ଏଣିକି ୨୪ ଘଣ୍ଟିଆ ଟିକାକରଣ: ସୁବିଧା ଅନୁସାରେ ଟିକା ନେବେ ହିତାଧିକାରୀ, ଡୋଜ୍ ନେବା ପାଇଁ ରହିବନି ସମୟର ବାଧା

ନୂଆଦିଲ୍ଲୀ,୦୪/୦୩: କୋଭିଡ୍ ଟିକାର ଡୋଜ୍ ନେବା ପାଇଁ ଆଉ ସମୟର ପ୍ରତିବନ୍ଧକ ରହିବ ନାହିଁ । ହିତାଧିକାରୀମାନେ ଯେବେ ଚାହିଁବେ ନିଜ ସୁବିଧା ଅନୁସାରେ ହସ୍ପିଟାଲ ଯାଇ ଡୋଜ୍ ନେଇପାରିବେ । ଭୂତାଣୁ ବିରୋଧରେ ଅସ୍ତ୍ର ଶାଣିତ କରିବାକୁ ଯାଇ କେନ୍ଦ୍ର ସରକାର ହସ୍ପିଟାଲଗୁଡ଼ିକୁ ୨୪ ଘଣ୍ଟିଆ ଟିକାକରଣ ପାଇଁ ଅନୁମତି ଦେଇଛନ୍ତି ।
କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷ ବର୍ଦ୍ଧନ ବୁଧବାର ଟ୍ୱିଟ୍ କରି ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦେଶରେ କୋଭିଡ୍ ଟିକାକରଣ ଅଭିଯାନକୁ ତ୍ୱରାନ୍ୱିତ କରିବା ପାଇଁ ସରକାର ସମୟର ବାଧାକୁ ସମାପ୍ତ କରିଛନ୍ତି । ଦେଶର ନାଗରିକମାନେ ଏଣିକି ସୁବିଧା ଅନୁସାରେ ଟିକା ନେଇପାରିବେ । ଏ ଅଭିଯାନ ୨୪ ଘଣ୍ଟିଆ ଚାଲିବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନାଗରିକଙ୍କ ସ୍ୱାସ୍ଥ୍ୟ ସହିତ ସେମାନଙ୍କ ସମୟର ମୂଲ୍ୟ ମଧ୍ୟ ଭଲ ଭାବେ ବୁଝନ୍ତି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
सरकार ने #vaccination की रफ़्तार बढ़ाने के लिए समय की बाध्यता समाप्त कर दी है। देश के नागरिक अब 24×7अपनी सुविधानुसार टीका लगवा सकते हैं।
— Dr Harsh Vardhan (@drharshvardhan) March 3, 2021
PM श्री @narendramodi जी देश के नागरिकों के स्वास्थ्य के साथ-साथ उनके समय की कीमत बखूबी समझते हैं।#VaccineAppropriateBehavior pic.twitter.com/cpKVlXurvL
ଗତ ସୋମବାର ଦେଶବ୍ୟାପୀ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ଆରମ୍ଭ ହୋଇଛି । ବରିଷ୍ଠ ନାଗରିକ ଏବଂ ଦୁରାରୋଗରେ ପୀଡ଼ିତ ୪୫ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କ ପାଇଁ ଏହି ପର୍ଯ୍ୟାୟରେ ଟିକା ଉପଲବ୍ଧ ହୋଇଛି । ପାଖାପାଖି ୨୭ କୋଟି ଲୋକ ଏଥିରେ ଟିକା ନେବେ । ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟ କର୍ମୀ ଏବଂ ଫ୍ରଣ୍ଟଲାଇନ୍ କର୍ମଚାରୀଙ୍କ ପାଇଁ ଟିକା ଉପଲବ୍ଧ ହୋଇଥିଲା । ତେବେ ଦ୍ୱିତୀୟ ପର୍ଯ୍ୟାୟରେ ଅଧିକ ସଂଖ୍ୟକ ଲୋକ ଟିକା ନେବାକୁ ଥିବାରୁ ଅଭିଯାନ ଆହୁରି ଦ୍ରୁତ କରିବା ପାଇଁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ।
କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକ୍ରମେ ମଙ୍ଗଳବାର ଆୟୁଷ୍ମାନ ଭାରତ, ସିଜିଏଚ୍ଏସ୍ ଏବଂ ରାଜ୍ୟ ସ୍କିମ୍ରେ ଅନୁବନ୍ଧିତ ହୋଇ ନ ଥିବା ଘରୋଇ ହସ୍ପିଟାଲଗୁଡ଼ିକୁ କରୋନା ଟିକା ପରିଚାଳନା ନିମନ୍ତେ ଅନୁମତି ଦେଇଥିଲେ । ଫଳରେ ଅଭିଯାନ ଜୋରଦାର ହୋଇଛି । ଅଭିଯାନର ୪୬ତମ ଦିନ ସୁଦ୍ଧା ମୋଟ ୧,୫୬,୨୦,୭୪୯ ଡୋଜ୍ ଦିଆଯାଇ ସାରିଲାଣି ।
ସରକାରଙ୍କ ସୂଚନା ମୁତାବକ ଦେଶରେ ଟିକାକରଣ ପରିଚାଳନା ପାଇଁ ୬୦ଟି ପ୍ରମୁଖ ବିତରଣ ପଏଣ୍ଟ ବ୍ୟବସ୍ଥା କରାଯାଇଛି । ଏଠାରୁ ଅନ୍ୟ ସ୍ଥାନକୁ ଟିକା ବିତରଣ କରାଯାଉଛି । ରାଜ୍ୟଗୁଡ଼ିକୁ ଉଭୟ ସରକାରୀ ଓ ତମାମ ଘରୋଇ ହସ୍ପିଟାଲକୁ ବ୍ୟବହାର କରି ଟିକାକରଣ ଅଭିଯାନକୁ ସଫଳ କରିବାକୁ କୁହାଯାଇଛି ।ଅନ୍ୟପକ୍ଷରେ ଭାରତ ବାୟୋଟେକ୍ ଦ୍ୱାରା ପ୍ରସ୍ତୁତ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ୍ର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସଫଳ ହୋଇଛି । ଟିକାଟି କରୋନା ଭୂତାଣୁ ଉପରେ ୮୧% ପ୍ରଭାବୀ ବୋଲି ଜଣାପଡ଼ିଛି । ଏମିତି କି ଭୂତାଣୁର ଅନ୍ୟ ଷ୍ଟ୍ରେନ୍ଗୁଡ଼ିକ ଉପରେ ମଧ୍ୟ ଏହା ପ୍ରଭାବୀ ବୋଲି କମ୍ପାନି ପକ୍ଷରୁ ଘୋଷଣା କରାଯାଇଛି ।
ଏ ନେଇ ଆଇସିଏମ୍ଆର୍ ମହାନିର୍ଦ୍ଦେଶକ ଡ. ବଳରାମ ଭାର୍ଗବ କହିଛନ୍ତି, ୮ ମାସରୁ କମ୍ ସମୟ ମଧ୍ୟରେ ସ୍ୱଦେଶୀ କରୋନା ଟିକା କୋଭାକ୍ସିନ୍ ପ୍ରସ୍ତୁତ କରାଯାଇଛି । ଏହା ଭୂତାଣୁ ଉପରେ ପ୍ରଭାବୀ ପ୍ରମାଣିତ ହୋଇଛି। ଆତ୍ମନିର୍ଭର ଭାରତର ସାମର୍ଥ୍ୟକୁ ଏହା ପ୍ରତିପାଦିତ କରୁଛି । ଏକ ନିରପେକ୍ଷ ଡାଟା ସେଫ୍ଟି ଏବଂ ମନିଟରିଂ ବୋର୍ଡ ପକ୍ଷରୁ ଟିକାର ମୂଲ୍ୟାୟନ କରାଯାଇଥିଲା । ବିଭିନ୍ନ ବୟସ ବର୍ଗରେ ଏବଂ ବିଭିନ୍ନ ଷ୍ଟ୍ରେନ୍ କ୍ଷେତ୍ରରେ ଟିକାଟି ନିରାପଦ ଓ ପ୍ରଭାବୀ ପ୍ରମାଣିତ ହୋଇଛି । ଭୂତାଣୁ ଉପରେ ଟିକାର ଅନ୍ତରୀଣ କ୍ଲିନିକାଲ ପ୍ରଭାବ ୮୧% ବୋଲି ଭାରତ ବାୟୋଟେକ୍ ପକ୍ଷରୁ କୁହାଯାଇଛି । ଭାରତ ବାୟୋଟେକ୍ ଓ ଆଇସିଏମ୍ଆର୍ ମିଶି ଏହାକୁ ପ୍ରସ୍ତୁତ କରିଛନ୍ତି ।