
ଭୁବନେଶ୍ବର ୧୪/୦୧: ଚୋରି ଆଉ ନାରୀ । ଏଥିରୁ କୌଣସି ଗୋଟିଏରେ ବି ପଛୁଆ ନଥିଲା । ଏହି ୨ ବେଆଇନ୍ ପନ୍ଥାକୁ ପେସା ଆଉ ନିଶା ଭାବେ ବାଛି ନେଇଥିଲା । ଅର୍ଥାତ ଲୋକଙ୍କଠୁ ଲୁଟ୍ ସାମଗ୍ରୀ ଗିଫ୍ଟ ଆକାରରେ ଧରାଇ ଯୁବତୀମାନଙ୍କୁ ଫସାଉ ଥିଲା । ୨୦୨୦ ଜୁଲାଇରେ ନୟାପଲ୍ଲୀ ଏନ୍-୪ର ତୁଳସୀ ମିଶ୍ର (୭୦)ଙ୍କୁ ଲୁଟ୍ ପରେ ହତ୍ୟା ଘଟଣାରେ ଅଭିଯୁକ୍ତ ନାରୁ ଓରଫ୍ ନାରାୟଣଙ୍କ ଏମିତି ରଙ୍ଗିଲାପଣ ଚର୍ଚ୍ଚାର ବିଷୟ ପାଲଟିଛି । କ୍ରାଇମ୍ ରେକର୍ଡରେ ୨୬ ମାମଲା ଝୁଲୁଛି । ସେପଟେ ନାରୁର ୨୫ ଗାର୍ଲଫ୍ରେଣ୍ଡ ଖବର ସମସ୍ତଙ୍କୁ ଚକିତ କରିଛି ।
ନାରୁର କ୍ରାଇମ୍ କ୍ୟାରିୟର୍
୪ ବର୍ଷ ତଳେ ଗଞ୍ଜାମ ପୋଲସରାରୁ ରାଜଧାନୀକୁ ଆସିଥିଲା ନାରୁ । ଷ୍ଟେସନ୍ରେ ଓହ୍ଲାଇବା ପରେ ମାଷ୍ଟରକ୍ୟାଣ୍ଟିନ ଅଞ୍ଚଳରେ କାମଧନ୍ଧା ଖୋଜିବା ଆରମ୍ଭ କଲା । କିଛି ସମୟ ପରେ ପହଞ୍ଚିଲା ୟୁକୋ ବ୍ୟାଙ୍କ ତଳ ‘ହକ୍ର ପଏଣ୍ଟ’ରେ । ପ୍ରଥମେ କିଛି ଦିନ ପେପର ହକର୍ ଭାବେ କାମ କରିଥିଲା । ପରେ ପଇସା ସଞ୍ଚି ଷ୍ଟେସନ ରାସ୍ତା କଡ଼ରେ ଠେଲା ଗାଡ଼ିରେ ଚା’ ଦୋକାନ ଖୋଲିଲା । ଦୋକାନରେ ଭଲ ବେପାର ହେଲା । ବେଶ ଦୁଇ ପଇସା ରୋଜଗାର ବି କଲା । କିନ୍ତୁ ରାଜଧାନୀ ହାୱା ବାଜିଥିବା ନାରୁ ପାଇଁ କଷ୍ଟ ଉପାର୍ଜିତ ଟଙ୍କା ନିଅଣ୍ଟ ପଡୁଥିଲା । ଷ୍ଟେସନ କଡ଼ରେ ଥିବା ମାଳିସାହିର କିଛି ଦେହ ଦଲାଲ ତା’ ଦୋକାନରେ ଭୋର ବେଳା ଖଟି କରୁଥିଲେ । ସେମାନଙ୍କ ସହ ସମ୍ପର୍କ ବଢ଼ାଇ ସେ ମାଳିସାହି ଆଡ଼େ ମୁହାଁଇଲା । ସେଠୁ ଆରମ୍ଭ ହେଲା ନାରୁର ‘କ୍ରାଇମ୍ କ୍ୟାରିୟର’ । ଦେହଜୀବୀଙ୍କ ସହ ମିଳାମିଶା ପରେ ଦେହ ବେପାର କରିବାକୁ ମନ ବଳାଇ ଥିଲା । ଚା’ ଦୋକାନ ସହ ସେକ୍ସ ର୍ୟାକେଟ୍ରେ ମାତିଥିଲା । କୋଲକାତା ସୁନାଗାଛିରୁ ସୁନ୍ଦରୀ ତରୁଣୀଙ୍କୁ ଭଡ଼ାସୂତ୍ରରେ ଏଠାକୁ ଆଣି ବେପାରରେ ଲଗାଇ ଥିଲା ।
