ଷ୍ଟେସନରୁ ୩ ଲୁଟେରା ଗିରଫ: ୨୪ ମୋବାଇଲ୍, ଟଙ୍କା ଜବତ

ଭୁବନେଶ୍ୱର,୧୭ ।୩(ବ୍ୟୁରୋ): ଭୁବନେଶ୍ୱର ରେଳ ଷ୍ଟେସନରେ ଟ୍ରେନ୍ ଯାତ୍ରୀଙ୍କୁ ଲୁଟ୍ପାଟ କରି ଆତଙ୍କ ଖେଳାଇଥିବା ୩ କୁଖ୍ୟାତ ଲୁଟେରାଙ୍କୁ ରେଳବାଇ ଥାନା ପୁଲିସ ଗିରଫ କରିଛି । ସେମାନେ ହେଲେ ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗର ପ୍ରଧାନସାହିର ଗୁଡ୍ଡୁ ଓରଫ ଶ୍ରୀମାଞ୍ଚଳ ପାଢ଼ୀ(୨୬), ବାବୁ ଓରଫ ରବି ବେହେରା(୧୯) ଓ ଯାଜପୁର ଚୋରଡ଼ାର ଆକାଶ ଓରଫ ଅଶୋକ ଦାସ(୨୦) । ଗିରଫ ଲୁଟେରାଙ୍କ ଠାରୁ ୨୪ଟି ମୋବାଇଲ୍ ଫୋନ୍ ଓ ୧୦ ହଜାର ଟଙ୍କା ଜବତ ହୋଇଛି । ରେଳବାଇ ଥାନା ପୁଲିସ ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୁରୋଳର ମନୋଜ କୁମାର ଦାସ ଝାରସୁଗୁଡ଼ା ଯିବା ପାଇଁ ଆଜି ଭୋର ସମୟରେ ଆସି ଭୁବନେଶ୍ୱର ରେଳ ଷ୍ଟେସନରେ ପହଞ୍ଚିଥିଲେ । ସେ ପ୍ଲାଟ୍ଫର୍ମ ନଂ-୧ରେ ଟ୍ରେନ୍କୁ ଅପେକ୍ଷା କରି ଛିଡ଼ା ହୋଇଥିଲେ । ଏହି ସମୟରେ ୩ ଲୁଟେରା ଆସି ମନୋଜଙ୍କ ହାତରୁ ବ୍ୟାଗ୍ ଝାମ୍ପିନେଇ ପଳାଇଥିଲେ । ମନୋଜ ଚୋର ଚୋର ବୋଲି ପାଟି କରିଥିଲେ ମଧ୍ୟ ୩ ଲୁଟେରା ଖସି ପଳାଇଥିଲେ । ଏନେଇ ମନୋଜ ରେଳବାଇ ଥାନାରେ ଅଭିଯୋଗ କରିଥିଲେ ।

ରେଳବାଇ ପୁଲିସ ସଙ୍ଗେ ସଙ୍ଗେ ଷ୍ଟେସନ ଓ ଆଖପାଖ ଅଞ୍ଚଳରେ ଚଢ଼ଉ କରିଥିଲା । ଗୁଡ୍ଡୁ, ବାବୁ ଓ ଆକାଶଙ୍କୁ ଗିରଫ କରିବାର ସଫଳ ହୋଇଥିଲା ପୁଲିସ । ସେମାନଙ୍କ ଠାରୁ ମନୋଜଙ୍କ ବ୍ୟାଗ୍ ଜବତ କରା ଯାଇଥିଲା । ଏଥିସହ ସେମାନଙ୍କ ଘରେ ପୁଲିସ ଚଢ଼ଉ କରି ଗୁଡ୍ଡୁ ଠାରୁ ୧୧ଟି ମୋବାଇଲ୍ ଓ ୨୫ ଶହ ଟଙ୍କା, ଆକାଶ ଠାରୁ ୭ଟି ମୋବାଇଲ୍ ଓ ୩୫ଶହ ଟଙ୍କା, ରବି ଠାରୁ ୬ଟି ମୋବାଇଲ୍ ଫୋନ୍ ଓ ୪ ହଜାର ଟଙ୍କା ଜବତ କରା ଯାଇଥିଲା । ଏହି ଲୁଟେରାମାନେ ବିଶେଷ କରି ଟ୍ରେନ୍ରେ ଚଢ଼ୁଥିବା ଲୋକଙ୍କୁ ଟାର୍ଗେଟ କରନ୍ତି । ସୁବିଧା ଦେଖି ଯାତ୍ରୀଙ୍କ ହାତରୁ ବ୍ୟାଗ୍ ଓ ମୋବାଇଲ୍ ଫୋନ୍ ଝାମ୍ପି ନିଅନ୍ତି । ୩ ଜଣ ଲୁଟେରାଙ୍କ ନାମରେ ପୂର୍ବରୁ ମଧ୍ୟ ରେଳବାଇ ଥାନାରେ ମାମଲା ରହିଛି । ଆଜି ଅପରାହ୍ଣରେ ୩ ଲୁଟେରାଙ୍କୁ କୋର୍ଟ ଚାଲାଣ କରା ଯାଇଥିଲା । ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଛି ।