PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ୱର : ସୁନ୍ଦରଗଡ଼ ଓ ଅନୁଗୁଳରେ ପ୍ରତିଷ୍ଠା ହେବ ନୂଆ କେନ୍ଦ୍ରୀୟ ବିଦ୍ୟାଳୟ, ଏମସିଏଲ୍‌ ବୋର୍ଡର ଅନୁମୋଦନ ପାଇଁ କେନ୍ଦ୍ର କୋଇଲା ଓ ଖଣି ମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ଧର୍ମେନ୍ଦ୍ର
  • ||
  • ଭୁବନେଶ୍ଵର : ସପ୍ତାହାନ୍ତ ସଟଡାଉନର ଦ୍ଵିତୀୟ ଦିନ, ଆଉ ଚଳିବନି ‘ଆଇ- କାର୍ଡ’, ବେସରକାରୀ ସଂସ୍ଥାର କର୍ମଚାରୀଙ୍କ ତାଲିକା ମାଗିଲା ପୁଲିସ୍‌
  • ||
  • ଭୁବନେଶ୍ୱର : ବରିଷ୍ଠ ସାମ୍ବାଦିକ ତଥା ‘ପ୍ରମେୟ’ର ଖଣ୍ଡପଡ଼ା ପ୍ରତିନିଧି ସୋମନାଥ ମହାନ୍ତିଙ୍କ ପରଲୋକ
  • ||
  • ଘଟଗାଁ : ମାଲବାହୀ ଟ୍ରେନ ଧକ୍କାରେ ହାତୀ ଗୁରୁତର
  • ||
  • କୋଲକାତା : ପଶ୍ଚିମବଙ୍ଗରେ ଥମୁନି ହିଂସା, ପୁଣି ଥରେ ଟିଏମସି ଓ ବିଜେପି କର୍ମୀ ହାତାହାତି, ଜଣେ ମୃତ ୬ ଆହତ
  • ||
  • ଭୁବନେଶ୍ଵର : ଓଡ଼ିଶାରେ ଆଉ ୧୯ ଜଣଙ୍କ ମୁଣ୍ଡ ନେଲା କରୋନା, ମୃତ୍ୟୁ ସଂଖ୍ୟା ୨୧୮୦କୁ ବୃଦ୍ଧି
  • ||
  • ଭୁବନେଶ୍ୱର : ଓଡ଼ିଶାରେ କରୋନା ବିସ୍ଫୋରଣ, ୨୪ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୬୩୫ ପଜିଟିଭ୍, ସଂକ୍ରମିତଙ୍କ ସଂଖ୍ୟା ୫ଲକ୍ଷ ୩୪ ହଜାର ପାର୍
  • ||
  • ନୂଆଦିଲ୍ଲୀ : ଭାରତକୁ ଡବ୍ଲ୍ୟୁଏଚଓର ସତର୍କ ବାଣୀ, ଘାତକ ହେଉଛି କରୋନାର ନୂଆ ମ୍ୟୁଟାଣ୍ଟ, ଭାରତକୁ ତୀବ୍ର କରିବାକୁ ପଡିବ ଟିକାକରଣ
  • ||
  • ଭୁବନେଶ୍ୱର : ଏବେ ମିଳିଛି ସାମାନ୍ୟ ଆଶ୍ୱସ୍ତି, ଦୁଇଦିନ ପରେ ରାଜ୍ୟରେ ପୁଣି ବଢ଼ିବ ତାତି, ୨୦ ଜିଲ୍ଲାରେ ଘଡ଼ଘଡ଼ି ସହ ଧୂଳିଝଡ଼ ବର୍ଷା ଆଶଙ୍କା
  • ||

