ରାଜ୍ୟରେ ୨୩ ଦିନରେ ବଢ଼ିଲେ ୧୦୧ ଆକ୍ରାନ୍ତ, କରୋନା ସଂକ୍ରମଣ ବଢ଼ାଉଛନ୍ତି ବଙ୍ଗ ଫେରନ୍ତା

ଭୁବନେଶ୍ୱର ୦୧/୫: ଏପ୍ରିଲ୍‌ ୮ ତାରିଖରେ ରାଜ୍ୟରେ ଥିଲେ ୪୨ ଆକ୍ରାନ୍ତ । ଆଜି ଏ ସଂଖ୍ୟା ୧୪୩ ହୋଇଛି । ଅର୍ଥାତ ମାତ୍ର ୨୩ ଦିନରେ ରାଜ୍ୟରେ ୧୦୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ହିସାବ କହୁଛି, ମାର୍ଚ୍ଚ ୧୫ରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ୍‌ ଚିହ୍ନଟ ହୋଇଥିଲେ । ୧ରୁ ୧୦୦ ଛୁଇଁବାକୁ ସେତେବେଳେ ୪୨ ଦିନ ଲାଗିଥିଲା । ତେବେ ୪୨ରୁ ୧୪୨ ହେବାକୁ ମାତ୍ର ୨୩ ଦିନ ଲାଗିଛି । କରୋନା ଉଠିଥିବା ଏହି ଗ୍ରାଫ୍‌ ଦର୍ଶାଇ ଦେଉଛି ରାଜ୍ୟରେ ସଂକ୍ରମଣ କେମିତି ବିପଜ୍ଜନକ ଭାବେ ବୃଦ୍ଧି ପାଉଛି ।

ଆଜି ସକାଳୁ ସକାଳୁ ବାଲେଶ୍ବର ଜିଲ୍ଳାରୁ ପୁଣି ଜଣେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି ।ଶୁକ୍ରବାର ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମିଶାଇ ବାଲେଶ୍ବର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୦କୁ ବୃଦ୍ଧି ପାଇଛି। ଚିହ୍ନଟ ଆକ୍ରାନ୍ତଙ୍କ ବୟସ ୫୮ବର୍ଷ ଏବଂ ସେ ପୁରୁଷ ବୋଲି ଜଣାପଡିଛି ।

ସେହିପରି ଗତକାଳି ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ରାଜ୍ୟରୁ । ସମସ୍ତ ଆକ୍ରାନ୍ତଙ୍କ ଘର ଯାଜପୁରରେ । ଯାଜପୁର, ଏବେ କରୋନା ନୂଆ ହଟ୍‌ସ୍ପଟ ପାଲଟିଛି । ଜିଲ୍ଲାରୁ ୧୭ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୧୭ ଜଣଙ୍କୁ ରାତିରେ ଭୁବନେଶ୍ୱରସ୍ଥିତ ସମ୍‌ କୋଭିଡ୍‌ ହସ୍ପିଟାଲକୁସ୍ଥାନାନ୍ତରିତ କରାଯାଇଛି । ଆକ୍ରାନ୍ତ ଚିହ୍ନଟ ପରେ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬ରେ ପହଞ୍ଚିଛି । ରାଜ୍ୟରେ ଦ୍ୱିତୀୟ ସର୍ବାଧିକ କରୋନା ପଜିଟିଭ୍‌ ଏହି ଜିଲ୍ଲାରୁ ଚିହ୍ନଟ ହୋଇଛି । କେବଳ ଖୋର୍ଦ୍ଧା ଜିଲ୍ଲାରେ ୪୭ ଚିହ୍ନଟ ହୋଇଥିଲେ ।

ଗତକାଲି ସକାଳେ ଚିହ୍ନଟ ୩ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସକାଳେ ଟ୍ୱିଟ୍‌ କରାଯାଇଥିଲା । ଏଥିରେ ୧୮ ବର୍ଷର ଯୁବତୀ, ୫୬ ବର୍ଷର ପୁରୁଷ ଓ ୬୫ ବର୍ଷର ପୁରୁଷ ରହିଥିଲେ । ଏ ସମସ୍ତେ କଲିକତା ଫେରନ୍ତାଙ୍କ ସଂସ୍ପର୍ଶରେ ଆସିଥିଲେ ।

ଅପରାହ୍ନରେ ସରକାରଙ୍କ ଟ୍ୱିଟ୍‌ ସମସ୍ତଙ୍କ ନିଦ ହଜାଇ ଦେଇଛି । ଜିଲ୍ଲାରୁ ଏକାଥରକେ ୧୪ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସ୍ପଷ୍ଟ କରାଯାଇଛି । ଚିହ୍ନଟଙ୍କ ମଧ୍ୟରେ ୮୫ ବର୍ଷର ବୃଦ୍ଧା, ୩ ବର୍ଷର ଶିଶୁପୁତ୍ର, ୩ ବର୍ଷର ଶିଶୁ କନ୍ୟା ରହିଛନ୍ତି।

