ଦ୍ୱିତୀୟ ଟି-୨୦ରେ ହାରିଲା ଭାରତ: ସିରିଜରେ ପଏଣ୍ଟ ବରାବର କଲା ୱେଷ୍ଟଇଣ୍ଡିଜ୍

ଥିରୁଅନନ୍ତପୁରମ୍‌ ୯/୧୨: ଘରୋଇ ଭାରତ ଓ ୱେଷ୍ଟ ଇଣ୍ଡିଜ୍‌ ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ୱେଷ୍ଟ ଇଣ୍ଡିଜ୍‌ ୮ ୱିକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୭ ୱିକେଟ୍‌ ବିନିମୟରେ ୧୭୦ ରନ୍‌ ସଂଗ୍ରହ କରିଥିଲା । ଏହାର ଜବାବରେ ୱେଷ୍ଟ ଇଣ୍ଡିଜ୍‌ ୧୮.୩ ଓଭରରେ ୨ ୱିକେଟ୍‌ ହରାଇ ବିଜୟ ହାସଲ କରିଥିଲା । ଦଳ ପକ୍ଷରୁ ଲେଣ୍ଡଲ ସିମନ୍ସ ଅପରାଜିତ ୬୭(୪ଚୌକା, ୪ଛକା), ଏଭିନ ଲୁଇସ୍‌ ୪୦(୩ଚୌକା, ୩ଛକା), ନିକୋଲାସ୍‌ ପୂରାନ ଅପରାଜିତ ୩୮(୧୮ବଲ୍‌, ୪ଚୌକା, ୨ଛକା) ରନ୍‌ କରିଥିଲେ ।

ଏହି ମ୍ୟାଚ୍‌ରେ ଟସ୍‌ ଜିତି ୱେଷ୍ଟ ଇଣ୍ଡିଜ୍‌ ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଚୂଡ଼ାନ୍ତ ଏକାଦଶରେ ଭାରତ କୌଣସି ପରିବର୍ତ୍ତନ କରିନଥିଲା । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ ଦିନେଶ ରାମଦିନଙ୍କ ବଦଳରେ ନିକୋଲାସ ପୂରାନ୍‌ ଏକାଦଶରେ ସ୍ଥାନ ପାଇଥିଲେ । ଦୁଇ ଓପନର ରୋହିତ ଶର୍ମା ଓ ଲୋକେଶ ରାହୁଲ ପ୍ରାରମ୍ଭରୁ ଦ୍ରୁତ ରନ୍‌ ସଂଗ୍ରହ କରିବାରେ ବିଫଳ ହୋଇଥିଲେ । ୱେଷ୍ଟ ଇଣ୍ଡିଜ୍‌ର ଶୃଙ୍ଖଳିତ ବୋଲିଂ ଉନ୍ନତ ଫିଲ୍ଡିଂ ଉଭୟ ଓପନରଙ୍କ ପାଇଁ ଚିନ୍ତାର କାରଣ ସାଜିଥିଲା । ୩ଓଭରରେ ୨୪ ରନ୍‌ ସଂଗ୍ରହ ହୋଇଥିଲା । ଚତୁର୍ଥ ଓଭର ଆରମ୍ଭ ହେଉ ହେଉ ପ୍ରଥମ ୱିକେଟ୍‌ର ପତନ ଘଟିଥିଲା । ପ୍ରଥମ ମ୍ୟାଚ୍‌ରେ ଅର୍ଦ୍ଧଶତକ ଅର୍ଜନ କରିଥିବା ରାହୁଲ ୧୧ ରନ୍‌ କରି ପ୍ରଥମେ ଆଉଟ୍‌ ହୋଇଥିଲେ ।

ସହଳ ୱିକେଟ୍‌ର ପତନ ଦେଖି ଅଲ୍‌ରାଉଣ୍ଡର ଦୁବେଙ୍କୁ ପିଞ୍ଚ ହିଟର ଭାବେ ପଠାଯାଇଥିଲା । ପ୍ରଥମ କିଛି ବଲ୍‌ ସତର୍କତାର ସହ ଖେଳିବା ପରେ ଦୁବେ ଆରମ୍ଭ କରିଦେଇଥିଲେ ବିସ୍ଫୋରଣ । ମିଡ୍‌ ୱିକେଟ୍‌ ଓ ସ୍କୋୟାର ଲେଗ୍‌ ଅଞ୍ଚଳରେ ସେ ଚୌକା ଓ ଛକାର ବର୍ଷା କରିଥିଲେ । ରୋହିତଙ୍କ ସହ ଦ୍ୱିତୀୟ ୱିକେଟ୍‌ରେ ୩୨ ରନ୍‌ ଯୋଗ କରିଥିଲେ । ଦଳୀୟ ସ୍କୋର ୫୬ବେଳେ ରୋହିତ ୧୫ ରନ୍‌ କରି ଆଉଟ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ବିରାଟ କୋହଲି ଓ ଦୁବେଙ୍କ ମଧ୍ୟରେ ୪୧ ରନ୍‌ର ଭାଗିଦାରୀ ଗଠନ ହୋଇଥିଲା । ଦୁବେ ୨୭ଟି ବଲ୍‌ରୁ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ଦଳୀୟ ସ୍କୋର ୯୭ବେଳେ ସେ ବ୍ୟକ୍ତିଗତ ୫୪ ରନ୍‌ କରି ଆଉଟ୍‌ ହୋଇଥିଲେ । ଏହି ଇନିଂସରେ ଦୁବେ ୩ଟି ଚୌକା ଓ ୪ଟି ଛକା ମାରିଥିଲେ ।

ଦୁବେଙ୍କ ୱିକେଟ୍‌ର ପତନ ପରେ ୱେଷ୍ଟ ଇଣ୍ଡିଜ୍‌ ଚାପ ପକାଇଥିଲା । ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ କ୍ରିଜ୍‌ରେ ତିଷ୍ଠି ପାରି ନଥିଲେ । କୋହଲି ୧୯, ଶ୍ରେୟାସ ଆୟର ୧୦, ରବିନ୍ଦ୍ର ଜାଡେଜା ୯ ଓ ୱାସିଂଟନ ସୁନ୍ଦର କୌଣସ ରନ୍‌ କରି ନପାରି ଆଉଟ୍‌ ହୋଇଥିଲେ । ହେଲେ ରିଶଭ ପନ୍ତ ଗୋଟିଏ ପଟେ ସତର୍କତାର ସହ ବ୍ୟାଟିଂ କରି ଦଳୀୟ ସ୍କୋରକୁ ୧୭୦ରେ ପହଞ୍ଚାଇଥିଲେ । ସେ ୩ଟି ଚୌକା ଓ ଗୋଟିଏ ଛକା ବଳରେ ୩୩ ରନ୍‌ କରିଥିଲେ । ୱେଷ୍ଟ ଇଣ୍ଡିଜ୍‌ ପକ୍ଷରୁ କେସରିକ ୱିଲିୟମ୍ସ ଓ ହେଡେନ ୱାଲ୍ସ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


କିମ୍ବଦନ୍ତୀ ଫୁଟବଲ୍‌ ଖେଳାଳୀ ଡିଏଗୋ ମାରାଡୋନାଙ୍କ ଦେହାନ୍ତ

୨୦୨୩ ବିଶ୍ବକପ୍‌କୁ ନେଇ ଏମିତି କହିଲେ ନ୍ୟୁଜିଲାଣ୍ଡର ଷ୍ଟାର ଖେଳାଳି

ଗ୍ରେଗ୍ ବାର୍କଲେ ଆଇସିସିର ନୂତନ ଅଧ୍ୟକ୍ଷ, ଦ୍ବିତୀୟ ରାଉଣ୍ଡ ଭୋଟିଂରେ ମିଳିଲା ସଂଖ୍ୟା ଗରିଷ୍ଠତା

ରେଡ୍‌ ବୁଲ୍‌ କ୍ୟାମ୍ପସ୍‌ ଟି-ଟ୍ୱେଣ୍ଟି କ୍ରିକେଟ୍‌ : ଫାଇନାଲ୍‌ରେ ସୋଆ ବିଶ୍ୱବିଦ୍ୟାଳୟ

କରୋନା କାଳରେ କେତେଥର କୋଭିଡ ଟେଷ୍ଟ କରିଛନ୍ତି ବିସିସିଆଇ ଅଧ୍ୟକ୍ଷ? ନିଜେ କଲେ ଖୁଲାସା

ICC ବାଛିବ ଦଶନ୍ଧିର ସର୍ବଶ୍ରେଷ୍ଠ ଖେଳାଳି: ଭାରତରୁ ଅଛନ୍ତି ୬ ଖେଳାଳି, ବିରାଟ ସର୍ବାଧିକ ୫ଟି ଆଓ୍ବାର୍ଡ ପାଇଁ ମନୋନୀତ