ଓଡ଼ିଆଣୀ ପ୍ରତିଯୋଗିତାର ଦ୍ୱିତୀୟ ଦିବସ, ବେସର ତିଅଣରେ ମହକିଲା ଏକାମ୍ରହାଟ

ଭୁବନେଶ୍ୱର,୧୦ା୪(ବ୍ୟୁରୋ): ବେସର ତିଅଣରେ ମହକୁଥିଲା ଏକାମ୍ରହାଟ । ଓଡ଼ିଆଣୀଙ୍କ ହୁଳହୁଳିରେ ଫାଟି ପଡ଼ୁଥିଲା ଚଉଦିଗ । ଅବସର ଥିଲା ସଂଭାବନା ପକ୍ଷରୁ ଚତୁର୍ଦ୍ଦଶ ବର୍ଷ ପାଇଁ ଆୟୋଜିତ ଶ୍ରେଷ୍ଠ ଓଡ଼ିଆଣୀ ପ୍ରତିଯୋଗିତା ଉଦ୍ଯାପନୀ ଉତ୍ସବର ଦ୍ୱିତୀୟ ସନ୍ଧ୍ୟା । ସଂଭାବନାର ଅଧ୍ୟକ୍ଷ ଶରତ ଚନ୍ଦ୍ର ଭଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସନ୍ଧ୍ୟାରେ ଅତିଥି ଭାବେ ଯୋଗଦେଇଥିଲେ ସାହିତ୍ୟିକା ହିରଣ୍ମୟୀ ମିଶ୍ର, ଐତିହାସିକ ଡ. ଅମିୟ କୁମାର ମହାନ୍ତି ଓ କସ୍ତୁରିକା ପଟ୍ଟନାୟକ, ୨୦୧୮ର ଶ୍ରେଷ୍ଠ ଓଡ଼ିଆଣୀ ଚନ୍ଦ୍ରପ୍ରଭା ଦାସ ଓ ସଂଭାବନାର ପରିଚାଳନା ଟ୍ରଷ୍ଟି ଦେବ ପ୍ରସାଦ ପରିଜା । ସଂଭାବନାର ଟ୍ରଷ୍ଟି ସ୍ମୃତି ମହାନ୍ତି ପ୍ରାରମ୍ଭିକ ସୂଚନା ପ୍ରଦାନ ପରେ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଏହି ଅବସରରେ ଓଡ଼ିଆ ସୁଗମ ସଙ୍ଗୀତ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ଶିଶୁ କିଶୋରମାନେ ସୁମଧୁର ଓଡ଼ିଆ ସଙ୍ଗୀତ ପରିବେଷଣ କରିଥିଲେ ।
ବିଚାରକ ଭାବେ ଉପସ୍ଥିତ ଥିଲେ ଡ. ସଚ୍ଚିକାନ୍ତ ନାୟକ ଓ ସଙ୍ଗୀତାଞ୍ଜଳି ନନ୍ଦ । ସେହିଭଳି ବିଚାରକ ଭାବେ ଯୋଗଦେଇ ଓଡ଼ିଆ ତିଅଣ କ୍ରମରେ ବେସରର ମୂଲ୍ୟାୟନ କରୁଥିଲେ ଆର୍ଯ୍ୟା ପାଣିଗ୍ରାହୀ, ପ୍ରକାଶ ଚନ୍ଦ୍ର ତ୍ରିପାଠୀ ଓ ସୁଶାନ୍ତ ରଞ୍ଜନ ଚଇନି । କାର୍ଯ୍ୟକ୍ରମକୁ ସଂଭାବନାର ସଦସ୍ୟ ରାଜଶ୍ରୀ ଶତପଥୀ, ପ୍ରଫୁଲ୍ଲ ଦେ, ସତ୍ୟବ୍ରତ ମହାପାତ୍ର, ଗୁରୁ ପ୍ରସାଦ ଦାସ, ଅଭିରାମ ସାହୁ, ଶଶୀପ୍ରଭା ଦାସ ପ୍ରମୁଖ ପରିଚାଳନା କରିଥିଲେ । ଆସନ୍ତାକାଲି ଓଡ଼ିଆଣୀଙ୍କ ମଧ୍ୟରେ ଝୋଟି ଓ ପାନଭଙ୍ଗା ପ୍ରତିଯୋଗିତା ଏବଂ ଶିଶୁ କିଶୋରଙ୍କ ମଧ୍ୟରେ ବକ୍ତୃତା ଓ ଶ୍ରୁତ ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।