ମୋହାଲିରେ ବିରାଟଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତ ୭ ୱିକେଟ୍‌ରେ ବିଜୟୀ

ଚଣ୍ଡୀଗଡ଼ ୧୯/୯: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଅନୁଷ୍ଠିତ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ ୭ ୱିକେଟ୍‌ରେ ରୋମାଞ୍ଚକର ବିଜୟ ହାସଲ କରିଛି । ଏହି ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ପ୍ରଥମେ ବ୍ୟାଟିଂ କରି ୫/୧୪୯ ସଂଗ୍ରହ କରିଥିଲା। ଏହାର ଜବାବରେ ଭାରତ ୧୯ ଓଭରରେ ୩ ୱିକେଟ୍‌ ହରାଇ ବିଜୟ ହାସଲ କରିନେଇଥିଲା ।

ଏହି ମ୍ୟାଚ୍‌ରେ ଭାରତ ଟସ୍‌ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା । ଦକ୍ଷିଣ ଆଫ୍ରିକା ପକ୍ଷରୁ ଅଧିନାୟକ କ୍ୱିଣ୍ଟନ ଡି କକ୍‌ ଓ ରିଜା ହେଣ୍ଡରିକ୍ସ ଆକ୍ରମଣାତ୍ମକ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଦ୍ରୁତ ବେଗରେ ଆଗେଇ ନେଇଥିଲେ । ଚତୁର୍ଥ ଓଭରରେ ପ୍ରଥମ ୱିକେଟ୍‌ର ପତନ ଘଟିଥିଲା । ଦଳୀୟ ସ୍କୋର ୩୧ ବେଳେ ଦୀପକ ଚହରଙ୍କ ବଲ୍‌ରେ ହେଣ୍ଡରିକ୍ସ(୬) ଆଉଟ୍‌ ହୋଇଥିଲେ । ଏହାପରେ ବ୍ୟାଟିଂ କରିବାକୁ ଆସିଥିବା ତେମ୍ବା ବଭୁମା ଅପରାଜିତ ଡି କକ୍‌ଙ୍କ ସହ ମିଶି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଆରମ୍ଭ କରିଥିଲେ । ଉଭୟ ଦ୍ୱିତୀୟ ୱିକେଟ୍‌ରେ ୫୭ ରନ୍‌ ଯୋଗ କରିଥିଲେ । ଡି କକ୍‌ ମାତ୍ର ୩୫ଟି ବଲ୍‌ରୁ ଅର୍ଦ୍ଧଶତକ ପୂରଣ କରିଥିଲେ । ଦଳୀୟ ସ୍କୋର ୮୮ବେଳେ ଦ୍ୱିତୀୟ ୱିକେଟ୍‌ର ପତନ ଘଟିଥିଲା । ଡି କକ୍‌ ୫୨(୮ଚୌକା) ରନ୍‌ କରି ଆଉଟ୍‌ ହୋଇଥିଲେ ।

ଡି କକ୍‌ ଆଉଟ୍‌ ହେବା ପରେ ଚିନ୍ତା ଦୂର ହୋଇଥିଲା । ଭାରତୀୟ ବୋଲରମାନେ ଏଥର ଶୃଙ୍ଖଳିତ ବୋଲିଂ କରି ଚାପ ପକାଇଥିଲେ । ଦକ୍ଷିଣ ଆଫ୍ରିକାର ପରବର୍ତ୍ତୀ ବ୍ୟାଟ୍ସମ୍ୟାନମାନେ ଦ୍ରୁତ ରନ୍‌ ସଂଗ୍ରହ କରିବାକୁ ଯାଇ ବିଫଳ ହୋଇଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା । ରାସି ଭାନ ଡର ଡୁସେନ ୧ ରନ୍‌ କରିଥିବାବେଳେ ଡେଭିଡ ମିଲର ୧୮ ରନ୍‌ କରିଥିଲେ । ବଭୁମା ଆକର୍ଷଣୀୟ ୪୯(୩ଚୌକା, ୧ଛକା) ରନ୍‌ କରିଥିଲେ । ଡ୍ୱେନ ପ୍ରିଟୋରିୟସ (୧୦) ଓ ଆଣ୍ଡିଲ ଫେଲୁକ୍ୱାୟୋ( ୮) ଅପରାଜିତ ରହି ଦଳୀୟ ସ୍କୋରକୁ ୧୪୯ରେ ପହଞ୍ଚାଇଥିଲେ । ଭାରତ ପକ୍ଷରୁ ଦୀପକ ଚହର ୨ଟି ୱିକେଟ୍‌ ଅକ୍ତିଆର କରିଥିବାବେଳେ ନବଦୀପ ସାଇନି, ରବିନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

