PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବଲାଙ୍ଗୀର: ରେଳ ଲାଇନରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ନା ଆତ୍ମହତ୍ୟା ନେଇ ସନ୍ଦେହ
  • ||
  • ବଲାଙ୍ଗୀର: କପଡ଼ା ବ୍ୟବସାୟୀଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର, ପରିବାର ପକ୍ଷରୁ ହତ୍ୟା ଅଭିଯୋଗ
  • ||
  • ଲମତାପୁଟରେ ଅଟୋ ସହ ୨ କୁଇଣ୍ଟାଲ ଗଞ୍ଜେଇ ଜବତ, ଜଣେ ଗିରଫ
  • ||
  • ରାଜ୍ୟରେ ସାମନ୍ୟ ହ୍ରାସ ପାଇଲା ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୧୦ ହଜାର ୭୫୭ ଜଣ ପଜିଟିଭ, ୨୨ ଜୀବନ ନେଲା କରୋନା
  • ||
  • ଚୌଦ୍ଵାର : ଟ୍ରକକୁ ପଛ ପଟୁ ପିଟିଲା ସ୍କୁଟି, ମହିଳା ଗୁରୁତର
  • ||
  • ରେଙ୍ଗାଲି : ହାଇୱାରେ ପିଟିହେଲା କାର୍‌ : ମା’ ଝିଅ ମୃତ, ପୁଅ ଗୁରୁତର
  • ||
  • ଭୁବନେଶ୍ୱର : ଆଜି ବସିବ ସର୍ବଦଳୀୟ ବୈଠକ, କୋଭିଡ୍‌ ମୁକାବିଲା ପାଇଁ ସହଯୋଗ ଲୋଡ଼ିବେ ସରକାର
  • ||
  • ଭୁବନେଶ୍ୱର : ଆସନ୍ତା ୪ରୁ ୫ଦିନ ପାଗ ଶୁଖିଲା, ବଢ଼ିବ ତାତି, ଆଜି କାଁ ଭାଁ କିଛି ସ୍ଥାନରେ ସ୍ୱଳ୍ପ ବର୍ଷା ସମ୍ଭାବନା
  • ||
  • ପୁରୀ : ଜୁନ ୧୫ ପର୍ଯ୍ୟନ୍ତ ମହାପ୍ରଭୁଙ୍କ ଦର୍ଶନ ବନ୍ଦ, ପ୍ରଭାବିତ ହେବ ତିନିପର୍ବ
  • ||

୨୦୧୯ ପାଦଚିହ୍ନ: ରାଜଧାନୀରେ ୩୦ ହତ୍ୟା, ୮୫ ଦୁଷ୍କର୍ମ, ଦୁର୍ଘଟଣାରେ ଯାଇଛି ୮୦ ମୁଣ୍ଡ

ହତ୍ୟା, ୨୦୧୯ରେ ହତ୍ୟା, ସିନ୍ଧିଚୋରି, ଲୁଟ୍‌, ଡକାୟତ, ନିଶା ବେପାର ପୂର୍ବ ବର୍ଷର ରେକର୍ଡ ଭାଙ୍ଗି ଅପରାଧ ଉପର ମୁହାଁ ହୋଇଛି । ଅପରାଧୀମାନେ ଅପରାଧର ତରିକା ବଦଳାଇଛନ୍ତି। ପୁଲିସ୍‌କୁ ଖୋଲା ଚ୍ୟାଲେଞ୍ଜ ଦେଇ ଘଟାଇଛନ୍ତି ଅପରାଧ । ଲୁଟେରାଙ୍କ ରାମ୍ପୁଡା ଚିହ୍ନ ବଦନାମ କରିଛି କମିଶନରେଟ୍‌ ପୁଲିସ୍‌କୁ । ଚୋରା ବନ୍ଧୁକ ଓ ବୋମାମାଡ଼ରେ ଥରି ଉଠିଛି ରାଜଧାନୀ। ପତିଆରା ପାଇଁ ହତ୍ୟା ତ’ ଆଉ କେଉଁଠି ନିଶା ବେପାରକୁ ନେଇ ଗଡ଼ିଛି ମୁଣ୍ଡ । ବଳାତ୍କାର କରି ନାବାଳିକାର ଜୀବନ ନେଇଛି ଯୌନ ପିପାସୁ । ଲୁଟେରା ଓ ଡକାୟତମାନେ ସହରବାସୀଙ୍କୁ ନାକେଦମ୍‌ କରିଛନ୍ତି । କିଛି ଘଟଣାରେ ପୁଲିସ୍‌କୁ ସଫଳତା ମିଳିଛି ସତ, ଅନେକ ଲୋମଟାଙ୍କୁରା ଘଟଣା ଉପରୁ ପୁଲିସ୍‌ ଏଯାଏଁ ପରଦା ହଟାଇ ପାରିନି।