୨୦୧୯ର ପାଦଚିହ୍ନ: ଲୋମଟାଙ୍କୁରା ଅପରାଧର ଘଟଣା

ହାଇଦ୍ରାବାଦ ଡାକ୍ତରାଣୀଙ୍କୁ ଗଣବଳାତ୍କାର ଓ ନିର୍ମମ ହତ୍ୟା ଘଟଣା ଦେଶବାସୀଙ୍କ ଛାତି ଥରାଇ ଦେଇଥିଲା। ଏହାପରେ ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ମୃତ୍ୟୁ ସମସ୍ତଙ୍କୁ ଶୋକାଭିଭୂତ କରିଥିଲା । ବର୍ଷ ତମାମ ଆହୁରି ଅନେକ ଲୋମଟାଙ୍କୁରା ଘଟଣା ସାମ୍ନାକୁ ଆସିଥିଲା । ଗାଜିଆବାଦରେ ଗୋଟିଏ ପରିବାରର ୫ ଜଣଙ୍କ ମୃତ୍ୟୁ, ହିନ୍ଦୁ ନେତା କମଲେଶ ତିୱାରୀଙ୍କୁ ହତ୍ୟା, ମୁର୍ସିଦାବାଦରେ ଟ୍ରିପଲ ମର୍ଡର ଭଳି ଘଟଣା ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଭୋପାଳ ହନିଟ୍ରାପ୍‌ କାଣ୍ଡ ନେତା, ଅଫିସରଙ୍କ ନିଦ ହଜାଇଥିଲା ବେଳେ ପିଏମ୍‌ସି ବ୍ୟାଙ୍କ ଜାଲିଆତି ଓ ଆଇଏମ୍‌ଏ ପଞ୍ଜି ସ୍କାମ୍‌ ନିବେଶକଙ୍କୁ ନୈରାଶ୍ୟ ମଧ୍ୟକୁ ଠେଲିଦେଇଥିଲା । ୧୪ ବର୍ଷ ମଧ୍ୟରେ ନିଜ ପରିବାରର ୬ ଜଣଙ୍କୁ ମୃତ୍ୟୁକୋଳକୁ ପଠାଇଥିବା ହତ୍ୟାକାରିଣୀ ଜଲି ଯୋଶେଫ୍‌ର ଖେଳରେ ପଡ଼ିଥିଲା ଯବନିକା । ଚଳିତବର୍ଷର ଏହିଭଳି କିଛି ଲୋମଟାଙ୍କୁରା ଘଟଣାକୁ ନେଇ ଉପସ୍ଥାପନା।

ହାଇଦ୍ରାବାଦରେ ନାରକୀୟ କାଣ୍ଡ

ସେଦିନ ଥିଲା ନଭେମ୍ୱର ୨୭ ତାରିଖ । ହାଇଦ୍ରାବାଦର ସାଇବରାବାଦସ୍ଥିତ ସାଦନଗରରେ ଘଟିଥିଲା ଲୋମଟାଙ୍କୁରା ଗଣବଳାତ୍କାର ଓ ହତ୍ୟା ଘଟଣା । ୨୬ ବର୍ଷୀୟା ପ୍ରାଣୀ ଚିକିତ୍ସିକା ପ୍ରିୟଙ୍କା ରେଡ୍ଡୀଙ୍କ ଉପରେ ହୋଇଥିଲା ଏହି ପାଶବିକ ଅତ୍ୟାଚାର । ୪ ଜଣ ଦୁର୍ବୃତ୍ତ ତାଙ୍କୁ ସାଦନଗରସ୍ଥିତ ଜାତୀୟ ରାଜପଥ ନିକଟ ଟୋଲ୍‌ ପ୍ଲାଜାଠାରେ ଗଣବଳାତ୍କାର କରିଥିଲେ । ଏହାପରେ ପ୍ରମାଣ ଲୁଚାଇବା ପାଇଁ ପ୍ରିୟଙ୍କାଙ୍କ ଦେହରେ କିରାସିନି ଓ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ଟୋଲ୍‌ ପ୍ଲାଜାର ଓଭରବ୍ରିଜ୍‌ ତଳେ ତାଙ୍କୁ ଜାଳି ଦିଆଯାଇଥିଲା । ସ୍କୁଟି ଠିକ୍‌ କରିଦେବେ ବୋଲି ପ୍ରିୟଙ୍କାଙ୍କୁ ଦୁର୍ବୃତ୍ତମାନେ କହିଥିଲେ । ରାତି ୯ଟା ଟପିଥିବାରୁ ଅସହଜ ବୋଧ କରିଥିଲେ ପ୍ରିୟଙ୍କା । ଘର ଲୋକଙ୍କୁ ଫୋନ୍‌ କରି ଜଣାଇଥିଲେ । ଏହାପରେ ତାଙ୍କ ସହ ଆଉ କୌଣସି ଯୋଗାଯୋଗ ହୋଇପାରି ନଥିଲା ।

ପୁଲିସରେ ରିପୋର୍ଟ ଦିଆଯାଇଥିଲା । କିନ୍ତୁ ପୁଲିସ ବିଳମ୍ୱରେ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ପ୍ରିୟଙ୍କା ଜଳିପୋଡ଼ି ପାଉଁଶ ହୋଇଯାଇଥିଲେ। ଏହି ଘଟଣା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଥିଲା । ପୁଲିସ ଶେଷରେ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ବିଳମ୍ୱିତ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ ପୁଲିସକୁ ସମାଲୋଚନା କରାଯାଇଥିଲା । ପୁଲିସ ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଇଥିଲା ଏବଂ ୧୪ ଦିନ ପାଇଁ ରିମାଣ୍ଡରେ ନେଇଥିଲା । କିନ୍ତୁ ୩ ଦିନ ପରେ ଘଟଣାସ୍ଥଳକୁ ନେଇ ଏନ୍‌କାଉଣ୍ଟର କରିଥିଲା । ଅଭିଯୁକ୍ତମାନଙ୍କୁ ଫାଶୀ ଦେବା ପାଇଁ ଦେଶସାରା ଦାବି ଉଠୁଥିଲା ବେଳେ ପୁଲିସର ଏନ୍‌କାଉଣ୍ଟର ଦେଶବାସୀଙ୍କୁ ଶାନ୍ତ କରିଥିଲା । କିନ୍ତୁ ଏହାକୁ ନେଇ ବିବାଦ ବଢ଼ିଥିଲା । ମାନବାଧିକାର କର୍ମୀମାନେ ଏହା ଉପରେ ଅଙ୍ଗୁଳି ଉଠାଇଥିଲେ । ବିରୋଧୀ ଦଳ ମଧ୍ୟ ସରକାରଙ୍କୁ ଘେରିଥିଲେ । ପରେ ଜାତୀୟ ମାନବାଧିକାର କମିଶନ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇଥିଲା ।