ଘରୋଇ ଗ୍ରାଉଣ୍ଡ୍‌ରେ ୧୫୦ ରନ୍‌ର ବିଜୟ ଲକ୍ଷ୍ୟ ଭାରତ ପାଇଁ କଷ୍ଟକର ନଥିଲା । ଓପନର ରୋହିତ ଶର୍ମା ସ୍କୋୟାର ଲେଗ୍‌ ଅଞ୍ଚଳରେ ୨ଟି ଦର୍ଶନୀୟ ଛକା ମାରି ରୋମାଞ୍ଚ ଖେଳାଇ ଦେଇଥିଲେ । ୩.୪ ଓଭରରେ ଭାରତ ୩୩ ରନ୍‌ ସଂଗ୍ରହ କରି ନେଇଥିଲା । ଏହି ଓଭରରେ ଆଣ୍ଡିଲ ଫେଲୁକ୍ୱାୟୋଙ୍କ ଫୁଲ୍‌ ଲେଙ୍ଗ୍‌ଥ୍‌ ବଲ୍‌କୁ ଖେଳିବାକୁ ଯାଇ ରୋହିତ ଏଲ୍‌ବିଡବ୍ଲ୍ୟୁ ହୋଇଥିଲେ। ଏହାପରେ ବ୍ୟାଟିଂ କରିବାକୁ ଆସିଥିବା କୋହଲି ଅପରାଜିତ ଓପନର ଶିଖର ଧାୱନଙ୍କ ସହ ମିଶି ସ୍ଥିତି ସୁଧାରିଥିଲେ । ଉଭୟ ଆକର୍ଷଣୀୟ ସଟ୍‌ମାନ ଖେଳି ଦଳୀୟ ସ୍କୋରକୁ ଆଗେଇ ନେଇଥିଲେ । ଦ୍ୱିତୀୟ ୱିକେଟ୍‌ରେ ୬୧ ରନ୍‌ ସଂଗୃହୀତ ହୋଇଥିଲା । ଦଳୀୟ ସ୍କୋର ୯୪ବେଳେ ବ୍ୟକ୍ତିଗତ ୪୦(୪ଚୌକା, ୧ଛକା) ରନ୍‌ କରି ଧାୱନ ଆଉଟ୍‌ ହୋଇଥିଲେ । ପୂର୍ବ ତ୍ରୁଟି ଗୁଡ଼ିକରୁ ଶିଖି ପାରି ନଥିବା ରିଶଭ ପନ୍ତ ମାତ୍ର ୪ ରନ୍‌ କରି ପାଭିଲିୟନ ଫେରିଥିଲେ । ୧୦୪ ରନ୍‌ରେ ଭାରତ ୩ଟି ୱିକେଟ୍‌ ହରାଇଥିଲା।

ଦକ୍ଷିଣ ଆଫ୍ରିକା ବାରମ୍ବାର ବୋଲିଂ ପରିବର୍ତ୍ତନ କରି ଭାରତ ଉପରେ ଚାପ ପକାଇବାକୁ ଜୋରଦାର ଉଦ୍ୟମ କରିଥିଲା । ତଥାପି କୋହଲିଙ୍କୁ ଅଟକାଇବା ସେମାନଙ୍କ ପକ୍ଷରେ ସହଜ ହୋଇ ନଥିଲା । ସେ ଆକର୍ଷଣୀୟ ସଟ୍‌ ମାନ ଖେଳି ୨୨ତମ ଅର୍ଦ୍ଧଶତକ ଅର୍ଜନ କରିଥିଲେ । ତୃତୀୟ ୱିକେଟ୍‌ର ପତନ ପରେ ବ୍ୟାଟିଂ କରିବାକୁ ଆସିଥିବା ଶ୍ରେୟାସ ଆୟରଙ୍କ ସହ ବାକି ରନ୍‌ ଯୋଗ କରି ସେ ଦଳକୁ ବିଜୟୀ କରାଇଥିଲେ । କୋହଲି ୫୨ଟି ବଲ୍‌ରୁ ୪ଟି ଚୌକା ଓ ୩ଟି ଛକା ବଳରେ ଅପରାଜିତ ୭୨ ରନ୍‌ କରିଥିଲେ । ଆୟର ୧୬(୨ଚୌକା) ରନ୍‌ କରି ଅପରାଜିତ ରହିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ ଫେଲୁକ୍ୱାୟୋ, ସାମ୍‌ସି ଓ ଫର୍ଟୁଇନ୍‌ ଗୋଟିଏ ଲେଖାଏଁ ୱିକେଟ୍‌ ନେଇଥିଲେ ।

   ସମ୍ବନ୍ଧିତ ଖବର


ସୂର୍ଯ୍ୟକୁମାର ଯାଦବ ଇଣ୍ଟରନ୍ୟାସନାଲ ମ୍ୟାଚ ଖେଳିବାକୁ ଚାହୁଁଛନ୍ତି ଯଦି ଆମ ଦେଶରୁ ଖେଳନ୍ତୁ, ପୂର୍ବତନ ଖେଳାଳି ଟ୍ବିଟ କରି ଦେଲେ ଅଫର

୯ ବର୍ଷ ତଳେ ଭବିଷ୍ୟବାଣୀ କରିଥିଲେ ରୋହିତ ଶର୍ମା, ଏବେ କରି ଦେଖାଇ ଦେଲେ ସୂର୍ଯ୍ୟ କୁମାର

ଆଇପିଏଲ୍‌ରେ ବୁମ୍‌ରାଙ୍କ ନୂଆ ରେକର୍ଡ: ପ୍ରଥମ ୱିକେଟ୍‌ ବିରାଟ ଓ ଶହେତମ ୱିକେଟ୍ ବି ଶିକାର ହେଲେ ବିରାଟ

IPL-2020: ଆଜି କୋଲକାତା ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପର କିଙ୍ଗ୍‌ସ ମଧ୍ୟରେ କଡ଼ା ଟକ୍କର

IPL ମ୍ୟାଚ୍‌ ପାଇଁ ପାଗଳ ହେଉଥିଲେ ଏହି ବୋଲର , ଟିମ୍‌ ଇଣ୍ଡିଆରେ ଚୟନ ପରେ ପରିବାରରେ ଖୁସିର ଜୁଆର

୨୦୨୧ ସିଜନରେ ବି ଧୋନି ଅଧିନାୟକ ରହିବେ: ସିଏସ୍‌କେ