ । ଅଶ୍ରାବ୍ୟ ଭାଷାରେ ଗାଲିଗୁଲଜ ସହିତ ଚେୟାରଗୁଡ଼ିକରେ ମାଡ଼ ମାରି ସମସ୍ତ ୪ ପୁଲିସ କର୍ମଚାରୀଙ୍କୁ ଲହୁଲୁହାଣ କରିଥିଲେ । ପରେ ସଙ୍ଗେ ସଙ୍ଗେ ବାଇକ ଯୋଗେ ସେମାନେ ଫେରାର ହୋଇ ଯାଇଥିଲେ ।

ଏହି ସଂଘବଦ୍ଧ ଆକ୍ରମଣ ଖବର ପାଇ ଘଟଣାସ୍ଥଳରେ ରରୁଆଁ ଥାନା ଅଧିକାରୀ ଦିବ୍ୟାକାନ୍ତି ଲାକ୍ରା ପହଞ୍ଚି ଆହତ ପୁଲିସ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ ସ୍ଥାନୀୟ ଡାକ୍ତରଖାନାକୁ ଆଣି ଚିକିତ୍ସା କରାଇବାର ବନ୍ଦୋବସ୍ତ କରିଥିଲେ । ଏହି ଘଟଣାରେ ରରୁଆଁ ଥାନାରେ ଅପରାଧୀଙ୍କ ବିରୋଧରେ ୧୪୭/୧୪୮/୧୪୯/୨୯୪/୩୩୨/୩୫୩/୩୫୪/୩୦୭/୫୦୬ ଆଇପିସିରେ ମାମଲା ରୁଜୁ ହୋଇଛି । ଝାଡ଼ଖଣ୍ଡ ମଝିଗାଁ ପୁଲିସ ସହାୟତାରେ ମୟୂରଭଞ୍ଜ ପୁଲିସ ୨ ଆକ୍ରମଣକାରୀଙ୍କୁ ଅଟକ ରଖିଛି । ସେମାନେ ହେଲେ କୁଳିପୋଷି ଗ୍ରାମର ଜାହିର ଅନସାରୀ (୨୩)ଏବଂ ସେଖ୍‌ ଇରଫାନ(୫୫) ।
ସୂଚନା ମୁତାବକ, ଗୁରୁବାର ସକାଳ ସାଢେ ୮ଟାରେ ଝାଡଖଣ୍ଡ ମଝିଗାଁ ଥାନା ଅନ୍ତର୍ଗତ କୁଳିପୋଷି ଗ୍ରାମର ଜାହିର ଏବଂ ସେଖ୍‌ ଇରଫାନ ପ୍ରଥମେ ବେଣୀସାଗର ଛକରେ ପହଞ୍ଚି ସୀମାରେ ମୁତୟନ ଥିବା ପୁଲିସଙ୍କ ସହ ଝଗଡା କରିଥିଲେ । ସେମାନେ ରରୁଆଁ ଆସିବାକୁ ଚାହୁଁଥିବା ବେଳେ ସେମାନେ ମାସ୍କ ପିନ୍ଧି ନଥିବାରୁ ଏବଂ ଅନ୍ୟ ରାଜ୍ୟର ହୋଇଥିବାରୁ ସୀମାରେ ମୁତୟନ ଥିବା ପୁଲିସ ଛାଡି ନଥିଲା ।

ଏହି କାରଣରୁ ପୁଲିସକୁ ଜାହିର ଏବଂ ଇରଫାନ ଅଶ୍ରାବ୍ୟ ଭାଷାରେ ଗାଳି ଗୁଲଜ କରି ପଳାଇ ଯାଇଥିଲେ । ଏହାର କିଛି ସମୟ ପରେ କୁଳିପୋଷି ଗ୍ରାମର ସଂଖ୍ୟାଲଘୁ ସଂପ୍ରଦାୟର ୨୦ରୁ ଅଧିକ ଯୁବକ ୧୦ଟି ବାଇକ୍‌ରେ ଆସି ସୀମାରେ ମୁତୟନ ଥିବା ପୁଲିସ କର୍ମଚାରୀଙ୍କୁ ତାଙ୍କ ଠେଙ୍ଗା ଛଡାଇ ନେଇ ନିର୍ଧୂମ୍‌ ଛେଚିବା ସହ ଚେୟାର ଓ ବ୍ୟାରିକେଡ ବାଉଁଶରେ ପିଟିଥିଲେ । ଏ ସଂପର୍କରେ କରଞ୍ଜିଆ ଏସଡିପିଓ ନାରାୟଣ ନାୟକ କହିଛନ୍ତି, ମୟୂରଭଞ୍ଜ ସୀମାକୁ ବେଣୀସାଗର ଛକଠାରେ ସଂପୂର୍ଣ୍ଣ ସିଲ କରାଯାଇଛି । ଆକ୍ରମଣକାରୀଙ୍କ ବିରୋଧରେ ମାମଲା ରୁଜୁ ସହିତ ସେମାନଙ୍କୁ ଧରିବାକୁ ଏକ ସ୍ୱତନ୍ତ୍ର ଟିମ୍‌ ଗଢା ଯାଇ ଝାଡ଼ଖଣ୍ଡର ବିଭିନ୍ନ ସ୍ଥାନରେ ସ୍ଥାନୀୟ ପୁଲିସ ସହାୟତାରେ ଚଢାଉ କରାଯାଉଛି । ଚଢାଉ ସମୟରେ ପୁଲିସ ଦୁଇ ଜଣଙ୍କୁ କୁଳିପୋଷି ଗ୍ରାମରୁ ଉଠାଇ ଆଣିଛି ।

   ସମ୍ବନ୍ଧିତ ଖବର


ମହିଳାଙ୍କୁ ଦେଖି ପ୍ୟାଣ୍ଟ ଖୋଲି – ଖରାପ କାମ କରିଥିବା ପୁଲିସ ଅଧିକାରୀ ଦିଲ୍ଲୀରୁ ଗିରଫ

ବ୍ଲାକରୋଜ ଜାହାଜରେ ପିଟିହୋଇ ବୁଡିଗଲା ମାଛଧରା ଟ୍ରଲର: ୫ ଜଣ ମତ୍ସ୍ୟଜୀବୀ ଉଦ୍ଧାର, ୪ ନିଖୋଜ

‘ଦାଦାବଟିକୁ ନା’ ଅଭିଯାନ: ଦାଦାବଟି ମାଗି ବନ୍ଧା ହେଲେ ୬ ସାମ୍ବାଦିକ, ୩୧ ହଜାର ଟଙ୍କା ଜବତ

ଫେରୁଛି କରୋନାର ଦ୍ବିତୀୟ ଲହର: ସ୍ପେନରେ ମଇ ପର୍ଯ୍ୟନ୍ତ ଜରୁରୀକାଳୀନ ପରିସ୍ଥିତି ଲାଗୁ, ଶ୍ରୀଲଙ୍କାରେ ପାସେଞ୍ଜର ଟ୍ରେନ୍ ବନ୍ଦ

ସ୍ଵାଭିମାନ ଅଞ୍ଚଳରେ କମ୍ବିଂ ଅପରେଶନ ବେଳେ ମାଟି ତଳୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଉଦ୍ଧାର

ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର