PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟ: କରୋନାରେ ଆଖିବୁଜିଲେ ୧୭ ଜଣ ସଂକ୍ରମିତ, ମୃତକଙ୍କ ସଂଖ୍ୟା ୨୧୨୧କୁ ଛୁଇଁଲା
  • ||
  • ଓଡ଼ିଶାରେ ୫ ଲକ୍ଷ ଟପିଲା କରୋନା ସଂକ୍ରମିତଙ୍କ ସଂଖ୍ୟା, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦୫୨୧ ଜଣ ଆକ୍ରାନ୍ତ
  • ||
  • ଜାମ୍ମୁ କାଶ୍ମୀର : ସୁରକ୍ଷାବାହିନୀକୁ ବଡ଼ ସଫଳତା, ୩ ଆତଙ୍କୀ ନିପାତ, ଭୟରେ ଜଣେ ଆତଙ୍କବାଦୀ କଲା ଆତ୍ମସମର୍ପଣ
  • ||
  • ଭୁବନେଶ୍ଵର : ତାତିରୁ ମିଳିଛି ସାମାନ୍ୟ ଆଶ୍ଵସ୍ତି, ଖସିଛି ପାରଦ, ୯ ଯାଏଁ କାଳବୈଶାଖୀ ସମ୍ଭାବନା
  • ||
  • ତାଳଚେର : ଅନୁଗୁଳ ତଳଗଡ଼ ଗ୍ରାମରେ ହାତୀ ଆକ୍ରମଣରେ ଜଣେ ମହିଳା ମୃତ
  • ||

୨୦୧୯ର ପାଦଚିହ୍ନ: ପାକ୍ ଉପରେ ଭାରତ ପ୍ରତିଶୋଧ, ହିରୋ ବନିଗଲେ ଅଭିନନ୍ଦନ

୨୦୧୯ ଫେବ୍ରୁଆରୀ ୧୪ । ସେଦିନର ସେଇ ହୃଦୟ ବିଦାରକ ଦୃଶ୍ୟ ମନେପଡ଼ିଲେ ଦେହ ଶିହରିଉଠେ । ପାକିସ୍ତାନୀ ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ ଜମ୍ମୁ-କାଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଏହିଦିନ ଘଟାଇଥିଲା ଆତ୍ମଘାତୀ ବିସ୍ଫୋରଣ । ୪୪ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ଯବାନଙ୍କ ଶରୀର ଛିନ୍‌ଭିନ୍‌ ହୋଇ ମାଂସପିଣ୍ଡୁଳା ଏଣେତେଣେ ଛିଟିକି ପଡ଼ିଥିଲା । ଦେଶବାସୀଙ୍କୁ ଏହି ଘଟଣା ସ୍ତମ୍ଭୀଭୂତ କରିଥିଲା ଯେତିକି, ତା’ଠାରୁ ଅଧିକ ଛାତି ଭିତରେ ନିଆଁ ଲଗାଇ ଦେଇଥିଲା । ପ୍ରତିକ୍ଷଣ ପ୍ରତିଶୋଧର ଉତ୍ତପ୍ତ ତାୱାରେ ଜଳିଥିଲେ ଦେଶବାସୀ । ସେପଟେ ଭାରତୀୟ ସେନା ରକ୍ତର ଜବାବ ରକ୍ତରେ ଦେବାକୁ ଚଳାଇଥିଲା ଆକ୍ସନ୍‌ପ୍ଲାନ୍‌ । ଶେଷରେ ପ୍ରତିଶୋଧର ସେହି ଶୁଭ ମୁହୂର୍ତ୍ତ ଉପନୀତ ହେଲା ।

ସେହି ଦିନଟି ଥିଲା ୨୦୧୯ ଫେବ୍ରୁଆରୀ ୨୬ । ଭାରତ ମାତାର କୋଳରୁ ତା’ର ସୁଯୋଗ୍ୟ ସନ୍ତାନଙ୍କୁ ଛଡ଼ାଇ ନେଇ ପାକିସ୍ତାନର ବାଲାକୋଟ୍‌ ଆତଙ୍କବାଦୀ ଶିବିରରେ ନିଶ୍ଚିନ୍ତ ନିଦ୍ରାରେ ଶୋଇଯାଇଥିଲେ ଜେଇଏମ୍‌ ଆତଙ୍କୀ । ଭାରତୀୟ ବାୟୁସେନା ହଠାତ୍‌ ଧସେଇ ପଶି କଲା ଏୟାର ଷ୍ଟ୍ରାଇକ୍‌ । ଡାସଲ୍‌ଟ ମିରେଜ୍‌ ୨୦୦୦ ଯୁଦ୍ଧ ବିମାନ ସହ ଝପଟି ପଡ଼ି ଗୁଳିଗୋଳା ମାଡ଼ କରି ଆତଙ୍କୀ ଶିବିରଗୁଡ଼ିକୁ ଧୂଳିସାତ୍‌ କରିଦେଲା । ଅନେକ ଆତଙ୍କୀ ନିପାତ ହେଲେ । ବାୟୁସେନାର ଏହି ଅପରେସନ୍‌ କୌଣସି ଥ୍ରୀଲର୍‌ଠାରୁ କମ୍‌ ନଥିଲା । ରାତାରାତି କାମ ତମାମ କରି ଶେଷରେ ଫେରିଆସିଥିଲେ । ରାତି ପାହିଲା ବେଳକୁ ଖବର ଦୁନିଆସାରା ବ୍ୟାପିଯାଇଥିଲା ଏବଂ ରକ୍ତ ଚାଉଳ ଚୋବାଉଥିବା ଭାରତବାସୀଙ୍କ ମନ ଶାନ୍ତ ପଡ଼ିଥିଲା । ୨୦୧୯ ବର୍ଷର ଏହି ଚର୍ଚ୍ଚିତ ଘଟଣା ଉପରେ ଆସନ୍ତୁ ଆଉଥରେ ନଜର ପକାଇବା…

ପୁଲ୍‌ୱାମାର ଲୋମଟାଙ୍କୁରା ଦୃଶ୍ୟ

୨୦୧୯ ଫେବ୍ରୁଆରୀ ୧୪ରେ ୭୮ଟି ଗାଡ଼ିରେ ୨,୫୦୦ରୁ ଅଧିକ ସିଆର୍‌ପିଏଫ୍‌ ଯବାନ ଜମ୍ମୁରୁ ଶ୍ରୀନଗର ଆସୁଥିଲେ। ସେମାନେ ଜାତୀୟ ରାଜପଥ ୪୪ ଦେଇ ଆସୁଥିଲେ । ସନ୍ଧ୍ୟା ପୂର୍ବରୁ ସେମାନଙ୍କୁ ପହଞ୍ଚିବାର ଥିଲା । ପୁଲ୍‌ୱାମାର ଅୱନ୍ତିପୋରା ନିକଟସ୍ଥ ଲେଥ୍‌ପୋରା ନିକଟରେ ପହଞ୍ଚିବା ପରେ ସିଆର୍‌ପିଏଫ୍‌ ଯବାନଙ୍କୁ ନେଇ ଯାଉଥିବା ଏକ ବସ୍‌ ଉପରେ ଆତଙ୍କବାଦୀ ଆକ୍ରମଣ ହେଲା । ହଠାତ୍‌ ବିସ୍ଫୋରକ ବୋଝେଇ ଗୋଟିଏ କାର୍‌ ଆସି ସିଆର୍‌ପିଏଫ୍‌ ଗାଡ଼ିକୁ ମାଡ଼ କରିଥିଲା। ଫଳରେ ଗାଡ଼ିଟି ବିସ୍ଫୋରଣରେ ନଷ୍ଟ ହୋଇଯାଇଥିଲା । ବିସ୍ଫୋରଣରେ ୪୪ ସିଆର୍‌ପିଏଫ୍‌ ଯବାନ ସହିଦ ହୋଇଥିଲେ ଏବଂ ଅନେକ ଗୁରୁତର ଆହତ ହୋଇଥିଲେ। ଏମାନେ ସମସ୍ତେ ୭୬ ବାଟାଲିୟନ୍‌ର ଥିଲେ। ଘଟଣା ପାଇଁ ପାକିସ୍ତାନର ଆତଙ୍କବାଦୀ ସଂଗଠନ ଜୈସ୍‌-ଏ-ମହମ୍ମଦ (ଜେଇଏମ୍‌) ନିଜକୁ ଦାୟୀ କରିଥିଲା। ସେମାନେ ଏକ ଭିଡିଓ ବି ରିଲିଜ୍‌ କରିଥିଲେ । ପୁଲ୍‌ୱାମା ଜିଲ୍ଲାର ବାସିନ୍ଦା ୨୨ ବର୍ଷୀୟ ଆଦିଲ୍‌ ଅହମ୍ମଦ ଡାର୍‌ ହିଁ ଏହି ଆତ୍ମଘାତୀ ହମଲା କରିଥିଲା। ୨୦୧୮ରେ ସେ ଜେଇଏମ୍‌ରେ ସାମିଲ ହୋଇଥିଲା । ଏହି ଘଟଣାରେ ପାକିସ୍ତାନର କୌଣସି ହାତ ନାହିଁ ବୋଲି ଇମ୍ରାନ୍‌ ସରକାର ଦାବି କରିଥିଲା । କିନ୍ତୁ ଜେଇଏମ୍‌ ମୁଖିଆ ମାସୁଦ ଆଝାର ଏହି ଆକ୍ରମଣ ପାଇଁ ଷଡଯନ୍ତ୍ର ରଚିଥିବା ସ୍ପଷ୍ଟ ହୋଇଥିଲା