ଏଥିରୁ ରାତିକେ ହଜାର ହଜାର ଟଙ୍କା ରୋଜଗାର କରିଥିଲା । ତେବେ ଏତିକିରେ ସେ ସନ୍ତୁଷ୍ଟ ନଥିଲା । ଟ୍ରେନ୍ ଯାତ୍ରୀ ଓ ମର୍ଣ୍ଣିଂ ୱାକ୍ରେ ଯାଉଥିବା ଲୋକଙ୍କଠାରୁ ଲୁଟ୍ପାଟ୍ ଆରମ୍ଭ କରିଥିଲା । ଟଙ୍କା ମାୟାରେ ପଡ଼ିଥିବା ନାରୁ ଏହାପରେ ଡ୍ରଗ୍ସ ଦୁନିଆରେ ପାଦ ଥାପିଲା । ଗଞ୍ଜେଇ, ବ୍ରାଉନ୍ସୁଗର ବେପାରରେ ବି ହାତ ମାରିଲା । କିନ୍ତୁ ଲକ୍ଡାଉନ୍, ସଟ୍ଡାଉନ୍ ଯୋଗୁଁ ନାରୁର ସବୁ ବେଆଇନ୍ ବେପାରରେ ତାଲା ଝୁଲିଥିଲା । ଶେଷରେ ପୂର୍ବରୁ ଶିଖିଥିବା ଲୁଟ୍ପାଟ୍ ଅଧ୍ୟାୟକୁ ଜୋର୍ ଦେଲା । ଭୋର୍ ୪ଟାରୁ ସହରର ଗଳିକନ୍ଦିରେ ବୁଲୁଥିଲା । ଫୁଲ ତୋଳିବାକୁ ଉଠୁଥିବା ବରିଷ୍ଠ ନାଗରିକ ଓ ମର୍ଣ୍ଣିଂ ୱାକ୍ କରୁଥିବା ମହିଳାମାନଙ୍କୁ ଟାର୍ଗେଟ୍ କରୁଥିଲା । ସୁଯୋଗ ଉଣ୍ଡି ସୁନା ଚେନ୍, ମୁଦି, ମୋବାଇଲ୍ ଲୁଟି ଧାଇଁ ପଳାଉ ଥିଲା । ଲକ୍ଡାଉନ୍ ଓ ସଟ୍ଡାଉନ୍ରେ ବ୍ୟସ୍ତ ରହୁଥିବା ପୁଲିସର ଢିଲା ପାଟ୍ରୋଲିଂ ନାରୁର ଏମିତି ଲୁଟ୍ପାଟ୍ ପାଇଁ ସୁଯୋଗ ଯୋଗାଉ ଥିଲା । ଅଗଷ୍ଟ ୮ ତାରିଖରେ ଖଣ୍ଡଗିରି ଥାନା ଅନ୍ତର୍ଗତ ବରମୁଣ୍ଡାରେ ଜଣଙ୍କୁ ହାଣି ଲୁଟ୍ ମାମଲାରେ ନାରୁକୁ ସ୍ପେଶାଲ ସ୍କ୍ୱାଡ୍ ଧରିଥିଲା ।
ଚା’ ଦୋକାନରେ ଯୋଜନା