ଯାହାକି, ପୁଲିସ୍‌ର ଅପାରଗତାକୁ ଜଳଜଳ ଦେଖାଉଛି । ଅପରାଧୀମାନେ ତରିକା ବଦଳାଇ ପୁଲିସ୍‌ ଠାରୁ ଦୁଇ ପାଦ ଆଗୁଆ ଚାଲୁଛନ୍ତି । ସାଇବର ଅପରାଧୀମାନେ ପୁଲିସ୍‌ ନାକରେ ଷଣ୍ଢୁଆସି ପୂରାଇଛନ୍ତି । ନିଶା ଓ ବନ୍ଧୁକ ବେପାରି ସହରରେ ସେମାନଙ୍କ କାୟା ବିସ୍ତାର କରିଥିଲେ । ରାଜଧାନୀରେ ଚାଲିଥିବା ନିଶା ବେପାର ବଳୟକୁ ଭେଦି ପାରିନି କମିଶନରେଟ ପୁଲିସ୍‌ । ବ୍ରାଉନ୍‌ ସୁଗର ଓ ଗଞ୍ଜେଇ ମାଫିଆମାନେ ଯୁବପିଢ଼ିଙ୍କୁ କରାୟତ୍ତ କରିଛନ୍ତି । ସେପଟେ ସହରବାସୀଙ୍କ ନିକଟତର ହେବାକୁ କମିଶନରେଟ୍‌ ପୁଲିସ୍‌ ଢେର ଉଦ୍ୟମ କରିଛି । ଏସବୁ ଭିତରେ କମିଶରେଟ୍‌ ପୁଲିସର ମୁଖିଆଙ୍କ ବଦଳି ହୋଇଛି । ଖାଲି ସେତିକି ନୁହେଁ ନୂଆ ଯୋଜନା, ନୂଆ ନିୟମ ଓ ନୂଆ ଟେକ୍ନୋଲୋଜିକୁ ନୂଆ ଦିଶା ଦେଖାଇଛନ୍ତି ନୂଆ କମିଶନର ।

ଥାନା ଭିତରେ ପୁଲିସ୍‌କୁ ପିଟିଲେ

ମାର୍ଚ୍ଚ ମାସ ୪ ତାରିଖ ଦିନ କମିଶରେଟ୍‌ ପୁଲିସ୍‌ ଇତିହାସରେ ଏକ ନୂଆ ଘଟଣା ଦେଖିବାକୁ ମିଳିଥିଲା । ପୁଲିସ୍‌ ବ୍ୟବହାର ଖରାପ ଯୋଗୁଁ ଛାତ୍ର ଓ ଅଣଛାତ୍ରମାନେ ସହିଦ୍‌ନଗର ଥାନାରେ ପୁଲିସ୍‌କୁ ଥାନା ଭିତରେ ଗୋଡ଼ାଇ ଗୋଡ଼ାଇ ପିଟିଥିଲେ । ବିଧା ଗୋଇଠା, ତଣ୍ଟିଆ ବି ମାରଥିିଲେ । କାହାର ମୁଣ୍ଡ ଫାଟିଲା ତ’ କାହାର ଗୋଡ଼ ଭାଙ୍ଗିଲା । ଖାଲି ସେତିକି ନୁହେଁ ଟିଭି, ଚେୟାର ଭଙ୍ଗାରୁଜା କରିଥିଲେ । ଏହି ଘଟଣା ସାରାରାଜ୍ୟରେ ଚହଳ ସୃଷ୍ଟି କରିଥିଲା ।