ପ୍ରତିଶୋଧର ନିଆଁ

ପୁଲୱାମା ଆତଙ୍କବାଦୀ ହମଲାର ପରଦିନ ସମଗ୍ର ଦେଶରେ ଶୋକର ଛାୟା ଖେଳିଯାଇଥିଲା । ବିଭିନ୍ନ ସ୍ଥାନରେ ମହମବତି ଶୋଭାଯାତ୍ରା, ଶୋକସଭାମାନ ଆୟୋଜିତ ହୋଇଥିଲା । ଏମିତି କି ପାକିସ୍ତାନକୁ ଦୃଢ଼ ଜବାବ ଦେବା ପାଇଁ ଜନତା ଦାବି କରିଥିଲେ । ଟ୍ୱିଟର, ଫେସ୍‌ବୁକ୍‌ ଭଳି ସୋସିଆଲ୍‌ ମିଡିଆରେ ଦେଶର ଜନତା ଏକସ୍ୱରରେ ‘ପ୍ରତିଶୋଧ’ ପାଇଁ ଆହ୍ୱାନ ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସର୍ଜିକାଲ୍‌ ଷ୍ଟ୍ରାଇକ୍‌ ଭଳି ପାକିସ୍ତାନକୁ ଏକ ବଡ଼ ଜବାବ ଦିଅନ୍ତୁ ବୋଲି ଦାବି ଜୋର ଧରିଥିଲା । ପ୍ରତିଶୋଧ ଦାବିରେ ଦେଶବ୍ୟାପୀ ବିରୋଧ ପ୍ରଦର୍ଶନ ଓ ବନ୍ଦ ପାଳନ କରାଯାଇଥିଲା । ବ୍ରିଟେନ୍‌ରେ ଥିବା ପାକିସ୍ତାନ ହାଇକମିଶନ କାର୍ଯ୍ୟାଳୟ ସମ୍ମୁଖରେ ଭାରତୀୟ ସମୁଦାୟ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପ୍ରତିବାଦ ସ୍ୱରୂପ ଏକ ଭାରତୀୟ ଡାକ୍ତର ପ୍ରତିନିଧି ଦଳ ନିଜର ପାକିସ୍ତାନ ଗସ୍ତକୁ ବାତିଲ କରିଥିଲା । ପାକିସ୍ତାନ ସୁପର ଲିଗ୍‌ କ୍ରିକେଟ୍‌ ମ୍ୟାଚ୍‌ ପ୍ରସାରଣ ବନ୍ଦ କରିଦେଇଥିଲା ଡିସ୍ପୋର୍ଟ ।