ରେଳଷ୍ଟେସନ ପାଖ ଚା’ ଦୋକାନରେ ଭୋର୍ ୪ଟା ବେଳୁ ଗ୍ରାହକଙ୍କ ଭିଡ଼ ଜମୁଥିଲା । ବିଶେଷକରି ଟ୍ରେନ୍ ଯାତ୍ରୀମାନେ ଚା’ ପିଉଥିଲେ । ଟ୍ରେନ୍ରେ କଷ୍ଟସାଧ୍ୟ ଯାତ୍ରା ପରେ ପ୍ରାୟତଃ ଯାତ୍ରୀ କ୍ଲାନ୍ତ ହୋଇଯାଆନ୍ତି । ଯାହାର ଫାଇଦା ଉଠାଉ ଥିଲା ନାରୁ । କଥା ଛଳରେ ସେମାନଙ୍କ ଗନ୍ତବ୍ୟସ୍ଥଳର ଠିକଣା ପଚାରୁ ଥିଲା । ଅନ୍ୟଜଣେ ସହଯୋଗୀଙ୍କୁ ଚା’ ଦୋକାନ ସମ୍ଭାଳିବାକୁ ଛାଡି ଦେଇ ଯାତ୍ରୀଙ୍କ ପିଛା କରୁଥିଲା । ନିଛାଟିଆ ରାସ୍ତା କିମ୍ବା ଗଳିକନ୍ଦି ଦେଖି ସେମାନଙ୍କୁ ଲୁଟ୍ପାଟ୍ କରି ଖସି ପଳାଉଥିଲା ।
କେମିତି ପ୍ରେମଜାଲରେ ଫସାଉ ଥିଲା?
ନାରୁ କିଛି ଫେକ୍ ନାଁ ବ୍ୟବହାର କରି ଫେସ୍ବୁକ୍ ଆକାଉଣ୍ଟ ଖୋଲିଥିଲା । ତା’ ସହ ଅନ୍ୟ ଡେଟିଂ ଆପ୍ରେ ସବୁବେଳେ ସକ୍ରିୟ ରହୁଥିଲା । ଫେସ୍ବୁକ୍ ପ୍ରୋଫାଇଲ୍ରେ ପୋଷ୍ଟ କରୁଥିବା ଫଟୋ ଓ ଅନ୍ୟ ଷ୍ଟାଟସ୍ରେ ସମ୍ଭ୍ରାନ୍ତ ଶ୍ରେଣୀୟ ପରିବାର ଭଳି ଚାଲିଚଳନର ଛାପ ରହୁଥିଲା । ଯାହାକୁ ଦେଖି ଯୁବତୀମାନେ ଆକୃଷ୍ଟ ହେଉଥିଲେ । ଅନ୍ଲାଇନ୍ ପ୍ଲାଟ୍ଫର୍ମରେ ପ୍ରଥମେ ସେମାନଙ୍କ ସହ କଥା ହୋଇ ସମ୍ପର୍କ ବଢ଼ାଉ ଥିଲା । ପରେ ଯୁବତୀଙ୍କୁ ଦାମୀ ରେସ୍ତୋରାଁକୁ ଦେଖା ହେବାକୁ ଡାକୁଥିଲା । ପ୍ରଥମ ଦେଖାରେ ସେ ଦାମୀ ଗିଫ୍ଟ ନେଇକି ଆସୁଥିଲା । ଏମିତି ଦାମୀ ଗିଫ୍ଟ ପାଇ ଯୁବତୀମାନଙ୍କ ମନରେ ନାରୁ ପ୍ରତି ଦୁର୍ବଳତା ଜାଗି ଉଠୁଥିଲା । ପରେ ମିଛ ପ୍ରତାରଣା, ମିଛ ବାହାନା ଦେଖାଇ ସେମାନଙ୍କୁ ପ୍ରେମ ଜାଲ୍ରେ ଫସାଉ ଥିଲା । ପୁଲିସ୍ ସୂଚନା ଦେଇଛି ଯେ, ଦୀର୍ଘ ଦିନ ଧରି ପ୍ରେମ ସମ୍ପର୍କରେ ରହିବା ପରେ କିଛି ଯୁବତୀଙ୍କୁ ନାରୁର ଅପରାଧ କାର୍ଯ୍ୟକଳାପ ସମ୍ପର୍କରେ ସୁରାକ୍ ମିଳୁଥିଲା । ଯେଉଁଥିପାଇଁ ସେମାନେ ନାରୁଠାରୁ ଦୂରେଇ ଯାଉଥିଲେ ।