ପୁଣି ଉନ୍ନାଓ ଦୁଃଖ

୨୦୧୭ରେ ୟୁପିର ଉନ୍ନାଓରେ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣବଳାତ୍କାର ଘଟଣା ସାରା ଦେଶରେ ଚାଞ୍ଚଲ୍ୟ ଖେଳାଇ ଦେଇଥିଲା । ଦୁଇବର୍ଷ ପରେ ପୁଣି ଦୁଃଖ ଦେଇଥିଲା ଉନ୍ନାଓ । ଏହି ଜିଲ୍ଲାର ସିନ୍ଦୁପୁର ଗ୍ରାମରେ ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ୪ ଜଣ ଦୁର୍ବୃତ୍ତ ଗଣବଳାତ୍କାର କରିଥିଲେ । ପରେ ତାଙ୍କ ଦେହରେ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲେ । ଶରୀରର ୯୦ ଭାଗ ଜଳିଯିବାରୁ ତାଙ୍କୁ ପ୍ରଥମେ ୟୁପିର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲ ନିଆଯାଇଥିଲା । ସେଠାରେ ଡିସେମ୍ୱର ୬ରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଥିଲେ । କିନ୍ତୁ ମୃତ୍ୟୁ ପୂର୍ବରୁ ତାଙ୍କ ପ୍ରତି ହୋଇଥିବା ଅନ୍ୟାୟର ପ୍ରତିଶୋଧ ନେବାକୁ ସେ କାନ୍ଦି କାନ୍ଦି ନିଜ ଭାଇଙ୍କୁ ନିବେଦନ କରିଥିଲେ । ସେ ବଞ୍ଚିବାକୁ ଚାହାନ୍ତି ବୋଲି ଡାକ୍ତରଙ୍କୁ କହିଥିଲେ । ଏହି ଘଟଣା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିଲା । ଅଭିଯୁକ୍ତମାନଙ୍କୁ ଗିରଫ କରି ଜେଲ ପଠାଇ ଦିଆଯାଇଥିଲା । ଘଟଣାକୁ ନେଇ ରାଜନୈତିକ ବାତାବରଣ ବି ସରଗରମ ହୋଇଥିଲା । ସଂସଦରେ ଏହାକୁ ନେଇ ଜୋରଦାର ହଙ୍ଗାମା ହୋଇଥିଲା। ୟୁପି ଓ କେନ୍ଦ୍ର ସରକାରଙ୍କ ଉପରେ ବିରୋଧୀ ଦଳଗୁଡ଼ିକ ସାଂଘାତିକ ବର୍ଷିଥିଲେ । ଏମିତି କି ଭାରତକୁ ବଳାତ୍କାର ରାଜଧାନୀ ବୋଲି କହିଥିଲେ କଂଗ୍ରେସ ନେତା ରାହୁଲ ଗାନ୍ଧି । ତାଙ୍କ ବୟାନକୁ ନେଇ ବିବାଦ ଉପୁଜିଥିଲା ।