ବାୟୁସେନାର ଏୟାରଷ୍ଟ୍ରାଇକ୍‌

ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ ଦେଶରେ ଜୋରଦାର ଦାବି ଉଠିଥିଲା । କିନ୍ତୁ ଆକ୍ରମଣର ୧୨ ଦିନ ଯାଏ ଚୁପ୍‌ ରହିଥିଲା ଭାରତୀୟ ସେନା । କେବଳ ସୁଯୋଗକୁ ଥିଲା ଅପେକ୍ଷା । ୧୩ ଦିନ ବେଳକୁ ଅର୍ଥାତ୍‌ ୨୦୧୯ ଫେବ୍ରୁଆରୀ ୨୬ ବଡ଼ିଭୋରରୁ ଭାରତୀୟ ବାୟୁସେନା ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବାଲାକୋଟରେ ପ୍ରବେଶ କରିଥିଲା । ପାକ୍‌ ସେନା କିମ୍ବା ଆତଙ୍କବାଦୀଙ୍କୁ କାଣିଚାଏ ଜଣାନଥିଲା । ଏହାର ସୁଯୋଗ ନେଇ ବାୟୁସେନା ମିରେଜ୍‌ ଯୁଦ୍ଧ ବିମାନ ସହ ଆତଙ୍କୀ ଶିବିରକୁ ଘାଣ୍ଟି ପକାଇଥିଲା । ଆକାଶମାର୍ଗରୁ ଆଖିବୁଜା ଗୁଳିଗୋଳା ମାଡ଼ କରି ଶିବିରଗୁଡ଼ିକୁ ଧ୍ୱଂସ କରିଦେଇଥିଲା । ଫଳରେ ଅନେକ ଆତଙ୍କବାଦୀ ନିପାତ ହୋଇଥିଲେ । ପାଖାପାଖି ୨୫୦ରୁ ୩୦୦ ଆତଙ୍କୀ ନିପାତ ହୋଇଥିବା ବିଭିନ୍ନ ରିପୋର୍ଟ ଦର୍ଶାଇଥିଲା ।

ଆକ୍ରମଣକୁ ନେଇ ବିବାଦ

ପୁଲ୍‌ୱାମା ଆକ୍ରମଣ ପାଇଁ ପାକିସ୍ତାନକୁ ସିଧାସଳଖ ଭାବେ ଦୋଷ ଦେଇଥିଲା ଭାରତ । ପାକ୍‌ ସେନା ଓ ଏହାର ଗୁଇନ୍ଦା ସଂସ୍ଥା ଆଇଏସ୍‌ଆଇ ସହଯୋଗରେ ଜୈସ୍‌-ଏ-ମହମ୍ମଦ (ଜେଇଏମ୍‌)ର ଆତଙ୍କବାଦୀ ଏହି ଆକ୍ରମଣ ଘଟାଇଥିବା ଭାରତ କହିଥିଲା । କିନ୍ତୁ ପାକିସ୍ତାନ ଏହାକୁ ଖଣ୍ଡନ କରିଥିଲା । ଆକ୍ରମଣରେ ଏହାର କୌଣସି ହାତ ନାହିଁ ବୋଲି ବାରମ୍ୱାର କହିଥିଲା । ବିବିସି ନ୍ୟୁଜ୍‌ ଏହାର ରିପୋର୍ଟରେ ପାକିସ୍ତାନର ହାତ ରହିଛି ବୋଲି ଦାବି କରିଥିଲା । ସେପଟେ ନ୍ୟୁୟର୍କ ଟାଇମ୍‌ସ ଭିନ୍ନ ରିପୋର୍ଟ ପ୍ରକାଶ କରିଥିଲା । ପୁଲ୍‌ୱାମା ଆକ୍ରମଣ ଘଟାଇଥିବା ଆଦିଲ ଅହମ୍ମଦ ଡାର୍‌ ପୁଲ୍‌ୱାମା ବାସିନ୍ଦା ହୋଇଥିବାରୁ ଏଥିରେ ପାକିସ୍ତାନର ହାତ ଥାଇ ନପାରେ ବୋଲି ଏହା କହିଥିଲା । ଏମିତି କି ଆକ୍ରମଣରେ ବ୍ୟବହୃତ ହୋଇଥିବା ବିସ୍ଫୋରକ ମଧ୍ୟ ସ୍ଥାନୀୟ ଅଞ୍ଚଳରୁ ହାସଲ କରାଯାଇ ଥାଇପାରେ ବୋଲି ନ୍ୟୁୟର୍କ ଟାଇମ୍‌ସ ଅନୁମାନ ଲଗାଇଥିଲା । ଶେଷରେ ଜେଇଏମ୍‌ ଖୋଦ ଏହି ଆକ୍ରମଣ ପାଇଁ ନିଜକୁ ଦାୟୀ କରିବା ପରେ ସବୁ ସ୍ପଷ୍ଟ ହୋଇଥିଲା ଏବଂ ଇମ୍ରାନ୍‌ ସରକାରର ମୁହଁ ବନ୍ଦ ହୋଇଯାଇଥିଲା ।