୮୫ ଦୁଷ୍କର୍ମ

ଚଳିତ ବର୍ଷ ନଭେମ୍ବର ଶେଷ ସୁଦ୍ଧା ଭୁବନେଶ୍ୱର ବିଭିନ୍ନ ଥାନାରେ ୮୫ ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଛି । ତନ୍ମଧ୍ୟରୁ ଅଧିକାଂଶ ଘଟଣାର ପୀଡ଼ିତା ନାବାଳିକା ଓ ବସ୍ତି ଅଞ୍ଚଳର । ପୁଲିସ୍‌ ୮୦ ପ୍ରତିଶତ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ହେଲେ ତଦନ୍ତରୁ ଏକ ନୂଆ ଘଟଣା ସାମ୍ନାକୁ ଆସିଥିଲା ଯେ ଗିରଫ ଅଭିଯୁକ୍ତମାନେ ପୀଡ଼ିତାର ସମ୍ପର୍କୀୟ ନହେଲେ ଚିହ୍ନାପରିଚିତ । ତେଲେଙ୍ଗାନା ଗଣବଳାତ୍କାର ଘଟଣା ଭଳି ସବୁଠୁ ଲୋମହର୍ଷଣକାରୀ ଘଟଣା ଥିଲା ଜଟଣୀରେ ନାବାଳିକାକୁ ବଳାତ୍କାର ଓ ହତ୍ୟା । ଜଣେ ୫ ବର୍ଷର ନାବାଳିକାକୁ ବଳାତ୍କାର ପରେ ହତ୍ୟା କରାଯାଇଥିଲା । ଯାହାକୁ ନେଇ ତୀବ୍ର ଉତ୍ତେଜନା ଦେଖାଦେଇଥିଲା । ଏ ଘଟଣାକୁ ପୁଲିସ ରେଡ୍‌ ଫ୍ଲାଗ୍‌ ଭାବେ ଅନ୍ତର୍ଭୁକ୍ତ କରିଥିଲା । ବଢ଼ୁଥିବା ବଳାତ୍କାର ମାତ୍ରା ରୋକିବାକୁ କମିଶନରେଟ୍‌ ପୁଲିସ୍‌ ସଚେତନତା କାର୍ଯ୍ୟକ୍ରମ ହିସାବରେ “ପରୀ’ ଅଭିଯାନକୁ ଏବର୍ଷ ଆଗେଇ ନେଇଥିଲା । ଏଥିରେ ସମ୍ପର୍କୀୟଙ୍କ ଦ୍ୱାରା କରାଯାଉଥିବା ଯୌନ ନିର୍ଯାତନାକୁ ରୋକିବାକୁ ଫୋକସ୍‌ ଦିଆଯାଇଥିଲା । ଲୋକଙ୍କୁ ସଚେତନ କରାଯାଇଥିଲା ।

୩୦ ହତ୍ୟା


ଚଳିତ ବର୍ଷ ଭୁବନେଶ୍ୱର ଓ ଉପକଣ୍ଠରେ ଘଟିଛି ୩୦ଟି ହତ୍ୟା ପତିଆରା ପାଇଁ କିଏ କାହାକୁ ହତ୍ୟା କରିଛି ତ’ କିଏ ପୂର୍ବ ଶତ୍ରୁତାକୁ ନେଇ ମୁଣ୍ଡ ଗଡ଼ାଇଛି । ଏଠି ସମ୍ପତ୍ତି ପାଇଁ ଭାଇ ନେଇଛି ଭାଇର ଜୀବନ । ଏସବୁ ହତ୍ୟାକାଣ୍ଡ ମଧ୍ୟରେ ସବୁଠୁ ଚର୍ଚ୍ଚିତ ହତ୍ୟାକାଣ୍ଡ ହେଉଛି ଖଣ୍ଡଗିରି ବାହଦଲ୍‌ପୁରର ଅନିଲ ଜେନା ଓ ଏୟାରଫିଲ୍ଡ ଥାନା ଅମରେଶ ନାୟକ ହତ୍ୟା ଘଟଣା । ଅମରେଶ ମାମଲାରେ ଅଧା ଅଭିଯୁକ୍ତଙ୍କୁ ପୁଲିସ ଧରିଥିବା ବେଳେ ଅନିଲ୍‌ର ହତ୍ୟାକାରୀଙ୍କ ପତ୍ତା ପାଉନି । ତା’ଛଡ଼ା ମହିଳା ଆଇନଜୀବୀ ଦିପାଳୀଙ୍କ ରହସ୍ୟମୟ ମୃତ୍ୟୁ ଘଟଣା ବେଶ ଚର୍ଚ୍ଚାରେ ଥିଲା ।

