ଧରାପଡ଼ିଲେ ୩ କୁଖ୍ୟାତ ଲୁଟେରା: ବାଇକ୍, ୩ ମୋବାଇଲ୍ ଜବତ

ଭୁବନେଶ୍ୱର,୩୦ା୩(ବ୍ୟୁରୋ): ରାଜଧାନୀରେ ଲୁଟ୍ପାଟ୍ କରି ଆତଙ୍କ ଖେଳାଇଥିବା ଏକ ଗ୍ୟାଙ୍ଗ୍ର ୩ ସଦସ୍ୟଙ୍କୁ ଏୟାରପୋର୍ଟ ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଏୟାରପୋର୍ଟ ଥାନା ଅନ୍ତର୍ଗତ କେଳାସାହି ବସ୍ତିରେ ରହୁଥିବା କଟକ ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣପୁର କଲୋନୀ ବଜାରର ଶାମ୍ ଦାସ ଓରଫ ଶାମ୍ ସାମଲ(୨୯), ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଗୋଡ଼ିପୋଖରୀର ଦୀପୁ ଓରଫ ଦୀପକ ମହାପାତ୍ର(୩୨) ଓ ଏୟାରଫିଲ୍ଡ ଥାନା ଅନ୍ତର୍ଗତ ଭୀମଟାଙ୍ଗୀ ହାଉସିଂବୋର୍ଡ କଲୋନୀରେ ରହୁଥିବା ଖୋର୍ଦ୍ଧା ଜଙ୍କିଆ ଥାନା ଅନ୍ତର୍ଗତ ବେତଜଙ୍ଗର ଘଉ ଓରଫ ସନ୍ତୋଷ କୁମାର ବଳିୟାରସିଂହ(୨୮) । ପୁଲିସ ସେମାନଙ୍କ ଠାରୁ ଏକ ବାଇକ୍, ୩ଟି ମୋବାଇଲ୍ ଫୋନ୍, ଏଟିଏମ୍ କାର୍ଡ ଆଦି ଜବତ କରିଛି ।
ପୁଲିସ ସୂଚନା ଅନୁଯାୟୀ, ସମ୍ବଲପୁର କୁଞ୍ଜେଇପଡ଼ାର ଆଶିଷ ସୁପକାର(୨୫) ଓ ତାଙ୍କ ସାଙ୍ଗ ଗତ ୨୮ ତାରିଖ ଦିନ ଗୋଟାଏ ବେଳେ ବାଇକ୍ରେ ପଳାଶପଲ୍ଲୀ ଓଭରବ୍ରିଜ୍ ଦେଇ ଭରତପୁର ଯାଉଥିଲେ । ଏହି ସମୟରେ ଗୋଟିଏ ବାଇକ୍ (ଓଡି୦୨ବିବି-୩୫୧୧)ରେ ୪ ଯୁବକ ଆସି ସେମାନଙ୍କୁ ପଳାଶପଲ୍ଲୀ ଓଭରବ୍ରିଜ୍ ଉପରେ ଅଟକାଇଥିଲେ । ସେମାନେ କିଛି ବୁଝିବା ପୂର୍ବରୁ ୪ଜଣ ସେମାନଙ୍କୁ ଧମକଚମକ ଦେବା ସହ ଆଶିଷଙ୍କ ପକେଟ୍ରୁ ନଗଦ ୫ ହଜାର ୧୫୦ ଟଙ୍କା ଲୁଟି ନେଇ ପଳାଇଥିଲେ । ପୁଣି ସେମାନେ ବାଇକ୍ ବୁଲାଇ ଆଶିଷଙ୍କ ନିକଟରେ ପହଞ୍ଚି ତାଙ୍କ ବେକରୁ ସୁନାଚେନ୍, ସୁନା ମୁଦି ଓ ୨ଟି ମୋବାଇଲ୍ ଫୋନ୍ ଛଡ଼ାଇ ନେଇ ଖଣ୍ଡଗିରି ଆଡ଼େ ପଳାଇଥିଲେ ।
ଏନେଇ ଆଶିଷ ଏୟାରପୋର୍ଟ ଥାନାରେ ଅଭିଯୋଗ କରିଥିଲେ । ପୁଲିସ ବାଇକ୍ ନମ୍ବରକୁ ଆଧାର କରି ଗତକାଲି ୩ଲୁଟେରାଙ୍କୁ ଗିରଫ କରିବା ସହ ସେମାନଙ୍କ ଠାରୁ ୩ଟି ମୋବାଇଲ୍ ଫୋନ୍ ଓ ଏକ ବାଇକ୍ (ଓଆର୧୬ଡି-୮୪୨୧), ଏଟିଏମ୍ କାର୍ଡ କଲେଜ ଆଇକାର୍ଡ ଆଦି ଜବତ କରିଛି । ଗିରଫ ୩ ଜଣଙ୍କ ନାମରେ ରାଜଧାନୀର ବିଭିନ୍ନ ଥାନାରେ ଲୁଟ୍ପାଟ ମାମଲା ଥିବା ପୁଲିସ ଜାଣିବାକୁ ପାଇଛି । ଆଜି ଶମ୍, ଦୀପୁ ଓ ଘଉଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି । ତେବେ ଏହି ଲୁଟେରା ଗ୍ୟାଙ୍ଗ୍ର ଅନ୍ୟ ଜଣେ ସଦସ୍ୟ ଫେରାର୍ ହୋଇଯାଇଛି । ତାକୁ ପୁଲିସ ଚିହ୍ନଟ କରିଛି । ଖୁବ୍ଶୀଘ୍ର ଫେରାର୍ ଅଭିଯୁକ୍ତକୁ ଗିରଫ କରାଯିବ ବୋଲି ପୁଲିସ କହିଛି ।