ବିଶ୍ୱ ସମୁଦାୟର ନିନ୍ଦା

ପୁଲ୍‌ୱାମା ଆତଙ୍କବାଦୀ ଆକ୍ରମଣକୁ ବିଶ୍ୱ ସମୁଦାୟ ନିନ୍ଦା କରିଥିଲା । ଘଟଣାରେ ଆମେରିକା ପାକିସ୍ତାନକୁ ନିନ୍ଦା କରିବା ସହ ଆତଙ୍କବାଦୀ ନିରୋଧୀ ଅଭିଯାନରେ ଏହା ଭାରତ ସହ କାମ କରିବ ବୋଲି କହିଥିଲା । ସେହିଭଳି ଆତଙ୍କବାଦୀଙ୍କୁ ପୋଷିବା ବନ୍ଦ କରିବାକୁ ପାକିସ୍ତାନକୁ ତାଗିଦ୍‌ ମଧ୍ୟ କରିଥିଲା । ଘଟଣାରେ ଜଡ଼ିତ ଥିବା ଆତଙ୍କୀଙ୍କୁ ତୁରନ୍ତ ଗିରଫ କରି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ଆମେରିକା ପରାମର୍ଶ ଦେଇଥିଲା । ଆମେରିକା ବ୍ୟତୀତ, ବାଂଲାଦେଶ, ଭୁଟାନ, ଚୀନ୍‌, ଇସ୍ରାଏଲ୍‌, ଫ୍ରାନ୍ସ, ହଙ୍ଗେରି, ମାଳଦ୍ୱୀପ, ନେପାଳ, ରୁଷିଆ, ସାଉଦି ଆରବ, ସିଙ୍ଗାପୁର, ଶ୍ରୀଲଙ୍କା, ତୁର୍କୀ, ସଂଯୁକ୍ତ ଆରବ ରାଷ୍ଟ୍ର ଏବଂ ବ୍ରିଟେନ୍‌ ଆଦି ଦେଶ ପୁଲ୍‌ୱାମା ଆକ୍ରମଣକୁ ନିନ୍ଦା କରିଥିଲେ । ଅନ୍ୟପକ୍ଷରେ ଆତଙ୍କବାଦୀ ବିରୋଧରେ ପାକିସ୍ତାନ କାର୍ଯ୍ୟାନୁଷ୍ଠାନ ନେଉଛି ବୋଲି ତୁର୍କୀ ଓ ଚୀନ୍‌ ଦାବି କରିଥିଲେ । ଚାରିଆଡୁ ତୀବ୍ର ସମାଲୋଚିତ ହୋଇ ଇମ୍ରାନ୍‌ ସରକାର ଲଜ୍ଜିତ ହୋଇଥିଲା ।