କମଲେଶ ତିୱାରୀଙ୍କୁ ହତ୍ୟା


ଉତ୍ତର ପ୍ରଦେଶର ହିନ୍ଦୁ ନେତା କମଲେଶ ତିୱାରୀଙ୍କୁ ଚଳିତବର୍ଷ ତାଙ୍କ ବାସଭବନରେ ହତ୍ୟା କରାଯାଇଥିଲା । ଘଟଣାକୁ ନେଇ ୟୁପି ସମେତ ସମଗ୍ର ଦେଶରେ ଆଲୋଡ଼ନ ସୃଷ୍ଟି ହୋଇଥିଲା । ପୁଲିସ କହିଥିଲା ଯେ ହତ୍ୟାକାରୀମାନେ ଗୁଜରାଟରୁ କାନପୁର ଆସିଥିଲେ ଏବଂ ସେମାନେ ଆଉ ଏକ ଟ୍ରେନ୍‌ ଯୋଗେ ଲକ୍ଷେ୍ନøରେ ପହଞ୍ଚିଥିଲେ । ହତ୍ୟା ପରେ ସେମାନେ ରହୁଥିବା ଏକ ହୋଟେଲକୁ ଯାଇଥିଲେ ଏବଂ ସେଠାରୁ ସେମାନେ ଫେରାର ହୋଇଯାଇଥିଲେ । ସେମାନଙ୍କ ପୋଷାକ ପୁଲିସ ଜବତ କରିଥିଲା । ଜମିଜମା ବିବାଦକୁ ନେଇ ତିୱାରୀଙ୍କୁ ଜଣେ ସ୍ଥାନୀୟ ରାଜନୀତିଜ୍ଞଙ୍କ ଦ୍ୱାରା ହତ୍ୟା କରାଯାଇଥିବା ତାଙ୍କ ମାଆ ପୁଲିସ ଆଗରେ କହିଥିଲେ । ତଦନ୍ତ ଦାୟିତ୍ୱ ରାଷ୍ଟ୍ରୀୟ ତଦନ୍ତ ଏଜେନ୍ସି (ଏନଆଇଏ)କୁ ଦେବା ପାଇଁ ତିୱାରୀଙ୍କ ପୁଅ ଦାବି କରିଥିଲେ । ଆତଙ୍କବାଦ ନିରୋଧ ସ୍କ୍ୱାଡ୍‌ (ଏଟିଏସ୍‌) ଦ୍ୱାରା ମୁଖ୍ୟ ଅଭିଯୁକ୍ତ ଆସ୍‌ଫାକ୍‌ ଓରଫ ମୋଇନୁଦ୍ଦିନ୍‌ ଏବଂ ଫରିଦ ପଠାନକୁ ଗିରଫ କରାଯାଇ ଜେଲ୍‌ ପଠାଯାଇଥିଲା । ସେମାନଙ୍କୁ ବନ୍ଧୁକ ଯୋଗାଇଥିବା ୟୁସୁଫ ଖାନ୍‌କୁ ମଧ୍ୟ ଏଟିଏସ୍‌ ଗିରଫ କରିଥିଲା । ହିନ୍ଦୁ ସମାଜ ପାର୍ଟି ସଭାପତି ତିୱାରୀଙ୍କୁ ଅଭିଯୁକ୍ତମାନେ ୧୨ ଥର ଛୁରି ଭୁସିବା ପରେ ଗୁଳି କରି ହତ୍ୟା କରିଥିଲେ ।

କାର୍ଟରେ ଫୁଟିଲା ଗୁଳି

କୋର୍ଟରେ ଗୁଳି ଫୁଟିବା କିଛି ନୂଆ କଥା ନୁହେଁ । କିନ୍ତୁ ଚଳିତବର୍ଷ ଏଭଳି କିଛି ଘଟଣା ଘଟିଥିଲା, ଯାହା ଦେଶବ୍ୟାପୀ ଚର୍ଚ୍ଚାର ଖୋରାକ ଯୋଗାଇଥିଲା । ଉତ୍ତର ପ୍ରଦେଶର ବିଜନୌରରେ ଏକ କୋର୍ଟରୁମ୍‌ରେ ଜଣେ ହତ୍ୟା ଅଭିଯୁକ୍ତକୁ ବିଚାରପତିଙ୍କ ସାମ୍ନାରେ ଗୁଳି କରାଯାଇଥିଲା । ୩ ଜଣ ଲୋକ କୋର୍ଟ ଭିତରେ ପକେଟ୍‌ରୁ ପିସ୍ତଲ କାଢ଼ି ସିଧା ହତ୍ୟା ଅଭିଯୁକ୍ତଙ୍କୁ ଟାର୍ଗେଟ୍‌ କରିଥିଲେ । ଫଳରେ କୋର୍ଟରୁମ୍‌ରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା । ଏହାପରେ ୩ ଜଣଙ୍କୁ ଗିରଫ କରାଯାଇଥିଲା । ଘଟଣାରେ ୧୮ ପୁଲିସ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଥିଲା । ସେହିଭଳି ଚଳିତବର୍ଷ ୩୮ ବର୍ଷୀୟା ଓକିଲ ଦର୍ବେଶ୍‌ ଯାଦବଙ୍କୁ କୋର୍ଟ ପରିସରରେ ହତ୍ୟା କରାଯାଇଥିଲା । ୟୁପି ବାର୍‌ କାଉନ୍‌ସିଲ୍‌ର ସେ ଅଧ୍ୟକ୍ଷା ଭାବେ ନିର୍ବାଚିତ ହୋଇଥିଲେ । ଆଗ୍ରା ଜିଲ୍ଲା କୋର୍ଟରେ ମନିଷ ଶର୍ମା ନାମକ ଜଣେ ଓକିଲ ନିଜ ଲାଇସେନ୍ସପ୍ରାପ୍ତ ପିସ୍ତଲ ଦ୍ୱାରା ତାଙ୍କୁ ହତ୍ୟା କରିଥିଲେ । ୧୦ ବର୍ଷ ଧରି ଉଭୟଙ୍କ ମଧ୍ୟରେ ବହୁତ ଭଲ ସମ୍ପର୍କ ଥିଲା ବୋଲି ରିପୋର୍ଟ ପ୍ରକାଶ ପାଇଥିଲା।

