୨୭୯ ପ୍ରାର୍ଥୀଙ୍କ ଭାଗ୍ୟ ଲିଖନ ଆଜି, ୫ ଲୋକସଭା ଓ ୩୫ ବିଧାନସଭା ପାଇଁ ଭୋଟ୍

ଭୁବନେଶ୍ୱର,୧୭ା୪(ବ୍ୟୁରୋ): କଳ, ବଳ ଆଉ କୌଶଳ ଖଟେଇ ସାରିଛନ୍ତି । ଭୋଟର୍ ସନ୍ତୁଷ୍ଟୀକରଣ ବି ସରିଛି । ଏବେ କେବଳ ଭାଗ୍ୟକୁ ଭରସା । ଦ୍ୱିତୀୟ ପର୍ଯ୍ୟାୟର ୨୭୯ ପ୍ରାର୍ଥୀଙ୍କ ମଧ୍ୟରେ ଆସନ୍ତାକାଲି ହେବ ଭାଗ୍ୟ ଲଢ଼େଇ । ସମସ୍ତଙ୍କ ଛାତି ଧଡ଼ଧଡ଼ । ଭୋଟରଙ୍କୁ ମନେଇବା ପାଇଁ କାଣିଚାଏ ବି ସୁଯୋଗ ଛାଡ଼ିବାକୁ ଚାହୁଁନାହାନ୍ତି ପ୍ରାର୍ଥୀ । ଆଜି ବିଳମ୍ବିତ ରାତି ଯାଏଁ ବିନା ପୁସିଙ୍ଗ୍ କାର୍ଡ, ପତାକାରେ ବୁଲିଛନ୍ତି । କିଏ ହାତରେ ମହାପ୍ରଭୁଙ୍କ ନିର୍ମାଲ୍ୟ ତୁଳସୀ ଧରିଛି ତ’ ଆଉ କିଏ ପୀର ବୁଖାରୀ ବାବାଙ୍କ ଚାଦର ଛୁଆଁଉଛି ।
ଏପଟେ ସବୁ ବୁଥ୍ରେ ଚୂଡ଼ାନ୍ତ ପ୍ରସ୍ତୁତି ଚାଲିଛି । ପୋଲିଂ ଟିମ୍ ବୁଥ୍ରେ ପହଞ୍ଚି ପ୍ରାକ୍ ପ୍ରସ୍ତୁତିରେ ଶେଷ ସ୍ପର୍ଶ ଦେଉଛନ୍ତି । ସମସ୍ତ ୯,୧୧୭ ବୁଥ୍ରେ ଇଭିଏମ୍ ସହ ଭିଭିପାଟ୍ ମେସିନ୍ ଖଞ୍ଜା ସରିଯାଇଛି । ସକାଳ ୭ଟାରୁ ମତଦାନ ଆରମ୍ଭ ହେବାର ଦେଢ଼ ଘଣ୍ଟା ପୂର୍ବରୁ ସବୁ ଦଳର ଏଜେଣ୍ଟଙ୍କ ଉପସ୍ଥିତିରେ ମକ୍ ପୋଲ୍ ହେବ । ତା’ ପରେ ଆରମ୍ଭ ହୋଇଯିବ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ।
ଏ ପର୍ଯ୍ୟାୟରେ ବଲାଙ୍ଗୀର, କନ୍ଧମାଳ, ଆସ୍କା, ବରଗଡ଼ ଓ ସୁନ୍ଦରଗଡ଼ ଭଳି ୫ ଲୋକସଭା ଆସନ ଓ ସେଗୁଡ଼ିକ ଅନ୍ତର୍ଗତ ୩୫ ବିଧାନସଭା ଆସନ ପାଇଁ ଭୋଟ୍ ହେବ । ଲୋକସଭା ଆସନଗୁଡ଼ିକ ପାଇଁ ନିର୍ବାଚନ ଲଢ଼ୁଥିବା ୩୫ ପ୍ରାର୍ଥୀଙ୍କ ମଧ୍ୟରେ ୩୦ ଜଣ ପୁରୁଷ ଓ ୫ ଜଣ ମହିଳା ରହିଛନ୍ତି । ସେହିଭଳି ୩୫ଟି ବିଧାନସଭା ହାତେଇବାକୁ ୨୪୪ ଜଣ ପ୍ରାର୍ଥୀ ମଇଦାନରେ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି । ଏ ପ୍ରାର୍ଥୀଙ୍କ ମଧ୍ୟରେ ୨୧୯ ଜଣ ପୁରୁଷ ଓ ୨୫ ଜଣ ମହିଳା ରହିଛନ୍ତି ।
ଓଡ଼ିଶା ମୁଖ୍ୟ ନିର୍ବାଚନ ଅଧିକାରୀ (ସିଇଓ) ସୁରେନ୍ଦ୍ର କୁମାରଙ୍କ ସୂଚନା ମୁତାବକ, ଦ୍ୱିତୀୟ ପର୍ଯ୍ୟାୟରେ ୭୬,୯୩,୧୨୩ ଜଣ ଭୋଟର ପ୍ରାର୍ଥୀଙ୍କ ଭାଗ୍ୟ ଲେଖିବେ । ଭୋଟରଙ୍କ ମଧ୍ୟରେ ୩୯,୪୫,୦୨୫ ଜଣ ପୁରୁଷ ଭୋଟର ଥିବା ବେଳେ ୩୭,୪୭,୪୯୩ ଜଣ ମହିଳା ଓ ୬୦୫ ଜଣ ତୃତୀୟଲିଙ୍ଗୀ ଭୋଟର । କାଲି ୬,୨୨,୭୪୪ ଜଣ ଭୋଟର (୧୮-୨୨ ବର୍ଷ ବୟସ ବର୍ଗର) ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ମତଦାନ କରିବେ । ସେମାନଙ୍କ ମଧ୍ୟରେ ୧୮ରୁ ୧୯ ବର୍ଷ ବର୍ଗରେ ୧,୭୭,୨୫୫ ଜଣ ଭୋଟର ଅଛନ୍ତି ।
ଏହି ନିର୍ବାଚନ ପାଇଁ ମୋଟ୍ ୯,୧୧୭ଟି ବୁଥ୍ ଖୋଲାଯାଇଛି । ବୁଥ୍ଗୁଡ଼ିକରେ ମୋଟ୍ ୬୦,୩୯୩ ଜଣ ପୋଲିଂ ଅଧିକାରୀଙ୍କୁ ନିୟୋଜନ କରାଯାଇଛି । ସେମାନଙ୍କ ମଧ୍ୟରେ ୫୭,୫୬୮ ଜଣ ପୁରୁଷ ଓ ୨,୮୨୫ ଜଣ ମହିଳା ଅଧିକାରୀ । ପୋଲିଂ ଟିମ୍ ଓ ପୋଲିଂ ସାମଗ୍ରୀ ପରିବହନ ପାଇଁ ୮,୬୩୭ଟି ଗାଡ଼ି ନିୟୋଜନ ହୋଇଛି । ଏଥର ୩୫ଟି ସମ୍ପୂର୍ଣ୍ଣ ମହିଳା ପୁଲିଂ ବୁଥ୍ ଖୋଲାଯାଇଛି । ଏହି ପୁଲିଂ ବୁଥ୍ଗୁଡ଼ିକରେ ସମସ୍ତ ଅଧିକାରୀ ମହିଳା ରହିଛନ୍ତି । ପ୍ରତି ବିଧାନସଭା ମଣ୍ଡଳୀରେ ଅତି କମ୍ରେ ଗୋଟିଏ ଲେଖାଏଁ ଏଭଳି ବୁଥ୍ ସ୍ଥାପନ କରାଯାଇଛି । ଅପରପକ୍ଷରେ ଏହି ମତଦାନ ବେଳେ ଗୋଟିଏ ସମ୍ପୂର୍ଣ୍ଣ ଦିବ୍ୟାଙ୍ଗ ବୁଥ୍ ସ୍ଥାପନ ହୋଇଛି, ଯାହାର ସମସ୍ତ ପୁଲିଂ ଅଫିସର ଦିବ୍ୟାଙ୍ଗ ବୋଲି ଶ୍ରୀ କୁମାର ସୂଚନା ଦେଇଛନ୍ତି ।
ପ୍ରଥମ ପର୍ଯ୍ୟାୟ ଭୋଟ୍ ବେଳେ ଭୋଟରଙ୍କୁ ଖରାରେ ବହୁ ସମୟ ଧାଡ଼ିରେ ଛିଡ଼ା ହେବାକୁ ପଡ଼ିଥିବା ଖବର ଆସିଥିଲା । ଏହାକୁ ଦୃଷ୍ଟିରେ ରଖି ଏଥର ସବୁ ପୋଲିଂ ବୁଥ୍ରେ ତମ୍ବୁ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାଛଡ଼ା ଭୋଟରଙ୍କ ବସିବା ପାଇଁ ଚୌକି ବ୍ୟବସ୍ଥା ବି କରାଯାଇଥିବା ସିଇଓ ସୂଚନା ଦେଇଛନ୍ତି । ଶ୍ରୀ କୁମାର କହିଛନ୍ତି, ଦ୍ୱିତୀୟ ପର୍ଯ୍ୟାୟରେ ୩,୭୦୧ଟି ବୁଥ୍କୁ ସମ୍ବେଦନଶୀଳ ବୁଥ୍ ଭାବେ ଚିହ୍ନଟ କରାଯାଇଛି । ଏସବୁ ବୁଥ୍ରେ ଶୃଙ୍ଖଳିତ ମତଦାନ ପାଇଁ ଫୋର୍ସ ମଲ୍ଟିପ୍ଲାୟର ବ୍ୟବସ୍ଥା ହୋଇଛି । ୭୪୮ଟି ବୁଥ୍ରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବଳ (ସିଏପିଏଫ୍) ନିୟୋଜନ ହୋଇଛନ୍ତି । ୮୮୩ଟି ବୁଥ୍ର ୱେବ୍ କାଷ୍ଟିଂ ହେବାକୁ ଥିବା ବେଳେ ୬୨୩ଟି ବୁଥ୍ରେ ସିସିଟିଭି ବ୍ୟବସ୍ଥା ହୋଇଛି । ୮୯୨ଟି ବୁଥ୍ରେ ପର୍ଯ୍ୟବେକ୍ଷକଙ୍କ ନଜର ରହିବାକୁ ଥିବା ବେଳେ ୩୩୧ଟି ବୁଥ୍ର ଭିଡିଓଗ୍ରାଫି ଓ ୨୪ଟି ବୁଥ୍ର ଫଟୋଗ୍ରାଫି ହେବ ।
ସୂଚନା ଥାଉକି, ନିର୍ବାଚନ ଆୟୋଗଙ୍କ ବିଜ୍ଞପ୍ତି ମୁତାବକ, ଏ ପର୍ଯ୍ୟାୟରେ ମୋଟ୍ ୩୫ଟି ବିଧାନସଭା ଆସନ ମଧ୍ୟରୁ ୧୪ଟି ମାଓପ୍ରବଣ ଆସନରେ ଭୋଟିଂ ଅପରାହ୍ଣ ୪ଟା ଯାଏଁ ଭୋଟିଂ ହେବ । ଅନ୍ୟ ସମସ୍ତ ବିଧାନସଭା ଆସନରେ ସନ୍ଧ୍ୟା ୬ଟା ଯାଏଁ ମତଦାନ ଚାଲିବ ।