ଏଫ୍‌-୧୬କୁ ମାତ୍‌

ବାଲାକୋଟ୍‌ ଏୟାରଷ୍ଟ୍ରାଇକ୍‌ର ଜବାବ ଦେବା ପାଇଁ ପାକିସ୍ତାନୀ ବାୟୁସେନା ଏଫ୍‌-୧୬ ଯୁଦ୍ଧ ବିମାନ ଧରି ଭାରତ ସୀମା ଅଭିମୁଖେ ଧାଇଁଥିଲା । କିନ୍ତୁ ପୂର୍ବରୁ ସଜାଗ ଥିବା ଭାରତୀୟ ବାୟୁସେନା ଜୋରଦାର ମୁକାବିଲା କରିଥିଲା । ଆମେରିକାର ଶକ୍ତିଶାଳୀ ଏଫ୍‌-୧୬ ଯୁଦ୍ଧ ବିମାନ ପାକିସ୍ତାନ ପାଇଁ କୌଣସି କାମରେ ଆସିନଥିଲା । ଭାରତର ମିଗ୍‌-୨୧ ବିମାନ ଆଗରେ ଏହା ଫିକା ପଡ଼ିଥିଲା । ଏଫ୍‌-୧୬ ବିମାନକୁ ତଡ଼ିବା ପାଇଁ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ମିଗ୍‌-୨୧ ବିମାନ ଧରି ଯାଇଥିଲେ । ଉଭୟଙ୍କ ମଧ୍ୟରେ କିଛି ସମୟ ଧରି ମୁହାଁମୁହିଁ ହେବା ପରେ ଏଫ୍‌-୧୬ ବିମାନ ଧ୍ୱଂସ ହୋଇଯାଇଥିଲା । ଫଳରେ ଅନ୍ୟ ବିମାନଗୁଡ଼ିକ ପଳାଇଥିଲା । କିନ୍ତୁ ମୁକାବିଲା ବେଳେ ଅଭିନନ୍ଦନଙ୍କ ମିଗ୍‌-୨୧ ବିମାନ ପଛପଟେ ନିଆଁ ଲାଗିଯାଇଥିଲା । ଫଳରେ ଜୀବନ ବଞ୍ଚାଇବାକୁ ଯାଇ ପାରାସ୍ୟୁଟ୍‌ ଯୋଗେ ବିମାନରୁ ଖସିଥିଲେ ସେ । କିନ୍ତୁ ଦୁର୍ଭାଗ୍ୟବଶତଃ ସେ ପାକ୍‌ ମାଟିରେ ଖସିପଡ଼ିଥିଲେ ।

ପାକ୍‌ ଜାରି କଲା ଭିଡିଓ

ଏହାପରେ ପାକିସ୍ତାନ ପକ୍ଷରୁ କିଛି ଭିଡିଓ ଓ ଫଟୋ ଜାରି କରାଯାଇଥିଲା । ଏଥିରୁ ଉଦ୍ଧାର ବେଳର ଦୃଶ୍ୟ ଦେଖିବାକୁ ମିଳିଥିଲା । ତେବେ ଅଭିନନ୍ଦନଙ୍କୁ ସାଂଘାତିକ ମାଡ଼ ମରାଯାଇଥିବା କିଛି ରିପୋର୍ଟ ଦର୍ଶାଇଥିଲା । ଆଉ କେତେକ ରିପୋର୍ଟ ଦର୍ଶାଇଥିଲା ଯେ ଅଭିନନ୍ଦନଙ୍କୁ ଜେରା ବେଳେ ପାକ୍‌ ସେନା ତାଙ୍କୁ ନିର୍ଯାତନା ଦେଇଥିଲା । ଖୁବ୍‌ ଜୋରରେ ଶବ୍ଦ ମଧ୍ୟରେ ତାଙ୍କୁ ରଖାଯାଇଥିଲା । ତେବେ ଜେରା ବେଳେ ଅଭିନନ୍ଦନ କେବଳ ତାଙ୍କ ନାମ, ର‌୍ୟାଙ୍କ୍‌ ଏବଂ ହିନ୍ଦୁ ଧର୍ମ ବୋଲି କହିଥିଲେ । ଏହାକୁ ଛାଡ଼ିଦେଲେ ତାଙ୍କ ମୁହଁରୁ ଅଧିକ କିଛି ଓଗାଳି ପାରିନଥିଲେ ପାକ୍‌ ସେନା । ଏହି ସମୟରେ ଅଭିନନ୍ଦନ ଭାରତ ସପକ୍ଷରେ ସ୍ଲୋଗାନ୍‌ ଦେଇଥିଲେ ।

