୨୦୨୧ରେ ମହାକାଶକୁ ମାନବ ପଠାଇବ ଭାରତ: କେ ଶିବନ୍‌

ଭୁବନେଶ୍ୱର ୨୨/୯: ୨୦୨୧ ଡିସେମ୍ବର ସୁଦ୍ଧା ମହାକାଶକୁ ମଣିଷ ପଠାଇବ ଭାରତ । ୨୦୨୦ ଡିସେମ୍ବରରେ ‘ଗଗନାୟନ’ର ପ୍ରଥମ ମିଶନ୍‌ ଆରମ୍ଭ ହେବ । ଯାହା ମାନବ ରହିତ ବା ଅନ୍‌ ମ୍ୟାନଡ୍‌ ମିଶନ ହେବ । ଏହି ମିଶନ୍‌ରେ କେବଳ ମହାକାଶ ଯାନ ପଠାଯିବ । କୌଣସି ମହାକାଶଚାରୀ ଯିବେ ନାହିଁ । ପରେ ପୁଣି ୨୦୨୧ ଜୁଲାଇରେ ଦ୍ୱିତୀୟ ଅନ୍‌ ମ୍ୟାନଡ୍‌ ମିଶନ ଅନୁଷ୍ଠିତ ହେବ । ୨୦୨୧ ଡିସେମ୍ବରରେ ଭାରତୀୟ ଜ୍ଞାନ କୌଶଳରେ ନିର୍ମିତ ମହାକାଶଯାନରେ ମହାକାଶଚାରୀ ମଧ୍ୟ ଯିବେ ବୋଲି ଇସ୍ରୋ ଅଧ୍ୟକ୍ଷ ଡ. କେ ଶିବନ୍‌ କହିଛନ୍ତି ।

ଶନିବାର ଇଣ୍ଡିଆନ୍‌ ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍ନୋଲୋଜି (ଆଇଆଇଟି) ଭୁବନେଶ୍ୱରର ଅଷ୍ଟମ ସମାବର୍ତ୍ତନ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଦୀକ୍ଷାନ୍ତ ଅଭିଭାଷଣରେ ଡ. ଶିବନ୍‌ କହିଛନ୍ତି, ଏବେ ଦୈନନ୍ଦିନ ଜୀବନରେ ମହାକାଶ ବିଜ୍ଞାନର ବ୍ୟାପକ ଭୂମିକା ରହିଛି । ଆମେ ବ୍ୟବହାର କରୁଥିବା ମୋବାଇଲଠୁ ଆରମ୍ଭ କରି ବିଭିନ୍ନ ଜ୍ଞାନକୌଶଳକୁ ମହାକାଶରୁ ନିୟନ୍ତ୍ରଣ କରାଯାଉଛି ।

ଚନ୍ଦ୍ରାୟନ-୨ ମିଶନ୍‌ ୯୮% ସଫଳ ହୋଇଛି ବୋଲି ଡ. ଶିବନ୍‌ କହିଛନ୍ତି । ଏ ବାବଦରେ ସୂଚନା ଦେଇ ସେ କହିଛନ୍ତି, ଚନ୍ଦ୍ରାୟନ-୨ର ଅରବିଟର୍‌ ବହୁତ ଭଲ କାମ କରୁଛି । ପ୍ରାଥମିକ ପର୍ଯ୍ୟାୟରେ ଅରବିଟର୍‌ ଆୟୁଷ ୧ ବର୍ଷ ରହିବ ବୋଲି ଆଶା କରାଯାଉଥିଲା । ମାତ୍ର ଏବେ ଏହା ସାଢ଼େ ୭ ବର୍ଷ ପର୍ଯ୍ୟନ୍ତ କାମ କରିବ ବୋଲି ଜଣାପଡ଼ିଛି । ଯାହା ଏକ ଅପୂର୍ବ ସଫଳତା । ଫଳରେ ଆମେ ଆଶାଠୁ ସାଢ଼େ ୭ଗୁଣ ଅଧିକ ଡାଟା ବ୍ୟବହାର କରିପାରିବୁ । ଚନ୍ଦ୍ରାୟନ-୨ ମିଶନ୍‌ରେ କେବଳ ସଫ୍ଟ ଲ୍ୟାଣ୍ଡିଂକୁ ବାଦ୍‌ ଦେଲେ ଅନ୍ୟ ସମସ୍ତ ପ୍ରକ୍ରିୟାରେ ଆମେ ସଫଳ ହୋଇଛୁ ବୋଲି ଡ. ଶିବନ୍‌ କହିଛନ୍ତି । ଇସ୍ରୋରେ ଗବେଷଣା ସମୟରେ ବହୁ ସମୟରେ ବିଫଳତା ତାଙ୍କୁ ରୋକିପାରିନାହିଁ । ବରଂ ବିଫଳତାରୁ ଜ୍ଞାନ ଆହରଣ କରିବାକୁ ଚେଷ୍ଟା କରିଛନ୍ତି । ସେହିପରି ଛାତ୍ରଛାତ୍ରୀମାନେ ଜୀବନରେ ରିସ୍କ୍‌ ନେବା ଉଚିତ୍‌ । ସଫଳତା ପାଇବା ପାଇଁ ରିସ୍କ ନେବାକୁ ସେ ଆହ୍ୱାନ ଦେଇଛନ୍ତି ।