ସ୍କୃ ଡ୍ରାଇଭରରେ ଯୁବକଙ୍କୁ ହତ୍ୟା : ମାର୍ଚ୍ଚ ୨ରେ ଖଣ୍ଡଗିରି ଥାନା ପତିତପାବନ ବସ୍ତିର ଶିବଶଙ୍କର ଗଉଡଙ୍କ ପେଟରେ ଅତି ଅମାନୁଷିକ ଭାବେ ସ୍କୃ ଡ୍ରାଇଭର ପୁରାଇ ହତ୍ୟା କରିଥିଲେ କିଛି ଦୁର୍ବୃତ୍ତ । ପୂର୍ବଶତ୍ରୁତାକୁ ନେଇ ଏହି ହତ୍ୟାକାଣ୍ଡ ଘଟିଥିଲା ।

ସିକ୍ୟୁରିଟି ଗାର୍ଡଙ୍କ ଗଳା କାଟି ହତ୍ୟା: ମାର୍ଚ୍ଚ ୨୮ରେ ବାଲିଅନ୍ତା ଥାନା ପାହାଳ ଫାଣ୍ଡି ଅଞ୍ଚଳର ମା’ ଶାରଳା ମାର୍ବଲ୍‌ ଓ ଗ୍ରାନାଇଟ୍‌ ସୋରୁମ୍‌ର ସିକ୍ୟୁରିଟି ଗାର୍ଡ ଗଦାଧର ସ୍ୱାଇଁଙ୍କୁ ଗଳା କାଟି ହତ୍ୟା କରାଯାଇଥିଲା । ପୁଲିସ୍‌ ହତ୍ୟାକାରୀକୁ ଧରିବା ବଦଳରେ କିଛି ଦିନ ପରେ ଏହା ଆତ୍ମହତ୍ୟା ଥିଲା ବୋଲି ସଫେଇ ଦେଇଥିଲା ।

୧୦ ହଜାର ପାଇଁ ଜୀବନ ନେଲେ : ଜୁନ୍‌ ୨ରେ ନୟାପଲ୍ଲୀ ରେଣ୍ଟାଲ୍‌ ମାର୍କେଟ୍‌ରେ ଥିବା ଏକ ଅଟାକଳରେ କାମ କରୁଥିବା ନୟାଗଡ଼ ଜିଲ୍ଳା ଗଣିଆ ଥାନା ବେଲପଡା ପାଟଣା ଗାଁର ଦିଲ୍ଳୀପ ସାହୁଙ୍କୁ ତାଙ୍କ ସହକର୍ମୀ ୧୦ ହଜାର ଟଙ୍କା ପାଇଁ ମାରିଦେଇଥିଲେ ।

ସମ୍ପତ୍ତି ଭାଇ ନେଲା ଜୀବନ: ସମ୍ପତ୍ତି ପାଇଁ ଭାଇ ନେଲା ଭାଇର ଜୀବନ । ଜୁନ୍‌ ୭ରେ ବାଲିଅନ୍ତା ଥାନା ଅଟଳାଗଡ଼ର ପଞ୍ଚମୁଖୀ ଆପାର୍ଟମେଣ୍ଟ ସାମ୍ନାରେ ଲକ୍ଷ୍ମୀସାଗର ଶବରସାହିର ପ୍ରୀତମ ରାଉତରାୟଙ୍କୁ ତାଙ୍କ ବଡ଼ଭାଇ ଖଣ୍ଡାରେ ହାଣି ହତ୍ୟା କଲେ ।

ଯୁବନେତାଙ୍କୁ ପିଟିପିଟି ହତ୍ୟା: ଅକ୍ଟୋବର ୧୩ରେ ନୟାଗଡ଼ ରଣପୁର ଅଞ୍ଚଳର ଭାସ୍କର ପାଇକରାୟଙ୍କ ପୁଅ ଅବକାଶ ପାଇକରାୟଙ୍କୁ ଭିଏସ୍‌ଏସ୍‌ ନଗରଠାରେ ପିଟିପିଟି ହତ୍ୟା କରାଯାଇଥିଲା । ତେବେ ପ୍ରେମ ବିବାହର ସ୍ୱୀକୃତି ପାଇଁ ଆପୋସ ବୁଝାମଣା କରିବା ଲକ୍ଷ୍ୟରେ ପ୍ରେମିକାଙ୍କ ଘରକୁ ଯାଇଥିବା ବେଳେ ଏମିତି ଅଘଟଣ ଘଟିଥିଲା ।