ଦମ୍ଭର ସହ ସାମ୍ନା କଲେ

ଦୁଇଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଲାଗି ରହିବା ସମୟରେ ଅଭିନନ୍ଦନ ପାକ୍‌ ମାଟିରେ ଖସିପଡ଼ିଥିଲେ । ତେଣୁ ଜୀବନ ଯିବାଟା ପ୍ରାୟତଃ ନିଶ୍ଚିତ ଥିଲା । କିନ୍ତୁ ଜୀବନ ପରିବର୍ତ୍ତେ ଦେଶମାତୃକାର ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥିଲେ ସେ । ପାକିସ୍ତାନରେ ଖସିଯିବା ପରେ ତାଙ୍କୁ କିଛି ପିଲା ଘେରିଯାଇଥିଲେ । ଏହା କ’ଣ ଭାରତ ବୋଲି ପଚାରିବାରୁ ଜଣେ ପିଲା ହଁ ବୋଲି କହିଥିଲା । ସନ୍ଦେହ ହେବାରୁ ଭାରତ ସପକ୍ଷରେ ସ୍ଲୋଗାନ୍‌ ଦେଇଥିଲେ ଅଭିନନ୍ଦନ । କିନ୍ତୁ ସେପଟୁ ପାକ୍‌ ସ୍ଲୋଗାନ୍‌ ଆସିଥିଲା । ଏହାପରେ ସେ ଫାଙ୍କା ଗୁଳିଚାଳନା କରି ସେଠାରୁ ଦୌଡ଼ି ପଳାଇବାକୁ ଲାଗିଲେ । ମେରୁଦଣ୍ଡରେ ଭୀଷଣ କ୍ଷତ ହୋଇଥିଲେ ହେଁ ବଳ ଜୁଟାଇ ୫୦୦ ମିଟର ଯାଏଁ ଦୌଡ଼ିଥିଲେ ।

ପାକ୍‌କୁ ଭୁଆଁ ବୁଲାଇଲେ

୫୦୦ ମିଟର ଦୌଡ଼ିବା ପରେ ଏକ ପୋଖରୀ ମଧ୍ୟରେ ପଶିଯାଇଥିଲେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ । ପାଖରେ ଥିବା କିଛି ଦସ୍ତାବିଜକୁ ସେ ନଷ୍ଟ କରିବାକୁ ଲାଗିଥିଲେ । ଏହାକୁ ଚିରି ଖଣ୍ଡ ଖଣ୍ଡ କରି ପାଣିରେ ବୁଡ଼ାଇଥିଲେ । କିଛି କାଗଜକୁ ଗିଳି ପକାଇଥିଲେ । ସେଠାରେ ଉପସ୍ଥିତ କିଛି ଗ୍ରାମବାସୀ ଏହାକୁ ଦେଖି ତାଜୁବ ହୋଇଯାଇଥିଲେ । ଏହାପରେ ତାଙ୍କୁ ମାଡ଼ ମରାଯାଇଥିଲା । ଶେଷରେ ପାକିସ୍ତାନ ସେନା ତାଙ୍କୁ ଉଦ୍ଧାର କରିଥିଲା । ଏହାପରେ ଭାରତର ବୈଦେଶିକ ମନ୍ତ୍ରାଳୟ ଦେଶର ଜଣେ ପାଇଲଟ୍‌ ନିଖୋଜ ଥିବା ସ୍ପଷ୍ଟ କରିଥିଲା ।

