ଚେନ୍ନାଇରେ ଫସିଛନ୍ତି ୨ ହଜାର ଓଡ଼ିଆ ଶ୍ରମିକ,ଗାଁକୁ ଫେରିବାକୁ ସୋସିଆଲ୍‌ ମିଡିଆରେ ସରକାରଙ୍କୁ ନିବେଦନ

ବ୍ରହ୍ମପୁର ୨୭/୩: ଏଇଠି ଆମ ଦୁଃଖ କେହି ଶୁଣୁନାହାନ୍ତି । କାହାର ସହଯୋଗ କି ସହାୟତା ମିଳୁନି । ବାହାରକୁ ବାହାରିଲେ ପୁଲିସ ପିଟୁଛି । ଯେତେ ଦିନ କହିଲେ ବି ଆମେ ଡାକ୍ତରଖାନାରେ ରହିବୁ । କିନ୍ତୁ ଆମକୁ ଗାଁରେ ପହଞ୍ଚିବାକୁ ସହଯୋଗ କରନ୍ତୁ ସରକାର । ଚେନ୍ନାଇ ଗେଣ୍ଡି ଅଞ୍ଚଳରେ ଫସିି ରହିଥିବା ଓଡ଼ିଆମାନେ ଓଡ଼ିଶା ସରକାରଙ୍କ ପାଖରେ କରୁଣ ନିବେଦନ କରିଛନ୍ତି । ରହିବାକୁ ଜାଗା ନାହିଁ କି ଖାଇବାକୁ ଦାନା ନାହିଁ । ଏପରିକି ଗୋଟିଏ ରୁମ୍‌ ଭିତରେ ୧୫୦ଜଣଙ୍କୁ ରହିବାକୁ ପଡ଼ୁଛି ।

ଏଠାରେ କୁଲି, କୋଠାବାଡ଼ି ନିର୍ମାଣ ଓ ଅନ୍ୟାନ୍ୟ କାମରେ ନିୟୋଜିତ ରହିଥିଲୁ । ଦେଶ ଲକ୍‌ଡାଉନ୍‌ ହେବା ପରେ କାମ ବନ୍ଦ ହେଇଯାଇଛି । ସାନଖେମୁଣ୍ଡି, କୁକୁଡ଼ାଖଣ୍ଡି, ହିଞ୍ଜିଳିକାଟୁ, ଶେରଗଡ଼, ଆସିକା, ବୁଗୁଡ଼ା, ପୋଲସରା ବ୍ଲକ୍‌ର ପାଖାପାଖି ୨ହଜାର ଶ୍ରମିକ ଚେନ୍ନାଇର ବିଭିନ୍ନ ଅଞ୍ଚଳରେ ଅଟକି ରହିଛନ୍ତି । ସେମାନେ ଗଞ୍ଜାମ ଜିଲ୍ଲା ପ୍ରଶାସନ ସହ ଯୋଗାଯୋଗ କରି ଗାଁକୁ ଫେରିବାକୁ ସହଯୋଗ ଲୋଡ଼ିଛନ୍ତି । ଯାହା ମଜୁରି ମିଳିଥିଲା ବର୍ତ୍ତମାନ ସରିବାକୁ ବସିଲାଣି ଏବଂ ଖାଇବାରେ ମଧ୍ୟ ସମସ୍ୟା ହେଉଛି ବୋଲି ଅଭିଯୋଗ କରିଛନ୍ତି ।

ଗୋଟିଏ ରୁମ୍‌ରେ ୧୬୦ ଜଣ ରହିଛନ୍ତି ବୋଲି କହିଛନ୍ତି ସାନଖେମୁଣ୍ଡି ବ୍ଲକ୍‌ ଜୁବୁଡ଼ି ବଳଭଦ୍ରପୁର ଶାସନ ଜଟିଆ ମହାଙ୍କୁଡ଼ । ଆଖପାଖ ଅଞ୍ଚଳରେ ଏଭଳି ହଜାର ହଜାର ଶ୍ରମିକ ଅଟକିଛନ୍ତି ବୋଲି ସେ କହିଛନ୍ତି । ଚେନ୍ନାଇ ପୁନାମଲ୍ଲୀରେ ରହିଥିବା ପୋଲସରା ବ୍ଲକ୍‌ କେନ୍ଦୁବାଡ଼ି ଗ୍ରାମର ସିମାଞ୍ଚଳ ବିଷୋୟୀ ଅଭିଯୋଗ କରିଛନ୍ତି, କମ୍ପାନି କୌଣସି ପ୍ରକାର ସହଯୋଗ କରୁନାହିଁ । ଗାଁର ପାଖାପାଖି ୫୦ ଜଣ ଏଠାରେ ରହିଛନ୍ତି । ଗହଳି ହୋଇ ଏଠାରେ ରହିବାକୁ ପଡୁଛି। ପାଖରେ ଥିବା ଟଙ୍କା ସରିବାକୁ ଆସିଲାଣି ।

ସରକାର ସହଯୋଗ କଲେ ଘରେ ପହଞ୍ଚିପାରିବୁ । ଶ୍ରମିକମାନେ ସୋସିଆଲ୍‌ ମିଡିଆରେ ଦୁଃଖ ଜଣାଇବା ପରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚାଉଳ ଯୋଗାଇ ଦିଆଯାଇଛି । କିନ୍ତୁ ୧୬୦ ଜଣଙ୍କୁ ମାତ୍ର ଦୁଇବସ୍ତା ଚାଉଳ ମିଳିଛି । ଆଗକୁ କିଛି ସହଯୋଗ ମିଳିବକି ନାହିଁ କିଛି ସୂଚନା ନାହିଁ । ଚେନ୍ନାଇ ଗେଣ୍ଡି ଅଞ୍ଚଳରେ ରହୁଥିବା ଜଟିଆ ମହାଙ୍କୁଡ଼ କହିଛନ୍ତି ଏ ସମ୍ପର୍କରେ ସେମାନେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେଙ୍କୁ ଫୋନ୍‌ ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲା ପ୍ରଶାସନ ସେମାନଙ୍କୁ ଫେରାଇ ଆଣିବାରେ ସହଯୋଗ କରିବ ବୋଲି ପ୍ରତିଶ୍ରୁତି ଦେଇଛି ବୋଲି ସେ କହିଛନ୍ତି ।

   ସମ୍ବନ୍ଧିତ ଖବର


କ୍ବାରେଣ୍ଟାଇନରେ ଥିବା ଯୁବକ ଉଲଘ୍ନ ଅବସ୍ଥାରେ ଖସି ପଳାଇଲେ, ରାଗରେ ପଡୋଶୀ ମହିଳାଙ୍କୁ କାମୁଡିବା ପରେ ମୃତ୍ୟୁ

କରୋନା ଲକଡାଉନ ଭିତରେ ଭୟଙ୍କର ସ୍ଥିତି, ଘରକୁ ଫେରିବାକୁ ଆନନ୍ଦ ବିହାରରେ ହଜାର ହଜାର ସଂଖ୍ୟାରେ ଶ୍ରମିକଙ୍କ ଭିଡ

ଲକ ଡାଉନ : ୨୧ ବର୍ଷୀୟ ଯୁବକ ଜୀବନ ହାରିଦେଲେ !

କରୋନା ବେଶରେ ଲୋକଙ୍କୁ ଲକ୍‌ଡାଉନ୍‌ ବିଷୟରେ ବୁଝାଇଲା ପୁଲିସ୍‌