ଗାଜିଆବାଦରେ ବୁରାରି ଚିତ୍ର

348941.jpg

ଦିଲ୍ଲୀର ବୁରାରି କାଣ୍ଡର ପୁନରାବୃତ୍ତି ଘଟିଥିଲା ଚଳିତବର୍ଷ ଗାଜିଆବାଦରେ । ଏଠାରେ ଗୋଟିଏ ପରିବାରର ୫ ଜଣ ସଦସ୍ୟଙ୍କ ସାମୂହିକ ମୃତ୍ୟୁ ଘଟଣା ଦେଶରେ ଆଲୋଡ଼ନ ସୃଷ୍ଟି କରିଥିଲା । ପରିବାରର ୩ ଜଣ ବଡ଼ ଲୋକ ଦୁଇ ଜଣ ଛୋଟ ପିଲାଙ୍କୁ ଛୁରି ଭୁସି ହତ୍ୟା କରିବା ପରେ ଆତ୍ମହତ୍ୟା କରିଥିବା ରିପୋର୍ଟ ପ୍ରକାଶ ପାଇଥିଲା । କିନ୍ତୁ ଏହି ଘଟଣାକୁ ନେଇ ଅନେକ ପ୍ରକାର ସନ୍ଦେହ ଉପୁଜିଥିଲା । ମୃତକଙ୍କ ମଧ୍ୟରେ ଗୁଲସନ ବାସୁଦେବ, ପôତୀ ପରବୀନ, ପୁଅ ରିତିକ୍‌ ଓ ଝିଅ କିଟୁ ଥିଲେ । ସଞ୍ଜନା ନାମରେ ଆଉ ଜଣେ ମହିଳା ମଧ୍ୟ ଆତ୍ମହତ୍ୟା କରିଥିଲେ । ସଞ୍ଜନା ଗୁଲସନଙ୍କର ଦ୍ୱିତୀୟ ପôତୀ ଥିଲେ ବୋଲି ପରେ ରିପୋର୍ଟ ପ୍ରକାଶ ପାଇଥିଲା । ଘରେ ଥିବା ଏକ ଠେକୁଆ ମଧ୍ୟ ମରିପଡ଼ିଥିବା ତଦନ୍ତରୁ ଜଣାପଡ଼ିଥିଲା । ଘରୋଇ କଳିକୁ ନେଇ ଏହି ଘଟଣା ଘଟିଥିବା ପୁଲିସ ପାଇଥିବା ସୁଇସାଇଡ୍‌ ନୋଟ୍‌ରୁ ଜଣାପଡ଼ିଥିଲା।

ମୁର୍ସିଦାବାଦ ଟ୍ରିପଲ ମର୍ଡର


ପଶ୍ଚିମବଙ୍ଗର ମୁର୍ସିଦାବାଦ ଜିଲ୍ଲାରେ ଏକ ପରିବାରର ୩ ଜଣଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ମୃତକଙ୍କ ମଧ୍ୟରେ ୩୫ ବର୍ଷୀୟ ଶିକ୍ଷକ ବନ୍ଧୁ ପ୍ରକାଶ ପାଲ, ଗର୍ଭବତୀ ପôତୀ ବିୟୁଟି ଏବଂ ୮ ବର୍ଷୀୟ ପୁଅ ଆଙ୍ଗନ ଥିଲେ । ଅକ୍ଟୋବର ୮ରେ ସେମାନଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯିବା ଘଟଣା ଦେଶବ୍ୟାପୀ ଚହଳ ପକାଇଥିଲା । ଘଟଣାରେ ଉତ୍ପଳ ବେହେରାଙ୍କୁ ଗିରଫ କରାଯାଇଥିଲା । ଦୁଇଟି ଜୀବନ ବୀମା ପଲିସି ପାଇଁ ପାଲ୍‌ଙ୍କୁ ଟଙ୍କା ଦେଇଥିଲେ ବେହେରା । ପାଲ୍‌ ତାଙ୍କୁ ଗୋଟିଏ ପଲିସିର ମନି ରସିଦ ଦେଇଥିଲେ । ଅନ୍ୟଟିର ରସିଦ ବେହେରା ମାଗିଥିଲେ । କିନ୍ତୁ ଏହା ବିଳମ୍ୱ ହେବାରୁ ପାଲ୍‌ ଓ ତାଙ୍କ ପରିବାରକୁ ହତ୍ୟା ପାଇଁ ସେ ନିଷ୍ପତ୍ତି ନେଲେ ବୋଲି ବେହେରା ସ୍ୱୀକାର କରିଥିଲେ ।