ହିରୋ ବନିଗଲେ ଅଭିନନ୍ଦନ

ପାକିସ୍ତାନରୁ ଭାରତ ଫେରିବା ପୂର୍ବରୁ ସମସ୍ତଙ୍କ ପାଇଁ ହିରୋ ବନିସାରିଥିଲେ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ । ପାକିସ୍ତାନରେ ତାଙ୍କ ବୀରତ୍ୱର କାହାଣୀକୁ ନେଇ ସବୁଠି ଚର୍ଚ୍ଚା ହୋଇଥିଲା । ସୋସିଆଲ୍‌ ମିଡିଆରେ ଲୋକମାନେ ତାଙ୍କୁ ଜୋରଦାର ପ୍ରଶଂସା ସହ ତାଙ୍କୁ ନେଇ ଗର୍ବ ଅନୁଭବ କରିଥିଲେ । ପାକିସ୍ତାନ ମାଟିରେ ଦେଶପ୍ରେମର ଦୀପ ପ୍ରଜ୍ୱଳନ କରି ଅଭିନନ୍ଦନ ସମସ୍ତଙ୍କ ହୃଦୟରେ ରାଜ୍‌ କରିଥିଲେ । ତାଙ୍କର ବ୍ୟକ୍ତିତ୍ୱ ଅନେକଙ୍କୁ ପ୍ରଭାବିତ କରିଥିଲା । ଏମିତିକି ତାଙ୍କ ନିଶକୁ ଲୋକମାନେ ନକଲ କରିବାକୁ ଲାଗିଥିଲେ । କିଛି ଲୋକ ‘ଅଭିନନ୍ଦନ କଟ୍‌’ (ଅଭିନନ୍ଦନଙ୍କ ଭଳି ନିଶ)କୁ ଆପଣାଇଥିଲେ । ଅବସରପ୍ରାପ୍ତ ଏୟାର ମାର୍ସଲ ସିଂହକୁଟ୍ଟି ବର୍ଦ୍ଧମାନଙ୍କ ପୁତ୍ର ଅଭିନନ୍ଦନଙ୍କୁ ତାଙ୍କ ସାହସ ଓ ବୀରତ୍ୱ ପାଇଁ ‘ବୀର ଚକ୍ର’ରେ ସମ୍ମାନିତ କରାଯାଇଥିଲା । କିଛିଦିନ ଧରି ବିଶ୍ରାମ ନେବା ପରେ ସେ ପୁଣି ବାୟୁସେନାରେ ସାମିଲ ହୋଇ ପଠାନକୋଟରେ ମିଗ୍‌-୨୧ ବିମାନ ଉଡ଼ାଇଥିଲେ । ସାଙ୍ଗରେ ତତ୍‌କାଳୀନ ବାୟୁସେନା ମୁଖ୍ୟ ବି ଏସ୍‌ ଧନୋଆ ଉଡ଼ିଥିଲେ । ଏହି ଭିଡିଓ ବେଶ୍‌ ଭାଇରାଲ୍‌ ହୋଇଥିଲା ।

ଫେରିଲେ ସୁଯୋଗ୍ୟ ସନ୍ତାନ

ଅଭିନନ୍ଦନଙ୍କୁ ମୁକ୍ତ ନ କରିବା ପାଇଁ ଇସ୍‌ଲାମାବାଦ ହାଇକୋର୍ଟରେ ଏକ ପିଟିସନ ହୋଇଥିଲା । ଏହାକୁ ହାଇକୋର୍ଟ ଖାରଜ କରିଦେଇଥିଲେ । ଏମିତି କି ପାକ୍‌ ସଂସଦର ଏକ ମିଳିତ ବୈଠକରେ ଅଭିନନ୍ଦନଙ୍କୁ ମୁକ୍ତ କରିବା ସପକ୍ଷରେ ମତପ୍ରକାଶ ପାଇଥିଲା । ଶାନ୍ତି ପ୍ରତିଷ୍ଠା ପାଇଁ ପାକ୍‌ ୱିଙ୍ଗ୍‌ କମାଣ୍ଡର ଅଭିନନ୍ଦନଙ୍କୁ ଭାରତକୁ ଫେରାଇ ଦେବ ବୋଲି ପାକିସ୍ତାନ କହିଥିଲା । ଶେଷରେ ମାର୍ଚ୍ଚ ୧ରେ ୱାଘା ନିକଟରେ ଭାରତ-ପାକ୍‌ ସୀମା ଅତିକ୍ରମ କରି ପହଞ୍ଚିଥିଲେ ସେ । ଅଭିନନ୍ଦନଙ୍କ ପାଇଁ ଭାରତ ଗର୍ବିତ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏକ ନିର୍ବାଚନୀ ରାଲିରେ କହିଥିଲେ ।

ସମ୍ବନ୍ଧିତ ଖବର