ମହାକାଶ ଜ୍ଞାନ କୌଶଳ ଦେଶର ଦ୍ରୁତ ପ୍ରଗତିରେ ସହାୟକ ହୋଇଥାଏ । ୧୯୬୦ ମସିହାରେ ଭାରତରେ ମହାକାଶ ଗବେଷଣା ବାବଦରେ କହିବା ମାତ୍ରେ ତାହା ଏକ ପ୍ରକାର ପାଗଳାମି ବୋଲି ଧରିନିଆଯାଉଥିଲା । ମାତ୍ର ସେ ସମୟରେ ମଧ୍ୟ ବିକ୍ରମ ସରାଭାଇ ଦେଶର ପ୍ରଗତି ପାଇଁ ମହାକାଶ ଜ୍ଞାନ କୌଶଳ ବୃଦ୍ଧି କରିବା ସମ୍ପର୍କରେ ଚିନ୍ତା କରିଥିଲେ । ଯାହା ଆଜି ବାସ୍ତବରେ ପରିଣତ ହୋଇଛି । ଯେଉଁ ଦେଶଗୁଡ଼ିକ ମହାକାଶ ଗବେଷଣା କରିବା ପାଇଁ ଭାରତ ଆର୍ଥିକ ଭାବେ ସ୍ୱଚ୍ଛଳ ନୁହଁ ବୋଲି ବିଚାର କରୁଛନ୍ତି, ସେମାନେ ଭୁଲ ଭାବୁଛନ୍ତି । ଭାରତ କୃଷି କ୍ଷେତ୍ରରେ ବ୍ୟାପକ ପ୍ରଗତି କରିବା ସହିତ ଖଣିଜ ସମ୍ପଦ ଓ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ । ଆଉ ଯାହା କିଛି ସମସ୍ୟା ରହିଯାଇଛି, ତାହା ସମାଧାନ କରିବା ପାଇଁ ଛାତ୍ରଛାତ୍ରୀମାନେ ଆଗକୁ ଆସିବା ଉଚିତ୍‌ । ଆମର ମୁଖ୍ୟ ସମସ୍ୟା ହେଉଛି ଖାଦ୍ୟାଭାବ । ଯାହାକୁ ଦୂର କରିବା ପାଇଁ ଉନ୍ନତ ମାନର ଗବେଷଣା ଆବଶ୍ୟକ ।ସେହିପରି ସ୍ୱଚ୍ଛ ପାନୀୟ ଜଳ ଯୋଗାଣ ଭଳି ସମସ୍ୟାଗୁଡ଼ିକୁ ଦୂର କରିବା ପାଇଁ ଛାତ୍ରଛାତ୍ରୀମାନେ ଗବେଷଣା କରିବାକୁ ଡ. ଶିବନ୍‌ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି ।

ଆଗାମୀ ଦିନରେ ଆଦିତ୍ୟ ଏଲ୍‌-୧ ମିଶନ୍‌ ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି । ଯାହା ସୂର୍ଯ୍ୟ ବାବଦରେ ଗବେଷଣା କରିବ ବୋଲି କହିଛନ୍ତି । ଭୁବନେଶ୍ୱର ଆଇଆଇଟି କମ୍‌ ଦିନ ମଧ୍ୟରେ ଦ୍ରୁତ ପ୍ରଗତି କରିଛି ବୋଲି ସେ କହିଛନ୍ତି । ଆଇଆଇଟି ସହ ତାଙ୍କର ପୁରୁଣା ସମ୍ପର୍କ ଥିବାରୁ ଭୁବନେଶ୍ୱର ଆଇଆଇଟି ତାଙ୍କୁ ନିଜ ଘର ଭଳି ଲାଗୁଛି ବୋଲି ଡ. ଶିବନ୍‌ କହିଛନ୍ତି । ଏହି ଅବସରରେ ନିର୍ଦ୍ଦେଶକ ପ୍ରଫେସର ରତ୍ନମ୍‌ ବରଦା ରାଜକୁମାର ସ୍ୱାଗତ ଭାଷଣ ଦେବା ସହିତ ଭୁବନେଶ୍ୱର ଆଇଆଇଟିର ପ୍ରଗତି ସମ୍ପର୍କରେ ରିପୋର୍ଟ ପ୍ରଦାନ କରିଥିଲେ ।