ପତିଆରା ପାଇଁ ପିଟି ପିଟି ମାରିଦେଲେ : ଦୀପାବଳିରେ ଅମାବାସ୍ୟା ରାତିରେ ଏୟାରଫିଲ୍ଡ ଥାନାଠୁ ମାତ୍ର ୧୦୦ ମିଟର ଦୂରରେ ଘଟିଥିଲା ଜଘନ୍ୟ ହତ୍ୟାକାଣ୍ଡ । ପତିଆରା ଜାହିର୍‌ ପାଇଁ ୧୫ରୁ ଅଧିକ ଦୁର୍ବୃତ୍ତ ଅମରେଶ ନାୟକଙ୍କୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ । କାଠଫାଳିଆ ବହ୍ଲାରେ ତାୁଙ୍କ ପିଟି ପିଟି ମାରି ଦେଇଥିଲେ । ସମାନଢ଼ଙ୍ଗରେ ପତିଆରା ପାଇଁ ମଞ୍ଚେଶ୍ୱର ଥାନାର ରଙ୍ଗମାଟିଆ ଗାଁ ଦାଣ୍ଡ ରକ୍ତରଞ୍ଜିତ ହୋଇଥିଲା । ଉକ୍ତ ଗାଁ ତଳ ସାହିର ଦୀପକ ବେହେରା ଓରଫ୍‌ ଲଣ୍ଡାକୁ କିଛି ଦୁର୍ବୃତ୍ତ ଗୋଡାଇ ଗୋଡାଇ ହାଣିଥିଲେ ।

ବ୍ରାଉନ୍‌ ସୁଗର ବେପାର ପାଇଁ ଗୁଳି : ବ୍ରାଉନ୍‌ସୁଗାର୍‌ ବେପାର ପାଇଁ ବି ରାଜଧାନୀରେ ମୁଣ୍ଡ ଗଡ଼ିଥିଲା । ସୋନୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ତଥା ଦୁର୍ଦ୍ଦାନ୍ତ ଅପରାଧୀ ଭରତ ସାହୁ ଓରଫ୍‌ ହାପି ନଭେମ୍ବର ୭ରେ ଖଣ୍ଡଗିରି ଥାନା ଅଧୀନ ବାହଦଲ୍‌ପୁର ଗାଁ ଆତଙ୍କ ଖେଳାଇଥିଲା । ଧଳାଜହର ବେପାରକୁ ବିରୋଧ କରୁଥିବା ଅନିଲ୍‌ ଜେନାଙ୍କୁ ଗୁଳିକରି ହତ୍ୟା କରିଥିଲା ।

ଲଜ୍‌ରେ ବୃଦ୍ଧଙ୍କ ଗଳା କାଟି ଦେଲେ: ନଭେମ୍ବର ୧୮ରେ ରେଳବାଇ ଅବସରପ୍ରାପ୍ତ କର୍ମଚାରୀ ଟି.ବି ରାଓଙ୍କୁ ଷ୍ଟେସନ ବଜାରର ସୁକାନ୍ତି ଡର୍ମିଟୋରିରେ ଲଜ୍‌ରେ କେହି ଦୁର୍ବୃତ୍ତ ଅତି ନିର୍ମମ ଭାବେ ତଣ୍ଟି କାଟି ହତ୍ୟା କରିଥିଲେ ।