ଗୁରୁବାର ଯାଜପୁରରୁ ଚିହ୍ନଟ ସବୁ ଆକ୍ରାନ୍ତଙ୍କ ଘର ଦଶରଥପୁର ବ୍ଲକ୍‌ କଟିକଟା ପଞ୍ଚାୟତରେ । ପୂର୍ବରୁ ପଶ୍ଚିମବଙ୍ଗରୁ ଫେରିଥିବା ୬ ଜଣଙ୍କ ଠାରେ କରୋନା ଚିହ୍ନଟ ହୋଇଥିଲା । ଏହା ପରେ ପଞ୍ଚାୟତକୁ କଣ୍ଟେନମେଣ୍ଟ ଜୋନ୍‌ରେ ନିଆଯାଇଥିଲା । କଣ୍ଟେନମେଣ୍ଟ ଜୋନ୍‌ରେ ହୋମ୍‌ ସର୍ଭିଲାନ୍ସ ବେଳେ ଏହି ନୂଆ ୧୭ ଜଣଙ୍କୁ ଚିହ୍ନଟ କରାଯାଇଛି । ଏହି ଅଞ୍ଚଳରେ ମୋଟ୍‌ ୨୬୯ ଘର ରହିଛି । ଏଥିରୁ ୨୦୦ରୁ ଅଧିକ ଲୋକଙ୍କ ନମୁନା ସଂଗ୍ରହ ହୋଇଥିବା ବେଳେ ବାକି ଲୋକଙ୍କ ନମୁନା ସଂଗ୍ରହ ଚାଲିଛି । ତେବେ କଣ୍ଟେନମେଣ୍ଟ ଜୋନ୍‌ରୁ ଏ ସମସ୍ତ ଆକ୍ରାନ୍ତ ଚିହ୍ନଟ ହେଉଥିବାରୁ ଭୟ କରିବାର ନାହିଁ ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗର ସଚିବ ସଞ୍ଜୟ ସିଂହ ଆଶ୍ୱାସନା ଦେଇ କହିଛନ୍ତି ।
ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି,

ଆଜି ସୁଦ୍ଧା ୩୪,୧୩୩ ଟି ନମୁନା ପରୀକ୍ଷା ହୋଇଛି । ଏଥିରୁ ୧୪୩ଟି ନମୁନା ପଜିଟିଭ୍‌ ଆସିଛି । ଏଥିରୁ ୪୧ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ଜୀବନ ଯାଇଛି । ତେବେ ୧୦୧ ଜଣ ଏବେ ବି ବିଭିନ୍ନ କୋଭିଡ୍‌ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ଗତକାଲି ରାତିରେ ସ୍ୱାସ୍ଥ୍ୟବିଭାଗ ଟ୍ୱିଟ୍‌ କରି ଜଣାଇଛି ରାଉରକେଲାର ୨ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଜାରି ମ୍ୟାପ୍‌ରେ ୯ ଜିଲ୍ଲା ଖୋର୍ଦ୍ଧା, ଯାଜପୁର, ସୁନ୍ଦରଗଡ଼, ଝାରସୁଗୁଡ଼ା, ଦେବଗଡ଼, ବାଲେଶ୍ୱର, ଭଦ୍ରକ, କୋରାପୁଟ୍‌ ଓ କେନ୍ଦୁଝର ଜିଲ୍ଲା ରେଡ୍‌ ଜୋନ୍‌ରେ ରହିଛି । କଟକ, କେନ୍ଦ୍ରାପଡା, ଢେଙ୍କାନାଳ ଓ ପୁରୀ ଅରେଞ୍ଜ ଜୋନ୍‌ରେ ରହିଛି । ବାକି ୧୭ ଜିଲ୍ଲା ଗ୍ରୀନ୍‌ ଜୋନ୍‌ରେ ରହିଛି ।

ଏ ପଟେ ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଜିଲ୍ଲା ସ୍ଥିତି ବିଗୁଡୁଥିବା ଦେଖି ତତ୍ପର ହୋଇପଡିଛି ସ୍ୱାସ୍ଥ୍ୟ ବିଭାଗ । ତିନୋଟି ଟିମ୍‌ ଏହି ୩ ଜିଲ୍ଲାକୁ ପଠାଯାଇଛି । ଏମ୍‌ସ ଭୁବନେଶ୍ୱରର ୨ଟି ର‌୍ୟାପିଡ ରେସପନ୍ସ ଟିମ୍‌ ବାଲେଶ୍ୱର ଓ ଭଦ୍ରକକୁ ପଠାଯାଇଛି । ଟିମ୍‌ ୨ ଜିଲ୍ଲାରେ ସର୍ଭିଲାନ୍ସ ସିଷ୍ଟମକୁ ଅଧିକ ସୁଦୃଢ କରିବା ସହ କ୍ଲଷ୍ଟର କଣ୍ଟେନମେଣ୍ଟ ଆକ୍ଟିଭିଟି ସମ୍ପର୍କରେ ତଦାରଖ କରିବେ ।

   ସମ୍ବନ୍ଧିତ ଖବର


ଉଦୟଗିରିରୁ ୭ ଫୁଟର ଅଜଗର ଉଦ୍ଧାର

ଦିଲ୍ଲୀପ ରାୟଙ୍କୁ ମିଳିଲା ଜାମିନ୍, ସିବିଆଇ କୋର୍ଟ ଦେଇଥିଲେ ୩ ବର୍ଷର ଜେଲ ଦଣ୍ଡାଦେଶ

ମଦ କାଉଣ୍ଟର ପରିସରରେ ଦୁଇ ଜଣ ଚାଷୀଙ୍କୁ ପଥର ଓ ବାଡ଼ିରେ ଆକ୍ରମଣ କଲେ ମଦ୍ୟପ: ଚାଷୀ ଗୁରୁତର, ୪ ଯୁବକ ଅଟକ

ଦୋହା ବିମାନ ବନ୍ଦରରେ ହଙ୍ଗାମା: ମହିଳାଙ୍କ କପଡା ଖୋଲି ଯାଞ୍ଚ କଲେ ଅଧିକାରୀ, ଜାଣନ୍ତୁ କ’ଣ ଥିଲା ପୁରା ଘଟଣା

ଦରମା ମାଗିବାରୁ ସେଲସମ୍ୟାନକୁ ଜୀଅନ୍ତା ଜାଳିଦେଲା ମଦ ଭାଟି ମାଲିକ

ଶିକ୍ଷକଙ୍କୁ କଚାଡି ମାରିଲା ହାତୀ