ଏହି ନେତାଙ୍କ ବିରୋଧରେ ରହିଛି ୨୪୨ଟି ଅପରାଧିକ ମାମଲା

ନୂଆଦିଲ୍ଲୀ,୨୧।୪: କେରଳର ପଟ୍ଟାନାମିଟ୍ଟା ଲୋକସଭା ଆସନରୁ ବିଜେପି ପକ୍ଷରୁ କେ ସୁରେନ୍ଦ୍ରନଙ୍କୁ ନିଜର ପ୍ରାର୍ଥୀ କରାଯାଇଛି। ସବୁଠାରୁ ବଡ କଥା ହେଉଛି ସୁରେନ୍ଦ୍ରନଙ୍କ ନାମରେ ରହିଛି ୨୪୨ଟି ଅପରାଧିକ ମାମଲା, ଏହା ଭିତରୁ ୨୨୨ଟି ମାମଲା କେବଳ ସବରିମାଳା ସମ୍ପର୍କିତ ରହିଛି। ଏ ସମ୍ପର୍କରେ ବିଜେପିର ମୁଖପତ୍ର ଜନ୍ମଭୂମିରେ ଏହି ଅପରାଧିକ ମାମଲାର ସୂଚନା ଦିଆଯାଇଛି। ଯେଉଁଥିପାଇଁ ୪ ପେଜ୍ ଲାଗି ଯାଇଥିଲା। ଦଳକୁ ନିଜର ଟିଭି ଚ୍ୟାନେଲ ଜନମ ଟିଭିରେ ସୁରେନ୍ଦ୍ରନଙ୍କ ଅପରାଧିକ ମାମଲାର ସୂଚନା ଦେବାପାଇଁ ୬୦ ସେକେଣ୍ଡ ଲାଗିଥିଲା। ତେବେ ଅନ୍ୟ ପ୍ରାର୍ଥୀଙ୍କ ସମ୍ପର୍କରେ ସୂଚନା ଦେବାକୁ ମାତ୍ର ୭ ସେକେଣ୍ଡ ଲାଗିଥିଲା।
ଦଳୀୟ ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ କୌଣସି ଅଲଗା ଖବର କାଗଜରେ କେବଳ ଏକ ସଂସ୍କରଣରେ ତାଙ୍କର ତଥ୍ୟ ସମ୍ପର୍କରେ ବିଜ୍ଞାପନ ଯଦି ଦିଆଯାଇଥାନ୍ତା ତେବେ ୬୦ ଲକ୍ଷ ଟଙ୍କାର ଖର୍ଚ୍ଚ ଆସିଥାନ୍ତା। ଟିଭିରେ ଏହା ଠାରୁ ଅଧିକ ଖର୍ଚ୍ଚ ଆସିଥାନ୍ତା। ନିର୍ବାଚନ କମିଶନ୍ ପ୍ରାର୍ଥୀଙ୍କୁ ନିର୍ଦେଶ ଦେଇଛନ୍ତି ଯେ, ସେମାନେ ତାଙ୍କ ବିରୋଧରେ ବିଚାରଧୀନ ଥିବା ମାମଲା ସମ୍ପର୍କରେ ପ୍ରିଣ୍ଟ ଓ ଟିଭିରେ ୩ ଥର ବିଜ୍ଞାପନ ଦିଅନ୍ତୁ।
ନିର୍ବାଚନ କମିଶନଙ୍କ ଏହି ନିର୍ଦେଶ ଅନୁସାରେ ସୁରେନ୍ଦ୍ରନ ବିଜ୍ଞାପନ ଦେଇଥିଲେ। ଦଳୀୟ ମୁଖପତ୍ରରେ ତାଙ୍କ ବିରୋଧରେ ଥିବା ବିଚାରଧୀନ ମାମଲାର ସୂଚନା ଦେବାକୁ ଲାଗିଯାଇଥିଲା ୪ ପୃଷ୍ଠା, ସେଭଳି ଟିଭିରେ ୧ ମିନିଟ୍ ସମୟ ଲାଗିଥିଲା। କେରଳ ବିଜେପି ମୁଖପାତ୍ର ଏମଏସ୍ କୁମାର କହିଛନ୍ତି, ସବରିମାଳାକୁ ନେଇ ସୁରେନ୍ଦ୍ରନଙ୍କ ବିରୋଧରେ ରୁଜୁ କରାଯାଇଥିବା ମାମଲା ଆଇନର ପରିସରରେ ନଥିଲା। କିଛି ମାମଲା ନିର୍ବାଚନ ପୂର୍ବରୁ ରୁଜୁ କରାଯାଇଥାଏ। ଏହା ଫଳରେ ତାଙ୍କ ପାଖରେ ନିର୍ବାଚନ ଲଢିବାକୁ ପର୍ଯ୍ୟାପ୍ତ ସମୟ ମିଳିବ ନାହିଁ।
ସବରିମାଳା ଆନ୍ଦୋଳନକୁ ନେଇ ଗତ ବର୍ଷ ଡିସେମ୍ବରରେ ସୁରେନ୍ଦ୍ରନ ପ୍ରାୟ ୨୨ ଦିନ ଜେଲରେ ଥିଲେ। ପ୍ରଥମେ ସେ ୩୦ ମାର୍ଚ୍ଚରେ ନିଜର ନାମାଙ୍କନ ପତ୍ର ଦାଖଲ କରିଥିଲେ ଓ କହିଥିଲେ ତାଙ୍କ ବିରୋଧରେ ୨୦ଟି ମାମଲା ରୁଜୁ ହୋଇଛି। ଯଦିଓ ପରେ ସେ ରାଜ୍ୟ ସରକାରଙ୍କୁ ୨୯ ମାର୍ଚ୍ଚରେ ଦେଇଥିବା ଶପଥପତ୍ରରେ କହିଥିଲେ ତାଙ୍କ ବିରୋଧରେ ୨୪୦ରୁ ଅଧିକ ମାମଲା ରୁଜୁ କରାଯାଇଛି। ଏହା ପରେ ତାଙ୍କୁ ଆଉଥରେ ନାମାଙ୍କନ ପତ୍ର ଦାଖଲ କରିବାକୁ ପଡିଥିଲା।