ହନିଟ୍ରାପ୍‌ରେ ନେତା, ଅଫିସର


ଚଳିତବର୍ଷ ଭୋପାଳର ହନିଟ୍ରାପ୍‌ ସ୍କାଣ୍ଡାଲକୁ ନେଇ ଦେଶବ୍ୟାପୀ ଜୋରଦାର ଚର୍ଚ୍ଚା ହୋଇଥିଲା । ଆରତି ଦୟାଲ, ଶ୍ୱେତା ଜୈନ୍‌ ଏବଂ ବର୍‌ଖା ସୋନି ରାଣୀ ମହୁମାଛି ସାଜି ନେତା, ଅଧିକାରୀ ଓ ଶିଳ୍ପପତିଙ୍କୁ ଯୌନଜାଲରେ ଫସାଇ ସେମାନଙ୍କୁ ଲୁଟିବାରେ ଲାଗିଥିଲେ । ଏମାନଙ୍କ ଅଙ୍ଗୁଳି ଇସାରାରେ ସେମାନେ ନାଚୁଥିଲେ । ଟେଣ୍ଡର ଫିକ୍ସିଂ, କର୍ମଚାରୀଙ୍କ ବଦଳି ଏମାନଙ୍କ ଇସାରାରେ ହେଉଥିଲା । ର‌୍ୟାକେଟ୍‌ର କିଛି ସୁନ୍ଦରୀ ଯୁବତୀ ସୋସିଆଲ୍‌ ମିଡିଆରେ ପ୍ରଭାବଶାଳୀ ଲୋକଙ୍କ ସହ ବନ୍ଧୁତା ସ୍ଥାପନ କରି ସେମାନଙ୍କୁ ନିଜ ଆଡ୍ଡାକୁ ଡକାଉଥିଲେ । ରୁମ୍‌ରେ ଗୁପ୍ତ କ୍ୟାମେରା ଲଗାଇ ଅଶ୍ଳୀଳ ଭିଡିଓ ବନାଉଥିଲେ । ମଧ୍ୟ ପ୍ରଦେଶରେ ଏହି ହନିଟ୍ରାପ୍‌ ର‌୍ୟାକେଟ୍‌ର ପର୍ଦ୍ଦାଫାସ ହେବା ଦ୍ୱାରା ଅନେକ ବରିଷ୍ଠ ରାଜନେତା, ଅଧିକାରୀ, ଯନ୍ତ୍ରୀ ଏବଂ ବଡ଼ ବ୍ୟବସାୟୀଙ୍କ ନିଦ ହଜିଯାଇଥିଲା । ମାମଲା ସହ ଜଡ଼ିତ ୪,୦୦୦ ଅଶ୍ଳୀଳ ସିଡି ତଦନ୍ତକାରୀ ଏଜେନ୍ସିଙ୍କ ହାତରେ ପଡ଼ିଥିଲା । ଇନ୍ଦୋର ନଗର ନିଗମର ଅଧୀକ୍ଷଣ ଯନ୍ତ୍ରୀ ହରଭଜନ ସିଂହଙ୍କ ଅଭିଯୋଗ ପରେ ଭୋପାଳ ହନିଟ୍ରାପ୍‌ର ପର୍ଦ୍ଦାଫାସ ହୋଇଥିଲା । ହନିଟ୍ରାପ୍‌ର ୫ ମହିଳାଙ୍କ ସମେତ ୬ ସଦସ୍ୟଙ୍କୁ ଭୋପାଳ ଓ ଇନ୍ଦୋରରୁ ଗିରଫ କରାଯାଇଥିଲା ।