ପୁଲିସ୍ ବିଭାଗରୁ ୨ ପ୍ରେମିକା
ନାରୁ ପ୍ରେମିକା ତାଲିକାରେ ୨ଜଣ ପୁଲିସ୍ ବିଭାଗର ଅଛନ୍ତି । ପେଶାଦାର ଲୁଟେରାକୁ ଧରିବା ବଦଳରେ ଦୁଇଜଣ ମହିଳା ପୁଲିସ୍ ତା’ ପ୍ରେମରେ ପଡି ଯାଇଥିଲେ । ଜଣେ କନଷ୍ଟେବଳ ର୍ୟାଙ୍କର ଥିବା ବେଳେ ଅନ୍ୟ ଜଣେ ହାବିଲ୍ଦାର ବୋଲି ସୂଚନା ମିଳିଛି । ଜଣେ କମିଶନରେଟ୍ ପୁଲିସର ହୋଇଥିବା ବେଳେ ଅନ୍ୟ ଜଣେ ଆର୍ମଡ୍ ଫୋର୍ସର । ତେବେ ନାରୁ ଲୁଟ୍ କରିଥିବା ସାମଗ୍ରୀ ଏହି ୨ ପୁଲିସ୍ ବାବୁଆଣୀଙ୍କୁ ଗିଫ୍ଟ କରିଛି କି ନାହିଁ, ସେନେଇ କିଛି ସ୍ପଷ୍ଟ ସୂଚନା ମିଳିନାହିଁ ।
ଯାଜପୁର ପ୍ରେମିକାକୁ ବାହା ହୋଇଥିଲା
ଅନେକ ଯୁବତୀଙ୍କୁ ନାରୁ ପ୍ରେମ ଜାଲରେ ଫସାଇଥିଲା ସତ, କିନ୍ତୁ ଏମାନଙ୍କ ମଧ୍ୟରେ ତା’ର ସବୁଠୁ ପ୍ରିୟ ଥିଲା ଯାଜପୁର ଅଞ୍ଚଳର ଶାନ୍ତି (ଛଦ୍ମନାମ) । ଦୀର୍ଘଦିନର ପ୍ରେମ ସମ୍ପର୍କ ପରେ ତାଙ୍କୁ କୋର୍ଟରେ ରେଜିଷ୍ଟ୍ରି ମ୍ୟାରେଜ୍ କରିଥିଲା । ବିବାହ ପରେ ତାଙ୍କୁ ଭରତପୁରସ୍ଥିତ ଭଡ଼ା ଘରେ ରଖିଥିଲା । ଅନେକ ସମୟରେ ଲୁଟ୍ପାଟ୍ ସୁନା ଚେନ୍ ଦେଉଥିଲା । ଅଗଷ୍ଟ ୮ରେ ଯେତେବେଳେ ନାରୁକୁ ପୁଲିସ୍ ଗିରଫ କରିଥିଲା, ସେତେବେଳେ ଡରି ଯାଇଥିଲେ ଶାନ୍ତି । ଭରତପୁର ଭଡ଼ାଘର ଛାଡି଼ ନିଜ ଗାଁକୁ ପଳାଇ ଥିଲେ । ଏବେ ପୁଲିସ ତାଙ୍କୁ ଧରିବା ପରେ ତାଙ୍କଠୁ ଲୁଟ୍ ହୋଇଥିବା ଏକ ସୁନା ଚେନ୍ ଜବତ କରିଛି । ତେବେ ସୁନା ଚେନ୍ଟି ଲୁଟ୍ପାଟ୍ ବେଳର କି ନୁହେଁ, ତାହା ଜାଣିନଥିବା ଶାନ୍ତି ପୁଲିସ ସାମ୍ନାରେ କହିଛନ୍ତି । ଏମିତିକି ନାରୁର ଅପରାଧ କାର୍ଯ୍ୟକଳାପ ସମ୍ପର୍କରେ ସେ ଅଜ୍ଞ ଥିବା ପୁଲିସକୁ ସୂଚନା ଦେଇଛନ୍ତି ।