ଭୁବନେଶ୍ୱର ଆଇଆଇଟି ବୋର୍ଡ଼ ଅଫ୍‌ ଗଭର୍ଣ୍ଣରର୍ସର ଅଧ୍ୟକ୍ଷ ଭି.କେ. ତିୱାରି ୪ ବର୍ଷ ମଧ୍ୟରେ ହୋଇଥିବା ଦ୍ରୁତ ପ୍ରଗତି ବାବଦରେ କହିବା ସହିତ ଏହାର ଶ୍ରେୟ ନିର୍ଦ୍ଦେଶକ ପ୍ରଫେସର ରାଜକୁମାରଙ୍କୁ ଦେଇଛନ୍ତି । ଏହି ଅବସରରେ ୩୫୬ଜଣଙ୍କୁ ଡିଗ୍ରୀ ପ୍ରଦାନ କରାଯାଇଥିଲା । ୩୨ଜଣଙ୍କୁ ପିଏଚଡି, ୧୦୫ଜଣଙ୍କୁ ଏମ୍‌.ଟେକ୍‌, ୬୭ଜଣଙ୍କୁ ଏମ୍‌ଏସ୍‌ସି ଓ ୧୫୨ ଜଣ ବିଟେକ୍‌ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ଦିଆଯାଇଥିଲା । ବିଟେକ୍‌ କମ୍ପ୍ୟୁଟର୍‌ ସାଇନ୍ସ ଆଣ୍ଡ ଇଞ୍ଜିନିୟରିଂ ବିଭାଗର ସର୍ବଶ୍ରେଷ୍ଠ ଛାତ୍ର ଶ୍ରୋହନ ମହାପାତ୍ରଙ୍କୁ ରାଷ୍ଟ୍ରପତି ସ୍ୱର୍ଣ୍ଣପଦକ, ଏମ୍‌ଟେକ୍‌ ବିଭାଗର ସର୍ବଶ୍ରେଷ୍ଠ ଛାତ୍ର ରାହୁଲ ଦାସ ଓ ଏମ୍‌ଏସ୍‌ସି ବିଭାଗର ସର୍ବଶ୍ରେଷ୍ଠ ଛାତ୍ର ଅନୁଭବ ନାଥ୍‌ଙ୍କୁ ନିର୍ଦ୍ଦେଶକ ସ୍ୱର୍ଣ୍ଣ ପଦକ ଦିଆଯାଇଥିଲା ।

ସେହିପରି ବିଭାଗର ସର୍ବଶ୍ରେଷ୍ଠ ଛାତ୍ରମାନଙ୍କୁ ଇନଷ୍ଟିଚ୍ୟୁଟ୍‌ ରୌପ୍ୟ ପଦକ (ସିଲଭର୍‌ ମେଡାଲ୍‌) ଦିଆଯାଇଛି । ବିଟେକ୍‌ର ଶ୍ରୋହନ ମହାପାତ୍ର, ଗୋନୁଗୁନ୍ତଳା ନୀହାରିକା, ଇନ୍ଦିରା ସିଂ ଧକାର, ଗୌରବ ବିଶାଲ୍‌, ଚୌଧୁରୀ ହୃଷିକେଶ ଉମେଶ, ଏମଟେକ୍‌ର ରାହୁଲ ଦାସ, ଅଭିଶେକ ପରିଡ଼ା, ଶ୍ରୀଜା ମୁଖାର୍ଜୀ, ଅନନ୍ତ ଦତ୍ତ, ପି. ଅଭିଶେକ ଓ ସ୍ପନ୍ଦନ ଦେଙ୍କୁ ରୌପ୍ୟ ପଦକ ଦିଆଯାଇଥିଲା । ଏମଏସ୍‌ସି ପାସ୍‌ କରିଥିବା ଅନୁଭବ ନାଥ, ଶର୍ମିଷ୍ଠା ଦେ, କୌଶିକ ନାଗେଶ୍ୱର ଜୟଶ୍ୱାଲ ଓ ସୁଜୟ ନନ୍ଦିଙ୍କୁ ମଧ୍ୟ ରୌପ୍ୟ ପଦକ ଦିଆଯାଇଥିଲା ।

   ସମ୍ବନ୍ଧିତ ଖବର


ED ସ୍କାନରରେ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କ ପୁଅ

ଇମ୍ରାନ୍‌ଙ୍କୁ ଝଟକା : ପୂର୍ବଭଳି ଗ୍ରେ ଲିଷ୍ଟରେ ପାକିସ୍ତାନ, FATF କହିଲା…

୬ ବର୍ଷ ବୟସରେ ଇନ୍ସପେକ୍ଟର ! ସମ୍ଭାଳିଲେ ଏହି ଦାୟିତ୍ୱ

ଭାରତକୁ କ’ଣ ପାଇଁ ଆସିଥିଲା ଗିରଫ ହୋଇଥିବା ଚୀନ୍‌ ସୈନିକ? ତା ପାଖରୁ ସେନାକୁ ମିଳିଥିଲା ସ୍ଲିପିଙ୍ଗ୍‌ ବ୍ୟାଗ୍‌ ଓ ଷ୍ଟୋରେଜ ଡିଭାଇସ୍

ନିଟ୍ ପରୀକ୍ଷାରେ ସୋଆ ଆଇ.ଏଚ୍‌.ଏସ୍‌.ଇ ର ଛାତ୍ରଛାତ୍ରୀଙ୍କ ସଫଳତା

୯ ମାସ ହେଲା ଗାଏବ କିମ୍‌ ଜୋଙ୍ଗ ଉନ୍‌ଙ୍କ ପତ୍ନୀ : ଏମିତି ଚାଲିଛି ଗୁଜବ !