ନିଶାବେପାରୀ ତଡି଼ପାର୍‌ ଅଭିଯାନ
ପୂର୍ବବର୍ଷ ଅପେକ୍ଷା ଏବର୍ଷ ନିଶା ବେପାରୀଙ୍କ ବେପାର ଆହୁରି ବଢ଼ିଛି । ୧୧ ମାସ ଭିତରେ ୪ ଶହ ଗ୍ରାମ୍‌ ବ୍ରାଉନ୍‌ ସୁଗର ଓ ୯ କୁଇଣ୍ଟାଲ୍‌ ଗଞ୍ଜେଇ ଜବତ କରିଛି ପୁଲିସ୍‌ । ଇନ୍‌ଫୋସିଟି ଥାନା ଅଞ୍ଚଳର ଏକ ଘରୋଇ ଶିକ୍ଷାନୁଷ୍ଠାନ ଓ ଖଣ୍ଡଗିରି ଅଞ୍ଚଳର ଜଣେ ମେଡିକାଲ୍‌ ଛାତ୍ରଙ୍କ ଜୀବନ ଧଳାଜହର ନେଇଥିଲା । ଯାହାପରେ ପୁଲିସ୍‌ ଚେତିଥିଲା । ବିଏମ୍‌ସି, ବିଡିଏ ସହାୟତାରେ ପୁଲିସ୍‌ ରାଜଧାନୀରୁ ନିଶାବେପାରୀଙ୍କୁ ତଡି଼ପାର୍‌ ଅଭିଯାନ ଆରମ୍ଭ କରିଥିଲା । ଲକ୍ଷ୍ମୀସାଗର ଥାନା ଅଧୀନ ହଳଦିପଡି଼ଆ ବସ୍ତିରୁ ୭ ଜଣ ନିଶା ବେପାରିଙ୍କ ଘର ମାଟିରେ ମିଶାଇଥିଲା । ପରେ ସାଲିଆ ସାହିରେ ମଧ୍ୟ ଆଡ୍ଡା ଜମାଇଥିବା ନିଶାଡିଙ୍କୁ ବି ଟାଗେର୍ଟ କରିଥିଲା ।

ଚର୍ଚ୍ଚାରେ ଲେଡି ଓକିଲଙ୍କ ରହସ୍ୟମୟ ମୃତ୍ୟୁ


ଏବର୍ଷ ସବୁଠୁ ଚର୍ଚ୍ଚାରେ ରହିଥିଲା ଲେଡି ଓକିଲ ଦୀପାଳି ପ୍ରିୟଦର୍ଶିନୀ ଜେନାଙ୍କ ରହସ୍ୟମୟ ମୃତ୍ୟୁ । ଅକ୍ଟୋବର ୨୦ରେ ଲିଙ୍ଗିପୁର ଇନ୍ଦିରା କଲୋନିସ୍ଥିତ ଭଡ଼ାଘରୁ ଧଉଳି ଥାନା ପୁଲିସ ଦୀପାଳିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଥିଲା । ଘଟଣାଦିନ ସନ୍ଧ୍ୟାରେ ଭୁବନେଶ୍ୱର କୋର୍ଟରୁ ହସଖୁସିରେ ଘରକୁ ଫେରିଥିଲେ । ପୁରୁଷବନ୍ଧୁ ବିକ୍ରମ ତାଙ୍କ ସହ ଭଡ଼ାଘରେ କେଇ ଘଣ୍ଟା ସମୟ ବିତାଇଥିଲେ । ହେଲେ ଉଭୟଙ୍କ ମଧ୍ୟରେ ଏମିତି କ’ଣ ହେଲା ଯେ, ଦୀପାଳି ରାତିଅଧରେ ଜୀବନ ହାରିବାକୁ ନିଷ୍ପତ୍ତି ନେଲେ । ତା’ର କାରଣ ଖୋଜିପାଉନି ପୁଲିସ । ୨ ମାସ ଧରି ଫେରାର୍‌ ଥିବା ବିକ୍ରମ୍‌ ଧରାପଡିଲେ ହିଁ ରହସ୍ୟ ହଟିବ ବୋଲି ପୁଲିସ ସଫେଇ ଦେଉଛି ।

୩୬ ଘଣ୍ଟାରେ ୫ ଏନ୍‌କାଉଣ୍ଟର

ଏବର୍ଷ ସବୁଠୁ ଅଧିକ ଆତଙ୍କ ଖେଳାଇଥିଲେ ଲୁଟେରା। ମାର୍ଚ୍ଚରୁ ମେ ଯାଏଁ ମାରାଥନ୍‌ ଲୁଟ୍‌ କରି ପୁଲିସ୍‌କୁ ନାକେଦମ୍‌ କରିଥିଲେ। ଅଗଷ୍ଟ ୪ରେ ପୁଲିସ ଆପଣାଇଥିଲା ‘ସିରିଜ୍‌ ଏନକାଉଣ୍ଟର’ ଫର୍ମୁଲା । ୩୬ ଘଣ୍ଟାରେ ୫ଜଣ ଦୁର୍ଦ୍ଦାନ୍ତ ଅପରାଧୀଙ୍କୁ ଏନ୍‌କାଉଣ୍ଟ କରି ଜଖମ୍‌ କରିଥିଲା। ସେମାନେ ହେଲେ ଦୁର୍ଦ୍ଦାନ୍ତ ଅପରାଧୀ ରବି ରାଓ, ବାଲେଶ୍ୱରର ଅରୁଣ ମଲ୍ଲିକ ଓରଫ୍‌ ପୋଡା଼ ଓ ଆଠଗଡ଼ର ବିବେକାନନ୍ଦ ନାୟକ ଓରଫ୍‌ ବିକି, ସୁପୁନ କବି, ନିଆଳିର ହରେକଷ୍ଣ ସ୍ୱାଇଁ। ଏହାପରେ କିଛି ମାତ୍ରାରେ ଲୁଟ୍‌ କମିିଲା। ସିରିଜ୍‌ ଏନ୍‌କାଉଣ୍ଟର ଭୟରେ ଅନ୍ୟ ଅପରାଧୀ ରାଜଧାନୀ ଛାଡି଼ଥିଲେ। ସବୁଠୁ ବଡ଼ କଥା ହେଲା, ପୁଲିସ୍‌ ଏସବୁ ଅଭିଯୁକ୍ତଙ୍କ ଠାରୁ କୌଣସି ଚୋରି ଜିନିଷ ପାଇନଥିଲା । କେବଳ କିଛି ଚୋରା କାର, ବାଇକ୍‌, ବନ୍ଧୁକ, ବିଭିନ୍ନ ମାରଣାସ୍ତ୍ର, ବୋମା, ମୋବାଇଲ୍‌ ଓ କିଛି ନଗଦ ଟଙ୍କା ଜବତ କରିଥିଲା।

ନିର୍ବାଚନୀ ବିସ୍ଫୋରଣ

ଚଳିତବର୍ଷ ସାଧାରଣ ନିର୍ବାଚନୀ ହିଂସାରୁ ବର୍ତ୍ତିନଥିଲା ରାଜଧାନୀ । ବୋମା ମାଡ଼ରେ କମ୍ପିଥିଲା ସହର ଓ ଉପକଣ୍ଠ । କେତେବେଳେ ଅପରାଜିତା ଷଡ଼ଙ୍ଗୀ ପ୍ରଚାର ଉପରେ ତ’ ଆଉ କେତେବେଳେ ଅନନ୍ତ ନାରାୟଣ ଜେନାଙ୍କ କାର୍‌ ଉପରକୁ। କାହାର ଗାଡ଼ି ଭାଙ୍ଗିଥିଲା ତା’ ଆଉ କିଏ ଖଣ୍ଡିଆ ହୋଇଥିଲା । ଦୀପାବଳିରେ ବାଣଫୁଟା ଭଳି ଯିଏ ଯେଉଁଠି ପାରିଲା ବୋମା ଫିଙ୍ଗିଲା । ଏନେଇ ପୁଲିସ୍‌ ପ୍ରାୟ ୧୦ରୁ ମାମଲା ରୁଜୁ କରିଛି । ହେଲେ ଜଣେ ବି ଅଭିଯୁକ୍ତକୁ ଗିରଫ କରିନି ।

ନୂଆ ମୁଖିଆ

୨୦୧୯ ଅଗଷ୍ଟରେ କମିଶନରେଟ୍‌ ପୁଲିସ୍‌ ମୁଖିଆ ଡ. ସତ୍ୟଜିତ ମହାନ୍ତିଙ୍କ ବଦଳି ହୋଇଥିଲା । ନୂଆ କମିଶନର ଭାବେ ଦାୟିତ୍ୱ ନେଇଥିଲେ ଡ.ସୁଧାଂଶୁ ଷଡଙ୍ଗୀ । ଦାୟିତ୍ୱ ଗ୍ରହଣ କରିବା କ୍ଷଣି ସେ ଟ୍ରାଫିକ୍‌ ଓ ଭିତ୍ତିଭୂମି ସଜାଡି଼ବାରେ ଅଧିକ ଫୋକସ୍‌ ଦେଇଥିଲେ । ଟ୍ୱିନ୍‌ସିଟିରେ ଉଜୁଡି଼ଥିବା ଟ୍ରାଫିକ୍‌କୁ ସଜାଡିବାରେ ତାଙ୍କ ସହ ସାଥ୍‌ ଦେଇଥିଲେ ଟ୍ରାଫିକ୍‌ ଡିସିପି ସାଗରିକା ନାଥ ।