ପଞ୍ଝାରେ ଜଲି ଯୋଶେଫ ଦେଖିବାକୁ ସୁନ୍ଦର । ମିଷ୍ଟଭାଷୀ । ମିଶାଣିଆ । କିନ୍ତୁ କାମ ଥିଲା ସମ୍ପୂର୍ଣ୍ଣ ଓଲଟା । ଅର୍ଥ ଓ ଆଭିଜାତ୍ୟ ହାତେଇବା ପାଇଁ ୧୪ ବର୍ଷ ମଧ୍ୟରେ ୬ ଜଣଙ୍କୁ ହତ୍ୟା କରିଥିଲେ । ଅନ୍ୟ କାହାକୁ ନୁହେଁ, ବରଂ ନିଜ ପରିବାରର ସଦସ୍ୟଙ୍କୁ ସେ କରିଥିଲେ ଟାର୍ଗେଟ୍‌ । ସେ ହେଉଛନ୍ତି କେରଳ ନିବାସୀ ଜଲି ଜୋସେଫ । ୧୪ ବର୍ଷ ଧରି ପୁଲିସ ଓ ତଦନ୍ତକାରୀ ଅଧିକାରୀଙ୍କୁ ଚକ୍‌ମା ଦେବା ପରେ ଚଳିତବର୍ଷ ପଞ୍ଝାରେ ପଡ଼ିଥିଲେ । କୋଝିକୋଡ଼ ଜିଲ୍ଲା କୁଡାଥାଇ ଗ୍ରାମରେ ଘଟିଥିଲା ଏହି ଘଟଣା । ଜଲି ଯୋଶେଫ ତାଙ୍କ ପୂର୍ବ ସ୍ୱାମୀ ରୟ ଥମାସ୍‌ଙ୍କୁ ପୋଟାସିୟମ୍‌ ସାୟାନାଇଡ୍‌ ଦେଇ ହତ୍ୟା କରିଥିଲେ । ବ୍ୟବଚ୍ଛେଦ ପରେ ଥମାସ୍‌ଙ୍କୁ ସାୟାନାଇଡ୍‌ ଦିଆଯାଇ ହତ୍ୟା କରାଯାଇଥିବା ସ୍ପଷ୍ଟ ହୋଇଥିଲା ।

ପାକ୍‌ ପାଇଁ ଗୁପ୍ତଚର ସାଜି ଗିରଫ


ଚଳିତବର୍ଷ ଭାରତୀୟ ନୌସେନାର ୭ ଜଣ କର୍ମଚାରୀଙ୍କୁ ଏକ ସଙ୍ଗିନ ଅପରାଧ ପାଇଁ ଗିରଫ କରାଯାଇଥିଲା । ଏମାନେ ପାକିସ୍ତାନ ପାଇଁ ଗୁପ୍ତଚର ଭାବେ କାମ କରୁଥିଲେ । ନିୟମିତ ବ୍ୟବଧାନରେ ପାକ୍‌କୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପଠାଉଥିଲେ । ତେବେ ଅନ୍ୟ ଘଟଣା ଭଳି ଏମାନେ ମଧ୍ୟ ହନିଟ୍ରାପ୍‌ର ଶିକାର ହୋଇ ଦେଶବିରୋଧୀ କାର୍ଯ୍ୟ କରିଥିଲେ। ଏମାନେ ଅନ୍‌ଲାଇନ୍‌ରେ କିଛି ମହିଳାଙ୍କ ସଂସ୍ପର୍ଶରେ ଆସିଥିଲେ । ମହିଳାମାନେ ସେମାନଙ୍କୁ ପ୍ରେମଜାଲରେ ଫସାଇଥିଲେ । ଦେଶବ୍ୟାପୀ ଚଢ଼ଉ କରାଯାଇ ବିଭିନ୍ନ ଅଞ୍ଚଳରୁ ଏମାନଙ୍କୁ ଗିରଫ କରାଯାଇ ବିଜୟୱାଡ଼ାର ଏନ୍‌ଆଇଏ କୋର୍ଟରେ ହାଜର କରାଯାଇଥିଲା ।