ଡ୍ରୋନ୍‌ ଠାରୁ ଏସ୍‌ପିଓ ପର୍ଯ୍ୟନ୍ତ

ଏବର୍ଷ କମିଶନରେଟ୍‌ ପୁଲିସ୍‌ ଅନେକ ଯୋଜନା ହାତକୁ ନେଇଥିଲା । ପ୍ରଥମେ ‘ଆପୋସ’ (ଅଲ୍‌-ରାଉଣ୍ଡ ପ୍ରମୋଶନ ଅଫ୍‌ ସ୍ପୋର୍ଟ୍ସ ଇନ୍‌ ସ୍ଲମ୍‌ ଆଣ୍ଡ ୟଙ୍ଗ ଆଣ୍ଡ ଜୁଭେନାଇଲ ଏଗେନଷ୍ଟ ନାରକୋଟିକ୍ସ ଆବୁସ୍‌) ଯୋଜନା ଆରମ୍ଭ ହୋଇଥିଲା । ଏ ଯୋଜନା ଜରିଆରେ ବସ୍ତିବାସିନ୍ଦାଙ୍କ ସହ ଆପୋସ ସମ୍ପର୍କ ବାନ୍ଧିି ବସ୍ତିରେ ଘଟୁଥିବା ଅପରାଧିକ କାର୍ଯ୍ୟକଳାପ ରୋକିବାରେ ଲାଗିଛି ପୁଲିସ । ତା’ପରେ ‘ପୁଲିସ ଶିକ୍ଷାର୍ଥୀ ବାହିନୀ’, ଟ୍ରାଫିକ୍‌ ନିୟନ୍ତ୍ରଣ ଓ ଆଇନ୍‌ ଭଙ୍ଗକାରୀଙ୍କୁ ଧରିବାକୁ ସହରରେ ଡ୍ରୋନ୍‌ ଉଡାଇଥିଲା । ‘ସହାୟତା’ ଆପ୍‌ ସହ ମହିଳା ଓ ଯୁବତୀମାନଙ୍କ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦେଇଥିଲା । ଏବେ ବିଭିନ୍ନ ଶିକ୍ଷାନୁଷ୍ଠାନ ଛାତ୍ରୀ ଓ ଘରୋଇ ସଂସ୍ଥାର କର୍ମଚାରୀଙ୍କୁ ଏସ୍‌ପିଓ ଭାବେ ଜଗାଇବାକୁ ଯୋଜନା କରିଛି ପୁଲିସ୍‌ ।

୩୦ ବନ୍ଧୁକ, ୧୦୦ ଗୁଳି

ରାଜଧାନୀରେ ଢ଼େର୍‌ ଜମିଥିଲା ବନ୍ଧୁକ ବେପାର । କିଏ ତିଆରି କରି ବିକୁଥିଲା କିଏ ଚୋରାରେ । ପୁଲିସ୍‌ ୧୧ ମାସ ଭିତରେ ୩୦ ବନ୍ଧୁକ ଓ ୧୦୦ରୁ ଅଧିକ ଗୁଳି ଜବତ କରିଛି । ଏପ୍ରିଲ ୧୫ ରେ ଓୟୁଏଟି କଲୋନିର ଏକ ସରକାରୀ କ୍ୱାର୍ଟର୍ସରୁ ଖଣ୍ଡଗିରି ଥାନା ପୁଲିସ୍‌ ବନ୍ଧୁକ କାରଖାନା ଠାବ କରିଥିଲା । ଏକାବେଳକେ ୧୦ ବନ୍ଧୁକ, ୩୦ ଅଫୁଟା ଗୁଳି ଓ କିଛି ଅଫୁଟା ବୋମା ଓ କଞ୍ଚାମାଲ ସହ ୩ଟି ଅର୍ଦ୍ଧନିର୍ମିତ ବନ୍ଧୁକ ଜବତ କରିଥିଲା । କାରଖାନା ଚଳାଉଥିବା ନୃସିଂହ ନାୟକ ସେଠାରେ ୧୫ ବର୍ଷ ଧରି ବନ୍ଧୁକ ତିଆରି କରି ବିକୁଥିଲା ।

ସମ୍ବନ୍ଧିତ ଖବର