ପିଏମ୍‌ସି ବ୍ୟାଙ୍କ ଜାଲିଆତି


ପଞ୍ଜାବ ଆଣ୍ଡ ମହାରାଷ୍ଟ୍ର ସମବାୟ ବ୍ୟାଙ୍କ (ପିଏମ୍‌ସି)ରେ ଚଳିତବର୍ଷ ୪,୩୫୫ କୋଟି ଟଙ୍କାର ଠକେଇ ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ବ୍ୟାଙ୍କର ପୂର୍ବତନ ପରିଚାଳନା ନିର୍ଦ୍ଦେଶକ ଜୟ ଥମାସ୍‌ଙ୍କ ଗୋଚରରେ ଏହା ସମ୍ଭବ ହୋଇଥିଲା । ରିୟଲ୍‌ ଇଷ୍ଟେଟ୍‌ ସଂସ୍ଥା ହାଉସିଂ ଡେଭଲପ୍‌ମେଣ୍ଟ ଆଣ୍ଡ ଇନ୍‌ଫ୍ରାଷ୍ଟ୍ରକ୍‌ଚର ଲିମିଟେଡ୍‌ (ଏଚ୍‌ଡିଆଇଏଲ୍‌) ପିଏମ୍‌ସିଠାରୁ ୬,୫୦୦ କୋଟି ଟଙ୍କା ଋଣ ନେଇଥିଲା । କିନ୍ତୁ ଏହି ଋଣ ବାବଦ ସମସ୍ତ ତଥ୍ୟକୁ ଅଡିଟର, ବ୍ୟାଙ୍କ ବୋର୍ଡ ଏବଂ ରିଜର୍ଭ ବ୍ୟାଙ୍କଠାରୁ ଲୁଚାଇଥିଲେ ଥମାସ୍‌ । ଏହାଦ୍ୱାରା ବ୍ୟାଙ୍କକୁ ମୋଟ ୪,୩୫୫ କୋଟି ଟଙ୍କାର ଝଟ୍‌କା ଲାଗିଥିଲା । ଘଟଣା ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ପାଲଟିଥିଲା । ପରେ ଏ ନେଇ ଧରପଗଡ଼ ଅଭିଯାନ ଜୋରଦାର ହୋଇଥିଲା । ଥମାସ୍‌ଙ୍କୁ ଗିରଫ କରାଯିବା ପରେ ସେ ସତକଥା ମାନିଥିଲେ । ଏହାପରେ ତାଙ୍କୁ ଜେଲ ପଠାଇ ଦିଆଯାଇଥିଲା । ଏଚ୍‌ଡିଆଇଏଲ୍‌କୁ ଦିଆଯାଇଥିବା ଋଣ ସଂକ୍ରାନ୍ତ ତଥ୍ୟ ଲୁଚାଇବା ସକାଶେ ପିଏମ୍‌ସି ୨୧,୦୦୦ରୁ ଅଧିକ ନକଲି ଆକାଉଣ୍ଟ ସୃଷ୍ଟି କରିଥିଲା ।

ଆଇଏମ୍‌ଏ ପଞ୍ଜି ସ୍କାମ୍‌

ଆଇ ମନିଟାରି ଆଡ୍‌ଭାଇଜରି (ଆଇଏମ୍‌ଏ) ଜୁଏଲ୍ସ ମାଲିକ ମହମ୍ମଦ ମନ୍‌ସୁର ଖାନ୍‌ ପଞ୍ଜି ସ୍କାମ୍‌ କରି ଲୋକଙ୍କଠାରୁ କୋଟି କୋଟି ଟଙ୍କା ଠକିନେଇଥିଲେ । ଏହାପରେ ଫେରାର ହୋଇଯାଇଥିଲେ । ଲକ୍ଷ ଲକ୍ଷ ନିବେଶକଙ୍କ ଠାରୁ ସେ ପ୍ରାୟ ୪,୦୦୦ କୋଟି ଟଙ୍କା ଠକିନେଇଥିଲେ । ଏହାକୁ ନେଇ ଲୋକମାନେ କମ୍ପାନି କାର୍ଯ୍ୟାଳୟ ସାମ୍ନାରେ ବିରୋଧ ପ୍ରଦର୍ଶନ କରିଥିଲେ । ଏହାପରେ ମନ୍‌ସୁର୍‌ ଖାନ୍‌ ଆତ୍ମହତ୍ୟା ଧମକ ଦେଇଥିଲେ । ଜୁନ୍‌ରେ ଏହି ଘଟଣାର ପର୍ଦ୍ଦାଫାସ ହେବା ପରେ ଦେଶବ୍ୟାପୀ ଏହା ଚହଳ ପକାଇଥିଲା । ପ୍ରତିଦିନ ହଜାର ହଜାର ଗରିବ ନିବେଶକ ସେମାନଙ୍କ ଟଙ୍କା ପାଇବାକୁ କମ୍ପାନିର କାର୍ଯ୍ୟାଳୟ ବାହାରେ ରୁଣ୍ଡ ହେଉଥିଲେ । କିଛି ନିବେଶକ ଭୋ ଭୋ ହୋଇ କାନ୍ଦିଥିଲେ । ଘଟଣାର ପର୍ଦ୍ଦାଫାସ ହେବା ପରେ ସେ ଦୁବାଇ ପଳାଇଥିଲେ । କିନ୍ତୁ ଫେରିବା ପରେ ନୂଆଦିଲ୍ଲୀରେ ତାଙ୍କୁ ଗିରଫ କରାଯାଇଥିଲା। ମାମଲାର ତଦନ୍ତ ଦାୟିତ୍ୱ ସିବିଆଇକୁ ଦିଆଯାଇଥିଲା । ସିବିଆଇ ଏହି ଘଟଣାରେ ୧୫ଟି ସ୍ଥାନରେ ଚଢ଼ଉ କରିଥିଲା । ଏହି ପଞ୍ଜି ସ୍କାମ୍‌ରେ ଅନେକ ପ୍ରଭାବଶାଳୀ ଲୋକ ସାମିଲ ଥିବା ଜଣାପଡ଼ିଥିଲା । ଶେଷରେ ମନ୍‌ସୁର ଖାନ୍‌ଙ୍କୁ ଜେଲ ପଠାଯାଇଥିଲା ।

ସମ୍ବନ୍ଧିତ ଖବର